Unknown

 

 

 

 

 

 

 

 

 

 

କଥନିକା

ଶ୍ରୀ ଅନ୍ନଦାପ୍ରସାଦ ରକ୍ଷିତ

 

ଏକ କ୍ଷୁଦ୍ର ଭଗ୍ନାଂଶକୁ ଛୋଟଗଳ୍ପ ବୋଲି ଜାହିର କରିବାର ଦୁଃସାହସ ନକରିବା ଶ୍ରେୟ-। ଚରିତ୍ର ହେଉ ବା ଘଟଣା ହେଉ–ଗଳ୍ପରେ ତାହା ଉଦ୍ଦେଶ୍ୟହୀନ ଭାବେ ପରିବେଷଣ କରାଯାଏ ନାହିଁ । ସମାଜରେ ଯେଉଁ ରାଜନୀତିକ ବା ଅର୍ଥନୀତିକ ସଂଘାତ ଓ ସଂଘର୍ଷ ଚାଲିଛି–ମଣିଷ ମନରେ ତା’ର ପରିବେଶର ପ୍ରଭାବ ସ୍ୱରୂପେ ଯେଉଁ ଦ୍ଵନ୍ଦ୍ୱ, ଯେଉଁ ଭାବାନୁବେଗର ସୂକ୍ଷ୍ମ ଅନୁଭୂତି ଚିର ଆନ୍ଦୋଳିତ ତାହାରି ଏକ ମନୋଜ୍ଞ ରୂପରେଖ ଦେବା ନିମନ୍ତେ କେତୋଟି ସମସ୍ୟା, ଘଟଣା ବା ଚରିତ୍ରକୁ କେନ୍ଦ୍ରକରି ଗଳ୍ପର ଅବତାରଣା ।

 

ଓଡ଼ିଆ କଥା ସାହିତ୍ୟର ଛୋଟଗଳ୍ପ କ୍ଷେତ୍ରରେ ‘କଥନିକା’ର ସ୍ଥାନ ନିରୂପଣ ଓ ମୂଲ୍ୟାଙ୍କନର ଦାୟିତ୍ୱ ସୁଧୀପାଠକ ଆଉ ବରେଣ୍ୟ ସମାଲୋଚକଙ୍କ ହସ୍ତରେ ନ୍ୟସ୍ତ ।

 

ଗଳ୍ପଗୁଡ଼ିକ ୧୯୫୫ରୁ ୧୯୫୮ ମଧ୍ୟରେ ‘ଆସନ୍ତାକାଲି’ ‘ନବଜୀବନ’ ଓ ‘ଜ୍ୟୋତି’ ପ୍ରଭୃତି ବିଭିନ୍ନ ସାହିତ୍ୟ ପତ୍ରିକାରେ ଆତ୍ମପ୍ରକାଶ କରିଅଛି । ସେଇ ଗଳ୍ପଗୁଡ଼ିକର ସଂକଳନ ଏଇ ‘କଥନିକା’ । ଏହାର ପ୍ରକାଶନ ଓ ପରିବେଷଣର ଦାୟିତ୍ୱ ଗ୍ରହଣ କରିଛନ୍ତି ଓଡ଼ିଶା ବୁକଷ୍ଟୋରର ପ୍ରତିଷ୍ଠାତା ଶ୍ରୀ ଗୋବିନ୍ଦ ଚରଣ ପାତ୍ର । ତାଙ୍କୁ ମୋର ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି ।

 

ମୋର ଯେଉଁ ବନ୍ଧୁଗଣଙ୍କ ପ୍ରଚେଷ୍ଟା ଓ ଉଦ୍ୟମରୁ ‘କଥନିକା’ ପୁସ୍ତକ ଆକାରରେ ଆତ୍ମପ୍ରକାଶ କରିବାର ସୌଭାଗ୍ୟ ଲାଭ କରିଛି ସେମାନେ ହେଲେ ବିପ୍ଳବୀକବି ଶ୍ରୀ ରବିନ୍ଦ୍ର ନାଥ ସିଂହ ଓ ତରୁଣକବି ଶ୍ରୀ ବ୍ରଜନାଥ ରଥ–ସେମାନଙ୍କୁ ଅଶେଷ ଧନ୍ୟବାଦ । ଇତି ।

 

ଶ୍ରୀ ଅନ୍ନଦାପ୍ରସାଦ ରକ୍ଷିତ

 

କାହାଣୀ

 

ନିରୋଳା ରାତିରେ ଖପର ଘରେ ଟପ୍ ଟପ୍ ବର୍ଷାର ଶବ୍ଦ । ପିଲାବେଳେ ମନେହେଉଥିଲା–ରଜାପୁଅର ଘୋଡ଼ା ଟାପୁ । ଆଜି ବି ଏଇ ଧାରାଶ୍ରାବଣର ନୀରବ ସନ୍ଧ୍ୟାରେ ବର୍ଷାର ଶବ୍ଦ ଠିକ୍ ସେଇ ଆଈ ଗପର ଘୋଡ଼ାଟାପୁଭଳି ମନେହୁଏ ।

 

ସାୟାହ୍ନର ଘନାୟମାନ ଅନ୍ଧକାରରେ ଚୁପ୍ ହୋଇ ବସି ଭାବୁଥିଲେ ବୁଢ଼ା ମଧୁମାଷ୍ଟର ।

 

ଏ ଅଞ୍ଚଳରେ ଅନେକ କିଛି ପରିବର୍ତ୍ତନ ହେବାର ସେ ଉପଲବ୍ଧି କରିଛନ୍ତି । କିନ୍ତୁ ସ୍କୁଲର ଏଇ ଛୋଟ, ପୁରାତନ ଖପର ଘରଭଳି ସେ ରହିଯାଇଛନ୍ତି ଅପରିବର୍ତ୍ତିତ । କେବଳ ତାଙ୍କର ବଳିଷ୍ଠ ଶରୀରଟା କ୍ରମେ ଧନୁଭଳି ନଇଁ ପଡ଼ିଛି ସାମନାକୁ । ଧୂସର କେଶଗୁଡ଼ିକ ଧୀରେ ଧୀରେ ତାରୁଣ୍ୟକୁ ବିଦାୟ ଦେଇ ଜୀବନର ସାୟାହ୍ନର ସୂଚନା ଦେଉଛି । ନିଜର ପ୍ରକୃତିରେ ରୁକ୍ଷତା ଆସିଯାଇଛି ।

 

ଏଥି ଭିତରେ ଅନେକ ଛୋଟ ଘର, ନୂତନ ଅଟ୍ଟାଳିକାର ରୂପ ଧାରଣ କରିଛି । ସେ ପାଖରେ ଯେଉଁ ସ୍ଥାନ ଥିଲା ବଣ, ବୁଦା, ଜଙ୍ଗଲ–ସେଠି କେତେ ନୂଆଘର ହେଲାଣି । ସେଠାରେ ପ୍ରଥମେ ଦୃଷ୍ଟି ଆକର୍ଷଣ କରେ ଗୋଟାଏ ଅତ୍ୟାଧୁନିକ ଧରଣର ବିରାଟ ଅଟ୍ଟାଳିକା । ଏବେ ତୋଳା ହେଇଚି । ରେଡ଼ିଓର ସଙ୍ଗୀତ ଲହରୀ ବେଳେ ବେଳେ ଭାସିଆସେ । ଅଳ୍ପଦିନ ହେଲା ନୂଆ ଡିଜାଇନ ମଟର ସେହି ଘରୁ ଏଇବାଟ ଦେଇ ଯାତାୟତ କରୁଛି । କୋଠାଟି ଜଣେ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କର ବୋଲି ସେ ଶୁଣିଛନ୍ତି ।

 

ଅନେକ ସମୟରେ ସେ ଗଭୀର ବିସ୍ମୟରେ ଅଭିଭୂତ ହୋଇପଡ଼ନ୍ତି । ପରିବର୍ତ୍ତନର ତରଙ୍ଗରେ ସାରା ଜଗତ ଯେତେବେଳେ ଆନ୍ଦୋଳିତ, ତାଙ୍କର ଏଇ ବିଦ୍ୟାକୁଟୀର ଆଉ ସେ, କିମିତି ସେହି ପୁରୁଣା ଦିନଭଳି ରହିଯାଇଛନ୍ତି । ଦିନ ପରେ ଦିନ ଯେଉଁ ସୂର୍ଯ୍ୟ ଉଦୟାଚଳରେ ଅରୁଣ ରାଗରେ ଥରି ଉଠି ଅସ୍ତାଚଳରେ ଢଳିପଡ଼େ–ସେଥିରେ ନୂତନତାର ଆସ୍ଵାଦାନ ସେ ପାଆନ୍ତିନି । ନିତିଦିନ ଦଳେ ଶିଶୁର କଳମୁଖରରେ ପ୍ରାଙ୍ଗଣଟି ଉଦ୍ବେଳିତ ହୋଇଉଠେ, ପୁଣି ସନ୍ଧ୍ୟାରେ ସ୍ତିମିତ ହୋଇଯାଏ । ହଁ, ଅନେକ ଏଇ କ୍ଷୁଦ୍ର ଖପର ଛାଉଣୀରୁ ନିଷ୍କ୍ରାନ୍ତ ହୋଇ ଜୀବନର ବାସ୍ତବ ସଂଗ୍ରାମରେ ଯୋଗଦେଇଛନ୍ତି । ଜଣ ଜଣ କରି ଗଣିଲେ ଭୁଲ ହୋଇଯିବା ସ୍ୱାଭାବିକ । ସେମାନଙ୍କ ଭିତରୁ କିଏ ନିକଟରେ, କିଏ ଦୂରରେ, କିଏ ବା ଉଚ୍ଚପଦସ୍ଥ ସମ୍ମାନାସ୍ପଦ କର୍ମଚାରୀ, କିଏ ବା ଜାୟା, କିଏ ମାତା, କିଏ ବା ବଧୂ । ଦୁଃଖର ବିଷୟ ସେମାନଙ୍କର ବୟସ୍କ ମୁହଁଗୁଡ଼ିକ ମଧୁମାଷ୍ଟରଙ୍କ ମନେରହେନି । ଏଠି ସେମାନେ ଥାଆନ୍ତି ଛୋଟ । କଅଁଳ ସେମାନଙ୍କର ମୁହଁ । ନିରୀହ ଦୁଷ୍ଟାମିରେ ଚକ୍ ଚକ୍ କରୁଥାଏ ସେମାନଙ୍କର ଆଖି–ସେଥିରେ ଭରି ରହିଥାଏ ସାରା ବିଶ୍ଵର ବିସ୍ମୟ ଆଉ କୌତୂହଳ । ପଥ ଘାଟରେ ଦେଖାହେଲେ–ଛୋଟ ସଲ୍ଲଜ ନମସ୍କାରଟିର ମୂଲ୍ୟ ଆଉ କିଏ ଦବ ? କିନ୍ତୁ–ଏଠାରୁ ଗଲାପରେ ସେମାନଙ୍କର ମୁହଁର ଗଠନ ବଦଳିଯାଏ । ସହଜ ସରଳତା କୁଆଡ଼େ ହଜିଯାଏ ସେମାନଙ୍କ ଅନ୍ତରରୁ ।

 

ସେଥିପାଇଁ ଭଲଲାଗନ୍ତି ସେଇ ମନୋରମ କଅଁଳ ଶିଶୁଗୁଡ଼ିକ । ସେଇ ରୂପ ଅପରିସୀମା ଆନନ୍ଦ ଦିଏ ବୋଲି ନିରନ୍ତର ଜାଗରୂକ ରହେ ମଧୁମାଷ୍ଟରଙ୍କର ମନଆକାଶରେ ସନ୍ଧ୍ୟାର ତାରକାଭଳି । ସେମାନଙ୍କ ଭିତରେ କୃତୀଛାତ୍ର ବିରାଟ ଅଟ୍ଟାଳିକା ପରି ଶୋଭାପାଆନ୍ତୁ; ସେମାନଙ୍କର ଶୈଶବର ସୁଦୃଢ଼ ଭତ୍ତି ଲୋକଲୋଚନର ଅନ୍ତରାଳରେ ଥାଉ–କେହି ପଛେ ନ ଜାଣନ୍ତୁ, କେଉଁ କାରିଗର ଦେଇଥିଲା ତା’ର ମୂଳଭିତ୍ତି ।

 

ଚିନ୍ତାର ଗତି ବ୍ୟାହତ ହେଲା–ମଟରର ସୁତୀବ୍ର ଆଲୋକରେ । ଅଭ୍ରଗୁଣ୍ଡଭଳି ସୁନ୍ଦର ବର୍ଷାବିନ୍ଦୁ ଝଲସି ଉଠିଲା ମଟର ଆଲୁଅରେ । ନାଲି ସଡ଼କ ଉପରେ ସୁନେଲି କଦମ୍ବରେଣୁର ବିଛଣା ମାଡ଼ି ମନ୍ଥର ଗତିରେ ଆସି ଅଟକିଲା ମଟରଟି । ମଟରରୁ ଓହ୍ଲେଇ ଆସିଲେ ଜଣେ ସୁଦର୍ଶନ ପୌଢ଼ । ଭେଲଭେଟ୍‍ର ନାଇଟ୍ ଗାଉନ୍ ତଳେ ବିଶାଳ ଶରୀରଟା ସୁସ୍ପଷ୍ଟ ।

 

ଅଚିନ୍ତନୀୟ ଅତିଥିର ଆଗମନ ପାଇଁ ମଧୁମାଷ୍ଟର ଆଦୌ ପ୍ରସ୍ତୁତ ନଥିଲେ । ଅଭ୍ୟର୍ଥନା କରିବାର ସମ୍ବଳ ନାହିଁ । ପୁରାତନ, ଭଙ୍ଗା ଚୌକିଟା ଟାଣି ଆଣିଲେ–ଆଉ ସମଧିକ ଜୀର୍ଣ୍ଣ ଟୁଲ୍‍ଟା ।

 

ମୁଁ ରିଟାୟାର କରି ଏଠାକୁ ଅଳ୍ପଦିନ ହେଲା ଆସିଛି, ଜାଣ ବୋଧହୁଏ । ଗମ୍ଭୀର କଣ୍ଠସ୍ୱରରେ ବିଜନତା ଝଙ୍କାରି ଉଠିଲା । ଦାମୀ ପାଇପ୍‍ର ସୁଗନ୍ଧୀ ଟୋବାକର ଧୂଆଁରେ ଆଲୋଡ଼ିତ ହେଲା ବର୍ଷାସନ୍ଧ୍ୟାର ବାୟୁମଣ୍ଡଳ ।

 

ଆଜ୍ଞା । ସମ୍ମତିସୂଚକ ଶିର ହଲେଇ ଘର ଭିତରୁ ହାରିକେନଟା ନେଇ ଆସିଲେ । ଏଇଠି ବସନ୍ତୁ ଆଜ୍ଞା । ଠିଆହୋଇ ଥିବାର ଦେଖି ବ୍ୟସ୍ତରେ ଚେୟାରଟା ଆଗେଇ ଦେଲେ ମଧୁମାଷ୍ଟର ।

 

ଆରେ, ଏତେ ବ୍ୟସ୍ତ ହେଉଛ କାହିଁକି ? ଟିକିଏ ଅଟକିଗଲେ ଆଗନ୍ତୁକ । ଅବସ୍ଥା ଅନୁମାନ କରି ନିଜର ଗମ୍ଭୀର ସ୍ୱର ସମ୍ଵନ୍ଧରେ ସେ ସଚେତନ ହେଲେ । ଆନ୍ତରିକତାଭରା ସହଜ କଣ୍ଠରେ କହିଲେ–ଆରେ ମଧୁ; ମୋତେ ଚିହ୍ନି ପାରୁନୁ ?

 

ନ ଚିହ୍ନିପାରିବାର ଅପରାଧରେ ମୁଣ୍ଡଟା ନଇଁଗଲା ତାଙ୍କର । ସଂକୋଚରେ ପୁଣି ଚାହିଁଲେ ଆଗନ୍ତୁକଙ୍କ ମୁହଁକୁ । ରେଖାହୀନ ଗମ୍ଭୀର ମୁହଁରେ ମୋଟା କାଚର ଚଷମା । କୌଣସି ପ୍ରକାରେ ତାଙ୍କର ସ୍ମୃତିପଥରେ ଜାଗରିତ ହେଲାନି ସେ ମୁହଁ । ଆରେ ମୁଁ ପରା ଭବାନୀ, ପୁରୀରୁ ରିଟାୟାର କରି ଆସିଲି, ସେଦିନ ଶୁଣିଲି ତୁମେ ଏଇଠି...... ।

 

ବିସ୍ମୟ ସାଗରର ବିକ୍ଷୁବ୍ଧ ତରଙ୍ଗର ଆନ୍ଦୋଳନରୁ ନିଜକୁ ସଂଯତ କରି ମଧୁମାଷ୍ଟର କହିଲେ–‘‘ଆପଣ...”

 

–ନା–ନା–‘ଆପଣ’ ‘ଫାପଣ’ ନୁହେଁ । ସାରା ଜୀବନଟା ‘ଆଜ୍ଞା’ ‘ଆପଣ’ ଶୁଣି ଶୁଣି କଟେଇଛି । ସେ ଛଳନାମୟ ବାୟୁମଣ୍ଡଳରୁ ମୁକ୍ତି ପାଇଲା ପରେ ଆଉ ସେଗୁଡ଼ିକ ଶ୍ରୁତିମଧୁର ଲାଗେନି–ବିଶେଷ କରି ନିଜର ବନ୍ଧୁ ବାନ୍ଧବଠାରୁ । ସାମାନ୍ୟ ହସିଲେ ଅବସରପ୍ରାପ୍ତ ଇଞ୍ଜିନିୟର ଭବାନୀଶଙ୍କର । ସେଇ ହସ ଭିତରେ ଯିମିତି ମଧୁମାଷ୍ଟର ଖୋଜିପାଇଲେ ତାଙ୍କର ପୁରାତନ ସହପାଠୀ ଭବାନୀର ରୂପ ।

 

...ଶାନ୍ତଶିଷ୍ଟ, ମେଧାବୀ ଛାତ୍ର । ଉଭୟେ ଥିଲେ ଶ୍ରେଣୀର ପ୍ରତିଯୋଗୀ । ମେଟ୍ରିକ ପରୀକ୍ଷା ପୂର୍ବରୁ ଶିକ୍ଷାୟତନରୁ ବିଦାୟ ନେବାକୁ ହୋଇଥିଲା–ମଧୁମାଷ୍ଟରଙ୍କୁ । ଆଉ ଭାବାନୀ ଶିକ୍ଷାର ସୋପାନରେ ବିଜୟୀଭଳି କ୍ରମୋନ୍ନତ କରିଥିଲା । ଅନେକ ଦିନ ପରେ ମଧୁ ଯେତେବେଳେ ଭବାନୀର ଇଞ୍ଜିନିୟର ହେବାର ଖବର ପାଇଥିଲା ସେତେବେଳେ ଭାବିଥିଲା–ହଁ, ଇମିତି ଛାତ୍ର ଇଞ୍ଜିନିୟର ହେବାର ଯୋଗ୍ୟ ।

 

ତେବେ ସ୍କୁଲର ସେଇ ସୁନ୍ଦର କିଶୋର ବାଳକ ଭବାନୀ ଆଉ ଆଜି ଭବାନୀଶଙ୍କର ଭିତରେ ସାମଞ୍ଜସ୍ୟ ଖୋଜି ପାଇବା ଦୁଷ୍କର ।

 

ଆରେ ମଧୁ, ତୁ ସେମିତି ରହିଗଲୁ–ପ୍ରାଇମେରୀ ଶିକ୍ଷକ ! ଅବଶୋଷର କଣ୍ଠରେ କହିଲେ ଅବସରପ୍ରାପ୍ତ ଇଞ୍ଜିନିୟର ଆଉ ମଧୁ ରହିଗଲା–ନୀରବ । ଏମିତି ପ୍ରଶ୍ନର ଉତ୍ତର ସେ ଅନେକ ଆତ୍ମୀୟ, ଅନାତ୍ମୀୟ–ବନ୍ଧୁବାନ୍ଧବଠାରେ ଦେଇଛି । ପୁନରାବୃତ୍ତି କରିବାକୁ ଇଚ୍ଛା ହେଲାନି ।

 

ପୁଣି ଆରମ୍ଭ କଲେ ଭବାନୀଶଙ୍କର–ତୁ ମନରେ କଷ୍ଟ କରିବୁନି । ୟାଦ୍ଵାରା ସମାଜରେ ପ୍ରାଇମେରୀ ଶିକ୍ଷକଙ୍କର ପ୍ରୟୋଜନୀୟତାକୁ ମୁଁ ଲଘୁ କରୁନାହିଁ । ତେବେ କ’ଣ କି, ତୋ’ଭଳି ମେଧାବୀ ଛାତ୍ର ! ଅନେକ ଉନ୍ନତି କରିପାରିଥାନ୍ତୁ । ସାରାଜୀବନ ଏମିତି ବିତେଇ ଦେଲୁ ! ରାଜନୀତିର ଝଡ଼ଝଞ୍ଜାରେ ଯେ ଯାହାର ସୌଭାଗ୍ୟ ଆହରଣ କଲେ । ତୁ ସେଇ ଆନ୍ଦୋଳନରେ ନିଜକୁ ଉତ୍ସର୍ଗ କରି ନୀରବରେ ପଡ଼ିରହିଲୁ–ଏ ସ୍କୁଲ ଖପରତଳେ । ବୁଝିଲୁ–‘ଜୀବନ ଗୋଟିଏ ସଂଗ୍ରାମ’ ଖାଲି ଏତକ ମନେରଖିଲେ ଚଳିବନି–‘ଯେ ପାରେ ସେ ତରେ’ ଏ କଥାଟା ମଧ୍ୟ ତା’ ସହିତ ମନେରଖିବାକୁ ପଡ଼ିବ । ଛାଡ଼ ସେ କଥା–ମୁଁ କିନ୍ତୁ ସେଥିପାଇଁ ଆସିନି–ଆସିଛି ଗୋଟାଏ ଜରୁରୀ କାମରେ ତୋ ପାଖକୁ ।

 

ମୋ ପାଖକୁ ? ବିସ୍ମୟ ପ୍ରକାଶ କଲେ ମଧୁ ।

 

ହଁ, ତୋ’ରି ପାଖକୁ । ଟିକିଏ ନୀରବ ରହି ଗୋଟାଏ ଆସନ୍ନ ବେଦନାଦାୟକ ମୁହୂର୍ତ୍ତପାଇଁ ନିଜକୁ ପ୍ରସ୍ତୁତ କରିନେଲେ ବୋଧହୁଏ ।

 

ତୁ ଶୁଣିଥିବୁ ମୋର ଏକମାତ୍ର ପୁଅ ଅବନୀ କଥା । –ଆରମ୍ଭ କଲେ ଭବାନୀଶଙ୍କର ।

 

ମନେମନେ ଲଜ୍ଜିତ ହେଲେ ମଧୁ । ବନ୍ଧୁତ୍ୱର ଦାବି ଘେନି ସମ୍ମୁଖରେ ଅବସରପ୍ରାପ୍ତ ଇଞ୍ଜିନିୟର–ସେ ପୁଣି ତା’ର ଖବର ଅଳ୍ପ ବହୁତ ରଖିଚନ୍ତି–ଅଥଚ ତାଙ୍କ ପାରିବାରିକ ଖବର ସମ୍ବନ୍ଧରେ ସେ ସମ୍ପୂର୍ଣ୍ଣ ଅଜ୍ଞ ।

 

ଝର୍‍ଝର୍‍ ବର୍ଷା ଭିତରେ ବିଚିତ୍ର ମନେହେଉଥିଲା ଭବାନୀଶଙ୍କରର କଥା । ଖପର ଉପରେ ଟପ୍‍ଟପ୍‍ ଶବ୍ଦ ସୃଷ୍ଟିକରିଥିଲା ଏକ ଅଦ୍ଭୁତ ବାତାବରଣ ।

 

....ଡାକ୍ତରୀରେ ସର୍ବୋଚ୍ଚ ଡିଗ୍ରୀ ପାଇ କାଲିଫର୍ଣ୍ଣିଆରୁ ଫେରୁଥିଲା ଅବନୀ । ରିଶିଭ କରିବାକୁ ଦମ୍‍ଦମ୍‍ ଯାଇଥିଲି । ମାତ୍ର ପ୍ଲେନ୍‍ ପହଞ୍ଚିବାକୁ ଡେରିହେଲା ସାତଦିନ । ଏଡେନ୍‍ଠାରେ ହେଲା ଏୟାର୍‍ କ୍ରାଶ୍‍ ! ଅବନୀକୁ ପାଇଲିନି–ଫେରିପାଇଲି ତା’ର ଅଗ୍ନିଦଗ୍ଧ ଶବ ।

 

ନୀରବ ରହି ନିଜକୁ ସଂଯତ କରିବାର ଚେଷ୍ଟାକଲେ–ପୁଣି ଆରମ୍ଭ କଲେ ।

 

ସେତେବେଳେ ଏଲିର ମାତ୍ର ତିନିବର୍ଷ ବୟସ । ଏଲି ଅବନୀର ଝିଅ, ଆଉ ଏଲି ମା’ର ବୟସ ମାତ୍ର ଊଣେଇଶ । ମଧୁ, ସେତେବେଳେ ମା’ ମୋର ମାତ୍ର ଊଣେଇଶ... ଠିକ୍‍ ଦି’ବର୍ଷ ପରେ ଏଲିର ସମସ୍ତ ଦାୟିତ୍ଵ ମୋ ଉପରେ ଦେଇ ସେ ଚାଲିଗଲା । ଦୀର୍ଘ ପାଞ୍ଚବର୍ଷ ଏଲିର ମୁହଁ ଚାହିଁ ମୁଁ ଭୁଲି ରହିଛି ଅବନୀକଥା; ଆଉ ମୋ ମା’ ଲକ୍ଷ୍ମୀକଥା । ତୁ ତାକୁ ଦେଖନ୍ତୁ–କିନ୍ତୁ ଏଲିକୁ ଦେଖିଲେ ଠିକ୍‍ ବୁଝିବୁ–କି ରତ୍ନ ଥିଲା ତା’ର ମା’ ।

 

ପାଇପ୍‍ରୁ ଟୋବାକୋ ନିଃଶେଷ ହୋଇଯାଇଥିଲା । ହାରିକେନ୍‍ର ଚିମିନିରେ ଜମିଉଠିଥିଲା କଳାଧୂଆଁ । ବର୍ଷା ଝରୁଥିଲା ଗୁରୁଗମ୍ଭୀର ଧାରାରେ । ସ୍କୁଲ୍‍ଘର ପଛପଟ କାନ୍ଥରୁ ମାଟି ଝରିବାର ଝପ୍‍ଝୁପ୍‍ ଶବ୍ଦ ଶୁଭୁଥିଲା ।

 

ଦୁଃସହ ନୀରବତାରେ କଟିଲା କେତେ ମିନିଟ୍ ।

 

ଏଲିକୁ ମୁଁ ସ୍କୁଲ ପଠାଇ ନାହିଁ । ଘରେ ପଢ଼ାଉଛି । ଆଖିର ଅନ୍ତର କରିବାକୁ ସାହାସ ହୁଏନି । କିନ୍ତୁ ମଧୁ, ତାକୁ ପାଠ ପଢ଼ାଇବା ସାଧ୍ୟାତୀତ । ମୁଁ ପଦେ କଡ଼ାକରି କହିପାରେନି । ଆଉ ଅନ୍ୟ ଶିକ୍ଷକ–ଶିକ୍ଷୟତ୍ରୀଙ୍କ କଥା ଛାଡ଼ । ତାକୁ ଦିନରେ ସତେଇଶଟା ଗପ କହିବ କିଏ ?

 

ଗପ ? ଟିକିଏ ଚମକି ପ୍ରଶ୍ନ କଲେ ମଧୁମାଷ୍ଟର । –ହଁ, ଗପ । ଖାଲି କ’ଣ ଗପ ? ପ୍ରତି କଥାରେ ତା’ର ଲକ୍ଷେ ପ୍ରଶ୍ନର ଉତ୍ତର ଦେବାର କ୍ଷମତା କାହାର ଅଛି ? ମୁଁ ତ ଧୈର୍ଯ୍ୟ ହରାଇ ବସେ । ମୁଁ ଜାଣେ ତୋ’ ବ୍ୟତୀତ ଆଉ କାହାରି ଉପରେ ଏଠି ନିର୍ଭର କରିପାରିବିନି । ଟିକିଏ ନୀରବ ରହି–ପୁଣି ଆରମ୍ଭ କଲେ,–ମୁଁ ଶୁଣିଛି, ତୁ ଆଜିକାଲି ଟିଉସନ ଛାଡ଼ିଦେଇଛୁ, କାହାରି ଘରକୁ ଯାଉନୁ, କିନ୍ତୁ ୟା ବି ମୁଁ ଜାଣେ ମୋ କଥା ତୁ ଏଡ଼ି ଦବୁନି । ‘ଗପ’ ନାଁ ଶୁଣି ଡରିଯିବାର ଲୋକ ନୋହୁଁ । ହଷ୍ଟେଲରେ ଯେଉଁସବୁ ଅଦ୍ଭୁତ ଗପ କହୁଥିଲୁ, ତା’ ମନେପଡ଼ିଲେ ଆଜି ବି ହସ ମାଡ଼େ । ସେସବୁ ଶୁଣିଲେ ଏଲି ଭାରି ଖୁସୀ ହେବ । ମୁଁ କିନ୍ତୁ ଏତେ ସବୁ ଗପ ଉଦ୍ଭାବନା କରିପାରେନି । ଏଲି କହେ–‘ବାପା’–ହଁ ସେ ମୋତେ ବାପା ବୋଲି ଡାକେ । –କହେ “ତୁମର ଖାଲି ପୁରୁଣା ଗପ । ନୁଆ ଗପ କ’ଣ ଜାଣିନ ?” –ମୁଁ ତାକୁ ତୋ କଥା କହିଛି । ଦେଖିବୁ, ଏମିତି ଝିଅ ତୁ ଜୀବନରେ ଦେଖିନୁ । କ’ଣ ଯିବୁନି ? –ହୁଏତ ଯାଆନ୍ତି, କିନ୍ତୁ....ଅନ୍ୟମନସ୍କ ଭାବେ କଥା ପଦକ ବାହାରି ଆସିଲା ମଧୁବାବୁ ମୁହଁରୁ । –ଯଦି ଶୁଣନ୍ତ ତା’ର କାରଣ…..

 

ଇମିତି କିଛି କାରଣ ଅଛି ନା କ’ଣ ? ବିସ୍ମୟ ପ୍ରକାଶ କଲେ ଭବାନୀଶଙ୍କର ।

 

ବହୁଦିନର ପୁଞ୍ଜୀଭୂତ ହର୍ଷବିଷାଦଭରା ଜୀବନ କାହାଣୀର ପୁରାତନ ପୃଷ୍ଠା ଲେଉଟେଇଲେ ମଧୁମାଷ୍ଟର–ହୁଏତ, ଅନ୍ୟ ପାଖରେ ମୋ କଥା ତୁଚ୍ଛାଦପି ତୁଚ୍ଛ, କିନ୍ତୁ ମୋ ପକ୍ଷରେ ତା’ର ମୂଲ୍ୟ.... ।

 

ହଉ, ଶୁଣ ତା’ହେଲେ–ତୁମର ମନେଥିବ ହାଇସ୍କୁଲର ହଷ୍ଟେଲ ଜୀବନ ।

 

ଖପର ଘର ଉପରେ ମେଘ କନ୍ୟାର ଅବାରିତ ଅଶ୍ରୁଧାରା । ଘୋଡ଼ା ଟାପୁଭଳି ଟପ୍ ଟପ୍ ଶବ୍ଦ ଭିତରେ ହିଁ ଭବାନୀବାବୁଙ୍କ ସ୍ମୃତିପଥରେ ଜାଗରିତ ହେଲା–ଅତୀତର କୈଶୋର ଜୀବନର ଆଲେଖ୍ୟ । ମାଇନର ବୃତ୍ତିପାଇ ମଫସଲ ଗାଁରୁ ଆସି ହାଇସ୍କୁଲରେ ପଢ଼ୁଥିଲା–ମଧୁ, ତା’ କୃପଣ ମାମୁଙ୍କୁ ଜୋର୍‍କରି ମଧୁକୁ ହଷ୍ଟେଲରେ ରଖେଇଥିଲେ–ତା’ ଗାଁ ମାଷ୍ଟର । ଭଲରେ କଟିଥିଲା ବର୍ଷ ଦୁଇଟି । ମାତ୍ର କାହିଁକି କେଜାଣି ଦଶମ ଶ୍ରେଣୀ ବେଳକୁ ବରାବର ହଷ୍ଟେଲ ଛାଡ଼ି ସେ ପଳାଏ ଗାଁକୁ ।

 

ତୁମେ ତ ଜାଣ ମାମୁଙ୍କ ପ୍ରକୃତି । ବାପାଙ୍କ ସମ୍ପତ୍ତି ଦେଖାଶୁଣା କରିବା ନାଁରେ ସବୁ ଭୋଗ କରୁଥିଲେ, ତଥାପି ମୋର ପଢ଼ାଶୁଣାପାଇଁ ଖର୍ଚ୍ଚ କରିବାକୁ ଚାହୁଁନଥିଲେ । ମାଇଁ ତ ତହୁଁ ବଳି । ଶେଷକୁ ଜୋର୍‍ ଜବରଦସ୍ତି ମୋତେ ବାହା କରେଇ ଦେଲେ । ମୋ ପଢ଼ାଖର୍ଚ୍ଚ ଆଦାୟ କରି ନେଲେ ଶ୍ଵଶୁରଠୁଁ ।

 

କଥା ମଝିରେ ହସିଉଠିଲେ ଭବାନୀବାବୁ ।

 

ଓହୋ; ସେଇଥିପାଇଁ ତୁ ହଷ୍ଟେଲରୁ ପଳେଇ ଆସୁଥିଲୁ ନା ? ଆରେ ଆମକୁ ତ ଦିନେ ବୋଲି ଜାଣିବାକୁ ଦେଇନୁ ? ଆମେ ଭାବିଥିଲୁ–ତୁହି ଏକା କେବଳ ଆମ ଭିତରେ ଅବିବାହିତ ରହିଗଲୁ ।

 

ହଁ, ଅନେକଙ୍କର ସେଇ ରକମ ଧାରଣା । ସେ ବୟସରେ ବିବାହ କରିବା ମୋଟେ ଗୌରବର କଥା ନୁହେଁ, ଲାଜରେ ମୋ ମୁଣ୍ଡ ନଇଁ ପଡ଼ୁଥିଲା । ତୁମମାନଙ୍କୁ ଜଣାଇଲେ କ’ଣ ଆଉ ରଖେଇ ଦିଅନ୍ତ ?

 

ହଉ, ତା’ପରେ ? ...ଆଗ୍ରହର ସହିତ ପୁରୁଣା କଥା ଶୁଣିବାକୁ ଚାହିଁଲେ ।

 

ମୁଁ ପ୍ରଥମେ ବିବାହ ପ୍ରସ୍ତାବରେ ରାଜି ନଥିଲି । କିନ୍ତୁ ବିବାହର ଅଳ୍ପଦିନ ପରେ ଜ୍ୟୋତ୍ସ୍ନା ଆସିଲା ଆମ ଘରକୁ । ଆଉ ଜ୍ୟୋତ୍ସ୍ନା ଆସିଲା ପରେ ମୁଁ ତାକୁ ଛାଡ଼ି ଦୂରରେ ମୋଟେ ରହିପାରିଲିନି ।

 

ସେଇୟା ତ ହେବା ସ୍ୱାଭାବିକ । ଖୁବ୍ ସୁନ୍ଦରୀ ବୋହୂଟି ନାଁ ?

 

ସୁନ୍ଦରୀ ନିଶ୍ଚୟ । ଯଦୁ ମିଶ୍ରର ଝିଅ ସମ୍ବନ୍ଧରେ ଗାଁ କେଇ ଖଣ୍ଡରେ ସୁନାମ ଥିଲା । କିନ୍ତୁ ସେଥିପାଇଁ ମୋର ତା’ପ୍ରତି ଆକର୍ଷଣ ଯେତେ ତୀବ୍ର ଥିଲା–ତା’ଠୁ ଅଧିକ ଥିଲା ଅନ୍ୟ କାରଣ ଯୋଗୁଁ । –ମାଇଁର ଅତ୍ୟାଚାର ଦିନୁ ଦିନ ବଢ଼ି ଚାଲିଲା । ଗାଲରେ ପାନ ଭରି ମାଇଁ ମୋର ଆରାମ କଲେ–ଗୋଡ଼ ଉପରେ ଗୋଡ଼ ଲଦି । ଆଉ ଲୋଟଣି ପାରାଭଳି ଖଟୁଥିଲା ଜ୍ୟୋତ୍ସ୍ନା । ସେତେବେଳେ ତା’ର କେତେ ବା ବୟସ ! ପୁଣି ସେ ଯେମିତି ବାପଘରୁ ବାରମ୍ବାର କିଛି ଆଣିବ, ସେମିତି ଅଧିକରୁ ଅଧିକ ଜ୍ୱାଳାତନ କରନ୍ତି ମାଇଁ । ବାପଘରର ଦୁରବସ୍ଥା ଦେଖି ମୁହଁ ଫିଟେଇ ପାରେନି ବିଚରା । ମାଇଁ ମଧ୍ୟ ତାକୁ ଦି’ଦିନରୁ ବେଶୀ ତା’ ବାପଘରେ ରଖେଇ ଦିଏନି । ତେଣେ ଜ୍ୟୋତ୍ସ୍ନା ରହିଲେ ମାଇଁକି ଖଟିବାକୁ ପଡ଼ିବ ଯେ ! ...ଦୀର୍ଘ ଛଅଦିନର ସମସ୍ତ ଯାତନା ତା’ ଟିକି ବୁକୁରେ ଧରି ମୋ’ପାଇଁ ଚାହିଁରହୁଥିଲା । ଶନିବାର ରାତିରେ ତା’ର ଲୁହଭରା କଅଁଳ ମୁହଁଟି ମୋ ଛାତିରେ ଲଦି ପଡ଼ିରହେ । ଶତ ସାଧ୍ୟ ସାଧନା ପରେ ମାମୁ ମାଇଁଙ୍କ କଥା କହି ଲୁହ ଝରାଏ । କାଳେ ମାମୁ କି ମାଇଁ ଶୁଣିବ–ଗଞ୍ଜଣା ବଢ଼ିବ । ସେଇ ଭୟରେ ପାଟିରେ ଲୁଗା ପୂରେଇ କାନ୍ଦେ । ସେ ଏକ ଅପ୍ରକାଶ୍ୟ ଯନ୍ତ୍ରଣା । ମୋର ମଧ୍ୟ କ୍ଷମତା ନାହିଁ ଯେ ମାମୁ ମାଇଁଙ୍କି ତୁଣ୍ଡ ଫିଟେଇ ପଦେ କହିବି, ଅଥଚ ମୁଇଁ ତା’ର ଆଶା ଆଶ୍ଵାସନାର ଏକମାତ୍ର ବ୍ୟକ୍ତି । ମୁଁ ତାକୁ ବୃଥା ଆଶ୍ଵାସନା ଦିଏ–ତା’ର କଅଁଳ ମନକୁ ଭୁଲେଇବାକୁ ଚେଷ୍ଟାକରେ, ନାନାପ୍ରକାର କାହାଣୀ କହି ।

 

କାହାଣୀ ? ଚମକି ଉଠିଲେ ଭବାନୀଶଙ୍କର । ଏଲିକୁ ସେ ମଧ୍ୟ ଭୁଲାଇବାକୁ ଚେଷ୍ଟା କରନ୍ତି, କାଳ୍ପନିକ ଗପର ଜାଲ ବୁଣି । କିନ୍ତୁ ଗପ କହିବାର କୌଣଳ ତ ଜଣା ନାହିଁ–

 

ହଁ, ସେଇୟା ଥିଲା ଜ୍ୟୋତ୍ସ୍ନାର କରୁଣ ଜୀବନର ଏକମାତ୍ର ଔଷଧ । ରାଜାରାଣୀ, ପକ୍ଷୀରାଜ ଘୋଡ଼ାରେ ରାଜପୁଅ ଗପଠୁଁ ଆରମ୍ଭ କରି ଦୁନିଆର ବାସ୍ତବ ଜୀବନର କରୁଣ କାହାଣୀ ତାକୁ ମୁଁ ଶୁଣାଏଁ । କରୁଣ ଚରିତ୍ରର ଶୋକରେ ତା’ ଦୁଃଖ ମିଶେଇ ସେ ଭୁଲିଯାଏ ନିଜକୁ । ପ୍ରତି ଶନିବାର ଅଧୀର ଆବେଗରେ ଚାହିଁରହେ, ମୋ ଯିବା ବାଟକୁ ।

 

ସହରରେ ଦୀର୍ଘ ଛଅ ଦିନ–ନିରନ୍ତର ମୋ ଆଖିରେ ଭାସିବୁଲେ ତାରି କରୁଣ ମୁହଁ ।

 

ବିଦାୟ ବେଳରେ ମୁଣ୍ଡ ନୁଆଁଇଁ ପ୍ରମାଣ କରି ଯେତେବେଳେ ଉଠୁଥିଲା, ଚକ୍‍ ଚକ୍‍ କରୁଥିଲା ଅଶ୍ରୁ ଛଳଛଳ ତା’ର ଆଖି ଯୋଡ଼ିକ । କମନୀୟ ତା’ର ମୁଖ, ତଥାପି ବିଷାଦର କରୁଣ ଛାୟାରେ ମଳିନ ।

 

ଏମିତି ଗୋଟାଏ ଶନିବାର ଯାଇ ଦେଖିଲି ଜ୍ୟୋତ୍ସ୍ନା ଶଯ୍ୟାଶାୟୀ । ତିନିଦିନ ପଡ଼ିଛି, ପାଣି ଟୋପେ ବି କେହି ଦେଇନି । ମୋତେ ଦେଖି ସମସ୍ତ ଦିନ ନୀରବରେ ଅଶ୍ରୁପାତ କଲା । ଟିକିଏ ବି ପାଖଛଡ଼ା କରିବାକୁ ଚାହିଁଲାନି । ଏପରି ଗୁରୁତର ସଙ୍କଟରେ ବି ଡାକ୍ତର ଡାକିବାକୁ ମାମୁଙ୍କୁ କହିବାକୁ ସାହସ ହେଲାନି । ଗାଆଁର ଅନ୍ୟ ସ୍ତ୍ରୀଲୋକ ଯିମିତି ଚିକିତ୍ସା ପାଆନ୍ତିନି, ଜ୍ୟୋତ୍ସ୍ନା ଭାଗ୍ୟରେ ମଧ୍ୟ ସେଇୟା ହେଲା ।

 

ମୃତ୍ୟୁର ଅପେକ୍ଷାରେ ମଣିଷକୁ କେବେ ଦେଖିଛ ଭାଇ ? ମୃତ୍ୟୁର ଶୀତଳ ପଦସଞ୍ଚାର ତୁମେ ଉପଲବ୍ଧି କରିନ–ନୀରବରେ ଆମେ ଦୁହେଁ ନିଃସହାୟ ଜୀବଭଳି ମହାକାଳର ଅପେକ୍ଷା କରି ରହିଲୁଁ । ଜୀବନର ଶେଷ ମୁହୂର୍ତ୍ତରେ ସରଳ ଶିଶୁଭଳି ମୋ ହାତଟି ଧରି ଧୀରେ ଗୋପନରେ ମୋତେ ଅନୁରୋଧ କରିଥିଲା–‘ଗପଟିଏ କୁହ ।’

 

ପାଗଳୀ, ଶେଷ ମୁହୂର୍ତ୍ତରେ ମୋତେ ଛଳନା କରିଥିଲା । ସେତେବେଳେ କିନ୍ତୁ ମୋର କଥା କହିବାର ଶକ୍ତି ଲୋପ ପାଇଥିଲା । ତିନିଦିନ ପରେ–ହୃଦୟର ସମସ୍ତ ଆଲୋକ ଅବଲୁପ୍ତ କରି ଜ୍ୟୋତ୍ସ୍ନା ଅସ୍ତଗଲା । ନୀରବ ରହିଲେ ମଧୁମାଷ୍ଟର ।

 

ବର୍ଷାମୁଖର ରାତିରେ କେଉଁ ଗ୍ରାମ୍ୟ ବଧୂର କରୁଣ ଶୀତଳ ମୃତ୍ୟୁର କାହାଣୀରେ ଅଭିଭୂତ ହୋଇପଡ଼ିଥିଲେ ଭବାନୀଶଙ୍କର ।

 

ଜ୍ୟୋତ୍ସ୍ନାର ମୃତ୍ୟୁରେ ମୋର ମନେହେଲା ମୋ କଥା ଭାବିବା ନିମନ୍ତେ ସମସ୍ତ ବିଶ୍ୱରେ ଆଉ କେହି ରହିଲେ ନାହିଁ । ତା’ ବିଚ୍ଛେଦର ଶୋକଠାରୁ ଅଧିକତର କରୁଣା ଜାଗିଲା ତା’ପ୍ରତି, ଏଇୟା ଭାବି ଯେ, ଏମିତି ଲାଞ୍ଛନାମୟ, ଅବହେଳିତ ଦଗ୍ଧ ଜୀବନଠାରୁ ମୃତ୍ୟୁରେ ବୋଧହୁଏ ମୋ ଜ୍ୟୋତ୍ସ୍ନା ପ୍ରକୃତ ଶାନ୍ତି ପାଇବ । ତା’ପରେ–ମୋର ବାଧା ବନ୍ଧନ ସବୁ ତୁଟିଗଲା । ପାଠ ଇତି କରି ନିରୁଦ୍ଦେଶ୍ୟ ହେଲି ।

 

ଟପ୍‍ଟପ୍‍ ପାଣି ଝରୁଥିଲା ଘରର ଖପର ଉପରେ । ନାଗକନ୍ୟାର ବିଷ ଝରୁଥିଲା କଳା ବାଦଲର ବୁକୁ ଚିରି ।

 

ସତ କହୁଛି–ଦୀର୍ଘ ଦୁଇ ବର୍ଷ ଭିତରେ ଦିନେ ବୋଲି ମୁଁ ଜ୍ୟୋତ୍ସ୍ନାକୁ ହସିବାର ଦେଖିନି । ଆଜି ବି ଯେତେବେଳେ ମୋ ସ୍ମୃତିରେ ତା’ର ଛୋଟ ଗୋଲ ସ୍ଥଳପଦ୍ମଭଳି ମୁହଁଟି ଫୁଟି ଉଠେ–ସେଥିରେ ସ୍ପଷ୍ଟ ହୋଇ ଉଠେ, ତା’ର ଅଶ୍ରୁ ଛଳଛଳ ଦୀର୍ଘାୟତ ଆଖି ଯୋଡ଼ିକ । ସେଇ ବେଦନାମୟ ସ୍ମୃତି ଟିକକ ପାସୋରିବା ପାଇଁ ଦୀର୍ଘକାଳ ସାଧନା କରି ବିଫଳ ହୋଇଛି । ଅବଶେଷରେ ଜୀବନ ନିର୍ବାହ କରିବାକୁ ଏଇଠି ବସେଇଲି ସ୍କୁଲ । ସୌଭାଗ୍ୟ ହେଉ, କି ଦୁର୍ଭାଗ୍ୟ ହେଉ–ଶହ ଶହ ଶିଶୁ ମେଳାରେ ମୁଁ ପାଇଲି ଗୋଟାଏ ନୂତନ ଅନୁଭୂତି । ଅସରା ଗପର ପେଡ଼ି ମେଲିଦେଲି ଛୋଟ ଛୋଟ ଶିଶୁଙ୍କ ସରଳ ମନ ସମ୍ମୁଖରେ । ଝଲ୍‍ ମଲ୍‍ କରି ଉଠିଲା ଶିଶୁଙ୍କ ଆଖିର ତାରା । କିନ୍ତୁ କେଜାଣି କାହିଁକି ଅତୃପ୍ତ ରହିଯାଇଛି ମୋର ଅନ୍ତର । ମଝିରେ ମଝିରେ ରାଜନୈତିକ ଝଡ଼ଝଞ୍ଜାରେ ନିଜକୁ ଉତ୍ସର୍ଗ କରି ଆତ୍ମବିସ୍ମୃତ ହେବାର ଚେଷ୍ଟା କରିଛି । ମାତ୍ର ପୁଣି ଫେରିଆସିଛି ଏଇ କଳମୁଖରିତ ଶିଶୁସମ୍ପଦକୁ ।

 

ସେମାନଙ୍କର ଅନୁପମ କୋମଳ ମୁଖ–ଶରତ ଆକାଶର ସନ୍ଧ୍ୟା ତାରାଭଳି ହସ ହସ ଆଖି ମୋତେ ସାରା ଜୀବନ ଶୁଣେଇଛି ଜ୍ୟୋତ୍ସ୍ନାର ଅକୁହା କାହାଣୀ…ହୁଏତ ଏମିତି ଏ ଜୀବନଟା ବିତିଯାଇ ଥାଆନ୍ତା–କିନ୍ତୁ… । ଦୀର୍ଘଶ୍ୱାସ ତ୍ୟାଗ କରି ନୀରବ ରହିଲେ ମଧୁମାଷ୍ଟର ।

 

କିନ୍ତୁ କ’ଣ ହେଲା ? ଭବାନୀଶଙ୍କର ପ୍ରଶ୍ନ କଲେ ।

 

ନା–ଥାଉ; ହୁଏତ ତୁମେ ଭୁଲ ବୁଝିବ ।

 

ନା, ନା, ଭୁଲ ବୁଝିବି କାହିଁକି ? ତା’ଛଡ଼ା ଜୀବନର ଶେଷ ପ୍ରାନ୍ତରେ ଭୁଲ ଠିକ୍‍ର ପ୍ରଶ୍ନ ଅବାନ୍ତର ନୁହେଁ କି ?

 

ଆଜି ଜୀବନର ସାୟାହ୍ନରେ ମନେହେବ ସେ ବି ଗୋଟିଏ କାହାଣୀ–

 

ସେତେବେଳେ ମୁଁ ଏଠିକାର ଖାଲି ଜଣେ ପ୍ରାଇମେରୀ ଶିକ୍ଷକ ନୁହେଁ, ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଆଦରର ପାତ୍ର ମଧ୍ୟ । ଦୁଷ୍ଟରୁ ଦୁଷ୍ଟତମ ଛାତ୍ର ମୋ ବଶ । ଆଉ ମୋର ବିଶିଷ୍ଟ ଆୟୁଧ–ନାନା ଜାତିର ଗପ । ଠିକ୍ ଇମିତି ସମୟରେ ମିଷ୍ଟର ଦାଶ ବୋଲି ଜଣେ ଡାକ୍ତର ଆସିଲେ । ସେ ମୋତେ ଡକେଇ ପଠେଇଲେ–ତାଙ୍କର ଝିଅକୁ ପଢ଼େଇବା ପାଇଁ । ଝିଅଟି ପାଠ ପଢ଼ିବ କ’ଣ–ଅଧିକାଂଶ ଦିନ ପଡ଼ିଥାଏ ତା’ ଶେଯରେ । ଆଶ୍ଚର୍ଯ୍ୟ–ବାପା ଜଣେ ନାମଜାଦା ଡାକ୍ତର । ତାଙ୍କର ଏକମାତ୍ର ଝିଅ । ଅଥଚ ତା’ ବେମାରି ଭଲକରି ପାରନ୍ତିନି !

 

ପ୍ରଥମ ସେଦିନ ଯାଇଥାଏ । ପଢ଼ାଘରେ ଗଦିବିଛଣାରେ ଦଶ ବାରବର୍ଷର ଝିଅଟି ହାତଯୋଡ଼ି ନମସ୍କାର କଲା । ଡାକ୍ତରବାବୁ ଆଉ ତାଙ୍କର ସ୍ତ୍ରୀ ବୁଲିଯାଇଥାନ୍ତି । ଘରେ ଏକାକୀ ଝିଅଟି, ଆଉ ଦି’ଜଣ ଚାକର, ପୂଝାରି । ସେଦିନ ସେ କହିଲା–ସାର୍; ଆଜି ମୋ ଦେହ ଭଲ ଲାଗୁନି । କାଲିଠୁ ନିଶ୍ଚେ ପଢ଼ିବି ।

 

ନୀରବ ସମ୍ମତ ଜଣେଇ ଫେରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ । ସେଦିନ ଭାବିଥିଲି–ବଡ଼ଲୋକଙ୍କ ପିଲାଏ ଏମିତି ପାଠ ପଢ଼ିଥାନ୍ତି । ସେ ଘରକୁ ପଢ଼େଇବାକୁ ଯାଇ ଲାଭନାହିଁ । କିନ୍ତୁ ସେଦିନ ରାତିରେ ମୋର ମନେହେଲା–ସେଇ ଝିଅଟି ଆଉ ଜ୍ୟୋତ୍ସ୍ନା ଭିତରେ କେଉଁଠି ଯେମିତି ଗୋଟିଏ ସାମଞ୍ଜସ୍ୟ ରହିଛି । ଉଭୟଙ୍କର ବିଷାଦମଳିନ ମୁଖ । ଅକୁହା ବେଦନା ଯିମିତି ଭରିରହିଛି ନୀରବ ଆଖିରେ । ତା’ର କୁଞ୍ଚିତ ଅଳକା ଠିକ୍ ଜ୍ୟୋତ୍ସ୍ନାର ଅଳକାଭଳି । ଜ୍ୟୋତ୍ସ୍ନାର ଝିଅଟିଏ ଥିଲେ–କ’ଣ ତା’ରି ବୟସୀ ହୋଇନଥାନ୍ତା ? ମନରେ ଏକ ଅନନୁଭୂତ ବେଦନା ଜାଗ୍ରତ ରହିଲା । ତା’ ପରଦିନ ନ ଯାଇ ରହିପାରିଲିନି । ପରଦିନ ଅଳ୍ପ ସମୟ ପଢ଼ି ସେ କହିଲା–

 

ସାର୍, ମୁଁ ବସି ପଢ଼ିପାରୁ ନାହିଁ । ଆପଣ କହି ଯାଆନ୍ତୁ, ମୁଁ ଶୁଣେ । ମୁଁ କହିଲି–ସେ ଶୁଣିଲା । ଏମିତି ନୀରବ ଶ୍ରୋତା ମୁଁ କ୍ୱଚିତ ଦେଖିଛି । ବିଭୋର ହେଇ ସେ ଶୁଣେ ମୋ କଥା–ଠିକ୍ ରାଜାରାଣୀ ଗପଭଳି । ରୁଗ୍‍ଣ ହେଲେ କ’ଣ ହେବ–ବୁଦ୍ଧିମତୀ ସେ । ଆର୍ଥିକ ଅଭାବ ନାହିଁ, ତଥାପି ତା’ର ମୁଖରେ ବିଷାଦର କାଳିମା । କାରଣ ମୁଁ ଅନୁସନ୍ଧାନ କରିବାକୁ ଚେଷ୍ଟିତ ହେଲି । କିନ୍ତୁ ଚତୁର ବାଳିକା, ପରିବାରର କୌଣସି କଥା ପ୍ରକାଶ କରିବାକୁ ଚାହିଁଲାନି ।

 

ପ୍ରାୟ ମାସେ କାଳପରେ ଦିନେ ଶନିବାର–ପଢ଼ାସାରି ଉଠୁଛି; କୁଣ୍ଠିତ ଭାବେ ରମା ଡାକିଲା–

 

ସାର୍ ! କ’ଣ ? ପଛକୁ ଚାହିଁଲି । ଦେଖିଲି–ହସର ଗୋଟିଏ ମୃଦୁରେଖା ତା’ର ଓଠରେ-

 

ମନେହେଲା, ପ୍ରଥମ କରି ହସ ମୁଁ ତା’ ମୁହଁରେ ଦେଖିଲି । ମୋର ମନ ଅଜଣା ପ୍ରସନ୍ନତାରେ ଭରପୂର ହୋଇ ଉଠିଲା ।

 

ସାର୍‍, ଗୋଟାଏ ଗପ କହିବେ ? –ପାଠ ଟିକିଏ ସରସ କରିବାପାଇଁ ଯେତିକି ଗଳ୍ପର ଅବତାରଣା ଆବଶ୍ୟକ, ପାଠ ସହିତ ତା’ ମୁଁ କରୁଥିଲି । କିନ୍ତୁ ହଠାତ୍ ସେ ଗଳ୍ପ ଶୁଣିବାକୁ ଚାହିଁବାର କାରଣ ମୁଁ ନିର୍ଦ୍ଧାରଣ କରିପାରିଲିନି । ଅନୁମାନ କରି ପଚାରିଲି–ବାପା, ବୋଉ କେତେବେଳେ ଫେରିବେ କି ?

 

ଆଜି ତ ଶନିବାର, ସେମାନଙ୍କର ଫେରିବାକୁ ଅନେକ ଡେରି ହେବ । ଏଇ କଥାପଦକ କହିବା ସଙ୍ଗେ ସଙ୍ଗେ ତା’ ଓଠରୁ ଲିଭିଗଲା ହସର ରେଖା ଟିକକ ।

 

ବୁଝିଲି, ଏକା ରହିବାକୁ ଡରମାଡ଼ୁଛି । ପିତାମାତାର ଏମିତି ଅବହେଳା ଯେ ମର୍ମାନ୍ତିକ ବେଦନାଦାୟକ–ତା’ ମୁଁ ଅନୁମାନ କଲି । ସାମାନ୍ୟ ହସି ବସିପଡ଼ିଲି ଗପ କହିବାକୁ ।

 

କ୍ରମେ ନିବିଡ଼ତର ହେଲା ଆମ ଦୁହିଁଙ୍କର ଘନିଷ୍ଠତା । ତା’ର ଗପ ଶୁଣିବାର ଆଗ୍ରହ ବଢ଼ିଚାଲିଲା । ପ୍ରତିଦିନ ପଢ଼ା ଶେଷରେ ଗପଟିଏ କହିବାକୁ ହୁଏ । ଗଳ୍ପ ଶୁଣି ସେ ଉଲ୍ଲାସରେ ଆତ୍ମହରା ହୋଇପଡ଼େ । ସଂକୋଚର ପ୍ରାଚୀର କେତେବେଳେ ଯେ ଧୂଳିସାତ୍ ହୋଇଗଲା–ଆମେ ଦୁହେଁ କେହି ବୁଝିପାରିଲୁ ନାହିଁ । ମୋ’ଭଳି ଗପୁଡ଼ିର ଆତ୍ମବିସ୍ମୃତି ଘଟିବାର କଥା ।

 

କ୍ରମେ ମୁଁ ଉପଲବ୍ଧି କଲି–ରମା ସୁସ୍ଥ ହୋଇ ଉଠୁଛି । ତା’ର ନିର୍ଜୀବ ସ୍ଥିର ନୟନରେ କ୍ରମେ ବିଦ୍ୟୁତ୍‍ ଆଭା ଫୁଟି ଉଠିବାର ଜଣାଗଲା । ଭ୍ରୂରେ ତରଙ୍ଗ ଜାଗିଲା । ସେ ଯତ୍ନ ନେଲା ନିଜର ଅଯତ୍ନ କେଶଗୁଚ୍ଛର । ଓଠରେ ଫୁଟି ଉଠିଲା ଗୋଲାପୀଆଭା, କାରଣ ଅକାରଣରେ ହସର ରେଖା ଦେଖାଦେଲା ସେଇ ଓଠ ପାଖୁଡ଼ାରେ । ଧୀରେ ଧୀରେ ମୁଁ ଅନୁଭବକଲି–ସେ ମୋ ଉପରେ ଗୋଟିଏ କ୍ଷୀଣ ଦାବି ସାବ୍ୟସ୍ତ କରିବସୁଛି । ପୁଣି ମୋର ପାଖେ ତା’ର ବାପା ମା’ ବିରୁଦ୍ଧରେ ଅଭିଯୋଗ କରିବାକୁ ଦ୍ୱିଧାବୋଧ କରୁନି । ପିତାମାତାଙ୍କର ଅବହେଳା ସେ ମର୍ମେ ମର୍ମେ ଅନୁଭବ କରି ପ୍ରକାଶ କରିବାକୁ ଲାଗିଲା । ଏମିତି କି କଥା ଛଳରେ ପ୍ରକାଶ କଲା, ତା’ ବାପା ବୋଉଙ୍କ ମନର ଅମେଳ କଥା ।

 

ଏମିତି ସମୟରେ ମୋତେ ଅନୁପସ୍ଥିତ ରହିବାକୁ ପଡ଼ିଲା କିଛିଦିନ । ଗ୍ରାମାନ୍ତର ଯିବାକୁ ହେଲା, ରାଜନୈତିକ କାର୍ଯ୍ୟ ଯୋଗୁଁ । ରମାକୁ କହିଯିବାର ଅବସର ନଥିଲା ।

 

ସାତଦିନ ପରେ–ସନ୍ଧ୍ୟାରେ ଯାଇ ଦେଖେଁ ତ ଡାକ୍ତରବାବୁଙ୍କ ଘର ସାମନାରେ ଅନେକ ଗାଡ଼ି । ଘରେ ଜନ ଗହଳି । ବାରନ୍ଦାରେ ଠିଆ ହେଲି । ଯାଉଥିଲା ପୂଝାରି । କହିଲା–ଆଜି ଆପଣ ଯାଆନ୍ତୁ, ନାନୀର ଦେହ ଭାରୀ ଖରାପ, ଅନେକ ଡାକ୍ତର ଆସିଚନ୍ତି ।

 

ଭାବିଲି ରମାକୁ ଦେଖିଯିବି । କିନ୍ତୁ ସଂକୋଚର ହିମାଳୟ ମୋର ପଥରୋଧ କଲା । ସେ ସ୍ତରର ଲୋକଙ୍କ ତୁଳନାରେ ମୁଁ ଏତେ ନ୍ୟୂନ ଯେ ରମାକୁ ଦେଖିବାକୁ କୌତୂହଳ ପ୍ରକାଶ କରିବା ଅନ୍ୟାୟ, ଅସଙ୍ଗତ ବୋଲି ବିଚାରିଲି । ନୀରବରେ ଫେରିଲି ସତ, ପ୍ରତିନିୟତ ଅନ୍ତର ବ୍ୟାକୁଳ ହେଲା । ଅସ୍ଥିର ଚିତ୍ତରେ ପର ତିନିଦିନ ତାଙ୍କ ଦୁଆରୁ ଫେରିଲି ।

 

ଶେଷଦିନ ଡାକ୍ତରବାବୁ ନିଜେ ଆସି କହିଲେ–ମାଷ୍ଟର, କଷ୍ଟ କରି ନିତି ଆସୁଚନ୍ତି । ରମା ଭଲ ହୋଇଗଲେ ମୁଁ ଖବର ଦେବି ।

 

ମୋ ତଣ୍ଟିରେ ଯିମିତି ଅଟକି ଗଲା । ମନୋଭାବ ପ୍ରକାଶ କରିପାରିଲି ନାହିଁ । ଫେରିଲି-

 

ସେଦିନ ସମସ୍ତ ରାତ୍ର ବିଛଣାରେ ପଡ଼ିରହିଲି । ଭାବିଲି–ରମା ନିଃସହାୟ । ପିତାମାତାର ସ୍ନେହରୁ ବଞ୍ଚିତା । ଦାରୁଣ ଅନୁଶୋଚନାର ତୀବ୍ର ଦହନରେ ଅନ୍ତରତଳ ଜଳୁଥାଏ । ପୁଣି ଭାବିଲି–ସେ ଧନୀର କନ୍ୟା । ବାପା ମା’ ଅଛନ୍ତି; ମୋର ସ୍ନେହ କରିବାର କୌଣସି ଅଧିକାର ନାହିଁ । କେତେବେଳେ ନିଦ୍ରାଭିଭୂତ ହୋଇଛି–ଜାଣେନି ।

 

ଦେଖିଲି, ନିର୍ଜନ ଘରେ ଶୋଇଚି ରମା । ମୁଁ ଯାଇ ପହଞ୍ଚିଲାକ୍ଷଣି ଦାରୁଣ ଅଭିମାନରେ ମୁହଁ ଫେରେଇ ନେଲା । କହିଲି–‘ରମା, କେଇଦିନ ଆସିପାରିନି । ରାଗିଛ ?’ ତା’ର ଶୀତଳ ଓଠ ଯେମିତି ଅଭିମାନରେ ଥରିଉଠିଲା ।

 

କାହିଁକି ଆସିଲେନି ? କାହିଁକି ମୋତେ ଗପ କହିଲେନି ? କଇଁ କଇଁ କାନ୍ଦିଲା–ଠିକ୍ ଜ୍ୟୋତ୍ସ୍ନାଭଳି । ତା’ ମୁଣ୍ଡରେ ହାତ ବୁଲେଇ ଆଶ୍ୱାସନା ଦେଲି, ପୋଛି ଦେଲି ତା’ ଆଖିର ଶୀତଳ ଲୁହ ।

 

ଖଟ୍ ଖଟ୍ ଖଟ୍ ଘୋଡ଼ା ଟାପୁଭଳି ତୀବ୍ର ଶବ୍ଦରେ ମୁଁ ଜାଗ୍ରତ ହେଲି । ଉଷାର ଆଲୋକରେ ଦେଖିଲି–ଝର୍ ଝର୍ ବର୍ଷା ଝରୁଛି । ଶୀତେଇ ଉଠିଲା ମୋ ଦେହ ।

 

ଅସ୍ଥିର ମନରେ ପାଗଳଭଳି ଧାଇଁଲି ଡାକ୍ତରବାବୁଙ୍କ ଘରକୁ; ଦେଖିଲି, ସକାଳଟାରେ ଡାକ୍ତର ସବୁ ଜମା ହେଇଚନ୍ତି । ସବୁ ଦ୍ଵିଧା ଛିଣ୍ଡେଇ ପଶିଗଲି ଘର ଭିତରକୁ ।

 

ରମାର ରକ୍ତହୀନ ମୁହଁଟା ଢଳିପଡ଼ିଚି ଗୋଟାଏ ପାଖକୁ । ମୁଣ୍ଡର ଅଲରା କେଶ ନରମ ମୁହଁ ଉପରେ ଅଜାଡ଼ି ହୋଇପଡ଼ିଛି । ଅବନତ ମସ୍ତକରେ ଡାକ୍ତରବାବୁ ନିର୍ବାକ୍‍ ହୋଇ ଛିଡ଼ା ହୋଇଛନ୍ତି । ଘରର ସମସ୍ତେ ନୀରବ–ନିସ୍ପନ୍ଦ ।

 

ମୃତ୍ୟୁର କଳାଛାଇ ସମସ୍ତ ଘରେ ପରିବ୍ୟାପ୍ତ । ବେଦନାର ମର୍ମଭେଦୀ ହାହାକାରରେ ସମସ୍ତେ ସ୍ଥାଣୁ । ମୋର ମନେହେଲା–ମୋରି ଉପରେ ଅଭିମାନ କରି ରମା ଚାଲିଯାଇଛି । ମୋରି ଅନୁପସ୍ଥିତି, ଅବହେଳା ତା’ର ଏ ଅକାଳମୃତ୍ୟୁ ପାଇଁ ଦାୟୀ । ଅନୁଶୋଚନାର ଜ୍ଵଳନ୍ତ ଅଙ୍ଗାରରେ ଦଗ୍ଧମାନ ହେଲି ।

 

ନୀରବ ରହିଲେ ମଧୁମାଷ୍ଟର । ଅନ୍ଧକାରରେ ମନେହେଲା ସେ ଆଖି ପୋଛିଲେ–ଗାମୁଛାରେ ।

 

ଜଡ଼ିତ କଣ୍ଠରେ କହିଲେ–ଜୀବନରେ ଆଉ କାହାରିକୁ ସ୍ନେହ କରିବାକୁ ଭୟଲାଗେ । ସେଥିପାଇଁ ଆଉ କାହାରିକୁ ଗପ ଶୁଣେଇବାକୁ ପ୍ରଲୋଭିତ କରେନି ମୁଁ ।

 

ମଙ୍ଗଲ ମାଝି

 

‘ଅଗ୍ନାଅଗ୍ନି ବନସ୍ତ’ ଆଈ ବୁଢ଼ୀ ଗପରେ ଶୁଣିଥିଲି । ଏବେ ଆଖିରେ ଦେଖିଲି ଘନଶ୍ୟାମ ବନାନୀର ରୁଦ୍ର-ସୁନ୍ଦର ରୂପ । ଚାରିଆଡ଼େ ଶାଳ, ପିଆଶାଳ ଆଉ ମହୁଲ ବଣ ।

 

ନିର୍ଜନ ଜାଗାରେ ଥାନାଟି । ଚଇତ ମାସର ସଞ୍ଜ । ବଣମାଳରେ ନାଲି କିରଣର ଢେଉ ଖେଳେଇ ସୂର୍ଯ୍ୟ ହଜିଗଲା ବଣ ସେ’ପାରିରେ ସାରା ଆକାଶରେ ରଖିଦେଇ ଗଲା ଅବିର ଆଭା । ପାହାଡ଼ କଡ଼ ନଈ ସେପାରିରୁ ଥରିଉଠିଲା ରୂପା ଥାଳିପଟ ଜହ୍ନ । ସମସ୍ତ ବଣରେ ଆଲୁଅ ଅନ୍ଧାରର ଅପୂର୍ବ ଲୁଚକାଳି ଖେଳ । ବଣୁଆ ବାଆରେ ପାଚିଲା ମହୁଲର ମାତାଲି ଗନ୍ଧ । ଦୂରରେ ମାଦଳର ଶବ୍ଦ । ମିଳିତ କଣ୍ଠରେ କରୁଣ ସୁରରେ ଅବୁଝା ଗୀତର ଲହରୀ । ସଜୀବ ହୋଇ ଉଠିଲେ ଦୂର ପାହାଡ଼ର ଗୁହା ପଥର । ପଡ଼ିଆଟା କମ୍ପେଇ ଶୁଭିଲା ମନଖୋଲା ହସର ଲହରୀ । ବାରନ୍ଦାରେ ଠିଆହୋଇ ଡାକିଲି କିଏ ଯାଉଚି ? ଥାନା ପଡ଼ିଆର ହତା ଭିତରଦେଇ ଚାଲିଯାଉଥିଲେ ଯୋଡ଼ିଏ ମଣିଷ ହାତ ଛନ୍ଦାଛନ୍ଦି ହୋଇ । ମୋର ରୁକ୍ଷ ଡାକରେ ସରଳ ହସଟା ହଠାତ୍ ବନ୍ଦ ହୋଇଗଲା । ଠିକ୍ ଯିମିତି ଦମକା ପବନରେ ଲିଭିଯାଏ ସଞ୍ଜୁଆ ଦୀପ । ମରଦର ଶକ୍ତ ହାତଟା ଖସିପଡ଼ିଲା ତିର୍ଲାଟିର ଅଣ୍ଟାରୁ–ଆଉ ନାରୀଟିର ବାହୁ ଶିଥିଳ ହୋଇଆସିଲା ପୁରୁଷର କାନ୍ଧରୁ । ଟିକିଏ ଛଡ଼ାଛଡ଼ି ହୋଇ ପାଖେଇ ଆସିଲେ ମୋ ଆଡ଼କୁ । ଯୁବକର ଗଳାରେ ଝୁଲୁଥିଲା ଗୋଟାଏ ରୁପା ଟଙ୍କା ବୋଧହୁଏ–ଜହ୍ନ ଆଲୁଅରେ ଚକ୍‍ଚକ୍‍ କରୁଥିଲା ତା’ର କଳା ମସୃଣ ଛାତି ଉପରେ ।

 

କିଏରେ ? ପ୍ରଶ୍ନକଲି ।

 

ମୁଇଁ ବାବୁ, ମଙ୍ଗଲ ମାଝି ।

 

ଆଉ ସେ କିଏ ?

 

ମୋର ତିର୍ଲା ।

 

କୁଆଡ଼େ ଯାଉଛୁ ?

 

ଘରକୁ ।

 

ଏ ବାଟେ କାହିଁକି ?

 

ବାବୁ, ଆମର ଇ’ ବାଟେତ ବରାବର ଯାଉଛେ । ତୁମର ନୂଆ ଆସିଛୁ କି ?

 

ହଁ ମୁଁ ନୂଆଲୋକ । କୁଆଡ଼େ ଯାଇଥିଲ କିରେ ?

 

କାମକୁ ବାବୁ ।

 

କି କାମ କର କିରେ ?

 

ଇ’ ସେଇ ନଈ ବନ୍ଧ । ଦୂରକୁ ହାତ ବଢ଼େଇ ଦେଖେଇଲା ମଙ୍ଗଲ ମାଝି । ସେଠି ଗୁଟେ ବନ୍ଧ ହଉଚି । ଆମର ସେଇ ବନ୍ଧରେ କାମ କରୁଛେ । ହରବାବୁ ଟରାକରେ ଆମେ କାମ କରୁଛେ ଯେ–

 

ହଉ ଯା ।

 

ବଣର ଶାଳ ଗଛଭଳି ସରଳ ଓ ଶକ୍ତ ଦେହ । ପାହାଡ଼ୀ ନଦୀଭଳି ପ୍ରାଣବନ୍ତ ଏମାନେ । କିଛି ଦୂରକୁ ଯାଇ ଦି’ଜଣ ପୁଣି ଧରାଧରି ହେଇ ହସିଉଠିଲେ ପୂର୍ବପରି । ବୋଧହୁଏ ନବାଗତ ଥାନା ବାବୁ ସମ୍ବନ୍ଧରେ ମନ୍ତବ୍ୟ ପ୍ରକାଶ କରୁଁ କରୁଁ ଚାଲିଗଲେ । ସତେଇଶ, ଅଠେଇଶ ବର୍ଷର ବଳିଷ୍ଠ ଯୁବକ ମଙ୍ଗଲ ମାଝି ଆଉ କୋଡ଼ିଏ ବାଇଶ ବର୍ଷର ଯୁବତୀ ତା’ର ସ୍ତ୍ରୀ । ଠିକ୍ କଳା ମୁଗୁନି ପଥରର ନିଖୁଣ ଦୁଇଟି ମୂର୍ତ୍ତି… । ମୁଗ୍ଧ ଦୃଷ୍ଟିରେ ଚାହିଁରହିଲି ସେମାନଙ୍କର ଗତିକୁ । ଶ୍ୟାମଳ ବଣର ପରିବେଷ୍ଟନୀରେ ଯୋଡ଼ିଏ ଯିମିତି ଶାନ୍ତିର ପାରାବତ ।

 

ଫେରି ଆସିଲି ଅଫିସକୁ । କନେଷ୍ଟବଲ ଆଲୁଅ ଜାଳିଦେଇ ଯାଇଥିଲା । ଦେଖିଲି ଅପରାଧର ଚାର୍ଟରେ ‘Crime Graph’…ଅପରାଧର ସଂଖ୍ୟା ବଢ଼ିଚାଲିଛି ଏ ଅଞ୍ଚଳରେ । ଅଞ୍ଚଳଟା ଅପରାଧ ବହୁଳ ।

 

ମୁଁ ନୂଆ ଲୋକ, ଅଞ୍ଚଳଟା ଘୂରିବୁଲି ଦେଖିନବା ଦରକାର । ସେଦିନ ସକାଳେ ବାହାରିଲି ସାଇକେଲଟା ଧରି । ରାତିରେ ସାମାନ୍ୟ ବର୍ଷା ହେଇଯାଇଥାଏ–ଗେରୁଆ ରାସ୍ତାର ଧୂଳି ବସିଯାଇଛି । ଅନୁନ୍ନତ ଆଦିବାସୀ ଅଞ୍ଚଳ ହେଲେ କ’ଣ ହେବ ସୁନ୍ଦର ରାସ୍ତାଗୁଡ଼ାକ । ବଣ ପାହାଡ଼ର ପେଟ ଚିରି, ଘାଟି ପାରି ହୋଇ ସର୍ପିଳ ଗତିରେ ଲମ୍ବିଯାଇଛି ବିଭିନ୍ନ ଦିଗକୁ । ଭୁସ୍‍କିନା ଦ୍ରୁତ ଗତିରେ ଆଗେଇଗଲା ଟ୍ରାକ୍‍ଟିଏ । ଦଳେ ପୁରୁଷ ନାରୀ କୁଲିଙ୍କ ମିଳିତ କଣ୍ଠରେ ଗୀତର ଲହରୀ ଖେଳିଗଲା । ଛୋଟ ପାହାଡ଼ିଆ ନଈ ଉପରେ ତିଆରି ହେଉଚି ଗୋଟିଏ ବିରାଟ ବନ୍ଧ, ଦିନ ରାତି କାମ ଚାଲିଚି । ଏଇ ଟ୍ରାକ୍‍ଟା ବୋଧହୁଏ ଯାଉଚି ପଥର ଆଣିବାକୁ । ହୁଏତ ସେଥିରେ ଥିବ ମଙ୍ଗଲ ମାଝି ଆଉ ତା’ର ସ୍ତ୍ରୀ । –କ୍ଳାନ୍ତହୋଇ ଫେରି ଶୋଇପଡ଼ିଥିଲି । ହଠାତ୍ ନିଦ ଭାଙ୍ଗିଗଲା । ଦୂରରୁ ଯିମିତି ଶୁଭିଲା ଚପାକାନ୍ଦଣାର ଶବ୍ଦ । କେହି ସ୍ତ୍ରୀଲୋକ ଯେମିତି କାନ୍ଦୁଛି । ଏତେ ରାତିରେ କାନ୍ଦୁଛି କିଏ ? ପାଖରେ ତ ଆଦିବାସୀ ବସ୍ତି । ସେଇଠି କେହି କାନ୍ଦୁ ଥିବ ହୁଏତ । କନେଷ୍ଟବଲ ହରିଆକୁ ଡାକିଲି–ପଠେଇଲି ବୁଝିବାକୁ । କିଛି ସମୟ ପରେ ଖବର ଦେଲା ହରିଆ–

 

ମଙ୍ଗଲ ମାଝିର ତିର୍ଲାର ଦେହକୁ ଲାଗିଛି, କଷ୍ଟ ପାଉଚି । ତା’ର ଛୁଆ ହବ ।

 

ଆଖି ଆଗରେ ଫୁଟି ଉଠିଲା ଦିନ ଦୁଇ ତଳେ ସଞ୍ଜରେ ଦେଖା ଯୋଡ଼ିଏ ମୁହଁ, ମଙ୍ଗଲ ମାଝି ଆଉ ତା’ର ତିର୍ଲା । ଜହ୍ନ ଆଲୁଅରେ ଚହଲୁଥିଲା ମାଂସଳ ଗୋଲ ଡଉଲ ମୁହଁଟେ । ମୁହଁ ଚାପି ଚାପି ହସୁଥିଲା । କଳା କେଶର ଜୁଡ଼ାରେ ଖୋସା ହୋଇଥିଲା ଗୋଟାଏ ବଣୁଆ ନାଲିଫୁଲ । ମନେମନେ ଭାବିଲି–ସେଦିନ ତ ମୁଁ ତାକୁ ଦେଖିଛି–କାହିଁ ଗର୍ଭର ସେମିତି ଲକ୍ଷଣ ତ ଜଣାପଡ଼ୁନଥିଲା । ପୁଣି ଭାବିଲି ହୁଏତ ହୋଇଥିବ । ସଞ୍ଜୁଆ ଜହ୍ନରେ ଲକ୍ଷ୍ୟ କରିପାରି ନାହିଁ । ଫେରିଗଲି ଶୋଇବାକୁ । ସେ ପର୍ଯ୍ୟନ୍ତ ଶୁଭୁଥାଏ ଅବ୍ୟକ୍ତ ଯନ୍ତ୍ରଣାର ଚପା ଚପା ଆର୍ତ୍ତନାଦ । କୁନ୍ଥେଇ କୁନ୍ଥେଇ କାନ୍ଦୁଥାଏ । ବୋଧହୁଏ ତା’ର ଡଉଲ ଡାଉଲ ମୁହଁଟା ଭାସି ଉଠିଲା । ମୋ ଆଖି ଆଗରେ ଅସହ୍ୟ ଯନ୍ତ୍ରଣାରେ ତା’ର ରେଖାହୀନ ମୁହଁଟା ଯେମିତି ବିକୃତ ବୋଇ ଯାଉଥିଲା….ମୁଁ ଅନୁଭବ କଲି । ଶିଶୁର ପ୍ରସବ ପାଇଁ ମାତାର ବେଦନା ଭୋଗ । ସନ୍ତାନ ଲାଗି ମା’ର ତ୍ୟାଗଠୁଁ ବଳି ତ୍ୟାଗ ବୋଧହୁଏ ପୃଥିବୀରେ ନାହିଁ । ଜୀବନର ସମସ୍ତ ବେଦନାକୁ ତୁଚ୍ଛକରି ସନ୍ତାନବତୀ ହେବାର ଅକାଂକ୍ଷା ସବୁ ନାରୀ ଭିତରେ ଦୁରନ୍ତ ହୋଇଉଠେ । ....ଇମିତି ଭାବୁ ଭାବୁ ଶୋଇପଡ଼ିଲି-

 

ହଠାତ୍ କୋଳାହଳରେ ଭାଙ୍ଗିଗଲା ମୋର ନିଦ । ଖରା ଉଠିଲାଣି । ଥାନା ପିଣ୍ଡାରେ ରୁଣ୍ଡ ହୋଇଛନ୍ତି ଦଳେ ଲୋକ । ଧାଇଁ ଆସିଲା.......ମଙ୍ଗଲ ମାଝି......ସେଦିନ ସନ୍ଧ୍ୟାର ସରଳ ଶାନ୍ତ ନୁହେଁ, ରୁକ୍ଷ, ବିବର୍ଣ୍ଣ, ଉଦ୍ଭ୍ରାନ୍ତ ତା’ର ରୂପ–ବାବୁ ତୁଇ ବିଚାର କର୍ ବାବୁ; ମୋର ତିର୍ଲାଟାକୁ ନେଇଗଲା । ଟ୍ରାକରେ ପକେଇ ନେଇଗଲା ବାବୁ ।

 

କିରେ, କାହିଁକି ? –କିଏ ନେଇଗଲା ?

 

ମଙ୍ଗଲ ମାଝି ବିଚଳିତ ହୋଇପଡ଼ିଥିଲା । ଅସଂଲଗ୍ନ ଭାବେ ଯାହା କହିଲା–ତା’ର ସାରାଂଶ ହେଉଛି–

 

ଗଲା କାଲି ପଥର ବୋଝେଇ କରି ଟ୍ରାକରେ ଫେରିଲାବେଳେ ବଣ ବାଟର ଗୋଟାଏ ବାଙ୍କରେ ଟ୍ରାକ୍‍ଟାରେ ହଠାତ୍‍ ବୁଲିଲାବେଳେ କେତେଜଣ କୁଲି ଛିଟ୍‍କି ତଳେ ପଡ଼ିଗଲେ । ମଙ୍ଗଲ ମାଝି ଦେଖେଇଲା ତାହାର କହୁଣୀ ଛିଣ୍ଡି ଯାଇଛି । ତା’ର ସ୍ତ୍ରୀ ଗୁରୁତର ଭାବେ ଆଘାତ ପାଇଲା–ଅଣ୍ଟାରେ । ପୁଣି ୪ ମାସର ଗର୍ଭ । ରାତିଯାକ ଭୀଷଣ କଷ୍ଟ ପାଇଛି । ହୁଏତ ତା’ର ବଞ୍ଚିବାର ଆଶା ନାହିଁ । ରାତିରେ ଡ୍ରାଇଭର ମଙ୍ଗଲକୁ ଅନ୍ୟଆଡ଼େ ଭୁଲେଇ ନେଇଯାଇ, ଘରେ ତା’ର ମା’କୁ କହିଲା–ମଙ୍ଗଲର ତିର୍ଲାକୁ ଡାକ୍ତରଖାନା ନେଇଯିବ । ତା’ପରେ ତାକୁ ଟ୍ରାକରେ ନେଇ ଚାଲିଯାଇଛନ୍ତି । ମଙ୍ଗଲ ମାଝି ବିଶ୍ୱାସ କରେ ନାହିଁ ଯେ ସେମାନେ ତାକୁ ଡାକ୍ତରଖାନାକୁ ନେବେ । ପୁଲିସ୍‍ ଆଖିରେ ଧୂଳି ଦେବା ପାଇଁ ସେମାନେ ତାକୁ ଲୁଚେଇ ଦେଇଛନ୍ତି–ପୋତିଦେବା ମଧ୍ୟ ଅସମ୍ଭବ ନୁହେଁ ।

 

ହରିଆକୁ ପଚାରିଲି–କିରେ, ରାତିରେ ତୁ କହୁଥିଲୁ ସେ ଗର୍ଭ କଷ୍ଟ ପାଉଥିଲା ?

 

ହଁ ଆଜ୍ଞା, ମଙ୍ଗଲ ମାଝିର ମା’ ବୁଢ଼ୀ ମୋତେ ତ ସେଇ କଥା କହିଲା ।

 

ହଁ ବାବୁ, ସେ ଡ୍ରାଇଭର ବାବୁ ମୋତେ ସେଇ କଥା କହିତେ କହିଲା ଯେ–ମଙ୍ଗଲ ମାଝିର ବୁଢ଼ୀମା’ ଥିରିଥିରି କହିଲା ।

 

ଭାବିଲି, ହୁଏତ ତାକୁ ଡାକ୍ତରଖାନା ନେଇଯାଇଥିବେ । ଫୋନ୍‍କଲି ସଦର ଡାକ୍ତରଖାନାକୁ । ଖବର ଆସିଲା–ଏମିତି କେସ୍‍ ଡାକ୍ତରଖାନାକୁ ଯାଇନାହିଁ ।

 

ଚିନ୍ତାର କଥା !

 

ବାବୁ, ଆଣିଦେ ମୋର ତିର୍ଲାକୁ । ମୁଁ କି କରିବି ? ତୁ ୟାର ବିଚାର କର୍ ବାବୁ । ମିନତିଭରା କଣ୍ଠ । ଆକୁଳ ଆଖିରେ ଚାହିଁଲା ମଙ୍ଗଲ । –କିରେ, କାଲି ରାତିରେ ମୋତେ ଖବର ଦେଲୁନି କାହିଁକି ? –ଡ୍ରାଇଭରଟା ମୋତେ ମନାକଲା ବାବୁ । କହିଲା ଉଷଦ ଦେଲେ ଭଲ ହେଇଯିବ । ....ବାବୁ, ମୋତେ ଠକେଇ ଦେଲା–ମୁଁ ତାକୁ ହାଣି ଦେବି ।

 

ତୁ ତୋର ତିର୍ଲାକୁ ଛାଡ଼ି ରାତିରେ ଘରୁ ଗଲୁ କାହିଁକି ?

 

ଓଷଦ ଆଣିବବୋଲି ଡାକ୍ତର ପାଖକୁ ମୋତେ ନେଇଯିବ କହିଲା । ରାସ୍ତାରେ ଭାଟି ପାଖରେ ଉହ୍ଲେଇ କହିଲା–ମଙ୍ଗଲ, ତୁ ପଡ଼ିଯାଇଥିଲୁ, ଭାରି ଲାଗିଥିବ; ପାଇସା ନେ, ଟିକେ ବେଶୀ ହାଣ୍ଡିଆ ଖାଇଦେ । ତା’ ଭିତରେ–ସେ ଟ୍ରାକନେଇ ମୋର ତିର୍ଲାକୁ ନେଇ ପଳେଇଲା ବାବୁ-। ମୁଁ କି କରିବି ? ଦି’ବର୍ଷର ପୁଅଟା କାନ୍ଦୁଛି ।

 

କଅଣ କହି ଯେ ସାନ୍ତ୍ୱନା ଦେବି–ଭାଷା ଖୋଜି ପାଇଲି ନାହିଁ । ଶେଷକୁ କହିଲି–ହଉ, ମୁଁ ଚେଷ୍ଟା କରି ଦେଖେ । ତା’ର ଜବାନ୍‍ବନ୍ଦୀ ନେଲି । ଆଖପାଖ ସବୁ ଥାନାକୁ ଖବର ଦେଲି । କିନ୍ତୁ ସେଇ ନମ୍ବର ଟ୍ରାକ୍ କିମ୍ବା ସିମିତି ତିର୍ଲାର ଖବର କେହି ଦେଇପାରିଲେ ନାହିଁ ।

 

ଶେଷକୁ ଡକେଇଲି ସେଇ ଟ୍ରାକ୍‍ର ମାଲିକଙ୍କୁ । ଆଦେଶ କଲି ତା’ର ଡ୍ରାଇଭର ଓ ଟ୍ରାକ୍ ହାଜର କରିବା ପାଇଁ । –ଆଜ୍ଞା, ମୋ ଟ୍ରାକ୍ ତିନିଦିନ ହେଲା ଟାଟା ପଠାଇଛି, ମରାମତି ପାଇଁ । ସହଜ କଣ୍ଠରେ ଉତ୍ତର ଆସିଲା । –ତିନିଦିନ ହେଲା ? ରୂଢ଼ ପ୍ରଶ୍ନ କଲି । –ହଁ, ଆଜ୍ଞା–ଆହୁରି ସହଜ, ନିର୍ବିକାର କଣ୍ଠର ଉତ୍ତର–ଆଚ୍ଛା ଛକୁ ଡ୍ରାଇଭର କାହିଁ ?–ସେତ ସାତଦିନ ହବ ଛୁଟି ନେଇ ଘରକୁ ଯାଇଛି । –ସାତଦିନ ଛୁଟି ନେଇଚି ? ପ୍ରଶ୍ନ କଲି । –ନାଇ ବାବୁ, ମିଛ କଥା । କାଲି ରାତିରେ.... ଅଟକି ଗଲା ମଙ୍ଗଲ ମାଝି । କଥା ଛଡ଼େଇ କହିଲେ ଟ୍ରାକ୍‍ର ମାଲିକ । –କାଲି ରାତିରେ ସେ କଉଁଠୁ ଆସିବ ? ସାତଦିନ ହେଲାତ ସେ ଘରେ ପଡ଼ିଛି ।

 

କଥାଶୁଣି କାବା ହୋଇ ନୀରବ ହେଇଗଲା ମଙ୍ଗଲ । ବିସ୍ମୟରେ ମୁଁ ଚାହିଁଲି ଉଭୟଙ୍କର ମୁହଁକୁ । ନିର୍ଲିପ୍ତ ଭାବରେ ଦାମିକା ହସଟେ ହସିଲେ ମାଲିକେ । ଆଉ ମଙ୍ଗଲ ମାଝିର ଆଖିରେ ନିଆଁ । ବିସ୍ମୟ, କ୍ରୋଧ ଆଉ ଘୃଣାରେ ଥରିଉଠିଲା ତାର ମୋଟା କାଳିଆ ଓଠ ଦି’ଫାଳ–ପଦେ ଦି’ପଦ କ’ଣ କହିଲା ତା’ ଭାଷାରେ । ବିବ୍ରତ ହୋଇପଡ଼ିଲି ମୁଁ–ଭୀଷଣ ଦ୍ଵନ୍ଦ୍ୱରେ । ଅନୁସନ୍ଧାନରେ ଖବର ମିଳିଲା ଯେ ସେହି ଟ୍ରାକ୍‍ଟି ମରାମତି ହେଉଛି । ଟାଟାରେ–କିନ୍ତୁ ଡ୍ରାଇଭରର କୌଣସି ସନ୍ଧାନ ନାହିଁ ।

 

ମଙ୍ଗଲ ମାଝି ଆଉ କାମକୁ ଯାଏନି । ଦି’ ବରଷର ପୁଅଟାକୁ ଧରି ଉଦ୍ଭ୍ରାନ୍ତଭାବେ ଘୂରିବୁଲେ–ଯିମିତି ବଣ ଭିତରେ ବାଟ ଭୁଲିଯାଇଛି । ବେଳେବେଳେ ସଞ୍ଜରେ ଆସି ବସେ ଥାନା ପିଣ୍ଡାରେ । ତା’ର ସବଳ ରୁକ୍ଷ ବାହୁରେ ଶିଶୁଟିକୁ ଧରି ତା’ର ନିଜ ଛାତିର କଠିନ ମାଂସପେଶୀରେ ଯାକିଧରି ଚୁପ୍‍ କରେଇବାର ଚେଷ୍ଟା କରେ ।

 

ବାବୁ, ସେ ଡ୍ରାଇଭର ମୋର ତିର୍ଲାଟାକୁ ମାରିଦେଲା ତୁ କିଛି ବିଚାର କଲୁନାହିଁ ?

 

ଆରେ ସେ ତ ଧରାପଡ଼ୁ ନାହିଁ । ଧରାପଡ଼ିଲେ ତ ବିଚାର ହେବ ।

 

ଧରାପଡ଼ୁନି ? –ତୁ କେଇଠି ଖୋଜୁଛୁ ? –ମୁଁ ବେଳେ ପାଆନ୍ତି ହେଲେ ।

 

ଆରେ ମୁଁ ସବୁଆଡ଼େ ଲୋକ ପଠାଇ ଖୋଜୁଛି ।

 

ସେ କି ଧରା ଦବ ? –ଏଇ ଛୁଆଟା ସବୁବେଳେ କାନ୍ଦୁଛି । ଖାଉ ନାହିଁ କି ଶୋଉ ନାହିଁ-। ବୁଢ଼ୀ ଆଈ ପାଖରେ ବି ରହୁନି । –ମୁଁ କି କରିବି ବାବୁ ?

 

ଛୋଟ ଶିଶୁଟିକୁ ଚାହିଁ ଭାରି ମାୟା ହେଲା ।

 

ତୁମର କେତେ ବରଷ ହବ ବାହାଘର ହୋଇଥିଲାରେ ? ମୁଁ ପ୍ରଶ୍ନ କଲି ।

 

ବାବୁ, ଚାରିବର୍ଷ ହବ । ସେ ଗାଁର କେତେ ମରଦ ତାକୁ ପସନ୍ଦ କରିଥିଲେ–କିନ୍ତୁ ସେ ରାଜି ହେଇଥିଲା ମୋତେ ବାହା ହବାକୁ । ମୁଁ ବି ରାଜି ହେଇଥିଲି–

 

କିରେ, ତୋତେ କାହିଁକି ସେ ରାଜି ହେଲା ? ପଚାରିଲି ଟିକିଏ ତା’ର ମନଟା ହାଲୁକା କରିବା ନିମନ୍ତେ ।

 

ସେ ବାବୁ, ଦିନେ ଇମିତି ଗୋଟେ ଘଟଣାରେ……ପିଲାଟାକୁ ତଳେ ଛାଡ଼ି ଚାହିଁଲା ଦୂର ବଣକୁ–ଯେମିତି ସେ ସେଇ ହଜିଲା ଦିନକୁ ଫେରି ଯାଇଛି ।

 

କି ଘଟଣାରେ ?

 

ମଙ୍ଗଲ ମାଝି ବର୍ଣ୍ଣନା କଲା ତା’ ଜୀବନର ପୂର୍ବରାଗ ଓ ପ୍ରଣୟର ସରଳ କାହାଣୀ ।

 

ଦିନେ ସେ ଯାଇଥିଲା ବନ୍ଧୁବାସିଆ । ଦି’ପହରେ ନଈ କୂଳରେ ଦଳେ ବଗକୁ ଦେଖି କାଣ୍ଡ ବିନ୍ଧିଲା ମଙ୍ଗଲ ମାଝି । ଲକ୍ଷ୍ୟ ଭ୍ରଷ୍ଟ କାଣ୍ଡ ପଛେ ଧାଇଁ ଦେଖିଲା ତା’ କାଣ୍ଡଟା ଗୋଟିଏ କାଣ୍ଡ କରିଛି । ଭାଙ୍ଗି ଦେଇଚି ଗୋଟାଏ ମାଠିଆ ।

 

ଭଙ୍ଗା ମାଠିଆ ପାଖେ ଠିଆ ହୋଇଥିଲା ଦେଓଗେ–ହାତରେ ମଙ୍ଗଲର କାଣ୍ଡଟା । ମନେହେଲା ଝିଅଟି ଖୁବ୍ ରାଗିଯାଇଛି । ଖର ନିଶ୍ୱାସରେ ଫୁଲି ଉଠୁଥିଲା ତା’ର ଠିଆ ନାକଟା । କାନରେ ଦୋଲୁ ଥିଲା ଯୋଡ଼ିଏ କନିଆରୀ ଫୁଲର କଢ଼ । ମୋ କାଣ୍ଡଟା ଦେ, ମାଗିଥିଲା ମଙ୍ଗଲ । ନା, ଦେବି ନାହିଁ । ମାଠିଆଟା ଯେ ଭାଙ୍ଗିଗଲା–ପାଣିନେବି କିମିତି–ମାଠିଆଟା ଦବ କିଏ ? ରାଗି ପଚାରିଲା ଦେଓଗେ ।

 

ଆମ ଗାଁକୁ ଗଲେ ହାଟରୁ ନୂଆ ମାଠିଆ କିଣିଦେବି । ରସିକତାକରି କହିଲା ମଙ୍ଗଲ ।

 

ରାଗରେ ତମ ତମ ହୋଇ କାଣ୍ଡଟା ଫିଙ୍ଗିଦେଇ ଚାଲିଯାଉଥିଲା ଦେଓଗେ । ମଙ୍ଗଲ ମାଝିର ପାଦରେ ରକ୍ତ ଦେଖି ଅଟକି ଗଲା । କାଣ୍ଡଟା ଗଳି ଯାଇଚି । ଦେଓଗେ ତ ଇଚ୍ଛାକରି ମାରିନଥିଲା । ଅକସ୍ମାତ୍‍ ଫିଙ୍ଗି ଦେଇଥିଲା ।

 

ନିଜ ହାତରେ ଦେଓଗେ ମଙ୍ଗଲ ଗୋଡ଼ରୁ କାଣ୍ଡଟା କାଢ଼ିନେଇ ବଣୁଆ ଗଛର ପତ୍ରଦେଇ ବାନ୍ଧିଦେଲା–ତା’ ନିଜ କନାଚିରି । ଅନୁଶୋଚନାରେ ସେଦିନ କଳା ଆଖିଯୋଡ଼ିକରେ ପାଣି ଟଳମଳ କରି ଉଠିଥିଲା–ଦେଓଗେ କାନ୍ଦି ପକେଇଥିଲା । ମଙ୍ଗଲ ମାଝି ଗୋଡ଼ ଟେକି ଦେଖେଇଲା ଗୋଟାଏ ପୁରାତନ କ୍ଷତଚିହ୍ନ ।

 

ତା’ର ଦାଗଟା ଅଛି ବାବୁ,…ସେ ଚାଲି ଯାଇଚି…ସେ କି ଆଉ ମିଳିବ ବାବୁ ?

 

ମନେହେଲା ସତେଯିମିତି ଦୁଇ ଆକାଶର ବଉଦମାଳ ନିକଟରେ ବିରହୀ ଯକ୍ଷର କରୁଣ ଆବେଦନ । ହଁରେ, ଯଦି ସେ ବଞ୍ଚିଥାଏ, ନିଶ୍ଚୟ ଆସିବ କହିଲି । ବୁଝିଲି ମୋର ଆଶ୍ୱାସନାଟା କେତେଦୂର ନିରର୍ଥକ !

 

ହଠାତ୍ ଦିନେ ଦି’ପହର–ଚମକି ଉଠିଲି ମଙ୍ଗଲ ମାଝିର ପାଟିରେ । ଚେୟାର ଠେଲି ଧାଇଁ ଆସିଲି । ତାଳୁଫଟା ଖରା ନିଆଁ ରକମ ଜଳୁଛି । ଆଉ ମଙ୍ଗଲ ଟଳୁଛି ବେଘୋର ନିଶାରେ । କୋଣାର୍କର କଳା ମୁଗୁନି ପଥରର ମୂର୍ତ୍ତି ଜୀବନ୍ତ ହୋଇଉଠିଛି । କାଳିଆ ଦେହରୁ ଝରିପଡ଼ୁଛି ଧାର ଧାର ଝାଳ । ଲୁହାଭଳି ଶକ୍ତ କାନ୍ଧରେ ଡ୍ରାଇଭରର ଅଚେତ ଦେହଟା, ଡାହାଣ ହାତରେ ଶାଣଦିଆ ଟାଙ୍ଗିଆଟେ ଖରାରେ ଝଲସି ଉଠୁଛି । ମଙ୍ଗଲର ଚଉଡ଼ା ଛାତିଟା ଫୁଲି ଫୁଲି ଉଠୁଛି ଠିକ୍ ଗୋଖରୁଭଳି । କାଳିଆ କପାଳ ତଳେ ସିନ୍ଦୁର ଆଖିଦି’ଟା ଚମକୁଚି । ଚଇତି ହାଓୟାରେ କଳାଭଉଁରି ଖେଳୁଛି ରୁକ୍ଷ ବାଳଗୁଡ଼ା । ଡାଇଭରର ଅଚେତ୍ ଦେହଟା ରଖିଲା ଥାନା ପିଣ୍ଡାରେ–ବାବୁ ତୁ ପାଇଲୁନି ଡ୍ରାଇଭରକୁ । ‘ଏଇ-ନେ’ କହି ଫିଙ୍ଗିଦେଲା ଟାଙ୍ଗିଆଟା ମୋ ପାଦ ପାଖକୁ । ନେ, ତୁ ୟାର ବିଚାର କର । ୟେ ମୋର ତିର୍ଲାକୁ ନେଇ ମାରିଦେଇଚି–ଲୁଚି ବୁଲୁ ଥିଲା । ଆଜି ଭାଟିରେ ମଦ ପିଉଥିଲା । ମୋର ଗୁଟେ ମାଡ଼ରେ ଅଚେତ୍ ହୋଇପଡ଼ିଛି । ମନହଉଥିଲା ଟାଙ୍ଗିଆଟାରେ ଚୋଟେ ଦେଇ ମୁଣ୍ଡଟା ଦି’ଫାଳ କରିଦିଅନ୍ତି । କିନ୍ତୁ ବାବୁ ୟାକୁ ମାରିଦେଲେ କି ତିର୍ଲାଟା ମୋର ଆଉ ଆସିବ ? ମିଛଟାରେ ଲୋକଟାର ଜାଆନ ନେଇ କି ଲାଭ ?

 

ନୂତନ ପ୍ରଭାତ

 

ଅଃ–ମଉକାଟା ଚାଲିଗଲା ! ମନସ୍ତାପ କଲା ବାବୁଆ !

 

ଅନ୍ଧାରର ଦରିଆ ଭିତରେ ପହଁରି ଚାଲିଚି ଟ୍ରେନ୍‍ଟି, ଠିକ୍ ସରୀସୃପଭଳି । କି ଏକ ହିଂସ୍ର ଆକ୍ରୋଶରେ ଗର୍ଜନ କରି ମାଡ଼ିଚାଲିଛି ।

 

ଆଉ ଠିକ୍‍ ସେମିତି ହିଂସ୍ର ହୋଇଉଠିଛି ବାବୁଆ । ସାରା ଦୁନିଆର ପ୍ରତ୍ୟେକ ବ୍ୟକ୍ତି ବିରୁଦ୍ଧରେ ତା’ର ଅସୀମ ବିଦ୍ଵେଷ । ବୟେଲର୍‍ ନିଆଁଭଳି ତା’ ଆଖି ଯୋଡ଼ିକ ଦପ୍‍କିନା ଜଳିଉଠେ; ପୁଣି ଧିମେଇ ଯାଇ ନିସ୍ତେଜ ହୋଇଯାଏ । ନିରାଶାର ଦୀର୍ଘ ଶ୍ଵାସରେ ମନ୍ଥିହୁଏ ସମସ୍ତ ହୃଦୟ ।

 

ଅଃ; ସୁଯୋଗଟା ଚାଲିଗଲା !!

 

ଅସୁମାରି ଲୋକ, ରେଲିଂ ଧରି ଓହୋଳେଇଚନ୍ତି । ମଣିଷ ତ ନୁହେଁ ବାଦୁଡ଼ିର ରୂପାନ୍ତର ।

 

ବାବୁଆ କିନ୍ତୁ ଏଥିରେ ଭାରି ଖୁସୀ । ଛିଣ୍ଡା ପଞ୍ଜାବିର ହାତ ଦି’ଟା ଉଠେଇ ଦେଇଚି । ପାଇଜାମାଟାରେ ତାଳିପଡ଼ିଛି ଦି’ ତିନି ଜାଗା, ଖୋଲା ବୋତାମ, ଛାତିଟା ଦିଶୁଚି । ଧାନବିଲର ହିଡ଼ଭଳି ମୁଣ୍ଡ ଟେକିଛି ପଞ୍ଜରାଗୁଡ଼ାକ । ହାତର ଶିରାଗୁଡ଼ିକ ଫୁଲି ଉଠିଛି । ଆଖି ତଳେ କଳା ଗାର ସୁସ୍ପଷ୍ଟ । ଅବିଶ୍ୱାସର ଛାଇ ଖେଳୁଛି ସେ ଆଖି ଯୋଡ଼ିକରେ । ମାତ୍ର ଅଠର ବର୍ଷ ବୟସରେ ସେ ଦୁନିଆକୁ ସମ୍ପୂର୍ଣ୍ଣ ଅବିଶ୍ୱାସର ନଜରରେ ଦେଖୁଛି । ମନ୍ଥର ହେଲା ଗାଡ଼ିର ଗତି । ଷ୍ଟେସନର କୋଳାହଲ ଆଉ ମଣିଷର ସୁଅ ଭିତରେ ସରୀସୃପର ସତର୍କ ଗତିରେ ଆଗେଇ ଚାଲିଲା ବାବୁଆ, ଠିକ୍ ଝିଟିପିଟି ଯିମିତି ଅଗ୍ରସର ହୁଏ ତା’ ଶିକାର ଆଡ଼କୁ ।

 

……ଚୋର, ଚୋର, ପକେଟ୍‍ ମାର–ପ୍ଲାଟଫର୍ମରେ ହୁରି ପଡ଼ିଲା । ଫେରିବାଲାର ମାଲଗୁଡ଼ିକ ଛିନ୍‍ଛତର ହେଇ ପଡ଼ିଲା । ତଳକୁ ଖସିପଡ଼ିଲା କୁଲି ମୁଣ୍ଡର ବୋଝ । ଜଳତରଙ୍ଗର ଶବ୍ଦ କରି ଚୂନା ହେଇଗଲା ଚା’ କପ୍ ସବୁ ।

 

ବାବୁଆ ଦୌଡ଼ୁଛି । ସେ ଧାଇଁଛି ଉଦ୍ଭ୍ରାନ୍ତଭଳି । ତା’ ପଛରେ ଅସୁମାରି ଲୋକ । ଶାଗୁଣା ପଲ ଯେମିତି ତୀକ୍ଷ୍ଣ ନଖମେଲି ମାଡ଼ି ଆସନ୍ତି–ମଡ଼ାର ବାସନା ପାଇଲେ । ସତେଯିମିତି ତା’ ବ୍ୟତୀତ ଆଉ ସମସ୍ତେ ସାଧୁ, ଆଉ ସେ’ଇ ଏକା ଚୋର !

 

ନିରୁପାୟ ହୋଇ କୁଦି ପଡ଼ିଲା ଗୋଟାଏ ଡବା ଭିତରକୁ, ପାଇଖାନା ଭିତରେ ପଶି କବାଟ କିଳିଦେଲା ।

 

ଧକ୍କା ପଡ଼ିଲା ସେ କବାଟରେ ।

 

ଆଶ୍ଚର୍ଯ୍ୟ, ସମସ୍ତେ ତା’ ପିଛା ଧରିଛନ୍ତି ? ଆଚ୍ଛା କେହି କଅଣ ତା’ର ବନ୍ଧୁ ନାହିଁ ? ପୃଥିବୀରୁ କଅଣ ଚୋର ଡକାୟତ ସବୁ ଲୋପ ପାଇଗଲେ ? –ଶଳା କାଲୁଆ, ସେ କ’ଣ ଏ ବିପଦ ବେଳେ ଛାଡ଼ି ପଳେଇଲା ? ସମସ୍ତେ ସୁଖର ପ୍ୟାରା, କିନ୍ତୁ ମୁସିବତ୍ ବେଳେ……ଖରଶ୍ୱାସରେ ଛାତିଟା ଉଠ ପଡ଼ ହେଉଛି ।

 

ବାହାରେ ଭୀଷଣ ଗଣ୍ଡଗୋଳ । ହୁଏତ ପୋଲିସ୍‍ ବି ଆସିଗଲେଣି । ଖଣ୍ଡେ କାଚ ଭାଙ୍ଗିଗଲା–ବାହାରୁ ଲୁହା ରଡ଼୍‍ ଦେଇ କିଏ ପିଟୁଚି; ଗରମ ପାଣି ଆସିପଡ଼ିଲା ।

 

ନାଃ, ଆଉ ଉପାୟ ନାହିଁ–ତ୍ରାହି ନାହିଁ । ଝରକା ଭିତର ଦେଇ ବାଡ଼ିର ପାହାର ମୁଣ୍ଡରେ ପଡ଼ିଲା । ଚାଉଁକିନା–ବୁଲେଇଲା ମୁଣ୍ଡଟା । ଝରିପଡ଼ିଲା ରକ୍ତ । କବାଟ ଖୋଲିଗଲା । ବାହାରର ଜନସମୁଦ୍ର, ଘୋଷାରି ଆଣିଲେ, ବାବୁଆକୁ । ବିଧା, ଚାପୁଡ଼ା, ଜୋତା, ଢେଲା କିଛି ଆଉ ବାଦ୍‍ପଡ଼ିଲା ନାହିଁ–ପୋଲିସ୍‍, ଜନତା ହାତରୁ ଛଡ଼େଇ ନ ଆଣିବା ଯାଏଁ । ଅସହ୍ୟ ଯନ୍ତ୍ରଣାରେ–ଚିତ୍କାର କରି କାନ୍ଦିବାକୁ ମନହେଲା । କିନ୍ତୁ ଦାନ୍ତ କାମୁଡ଼ି ନୀରବ ରହିଲା ସେ ।

 

ମୁଣ୍ଡର ବାଳକୁ ନିର୍ମମଭାବେ ଝିଙ୍କିଧରିଲା ଜଣେ ପୋଲିସ୍‍ । ସେଇ ପେଟୁଆ ମାରୁଓ୍ୟାଡ଼ି ଝାଳ ନାଳ ହୋଇ ଧାଇଁ ଆସିଲା ।

 

ହାଁ ହାଁ ! ଏଇ ତୋ ! ମେରା ମନିବେଗ୍‍ ଲେକର ଭାଗ ଗୟା । କି ବେଗ୍‍ କଅଣ କଲୁ-? ପୋଲିସ୍‍ର କଡ଼ା ପ୍ରଶ୍ନ । କଅଣ ନେଇଚୁ ? ଜନତା ଭିତରୁ କିଏ ପାଟିକଲା ଭଲଦଶା ଅଛି ତ ଦେଇଦେ ବାବା । ……ପ୍ରଶ୍ନ ବାଣରେ କ୍ଷତ ବିକ୍ଷତ, ବାବୁଆ ତଥାପି ନୀରବ ।

 

ସେ ଜାଣେ ଏଠି ଯେତେ ଲୋକ ଜମା ହୋଇଛନ୍ତି କେହି ସାଧୁ ନୁହଁନ୍ତି । କିନ୍ତୁ ତାକୁ କେନ୍ଦ୍ରକରି ନିଜର ସାଧୁପଣିଆ ଦେଖାଇବାର ସୁଯୋଗରୁ ନିଜକୁ ବଞ୍ଚିତ କରିବାକୁ କେହି ନାରାଜ ।

 

ସେ ଜାଣେ, ସେହି ଚର୍ବିଳ ମାରୁଆଡ଼ି, ଘିଅରେ ନିଜ ଓଜନର ବହୁଗୁଣ ଚର୍ବି ବିନା ଦ୍ଵିଧାରେ ମିଶେଇଛି । ଏଇ ଜମିଥିବା ଲୋକ ଭିତରୁ କିଏବା ଝୁଠା ମାଲ୍‍କୁ ସଚ୍ଚା କହି ଚାଲାଣ ଦିଏ-। କିଏବା ଅଟାରେ ତେନ୍ତୁଳି ମଞ୍ଜି, ନିର୍ବିବାଦରେ ପେଷିଦିଏ । ଆଜି ଜଣକୁ ଚୋର କହିବାର ସୁଯୋଗ ପାଇ ସାଧୁ ବନେଇ ତା’ ଉପରେ ଉତ୍ତମ ମଧ୍ୟମ ଚଳେଇଛନ୍ତି ।

ମୁଣ୍ଡରକ୍ତ ଆଖି ଉପରକୁ ଝରି ଓଠରେ ଲାଗି ଲୁଣିଆ ଲାଗୁଚି । ମୁଣ୍ଡଟା ଝମ୍‍ଝମ୍‍ କରୁଛି । ଦେହ ହାତ ମାଡ଼ରେ ଅବଶ ହୋଇଯାଇଛି, ପାଦ ଟଳୁଛି । ପୋଲିସ୍‍ ନେଇଗଲେ ହାଜତକୁ । ସବୁକଥା ଶୁଣି ବଡ଼ବାବୁ ପାଖକୁ ଆସି ନିରୀକ୍ଷଣ କଲେ । ପରୀକ୍ଷା କଲେ ।

ଏୟ ପାଣି ପିଇବୁ ? ସମ୍ମତି ଜଣେଇଲା । ଢକଢକ କରି ପାଣି ପିଇଲା ବାବୁଆ ।

ଏୟ ତୋ ନାଁ କଅଣ ?

ବାବୁଆ ! ପ୍ରଥମଥର ତୁଣ୍ଡ ଫିଟେଇଲା ସେ ।

କିରେ ମନିବେଗ୍‍ ଚୋରି କରିଛୁ ? –ହଁ ।

ପୋଲିସ୍‍ ଦି’ଜଣ ଭିଡ଼ିଆସି ଅଣ୍ଡାଳିଲେ ତା’ ଦିହଯାକ ।

କ’ଣ କଲୁ ବେଗ୍‍ ?

ଗଣ୍ଡଗୋଳରେ କିଏ ନେଇ ପଳେଇଚି, ମୁଁ ଜାଣେନି । ଜମିଥିବା ଲୋକ ହୋ ହୋ କିନା ହସିଲେ । ବାଃ ଚୋରି ଉପରେ ବାଟ୍‍ପାଡ଼ି ! ମାରୁଆଡ଼ିର ଆଖି ଉପରକୁ ଉଠିଲା–ଏ୍ୟାଁ ଚୋର ସେ ଚୋରି ? ପୋଲିସ୍‍ ସାହେବ୍‍ ଉସ୍‍ ମେ ହମାରା ଶୌ ରୁପାୟାକା ପାଞ୍ଚ ନୋଟ୍ ଥା ।

ଗାଡ଼ି ଛାଡ଼ିବାର ଘଣ୍ଟା ହେଲା । ଭିଡ଼ କମିଗଲା । ହାଜତ ଭିତରେ ପକେଇଦେଲେ ତାକୁ । ଚାରିଆଡ଼କୁ ଚାହିଁଲା ବାବୁଆ–ନାଃ ବାହାରିବାର ଉପାୟ ନାହିଁ । ଟ୍ରେନ୍‍ଟା ଛାଡ଼ି ଦେବ । ନିରାଶାର ଦୀର୍ଘଶ୍ଵାସ ବାହାରିଲା ।

ପାଞ୍ଚଶହ ଟଙ୍କା ହାତକୁ ଆସି ହାତଛଡ଼ା ହୋଇଗଲା ।

ବର୍ତ୍ତମାନ ବି ଛାଡ଼ ପାଇଲେ ଟଙ୍କାଟା ପାଇପାରନ୍ତା ସେ । କିନ୍ତୁ ଟ୍ରେନ୍‍ଟା ଛାଡ଼ି ଦେଲା ।

ବେଗ୍‍ଟା, ଟ୍ରେନ୍‍ର ପାଇଖାନାର ଅଇନା କଡ଼ରେ ଇମିତି ରଖିଚି ସହଜରେ କାହାରି ନଜରରେ ପଡ଼ିବନି । କିନ୍ତୁ–କାଲୁଆ ? ଉସ୍ତାଦ୍‍ କାଲୁଆ, ସେ ଠିକ୍‍ ଜାଣିଛି, ତାରି ଭାଗ୍ୟ ଖୋଲିଗଲା । ନିଶ୍ଚୟ ମାରି ନେବ ।

ପ୍ଲାଟ୍‍ଫର୍ମ୍‍ ନୀରବ ହୋଇଗଲା, ମୃତ ଅଜଗରଭଳି । ରାତି ଘନେଇ ଆସିଲା । ଶ୍ରାବଣ ଆକାଶର ମେଘ ଘୋଟିଗଲା ପରି ସାରା ଦେହରେ ତା’ର ଭୀଷଣ ବେଦନା । ଲୋଟିପଡ଼ିଲା ତଳେ । ମୁଣ୍ଡର କଟା ଜାଗାଟା ଲୁଣିଆ ଝାଳ ଲାଗି ପୋଡ଼ୁଛି । ଆଖି ବୁଜିଲା । ତଥାପି ନିସ୍ତାର ନାହିଁ । ଆଖିରେ ଭାସିଲା ଅତୀତ ଜୀବନର ବେଦନାମୟ ଚିତ୍ର । ବର୍ତ୍ତମାନର ଅନୁଶୋଚନାର ତୀବ୍ର ଦହନ, ଆଉ ନିଷ୍କରୁଣ ଅର୍ଦନ୍ତାହରେ ଅସ୍ଥିର ହେଇ ଉଠିଲା ।

ସେ ସ୍ୱୀକାର କରିଛି–ଚୋରି କରିଛି । ଜୀବନରେ ଏଇଟା ପ୍ରଥମ ଚୋରି ନୁହେଁ । ଚୋରି କରି ଧରାପଡ଼ିଛି ପ୍ରଥମ । ଜେଲ୍‍ ହୋଇପାରେ । ସେ ଶୁଣିଚି–ସେଠି ମାଡ଼ ହୁଏ । ଘଣା ପେଶିବାକୁ ହୁଏ । ଭୀତାର୍ତ୍ତ ହୋଇ ଚାହିଁଲା ଚାରିଆଡ଼କୁ । ନିଷ୍କ୍ରମଣର ଉପାୟ ନାହିଁ । ନିରୁପାୟ ।

 

ବାଲ୍ୟର ମଧୁର ଦିନଗୁଡ଼ିକ ସାନ୍ତ୍ଵନାର ବାରିଭଳି ବୋଧ ହେଲା । ଭବିଷ୍ୟତ ଜୀବନର ନିର୍ଦ୍ଧିଷ୍ଟ କିଛି ଆଶା ପୋଷଣ କରିବା ପୂର୍ବରୁ କ’ଣ ହେଲା ? ଆଶାର କଳିକା ମଞ୍ଜୁରିତ ହେବା ପୂର୍ବରୁ ମଉଳି ଗଲା ।

 

କିଏ ଜାଣିଥିଲା, ବାପାଙ୍କ ମନରେ ୟା ଥିଲା ବୋଲି ?

 

ସହରର ତେଜରାତି ଦୋକାନର ହଜାର ହଜାର ଟଙ୍କାର ରୋଜଗାର । କିନ୍ତୁ କୋଉଠୁ ଜୁଟିଗଲେ ଦଳେ । ବାପାଙ୍କ ହାତରେ ମଦର ବୋତଲ ଧରେଇ ନିଃସ୍ୱ କରି ଲାଲବତୀ ଜଳେଇ ଦେଲେ । ବିଳାସ ବ୍ୟସନର ମୋହରେ ବୁଡ଼ି ଘରେ କେହି ଜାଣିପାରିଲେନି । ଇମିତି କି ବଡ଼ଭାଇ ଦୋକାନରେ ବସି ବି ଜାଣିପାରିଲେନି । ବାପା ଭାଇଙ୍କୁ ପାଠ ପଢ଼େଇ ନଥିଲେ । ସେ ବାପାଙ୍କ ନିର୍ଦ୍ଦେଶରେ ବ୍ୟବସାୟ ଚଳେଇବ–ଏଇ ଆଶାରେ ନିରୁଦ୍ରପରେ ମେଟ୍ରିକଟି ପାସ୍‍ କରି ହଠାତ୍ ଦିନେ ବାବୁଆ ବୁଝିଲା–ଯେ ସେମାନେ ଦାଣ୍ଡର ଭିକାରି । ପଢ଼ିବାର ସମ୍ବଳ ନାହିଁ । ଭାଇ ଘର ଚଳେଇବା ପାଇଁ ଧରି ବସିଛି ଗୋଟାଏ ପାନର ଦୋକାନ ।

 

ଏଣେ ବାପାର ଆଭିଜାତ୍ୟ ଭରି ରହିଚି ବାବୁଆର ରକ୍ତରେ । ଛୋଟ ଚାକିରି କରିବିନି-। ଏତେ ବଡ଼ ମହାଜନକୁ ଅପମାନ ହେବ !

 

ଚୋରଭଳି ଘରେ ପଶି–ଯାଯାବରଭଳି ଘୂରିବୁଲିବା ଛଡ଼ା ଅନ୍ୟ କିଛି ଉପାୟ ସେ ପାଇଲାନି । ସହରର ଦୈନନ୍ଦିନ ବିଳାସର ଦାବି ତା’ ଜୀବନରେ ବି ମୁଣ୍ଡ ଟେକିଲା । କିନ୍ତୁ ଫାଙ୍କା ପକେଟରେ ବନ୍ଧୁବାନ୍ଧବ ତ ଜୁଟନ୍ତିନି । ଆଉ ବିଳାସ !!

 

ଏଣେ ଦି’ ଓଳିରେ ଓଳିଏ ଚୁଲି ଜଳୁନି । ବେରୋଜଗାରିଆ ବାବୁଆକୁ ପଚାରେ କିଏ ? ସାନଭାଇଭଉଣୀ ବେଖାତର କଲେ । ମା’ର ସ୍ନେହ ବି ଊଣା ହୋଇଗଲା । ତା’ର ଅତ୍ୟାବଶ୍ୟକ ଦରକାରକୁ ସମସ୍ତେ ହେୟଜ୍ଞାନ କଲେ । ଘରେ ଛୋଟଠାରୁ ବଡ଼ ଯାଏ ସମସ୍ତେ ସନ୍ଦେହ କଲେ । ବାହାରେ ଅପସରି ଗଲେ ବାନ୍ଧୁବାନ୍ଧବ । ତା’ର ନ୍ୟୂନତମ ଦାବିକୁ ତୁଚ୍ଛ କରି ସଭିଏଁ ଚୋର ବୋଲି କହିଲେ । ଯାହା ସେ ନିଏ ତା’ ଉପରେ ତା’ର ହକ୍‍ ଦାବି ନାହିଁ–କାରଣ ସେ ବେ’-ରୋଜଗାରିଆ ।

 

ସେ କଅଣ କରିବ, ନିର୍ଦ୍ଦିଷ୍ଟ କରି କେହି କହନ୍ତିନି । କିନ୍ତୁ ବେରୋଜଗାରିଆର ଦେହ ଅଛି, ପେଟ ଅଛି, ମନୁଷ୍ୟତ୍ଵ ଅଛି ନା–ସେମାନେ ତା’ର ମନୁଷ୍ୟତ୍ଵକୁ ବି ଅସ୍ୱୀକାର କଲେ !

 

ସେ ଦିନର ଘଟଣା–

 

ସକାଳେ ମା’ ଆବିଷ୍କାର କଲା–ତା’ ବାକ୍ସଟା ଲୁହା କଣ୍ଟା ଦେଇ ଭଙ୍ଗା, ସୁନାର ହାରଟି ସେଥିରୁ ଅନ୍ତର୍ଦ୍ଧାନ ହୋଇଚି । ପାଟି ହୁରି ଶୁଣି ସମସ୍ତେ ଧାଇଁଲେ । ବାବୁଆ ବି କୌତୂହଳ ବଶତଃ ଧାଇଁଲା ଘର ଭିତରକୁ । ଶୁଣିଲା–ମା’ର ତୁଣ୍ଡ ।

 

ମୁଁ ଜାଣେ, ସେ ବାବୁଆଟା ଗୋଟାଏ ଡକାୟତ ହେବ ।

 

ତୁ ସିମିତି ଗେହ୍ଲାପୁଅ କରି ଖୁଆ । ଘରେ ଗୁଣ୍ଡା ଚଳେଇଲା–ସିନେମା ଖର୍ଚ୍ଚ, ଫେସନ ଖର୍ଚ୍ଚ ତ ଦରକାର ? ତୋ ବାକ୍ସ ଭାଙ୍ଗିବନି ? ଘରେ ପୋଷି ରଖ । ହଜାର ଥର କହିଚି, ତାକୁ ଭାତ ଦେ’ନା–ମନା କରିଦେ, ଶୁଣିବୁନି–ଏବେ ତୁହି ଭୋଗିବୁ । ଭାଇ ମନ୍ତବ୍ୟ କରୁଚି । ବାବୁଆ ପଶି ଆସିବାରୁ ଭାଇ ତୁନି ମାଇଲା ।

 

ଘରେ ବାପା ଶୋଇଚନ୍ତି । ହୁଏତ ରାତିର ନିଶା ଏବେ ବି କଟିନି ।

 

କିନ୍ତୁ ଭୋର ବେଳେ ବାବୁଆ ଦେଖିଥିଲା–ମା’ ଯାଇଥିଲା ଗାଧୋଇ । ସମସ୍ତେ ଶୋଇଥିଲେ; ବାପା ସିନ୍ଧୁକ ଖୋଲୁଥିଲେ ।

 

ତଥାପି ବାପାଙ୍କ ନାଁରେ ସିଧା କହିହଉନି । କଅଣ କହିବ–ବାବୁଆ ଠିକ୍‍ କରିପାରୁନଥାଏ । ଅଥଚ ତାକୁଇ କେନ୍ଦ୍ରକରି ସମସ୍ତଙ୍କର ସନ୍ଦେହ ଘନୀଭୂତ ହେଉଛି । ଶେଷକୁ ଭାଇ ତେଜି ଆସିଲେ । ନିରୁପାୟ ହୋଇ ବାବୁଆ କ’ଣ କହିବାକୁ ଯାଉଥିଲା, ବାପା ନିଦେଇ ଥିବା ଛଳନା କରି କଡ଼ ଲେଉଟିଲେ । ବାବୁଆର ପାଟି ଖନି ମାରିଗଲା । ସେ ତୁଣ୍ଡ ଫିଟାଇ ପାରିଲା ନାହିଁ ।

 

ଭାଇ ଠୋ ଠୋ କଷିଦେଲେ ଦି’ ଚାପୁଡ଼ା ।

 

ସେଦିନ ରାତିରେ ଯେତେବେଳେ ବାବୁଆ ମାତାଲ ବାପକୁ ରାସ୍ତାକଡ଼ୁ ବହୁ କଷ୍ଟରେ ଉଠାଇ ଆଣିଲା–ସେତେବେଳେ ସମସ୍ତଙ୍କର ସନ୍ଦେହ ମୋଚନ ହେଲା କି ନା କି ଜାଣି, କିନ୍ତୁ ମା’ଙ୍କ ସନ୍ଦେହ ଦୂର ହେଲା ସେଦିନ; ଯେଉଁଦିନ ସେ’ ସେହି ହାରଟିକୁ ଦେଖିଲେ ଶୁଣ୍ଢିଝିଅ କୁନ୍ତଳାର ଗଳାରେ । ଇମିତି ଘଟଣା ଦୈନନ୍ଦିନ ଘଟିଲେ ମଣିଷ ସହିବ ବା କିମିତି ।

 

ସେଦିନ ବାବୁଆ ଯେତେବେଳେ ଗାଧୋଇ ତରତରରେ ଘରକୁ ପଶି ଲୁଗା ପାଲଟିବାକୁ ଯାଇଚି, ବାପାଙ୍କର ପଞ୍ଜାବିଟା ମା’ ଚଟ୍‍କିନା ରଖିଦେଲେ, ସେଥିକୁ ବାବୁଆର ନଜର ନଥିଲା । କିନ୍ତୁ ମା’ କହିଲେ, ଦେଖ ବାବୁଆ କହିବୁତ ତୋ ପିଠିର ହାଡ଼ ଚୂନା କରିଦେବି । ଗହଣା ପତ୍ର ସବୁ ତ ଗଲା । ସୁନାର ବୋତାମ କେଇଟା ମୁଁ ରଖିଦଉଚି । କଥାଟାରେ ଗୁରୁତ୍ଵ ନଦେଇ ବାହାରି ଯାଇଥିଲା ସେ । କିନ୍ତୁ ସଞ୍ଜବେଳକୁ ସେ ବୁଝିଲା କଥାଟାର ଅର୍ଥ ।

 

ମଦ ନିଶାରେ ବିଭୋର ବାପା ଜୋତାରେ କଷିଦେଲେ କେଇ ପାହାର–

 

ବଦ୍‍ମାସ୍‍ ଆଜି ଘରୁ ନିକଲ । କାମ ନାହିଁ, ଧନ୍ଦା ନାହିଁ ଘରେ ବସି ଗୁଣ୍ଡା ଚଳେଇବୁ–ଶେଷକୁ ବାପା ଜାମାର ବୋତାମ ଚୋରି । ବାହାର, ବାହାର ମୋ ଘରୁ ।

 

ଘରର ସମସ୍ତେ ଭୟରେ ଥର ଥର, ମା’ଙ୍କ ନା ଧଇଲେ ରକ୍ଷା ନାହିଁ । ଜୋତା ମାଡ଼ରେ ମା’ର ଅସ୍ତିତ୍ୱ ଲୋପ ହେବ ।

 

ଅବଶେଷରେ ନିରୁଦ୍ଦେଶ ହେଇ ନିଜକୁ ଅଭାବମୟ ପରିବାରର ସନ୍ଦେହ ଜାଲରୁ ମୁକ୍ତ କରିବାକୁ ଶ୍ରେୟ ମଣିଲା ବାବୁଆ । କିନ୍ତୁ ବହିର୍ଜଗତ ତ କୁସୁମ ଶେଯ ନୁହେଁ । ଏଠି ଭାଗ୍ୟ ଉପରେ ଦୋଷ ଲଦି ମଣିଷ ଆତ୍ମପ୍ରବଞ୍ଚିତ ହୁଏ । ‘ଠକେଇ ପାରିଲେ ମଣିଷ ବେଶ୍‍ ଚଳିପାରିବ’–

 

ଉସ୍ତାଦ୍‍ କାଲୁଆ, ଏଇକଥା ତାକୁ କହିଥିଲା । କଥାଟା ନିରାଟ ସତ.... ।

 

କ୍ଳାନ୍ତ, ଅବସନ୍ନ ଶରୀର ଉପରେ ଶାନ୍ତିର ପ୍ରଲେପଦେଇ କେତେବେଳ ଯାଏ ନିଦ୍ରା ତାକୁ ଆଶ୍ରୟ ଦେଇଥିଲା; ସେ ଜାଣେନି ।

 

ସକାଳ ଟ୍ରେନ୍‍ର ଗର୍ଜନରେ ନିଦଭାଙ୍ଗିଲା । ବିସ୍ମୟରେ ଆଖି ଖୋଲି ସେ ଦେଖିଲା ଜଣେ ବୁଢ଼ାଲୋକ ସ:ଇନ୍ସପେକ୍ଟର ସହ ଯୁକ୍ତି କରୁଚି ।

 

ସେ ମୋର ଆତ୍ମୀୟ, ସେ ଚୋରି କରି ନାହିଁ, ଆପଣ ତାକୁ ଅଯଥା ଅଟକ ରଖିଚନ୍ତି ।

 

ସେ ସ୍ୱୀକାର କରିଚି–ସେ ଚୋରି କରିଚି ବୋଲି ।

 

ଆପଣମାନଙ୍କ ଭୟରେ ମାନିଚି ହୁଏତ, ତା’ ପାଖରେ ତ ଚୋରି ଜିନିଷ ନାହିଁ । ତା’ଛଡ଼ା ରାତି ଯାକ ଆପଣ ଉପାସରେ ରଖେଇଛନ୍ତି–ଅନ୍ୟାୟ ଅଟକ କରି....

 

ବିରକ୍ତ ହୋଇ ପୋଲିସ୍‍ ଅଫିସର ଛାଡ଼ି ଦେଲେ ବାବୁଆକୁ ।

 

ବାବୁଆ ଗଭୀର ବିସ୍ମୟରେ ଅଭୀଭୂତ ହୋଇପଡ଼ିଲା । ଶାନ୍ତ ମୁହଁରେ ଧଳା ଦାଢ଼ି । ଗଭୀର, ନେଳିଆ ଆଖି, ସୌମ୍ୟ କାନ୍ତି । ସମ୍ପୂର୍ଣ୍ଣ ଅପରିଚିତ, ତଥାପି ସେହି ମୁହୂର୍ତ୍ତରେ ସେ କିଛି ନ କହି ବୁଢ଼ାକୁ ଅନୁସରଣ କଲା ଯନ୍ତ୍ରଚାଳିତ ପରି । ନିଜକୁ ସେ ରୋଧ କରିପାରିଲାନି–

 

ଅନ୍ଧକାର ଯେପରି ଆଲୁଅକୁ ଅସ୍ଵୀକାର କରିପାରେନି । ମୁକ୍ତିର ନୂତନ ଆସ୍ଵାଦନା ପାଇଲା ସତେ ? ପ୍ଳାଟ୍‍ଫର୍ମ୍‍କୁ ଓହ୍ଲେଇ ପଡ଼ି–ହଠାତ୍ ତା’ ମନରେ ସନ୍ଦେହ ଜାତ ହେଲା । ଏହି ଅପରିଚିତ ବୃଦ୍ଧ କୌଣସି ଦୁରଭିସନ୍ଧି ନେଇ ତାକୁ ମୁକୁଳେଇ ନେଇ ଯାଉନି ତ ?

 

ଟିକିଏ ଗରମ ପାଣିରେ ବୁଢ଼ା ନିଜେ ତା’ର କ୍ଷତ ସ୍ଥାନ ପୋଛି ଦେଲା । ବୁଢ଼ାର ଚର୍ଚ୍ଚାରେ ଗୋଟିଏ ମଧୁର ସ୍ନେହର-ସ୍ପର୍ଶ ଅନୁଭବ କଲା । ତଥାପି ଭାବିଲା–ଏହା ଛଳନା । କଅଣ କରିବ କିଛି ଭାବିପାରୁନଥାଏ । ବୁଢ଼ାର ନିର୍ଦ୍ଦେଶ କ୍ରମେ ଟ୍ରେନରେ ଉଠିଲା ।

 

ବୁଢ଼ା ଦୁଇଟି ଜାଗାରେ କିଛି ଜଳଖିଆ ସଜେଇଲା । ଗୋଟିଏ ଜାଗା ଆଗେଇଦେଲା ବାବୁଆ ଆଡ଼େ । ଟ୍ରେନ୍‍ ଛାଡ଼ିଲା ।

 

ରାତ୍ରିଯାକ ଅଭୁକ୍ତ ସେ । ସାମନାରେ ଖାଦ୍ୟ ଦ୍ରବ୍ୟ । ସଂକୋଚ ତା’ର ନାହିଁ । ତଥାପି ନୀରବରେ ବସିଲା ସେ ।

 

ମନର ସନ୍ଦେହ ଘନୀଭୂତ ହେବାକୁ ଲାଗିଲା । ଜଣା ନାହିଁ; ପରିଚୟ ନାହିଁ, ନିଃ-ସ୍ଵାର୍ଥରେ କ’ଣ ଏ ବୁଢ଼ା ଏସବୁ କରୁଚି ? ଏଇ ସରଳ ଆଖି, ସୌମ୍ୟ କାନ୍ତିର ଅନ୍ତରାଳରେ କ’ଣ ଗଭୀର ଷଡ଼ଯନ୍ତ୍ର ଲୁକ୍‍କାୟିତ ନାହିଁ ?

 

କାଲୁଆ ପାଖରୁ ଶୁଣିଚି–କିମିତି ବଡ଼ ବଡ଼ ଦସ୍ୟୁ ଦଳର ସର୍ଦ୍ଦାରମାନେ ତାରି ଭଳି ଛୋଟ ଛୋଟ ପକେଟ୍‍ମାରମାନଙ୍କୁ ଦଳଭୁକ୍ତ କରନ୍ତି । ସାମାନ୍ୟ ଆହାର, ଅଳ୍ପ ଅର୍ଥର ପ୍ରଲୋଭନ ଦେଖାନ୍ତି–ସେମାନଙ୍କର ଉଦ୍ଦେଶ୍ୟ ସାଧନ ପାଇଁ ।

 

ସେ ଚୋରି କରେ ସତ । କି ଗଭୀର ଦୁର୍ଦ୍ଦଶାରେ ପଡ଼ି ଜୀବନରେ ପ୍ରଥମ ସକ୍ରୀୟ ଅପହରଣ କରିଥିଲା–ଏକା ସେ’ଇ ଭଗବାନ ଜାଣନ୍ତି । କିନ୍ତୁ–ଏ କାର୍ଯ୍ୟକୁ ଜୀବନର ଜୀବିକା କରିନେବ ତା’ତ ସେ କଳ୍ପନା କରିନି । –ନା, ସେ ପଳେଇବ । ପରେ ହୁଏତ ୟା ପାଖରୁ ମୁକ୍ତି ମିଳିବନି । ଆତଙ୍କରେ ବିଚଳିତ ହୋଇପଡ଼ିଲା । ଚଳନ୍ତା ଟ୍ରେନ୍‍ରୁ ଡେଇଁ ପଡ଼ିବାକୁ ନିଶ୍ଚୟ କଲା ।

 

କ’ଣ, ଭୋକ ନାହିଁ ? ଖାଅ; ବାପ ଖାଇ ଦିଅ; ସ୍ନେହର ସମ୍ବୋଧନ–ତଥାପି ନୀରବ । କଅଣ ମୋତେ ବିଶ୍ଵାସ ହେଉନି ? ମୁଁ ତୁମର ସମ୍ପୂର୍ଣ୍ଣ ଅପରିଚିତ, ତଥାପି ପୋଲିସ୍‍ ପାଖରେ ଆତ୍ମୀୟବୋଲି ପରିଚୟ ଦେଇଚି–ତୁମର କଅଣ ସନ୍ଦେହ ହେଉଛି ? ହାଃ–ହାଃ–ହାଃ

 

ଏମିତି ପ୍ରାଣଖୋଲା ହସର ଅନ୍ତରାଳରେ ଅଭିସନ୍ଧି କ’ଣ ଆତ୍ମଗୋପନ କରିପାରେ ?

 

ଆଖି ତୋଳି ଚାହିଁଲା ବାବୁଆ ।

 

ନିଜ ମନର ପ୍ରତିଧ୍ୱନୀ ବୁଢ଼ାର ଚିନ୍ତାରେ ? ବିସ୍ମିତ ହେଲା । ଲଜ୍ଜା ବି ହେଲା । ପୁଣି ମୁଣ୍ଡ ନଇଁଲା ।

 

ବୁଝିଲ ବାବା ତୁମେ ପିଲା ଲୋକ । ମଣିଷର ପରିଚୟ ମଣିଷ । ମୁଁ କାଲିକାର ସବୁ ଘଟଣା ଦେଖିଚି । ତୁମେ ଚୋର ନୁହେଁ ।

 

ବିସ୍ମୟର ଅବକାଶ ରହିଲାନି ବାବୁଆର–ଆଖି ଯୋଡ଼ିକ ତାଳୁକୁ ଉଠିଲା ।

 

ମୁଁ....

 

“ତୁମେ କ’ଣ ଚୋରି କରିଥିଲ ?’’

 

ହଁ....

 

ହାଃ–ହାଃ, ଯେ ଚୋର, ସେ କଅଣ ଚୋରିକୁ ଏମିତି ସ୍ଵୀକାର କରିପାରେ ? ତା’ଛଡ଼ା ତୁମେ ଯାହା ଚୋରି କଲ ତାକୁ ତ ଅନ୍ୟ ଜଣେ ନେଇ ପଳେଇଲା ।

 

ହଁ, ମୁଁ ସେଇ ଟ୍ରେନ୍‍ର ପାଇଖାନାରେ ଲୁଚେଇ ଦେଇଥିଲି–

 

ହଁ ତୁମେ ଚୋରି କରିଛ । କିନ୍ତୁ ଚୋରି କଳାରେ ସିଦ୍ଧହସ୍ତ ନୁହେଁ ।

 

ତେବେ ଚୋରି ତ ଅପରାଧ ?

 

ଅପରାଧ ସତ, କିନ୍ତୁ ତୁମଭଳି ଚୋରର ଶାସ୍ତିବିଧାନ ତ ସେମାନେ କରିବେନି । ସେମାନେ ସେଇ ସାମାନ୍ୟ ଅପରାଧ ପାଇଁ.....

 

ସାମାନ୍ୟ ଅପରାଧ ?

 

ହଁ ସାମାନ୍ୟ ଅପରାଧ । ସେମାନେ ବୁଝନ୍ତିନି କି ଦୁର୍ଦ୍ଦଶାରେ ପଡ଼ି ତୁମେ ଚୋରି କରିଚ-। –ଆଉ ବୁଝନ୍ତିନି ବୋଲି, କେସ୍‍ଟିକୁ ସଜେଇ ତମକୁ ହୁଏତ ଜେଲ୍‍ ଦିଅନ୍ତେ । ଏମିତିରେ ତ ତୁମେ ସାରା ଦୁନିଆକୁ ସନ୍ଦେହ କରୁଚ... ଦୁନିଆ ତୁମକୁ ଯିମିତି ଅବିଶ୍ୱାସର ଆଖିରେ ଦେଖୁଚି । ଦେହର ନିର୍ମମ ନିର୍ଯାତନାରେ ତୁମ ମନରେ ଏ ପୃଥିବୀ ପ୍ରତି ଘୋର ବିଦ୍ରୋହ ଜାଗନ୍ତା ।

 

ଜେଲରେ ତୁମେ ପାଆନ୍ତ ତୁମର ସମ ଦୁଃଖୀ ସହ ଗୋତ୍ରୀ । ଜେଲ୍‍ରୁ ଆସି ଜୀବିକା ନିର୍ବାହର ଅନ୍ୟ କୌଣସି ଉପାୟ ନ ପାଇ ତୁମେ ଡକାୟତ ଦଳର ଆଶ୍ରୟ ନିଅନ୍ତ ହୁଏତ ।

 

ସେଠି ତ ସଂଶୋଧନ ହୁଏନା, ହୁଏ ମନର ସଂକୋଚନ; ପରିବର୍ତ୍ତନ ହୁଏନା, ହୁଏ ଅସତ୍‍ ଗୁଣର ପରିବର୍ଦ୍ଧନ ।

 

ସେ ଉପଲବ୍ଧ କଲା ବୁଢ଼ାର କଥାର ସତ୍ୟତା । ସେ ଜାଣେ ଦୁନିଆ କିମିତି ତାକୁ ଘୃଣା କରେ–ସନ୍ଦେହ କରେ ।

 

ବୁଢ଼ା କହୁଥିଲା–

 

ତୁମେ ହୁଏତ ଅଭିମାନରେ ଘରୁ ବାହାରି ଆସିଚ । ଭୋକର ଦାଉ ସମ୍ଭାଳି ନପାରି ହୁଏତ ଚୋରିକୁ ନିଜ ଜୀବନରେ ପ୍ରଶ୍ରୟ ଦେଇଚ.....

 

ବୁଢ଼ାର କଥାର ସତ୍ୟତା ସେ ମର୍ମେ ମର୍ମେ ଅନୁଭବ କଲା । ସଂଭ୍ରମ ଜାଗିଲା ବୁଢ଼ା ପ୍ରତି ।

 

ମନେପଡ଼ିଲା ତା’ର, କି ଦୁରବସ୍ଥାରେ ପଡ଼ି ସେ ପ୍ରଥମ ଚୋରି ବରଣ କରିଥିଲା । ଦିନ ପରେ ଦିନ ଉପବାସରେ କଟିଚି । ମାଗିବାକୁ ସଂକୋଚରେ ଭାଙ୍ଗିପଡ଼ିଛି । ପେଟରେ ଦୁର୍ଦ୍ଦମନୀୟ ଜ୍ୱାଳା ବାଧ୍ୟ କରିଚି, ପରପାଖେ ହାତ ପତେଇବାକୁ କିନ୍ତୁ ଫେରେଇ ଦେଇଚନ୍ତି । ଯା, ଯା, ଭେଣ୍ଡିଆ ଟୋକା, ମାଗି ଖାଉଚି । ଲାଗି ଖାଇବୁ ଯା ।

 

ସେଦିନ ସେ ବୁଝିପାରିନି କି କାମରେ ସେ ଲାଗିବ । କାମ କଲାଭଳି କୌଣସି କାମ କେହି ଦେଇନି । ଶେଷକୁ ମନେମନେ ନିଜକୁ ଅକର୍ମା, ଏ ଦୁନିଆରେ ବଞ୍ଚିବାକୁ ଅଯୋଗ୍ୟ ବୋଲି ବିଚାରି ଆତ୍ମ-ବିସର୍ଜନ ଦେବାକୁ ଚେଷ୍ଟା କରିଚି.... ରେଳ ଲାଇନରେ...... ।

 

ଶେଷକୁ କାଲୁଆ ବତେଇ ଦେଇଥିଲା... ଜୀବିକାର ସେହି ସହଜ କୌଶଳ । ‘ଅପହରଣ’ । ବୁଢ଼ାର ଗଭୀର, ଅନ୍ତ-ଦୃଷ୍ଟିରେ ମୁଗ୍ଧ ହେଲା ସେ ।

 

ମୁହଁ ପୋତି ଧୀରେ ଧୀରେ ଆହାରକଲା ।

 

ତୁମେ ନିଜକୁ ହେୟ, ତୁଚ୍ଛ ବିଚାରୁଛ କାହିଁକି ? ନିଜକୁ ହେୟ ବିଚାରିବା ଅନ୍ୟାୟ । ଚୋରି କରିବାଠାରୁ ଗୁରୁତର ଅପରାଧ ।

 

ତୁମେ ମଣିଷ, ମନୁଷ୍ୟତ୍ଵ ଅଛି, ବୁଦ୍ଧି ଅଛି, ଜ୍ଞାନ ଅଛି । ତୁମେ ଯୁବକ–ବାହୁରେ ଶକ୍ତି ରହିଛି । ତା’ର ଉପଯୁକ୍ତ ବିନିଯୋଗ କରି କ’ଣ ପେଟ ପୋଷିପାରିବନି ?

 

ବାବୁଆ ଟିକିଏ ଉତ୍ତେଜିତ ବୋଧ କଲା । ସେ ନିଜକୁ ହେୟ, ତୁଚ୍ଛ ବିଚାରି ଆସିଛି, ତା’ର ବ୍ୟକ୍ତିତ୍ଵ, ବ୍ୟକ୍ତିଗତ ଶକ୍ତିର ଅସ୍ତିତ୍ଵକୁ କେହି ଇମିତି ଚେତେଇ ଦେଇନି ।

 

ସେ ଅନୁଭବ କଲା–ସତରେତ ତା’ ଦେହର ଅସୀମ ଶକ୍ତି କ’ଣ ପ୍ରୟୋଗ କରିପାରିବନି ?

 

କିନ୍ତୁ କିମତି ?

 

ଗାଡ଼ି ରହିଲା ।

 

ବହୁ ଗ୍ରାମ, ବିଲର ସର୍ପିଳ ପଥ ଅତିକ୍ରମ କରି ସେମାନେ ଯେତେବେଳେ ସେଇ ଛୋଟ ଗାଁଟିରେ ପହଞ୍ଚିଲେ–ସେତେବେଳକୁ ସନ୍ଧ୍ୟା ଅବତରଣ କରିନାହିଁ । ଆଦିଗନ୍ତ ସବୁଜ ଶସ୍ୟର କେଦାର ଆଉ ଉଦ୍ୟାନ ଘେରା ସେହି ଛୋଟ ଘରଟି ମୁଗ୍ଧ କଲା ବାବୁଆର ମନକୁ । ଚୂନ କାନ୍ଥର ସୁଉଚ୍ଚ ପାଚେରୀ ଏଠି ସୁନୀଳ ଆକାଶକୁ ରୁଦ୍ଧ କରିନି–ବନ୍ଦୀ କରିନି, ମୁକ୍ତ ସମୀରଣର ସହଜ ଗତିକୁ ।

 

ଅପରୂପ, ମନୋରମ ମନେହେଲା । ଗୋଟିଏ କିଆରିରେ ଛୋଟ ଛୋଟ ବାଇଗଣ ଗଛ । ଫଳିଛି ଅଜସ୍ର ବାଇଗଣ, ଆଷାଢ଼ୀ ଆକାଶର ମେଘଭଳି ସୁନ୍ଦର । ଦଳେ ପିଲା ପାଣି ବାହୁଚନ୍ତି ।

 

ଆଉ ଠାଏ ଦଳେ ପିଲା ମାଟି ତାଡ଼ୁଛନ୍ତି–କିଆରି କରିବେ ନୂତନ ଫସଲ ପାଇଁ । ଛୋଟ ଛୋଟ ପିଲା...ତା’ଠୁଁ ଅନେକ ଛୋଟ । ଅଥଚ ଅସୀମ ତାଙ୍କର ଉତ୍ସାହ ।

 

ତା’ପାଖେ କିଆରି ପରେ କିଆରି । ଫଳିଚି କୋବି । ସବୁଜ ପତ୍ରଗୁଡ଼ିକ ଦୋହଲୁଚି.... ଶରତ୍ ସକାଳର ପଦ୍ମ ପତ୍ର ଭଳି ।

 

ଲଙ୍କା, ଭେଣ୍ଡି, ନାନା ଜାତିର ପନିପରିବା ଗଛ ମନ୍ଦ ସମୀରଣରେ ସବୁଜ ସଙ୍ଗୀତ ଗାନ କରୁଛି ।

 

ଅଜସ୍ର ଫୁଲର ମନୋମୁଗ୍ଧକର ଉଦ୍ୟାନ ଭିତର ଦେଇ ଘରକୁ ପଶିଲେ ଦିହେଁ

 

ଗୋଟିଏ ଘରେ କାନ୍ଥରେ ଗୋଟିଏ ଛବିକୁ ନିର୍ଦ୍ଦେଶ କରି ବୁଢ଼ା ପଚାରିଲେ......

 

ଏହାକୁ ଚିହ୍ନିପାରୁଛ ?

 

ହଁ, ଏ ଗୋପବନ୍ଧୁ ।

 

ଏ ?

 

ଏ ବାପୁଜୀ ।

 

ଏଇଟି କାହାର ଛବି ?

 

ରବୀନ୍ଦ୍ର ନାଥ ।

 

ଛବି ତଳେ ଲେଖାଯାଇଚି....ମନେମନେ ପଢ଼ିଲା ବାବୁଆ–

 

‘ସବୁରି ଉପରେ ମଣିଷ ସତ୍ୟ ।’

 

ବୁଝିଲ ବାବୁଆ, ଏମାନେ ହେଲେ ଆମ ଜୀବନର ଆଦର୍ଶ । ଏଇ ଛୋଟ ଛୋଟ ଶିଶୁ ହୁଏତ ଏମାନଙ୍କ ଭଳି ହେଇନପାରନ୍ତି, ଏଇ ବିଜନ ଗାଁର ଅନ୍ଧାର କୋଣରେ ଏମିତି ଉଜ୍ଜ୍ୱଳ ରତ୍ନ ପ୍ରକାଶ ନ ପାଇପରେ–

 

କିନ୍ତୁ ତାଙ୍କର କଥା କେଇଟି କାମରେ କରିବାକୁ ଶିଖେଇବାକୁ କଅଣ ବଡ଼ କଥା ନୁହେଁ-?

 

ସୁସ୍ଥ ଜୀବନ ପାଇଁ ଅନୁକୂଳ ପରିବେଶ ଦେବା କଅଣ ଉଚିତ ନୁହେଁ ।

 

ଏଇଠି ପଢ଼ା–

 

‘‘ଏବେ କାଠ ପଥର ନପୂଜି

ଆସ, ପୂଜ ଜୀବନ୍ତ ଦେବତା

ଯା ‘ଆଖିରୁ ବୋହିଯାଏ ଲୁହ

କହିଦେଲେ ପଦେ ମଧୁ କଥା ।

ବନ୍ଦକର କର୍ପୂର ଆରତୀ,

ଦେଉଳ ବାହାରେ ଦେବତା

ହାତ ପାତି ଉଭା ରହିଛନ୍ତି ।”

 

ସେ ପଦଟିର ଭାବ ଆଉ ନିଜ ଅନୁଭୂତିର ସମନ୍ୱୟରେ ଲୋତକାଦ୍ର ହେଲା, ତା’ର ଆଖି ଯୋଡ଼ିକ ।

 

ରାତିରେ ସମସ୍ତେ ଆହାରରେ ବସିଲେ । ଉଦ୍ୟାନ ଜାତ ପ୍ରଚୁର ପନିପରିବାର ସମାହାର । ଆହାରରେ ପରିତୁଷ୍ଟ ହେଲା ବାବୁଆ । ଦୀର୍ଘଦିନର ଅନ୍ନଛଡ଼ା ଜୀବନପରେ ଆହାରର ପରିତୃପ୍ତି ।

 

ପୁଣି ମନେପଡ଼ିଲା–ସାମାନ୍ୟ କଞ୍ଚାଲଙ୍କା, ଗୋଟିଏ ପିଆଜ ପାଇଁ ଭାଇ ଭଉଣୀ ଭିତରେ କିମିତି କଳି ଲାଗୁଥିଲା ।

 

ଆହାରର ଆନନ୍ଦ ତ ସେଇ ଛୋଟ ପିଲାମାନଙ୍କର ଶ୍ରମର ଫଳ ! ଶ୍ରମ ନକରି–ସେଇ ଫସଲ ଆହାରକରି ସେ ଯେମିତି ଋଣୀ ହୋଇଯାଇଛି । ନିଜର ଶ୍ରମ ଦେଇ କ୍ଷତିପୂରଣ କରି ଋଣମୁକ୍ତ ହେବାକୁ ମନସ୍ଥ କଲା ।

 

କେମିତି ଲାଗୁଛି–ଏ ସ୍ଥାନ ? ଆହାରନ୍ତେ ପ୍ରଶ୍ନ କଲେ ବୁଢ଼ାମାଷ୍ଟର !

 

ସୁନ୍ଦର ! ଉତ୍ତର ଦେଲା ବାବୁଆ ।

 

ଚଳିପାରିବ ଏଠି ?

 

ବାବୁଆ ଚାହିଁଲା ବିସ୍ମିତ ବଦନରେ ।

 

ହଁ, ମୁଁ ଏକା ଲୋକ । ସାହାଯ୍ୟ କରିବ । ...ତା’ଛଡ଼ା ତୁମେ ଶିକ୍ଷିତ ଯୁବକ । ଛୋଟ ପିଲାମାନଙ୍କୁ ଉତ୍ତମ ଶିକ୍ଷା ଦେଇପାରିବ । ତାଙ୍କ ସଙ୍ଗେ ହସି ଖେଳି ମିଶେଇ ଦେବ ତୁମର ଝାଳ ସେଇ ମାଟିରେ....

 

ବାବୁଆ ନୀରବରେ ଉପଲବ୍ଧି କରିବାର ଚେଷ୍ଟା କଲା । ତା’ର ଶକ୍ତିର ବିନିଯୋଗ ଯେ ଏମିତି ହୋଇପାରେ–ଭାବି ଉଲ୍ଲସିତ ହେଲା ।

 

ସମ୍ମତି ଜଣେଇଲା ସେ । ଶୁଭରାତ୍ରି ଜଣାଇ ବିଦାୟ ନେଲେ ବୃଦ୍ଧ ।

 

ଦୁଷ୍ଟାମିରେ ବାବୁଆକୁ ଚାହିଁ ଜହ୍ନଟା ହସିଲା ସତେ । ଦୂର ଆକାଶରେ ଛୋଟ ଜହ୍ନଟେ–ତା’ ବିଛଣାରେ ଆଙ୍କିଦେଇଛି ଏକ ଅପରୂପ ଚିତ୍ର । ଦୀର୍ଘଦିନ ପରେ ଏମିତି ଆରାମଦାୟକ ପରିବେଶରେ ଶୋଇବାକୁ ମନ ଚାହୁଁନି ।

 

କାନରେ ଏବେବି ବାଜୁଛି–ବୃଦ୍ଧର ସେଇ କଥା ପଦକ–ଚୋରି କରିବା ବଡ଼ ଅପରାଧ–ତା’ଠାରୁ ବଡ଼ ଅପରାଧ ଚୋରି କରିବାର ପରିବେଶରେ ନିଷ୍କଳୁଷ ଶିଶୁକୁ ରଖିବା । ନିରପରାଧ ହେବାକୁ ସୁଯୋଗ ଓ ପରିବେଶ ଦେଲେ ସିନା !

 

ଆଗେ ମନେହେଉଥିଲା–ପୃଥିବୀଟା କେଡ଼େ କଦର୍ଯ୍ୟ ସ୍ଥାନ । ଇକ୍ଷିଣି ମନେହେଲା ...ଏଇ ପୃଥିବୀରେ ଇମିତି ସୁନ୍ଦର ସ୍ଥାନ ମଧ୍ୟ ଅଛି–ଯେଉଁଠି ମା’ଭଳି ସ୍ନେହ ମିଳେ ।

 

ଆଜି ମନେପଡ଼ିଲା–ହଁ, ଅନେକ ଦିନ ପରେ ମନେପଡ଼ିଲା–ସ୍ନେହମୟୀ ଜନନୀର ମୁଖ-

 

କୃଷ୍ଣାଭ ଅତୀତ ଉପରେ ଯେମିତି ଗୋଟିଏ ଯବନିକା ଟାଣି ହୋଇଗଲା । ଅପରିସୀମ ଆନନ୍ଦ ମିଶ୍ରିତ ଅଦ୍ଭୁତ ବେଦନାରେ ସେ ଆତ୍ମହରା ହୋଇ ପଡ଼ିରହିଲା ଶେଯରେ ।

 

ଶିଶୁକଣ୍ଠର ସମୂହ ପ୍ରଭାତୀ ସଂଗୀତରେ ଜାଗରିତ ହେଲା ବାବୁଆ । ନୂତନ ପ୍ରଭାତର ଅରୁଣ କିରଣ ଏକ ସୁନ୍ଦର, ସତେଜ, ସବଳ ଦିବସକୁ ସ୍ୱାଗତ ଜଣାଉଛି-ସତେ ।

 

ଯାଯାବରର ନବଜନ୍ମ

 

ଛୋଟ ରେଲଗାଡ଼ିଟିର ସିଟି ଶୁଭିଲା । ଭକ୍‍ଭକ୍ ଧୂଆଁ ଛାଡ଼ି ଗାଡ଼ି ଧାଇଁଗଲା–ଧୀରେ ଧୀରେ ହଜିଗଲା ବାଙ୍କର ସେଇ ଦୂର ଶାଳବଣ ଭିତରେ । ବୁଧ ମାଝି ଲଙ୍ଗଳରେ ହାତମୁଠା ଚାପିଧରି ଚାହିଁରହିଲା ଗାଡ଼ିର ଯାତ୍ରୀମାନଙ୍କୁ । ତା’ପରେ ହଳ ଫିଟେଇଦେଇ କାଦୁଅ ବିଲରୁ ଉଠିଆସି ବସିଲା ଗରମ ରେଳ ଉପରେ । ମୁଣ୍ଡର କନାଟିକୁ କାଦୁଅ ହାତରେ ଫିଟେଇ ଝାଳ ମୁହଁଟା ପୋଛି ଚାହିଁଲା କ୍ଷେତକୁ । ତତଲା ନିଶ୍ୱାସଟାଏ ବାହାରି ଆସିଲା ତମ୍ପ ସାପର ଫଁ ରକମ । ଏଇ କ୍ଷେତ, ଅସମାନ ପଥୁରିଆ ମାଟି ସେ ଭାଙ୍ଗି ସମତଳ କରିଚି–ଆଜି କାଦୁଅ ମାଟି ଚକଟି ହଳ କରୁଚି–ଏ ମାଟିର ମାଲିକ ସେ ନୁହେଁ । ତା’ର ପାଉଣା ଗଣ୍ଡାକ ଯାହା ମଜୁରୀ । ସେ ମଜୁରୀ ପାଇବ ପର ବିଲରେ ଖଟିବ । ଜମି ତା’ର ନୁହେଁ କି ଫସଲ ବି ନୁହେଁ–ମନେହେଲା ରେଳଗାଡ଼ିଟା ଯିମିତି ତା’ ଛାତି ଉପରଦେଇ ଚାଲିଗଲା ଆଉ ତା’ର ଛାତିଟା ଯିମିତି ରେଳ ଇସ୍ପାତ ରକମ ତାତିଛି–ବୁଧ ଚାହିଁଲା ଯେଉଁଠି ରେଲଲାଇନ ଦି’ଟା ମିଶି ବଣ ଭିତରେ ହଜିଯାଇଚି ।

 

ଲାଇନ ଦି’କଡ଼େ ଶାଳ ଆଉ ମହୁଲବଣ । ପଛପଟେ ନାଲି ‘ସୂରୁଯ’–ବୁଡ଼ି ଯାଉଚି । କୁକୁଡ଼ାର ଚୂଳ ରକମ ତା’ର କିରଣ ଲାଲ । ଶାଳ ବଣରେ ସତେଯିମିତି ନିଆଁ ଲାଗିଚି ।

 

ହାଲିଆ ହୋଇ ଉଠିଲା ବୁଧ । ବାବୁ ଦୋକାନରୁ ମଜୁରୀ ନବ ।

 

ବୁଧ ଯେତେବେଳେ ପଲା ପାଖରେ ପହଞ୍ଚିଲା ସେତେବେଳକୁ ଜହ୍ନ ଉଠି ଯାଇଥିଲା ବଣ ଉପରକୁ । ମେଘ ଭରି ଉଠିଥିଲା ଆସ୍‍ମାନ ଯାକ । ଜହ୍ନର ମଇଳା ଆଲୁଅରେ ଟଳି ଟଳି ଚାଲିଥିଲା ବୁଧ । ଦୂରରୁ ଶୁଭୁଥିଲା–ଧିତାଂ, ଧିତା°, ଧୀନ୍, ଧିତା°, ଧିତା°, ଧୀନ୍–ମାଦଳର ଶବ୍ଦ । ଅଯଥା ସେ ଚେଷ୍ଟା କଲା ପାଦରେ ତାଳ ଦବାକୁ । ତାଟିଟାକୁ ମେଲା କରିଚି କି ନାହିଁ–ପଲାରୁ ବାହାରି ଆସିଲା ଝିଲି । ଚାହିଁଦେଲା । ‘ନିଶା ତ କରିଚୁ ବହୁତ୍–ଚାଉଳ ଆଣିଚୁ ?’ –ପଚାରିଲା ଝିଲି । ଗମ୍ଭୀର ସ୍ଵରରେ କହିଲା ବୁଧ–ଏୟ, ଅଲବତ୍‍ ନିଶା କରିବି–ଦେଖ୍ ଆଉ ଯଦି ସେ କଥା କହିବୁ–ତେବେ.... । ଭାବି ଠିକ୍ କରିପାରିଲାନି ।

 

ତେବେ ଆଉ କରିବୁ କିସଟା ? ଦେଖ୍ ଚାଉଳ ନାହିଁ–ଖାଇବା କିସ ? –ଝିଲି ହାତ ହଲେଇଲା ତା’ ମୁହଁ ସାମନାରେ । ନାହିଁ ? ଅଲବତ୍‍ ଅଛି–‘ଦାକା’ ଆଉ ‘ଉତୁ’ ଦେ । ଏୟ, ବୁଧ କାହାରିକି ଭିକ ମାଗେନି–ସେ ମେହନ୍ତ କରେ, ପଇସା କମାଏ–ନିଶା ଅଲବତ୍‍ କରେ । ଆଗେଇ ଆସିଲା ବୀରତ୍ଵରେ ।

 

ଝିଲି ରାଗି କହିଲା–ନାହିଁ ଯା । ନିଶା କଲେ କ’ଣ ପେଟ ପୂରିବ ? ବୁଧ ବି କଷି ଦେଲା ଝିଲିକୁ ତା’ର କୁରାଢ଼ିଆ ହାତରେ । ତା’ପରେ ହାଣ୍ଡିଆ ଖିଆ କୁସୁମ ରଙ୍ଗର ନାଲି ଆଖିରେ ବୋକାଭଳି ଚାହିଁରହିଲା ଝିଲିକୁ । ଆଶ୍ଚର୍ଯ୍ୟ; ଏତେ ମାଡ଼ ଖାଇବି ତିର୍ଲାଟା ଚୁପ୍‍ଚାପ୍‍ ? ବୁଧ ଦୁଲକିନା ବସିପଡ଼ିଲା–ବସୁଁ ବସୁଁ ନିଶାରେ ଶୋଇଗଲା ।

 

ନିଦ ଭାଙ୍ଗିଲା ଝିଲିର ଡାକରେ–ସେତେବେଳକୁ ପାଣି ପଡ଼ୁଚି ଝମ୍‍ଝମ୍‍ । ପଲାର ତାଳ ବରଡ଼ା ଉଡ଼ିଯାଉଚି ସବୁଠି ଝରୁଚି ପାଣି । କରଞ୍ଜ ତେଲର ଦୀପଟାକୁ ବାଉଁଶିଆ ଘୋଡ଼େଇ ରଖିଛି-। ଝିଲି ତା’ ପଲାର ଝାଟି ଦିଆ ଅଧା କାନ୍ଥିର କଞ୍ଚା ମାଟି ମେଞ୍ଚାମେଞ୍ଚା ଖସି ପଡ଼ୁଚି । ପାଣିରୁ ରକ୍ଷା କରିବାପାଇଁ ଜିନିଷଗୁଡ଼ାକ ଏଠୁ ସେଠିକି–ସେଠୁ ଏଠିକି ବହୁଚି–ସବୁଠି ପାଣି । ସେ ବୁଧକୁ ଆଲୁଅ ଦେଖେଇବାକୁ କହୁଚି–କଉଠି ଟିକେ କମ୍‍ ପାଣି ପଡ଼ୁଚି–ଜିନିଷଗୁଡ଼ା ରଖିବ । ତରତର ହେଇ ଉଠି ବୁଧ ଝିଲିକୁ ସାହାଯ୍ୟ କଲା । ନିଶା ଛାଡ଼ି ଯାଇଚି । –ସବୁଠି ତ ପାଣି–ହବ କ’ଣ । ବୃଥା ଚେଷ୍ଟା । ଥକି ପଡ଼ି ଝିଲି ବସିପଡ଼ିଲା ହତାଶାରେ ।

 

ଦୀପ ଆଲୁଅରେ ଦିଶିଲା–ଝିଲିର ଆଖିରେ ଲୁହ ।

 

ଦୀପଟାକୁ ରଖି ବୁଧ ପଚାରିଲା.... କାନ୍ଦୁଚୁ ?

 

ଅଭିମାନରେ କହିଲା ଝିଲି–ବେଶ୍ କଲି । ‘କାନ୍ଦୁଛୁ କେନେ’–ସୋହାଗରେ ପଚାରିଲା ବୁଧ ।

 

ତୁ ମାଇଲୁ ଯେ !

 

କାହିଁ ? ନା–ତ !

 

ନା ? –ଏ କ’ଣ ? ଗାଲ ପାଖରେ ଦୀପ ଦେଖେଇଲା । –ଗାଲରେ ଚାରି ଆଙ୍ଗୁଳିର ଦାଗ । କହିଲା–ନିଶାକରି ମାରିବୁ ଜାଣିବୁ କିମିତି ? ବୁଧ ଯଥାଶକ୍ତି ଘଟଣାର ଖିଅ ଖୋଜି ଖୋଜି ଥକିଲା–ଅଡ଼ୁଆ ସୂତା ରକମ ଟିକେ ଟିକେ ମନେପଡ଼ିଲା । ଅନୁଶୋଚନାରେ ଭରିଗଲା ତା’ ମନ । କହିଲା–ରାଗିଲୁ ଝିଲି ?

 

ନା, ରାଗିବି କାହିଁକି ? ମଲେ ରାଗିବି । ଉତ୍ତର ଦେଲା ଝିଲି ।

 

ଛି–ଏକଥା କହନା, ତୋ ରାଣ, ଆଉ କେବେ ମାରିବିନି ।

 

ତା’ର ହାତ ଧରିଲା ସୋହାଗରେ । ଇମିତି ହଲପ ବୁଧ ପ୍ରାୟ କରେ ।

 

ଆଚ୍ଛା, ଆଜିକାର ମଜୁରୀତକ ନିଶାରେ ସାରିଲୁ–କାଲିକି ଯେ ‘ଦାକା ନାହିଁ–ଖାଇବା କ’ଣ ?’ –ପ୍ରଶ୍ନ କଲା ଝିଲି ।

 

କଥାଟା ସତ । ତାଙ୍କ ଜୀବନରେ ଆଜିର ଦାବି ଏତେ ବେଶୀ ଯେ କାଲିକା କଥା ଭାବି ପାରେନି ସେ ।

 

ଝିଲି ପୁଣି ପଚାରିଲା–କ’ଣ କହୁନୁ ? କଥାଟାର ଜବାବ ଦେ !

 

ୟାର ଉତ୍ତର ସେ ଦେଇ ପାରିବନି ଜାଣେ । କଥା ବୁଲାଇ କହିଲା–ଝିଲି, ସତରେ ତୁ ମରିଯିବୁ ?

 

ଝିଲି ତାକୁ ଆଘାତ ଦବା ପାଇଁ କହିଲା–ହଁ ମରିଯିବି–ନଇଲେ ଚାଲିଯିବି ଗୁପି ପାଖକୁ-

 

ବୁଧ ଜାଣେ ଏଟା ଝିଲିର ଧମକ୍‍ । ପବନରେ ଦୀପଟା ଲିଭି ଯାଇଥିଲା । ବାହାର, ଘର–ସବୁ ଅନ୍ଧାର । ଖାଲି ହେମାଳ ପବନ ଆଉ ଘୋ ଘୋ ବର୍ଷା । ବେଙ୍ଗର କଟ୍ କଟ୍ ଶବ୍ଦ–ଆଉ କାନ୍ଥରୁ ଖସୁଚି ମାଟି ।

 

ସେଇ ଅନ୍ଧାର ଭିତରେ ବୁଧର ମନ ଚାଲିଗଲା ଅନେକ ଦୂରକୁ–ହଜିଲା ଦିନ ଆଡ଼କୁ । ଗୁପି ! ଗୁପି ହୋଇଥାନ୍ତା ଝିଲିର ବର । ହିଁ ସେ ଝିଲିର ବାପକୁ ବୋଦାଟେ, ସାତ ଟଙ୍କା ଆଉ ଦି’ଯୋଡ଼ା ଖଦି ଦେଇ କଥା କରିଥିଲା–ଝିଲିକୁ ବାହା କରିବ ।

 

ଚିକ୍‍ ଚିକ୍‍ କରି ବିଜୁଳି ଚମକି ଗଲା । ଘରଟା ଆଲୁଅ ହୋଇଗଲା । ଘଡ଼ଘଡ଼ି ହବ–ସେଇ ଡରରେ ଝିଲି ଘୁଞ୍ଚି ଆସିଲା ବୁଧପାଖକୁ । ବୁଧ କହିଲା–ଯାଉନୁ ଗୁପି ପାଖକୁ–ମୋ ପାଖକୁ ଆସିଛୁ କିଆଁ ? ସେତେବେଳକୁ ଘଡ଼ଘଡ଼ି ଭୀଷଣ ଭାବରେ କାନ ଅତଡ଼ା କରି ଦେଇ ସାରିଲାଣି–ଆଉ ଡରରେ ଝିଲି କୁଣ୍ଢେଇ ଧରିଛି ବୁଧକୁ–ବାବାରେ, ଆସ୍‍ମାନ ବାଦଲରେ ଦେବତା ଆଉ ସଇତାନ୍‍ର ଲଢ଼େଇ । ବୁଧର ମନେପଡ଼ିଲା ଆଉ ଦିନକର କଥା–ସେଦିନ ଏମିତି କୁଣ୍ଢେଇ ଧରିଥିଲା ଝିଲି । ଯେଉଁଦିନ ରାତି ସେମାନେ ପଳେଇ ଆସୁଥିଲେ ।

 

ହଁ, ଗୁପି ସାଥିରେ ତାହାର ବାହାଘର ହୋଇଥାନ୍ତା ଝିଲିର ଇଚ୍ଛା ବିରୁଦ୍ଧରେ । କାରଣ ବୁଧ ବିଚରା ଠିକ୍ ସମୟରେ ବୋଦା ଆଉ ଟଙ୍କା ଦେଇପାରିନଥିଲା । ମକର ସଂକ୍ରାନ୍ତି । ବଡ଼ ହାଟ-। ମେଳା ମେଳା ତିର୍ଲା ଆଉ ମରଦ । ଧାଙ୍ଗଡ଼ା ଧାଙ୍ଗଡ଼ୀ । ସୁଯୋଗ ଦେଖି ଝିଲି ବୁଧକୁ ଖବର ଦେଲା ସେଇ ହାଟରେ । ବୁଧ ଆଉ ଡେରି ନ କରି ଫତାଏ ସିନ୍ଦୂର କିଣି–ଗୁପ୍ତରେ ଝିଲି ମୁଣ୍ଡରେ ଲେପିଦେଇ ଟାଣି ନେଇଗଲା ବଣ ଭିତରକୁ । ଚୋରି କରି ନେଇ ପଳାଇଗଲା–ବଣ, ବୁଦା, ପାହାଡ଼ କିଛି ନ ମାନି । ଗୁପିର ଲୋକ ଆଉ ଝିଲିର ଗାଁ ଲୋକ ଖବର ପାଇ ଖୋଜିଥିଲେ–କିନ୍ତୁ ଯେଉଁ ବଣରେ ସେମାନେ ପଶିଲେ ସେଥିରେ ବାଘ ପଶିବାର ଖବର ପାଇ ଭାବିଲେ ତା’ ଭିତରେ ସେମାନେ ପଶି ନ ଥିବେ । କିନ୍ତୁ ବୁଧ ପଶିଥିଲା ସେଇ ବଣରେ ଝିଲିକୁ ଧରି । ଏଣେ ଧରା ପଡ଼ିବାର ଡର–ତେଣେ ବାଘ । ବୁଧ ଆଉ ଝିଲିର ଛାତି ଉଠିଲା ପଡ଼ିଲା–ତଥାପି ଆଜି ମନେହେଲା–ତା’ ଜୀବନରେ ଗୋଟାଏ ବୀରତ୍ୱର କାହାଣୀ–ପୂରି ରହିଥିଲା ଆନନ୍ଦ-। ସତରେ ସେମାନେ ଭେଟିଲେ ବାଘ । ବୁଧ ତା’ର ବଳୁଆ ହାତରେ ଝିଲିକୁ ଗୋଟାଏ ଗଛ ଉପରକୁ ଟେକି ନେଇ ନିଜେ ଚଢ଼ିଗଲା । ଝିଲି ତାକୁ ଇମିତି ଯାକି ଧରିଥିଲା ସେଦିନ । ତା’ପରେ କେତେ ଗାଁ, ବଣ, ନଈ ପାହାଡ଼ ପାରି ହେଇ ଶେଷକୁ ପଲା ବାନ୍ଧିଛନ୍ତି ଜଣେ ଲୋକର ଏଇ ମେଲା ଜାଗାରେ-

 

ସକାଳୁ ମୂଲ ଲାଗି ଯାଆନ୍ତି ଦିହେଁ । ଏଇ ବର୍ଷାଦିନେ ବୁଧ ଯାଏ ବିଲକୁ–ହଳ କାମ ପାଇଁ । ଝିଲି ଆଉ ତିର୍ଲାଙ୍କ ସାଙ୍ଗରେ ଭିନେ କାମକୁ । କାମ କେବେ ମିଳେ–କେବେ ମିଳେନି । ନ ମିଳିଲେ–ଝିଲି ବଣକୁ ଯାଏ କାଠ ଆଣି–ନ ହେଲେ ନିମ, କଚଡ଼ା କି ମହୁଲ ପାଇଁ ।

 

ବିଲବଛା ବେଳକୁ ଦିହେଁ ଗଲେ । ଝୁପ୍‍ଝାପ୍ ପାଣି ପଡ଼ୁଥାଏ ନଇଁଲା ପିଠିରେ । ଧାଡ଼ି ଧାଡ଼ି ତିର୍ଲା ମର୍ଦ ଆଣ୍ଠେଇ ପଡ଼ିଥାଆନ୍ତି ଆଣ୍ଠୁଏ କାଦୁଅରେ । ଅସନା ମାଟିଉପରେ କାଳିଆ କାଳିଆ ଦି’ ଗୋଡ଼ିଆ ଜୀବ ।

 

ଯଉଁ ଜମି ନିଜହାତରେ ହଳ କରି ନିଜେ ବୁଣିଥିଲା ବିହନ, ବୁଧର ମନେହୁଏ–ସେ ଜମିର ସାବ୍‍ଜା ବୁଆଳି ଯିମିତି ତା’ର ପୁଅ ଝିଅ । ନିତି ସକାଳେ ଯିମିତି ସାବ୍‍ଜା ଧାନ ଗଛର ଅଗଗୁଡ଼ାକ ମୁଣ୍ଡ ହଲେଇ ନିମନ୍ତ୍ରଣ କରେ ତାକୁ । ସେମାନଙ୍କ ର କଅଁଳ ପରଶ ତା’ ଦିହର ଆଣେ ଶିହରଣ । ଗଛ ମଝିରୁ ବାହାରି ଆସେ ଥୋଡ଼ା । ସେଥିରେ ଧାନ ପେନ୍ଥା ପେନ୍ଥା । କଞ୍ଚା ଧାନ ଚିପିଦେଲେ କ୍ଷୀର ବାହାରେ । ବୁଧ ଭାବେ ତାଙ୍କରି ଝାଳ ଆଉ ରକ୍ତ ଧାନ ପେଟର କ୍ଷୀର ।

 

ବଛାବଛି କାମ ପରେ କିଛିଦିନ କାମ ମିଳେନି । ପୁଣି ବିଲକୁ ଡକରା ପଡ଼େ ଧାନ ପାଚିଗଲା । ଡକରା ପଡ଼େ ବୁଧ ଆଉ ଝିଲିକୁ । ଡକରା ପଡ଼େ କାହ୍ନୁ ଲକ୍ଷ୍ମୀଧର, ଦେଓଗା, ଫୁଲ, ଲାଖ, ଗିରିଆ, ଚମ୍ପା ଆହୁରି ତିର୍ଲା ଆଉ ମର୍ଦଙ୍କୁ । ହାତରେ ଦାଆ– । ଏଇ ଜମିରେ ହଳ ବୁଲେଇଥିଲା ବୁଧ, ବଇଶାଖର ତତ୍‌ଲା ଖରାରେ ଶୁଖିଲା ମାଟିଉପରେ ଟପ୍‌ଟପ୍‍ କିନା ଝରି ପଡ଼ିଥିଲା ଝାଳ । ଆଷାଢ଼ ଓ ଧାରାଶ୍ରାବଣରେ ଆଣ୍ଠୁଏ କାଦୁଅରେ ବାଛିଥିଲେ ସାବ୍‌ଜା ବିଲ । ସେଇ ଜମିରେ ସୁନା ରଙ୍ଗ ଧରିଚି । କେଣ୍ଡା କେଣ୍ଡା ପେନ୍ଥି ଧାନ ନଇଁ ପଡ଼ିଚି–ସତେଯିମିତି ଲାଜୁଆ ବୋହୂ । ସୁନାର ଢେଉ ଖେଳୁଚି । ବୁଧର ମନେହେଲା–ସେଇ ଧାନ ବୁକୁରେ ଭରିରହିଚି ତା’ର କଲିଜାର ରକ୍ତଟୋପା ।

 

ଧାଡ଼ି ଧାଡ଼ି ମାଝି, ସାନ୍ତାଳ, ଭୂମିଜ, ମାହାନ୍ତ–ନାନା ଜାତିର ମୂଲିଆ ନଇଁ ପଡ଼ିଚନ୍ତି ସୁନା ବିଲରେ । ଅମଳ ହବ ଏ ସାଲର ଫସଲ ।

 

ବୁଧ ଆଉ ଝିଲି ବି କାଟୁଚନ୍ତି ଧାନ । ଜମିରମାଲିକ ବସିଚି ହିଡ଼ ଉପରେ । ହାତରେ ଛତା, ରେଳ ଲାଇନ କଡ଼ଦେଇ ଯେଉଁ ନାଲି ସଡ଼କ ଯାଇଚି ତା’ରି ଉପରେ ଠିଆ ହେଇଚି ଟ୍ରକ୍‌ଟା-। ମଜୁରୀ ଗଣ୍ଡାକ ପାଇବାର ଆନନ୍ଦ କି ନୂଆ ଫସଲ ଆନନ୍ଦରେ ମନମତାଣିଆ ଗୀତ ଗାଉଛି ଧାନକଟାଳି । ଝିଲି ବି ଯୋଗଦେଇଚି । ବୁଧର ବିରକ୍ତ ଲାଗିଲା ଝିଲିକୁ କହିଲା–ବନ୍ଦକର ତୋ ଗୀତ । ଝିଲି ଆଶ୍ଚର୍ଯ୍ୟରେ ଚାହିଁଲା ବୁଧକୁ–ଏକି ଅଲିକ୍ଷଣା କଥା ? ବୁଧର କାଳିଆ ବାଳଗୁଡ଼ା ଚଉଡ଼ା କପାଳ ଉପରକୁ ପଡ଼ିଚି–କପାଳରେ ଝାଳ, ମୁହଁରେ ବିରକ୍ତି । ଝିଲି ଆଶ୍ଚର୍ଯ୍ୟରେ ପଚାରିଲା କାହିଁକି ? ବୁଧ କହିଲା–କାହିଁକି କିଜାଣି, ମୋତେ ଭଲଲାଗୁନି–ତୁମମାନଙ୍କର ଏଇଖୁସି, ଆନନ୍ଦ-

 

କି, ଖୁସି ହବାନି ? କେତେ ସୁନ୍ଦର ଧାନ ଫଳିଚି–ବର୍ଷକର ଫସଲ । ଧରତୀ ଦେବୀ କ୍ଷେତକୁ ଆସିଚି । ଝିଲି କହେ । ସେଥିରେ ତୋର ଲାଭ ? ପ୍ରଶ୍ନ କରେ ବୁଧ । ସେ ଧାନ ତା’ ସେଇ ମାଲିକ ବସିଚି ନବ–ଟ୍ରାକରେ ପୁରେଇ ମିଲ୍‍କୁ–ତା’ ଖଳାକୁ । ତୁ ତ ଗଣ୍ଡେ ମଜୁରୀ ନେଇ ଯିବୁ ଚାଉଳ ଦୁକାନକୁ–ପଚା, ପୋକରା ଚାଉଳ କିଣିବୁ ।

 

ଝିଲି ବୁଝିପାରିଲାନି ତା’ କଥା । ଏ ମା’ ! ଏମିତି ନକ୍ଷୀଛଡ଼ା କଥା କହନ୍ତି ? ମା’ ନକ୍ଷୀ–ଏ ଦୁନିଆର ମା’ । ଧରଣୀକୁ ଦୟାକରି ଆସିଛନ୍ତି । ମନ ଖୁସିରେ ଆମେ ଗୀତ ଗାଇବାନି ? ଆମେ ଗରିବ । ମା’ ନକ୍ଷୀକୁ ବାନ୍ଧି ରଖି ପାରିବାନି–ସେଇ ‘ଦିକୁ’ ଲୋକମାନେ ନକ୍ଷୀ ଠାକୁରାଣୀକୁ ସୁନା ପେଡ଼ିରେ ବାନ୍ଧି ରଖିଛନ୍ତି ଯେ ।

 

ବୁଧ ଇମିତି କଥା ଅନେକ ଶୁଣିଚି । ଆଜି ଶୁଣି ଅତି ଦୁଃଖରେ ବି ହସିଲା । ତା’ର ହସ ଶୁଣି ହିଡ଼ ଉପରୁ ହୁରି ଛାଡ଼ିଲା ମାଲିକ । କିରେ–କାମ କରୁଚୁ ନା ଖାଲି ତିର୍ଲା ସାଥିରେ ହସୁଚୁ ? ବୁଧ ଟିକିଏ ବିରକ୍ତିରେ ଚାହିଁଲା–ରାଗରେ ଗର୍‍ଗର୍‍ ହେଲା । ମନ ହେଲା–ଦାଆରେ ଦିଅନ୍ତା ଚୋଟେ ।

 

କହିଲା–ଏଇ ବାବୁ, ଦିଆସିଲିଟା ଦେ, ପିକା ଟାଣିବି ।

 

ଦିନ ଗଡ଼ି ପଡ଼େ । ଗାଁ ଗାଁରେ ଲାଗିଯାଏ ଆନନ୍ଦର କଳରବ । ହାଣ୍ଡିଆ ଆଉ ମାଦଳର ତାଳେ ତାଳେ ନାଚିଉଠେ ସମସ୍ତିଙ୍କର ପାଦ ।

 

ବୁଧ ବିଚାରେ ସେ ସମସ୍ତିଙ୍କଠୁଁ ଭିନେ । ଏ ଆନନ୍ଦରେ ତା’ର ନିଜର ବୋଲି ଘର ନାହିଁ ଜମି ନାହିଁ । ଜୀବନର ଅନିଶ୍ଚୟତା ତାକୁ ଅଧୀର କରିଦିଏ । ବାବୁ ତାକୁ ଜଣେଇ ଦେଇଚି–ତାକୁ ଘର ଛାଡ଼ି ଉଠିଯିବାକୁ ହବ । ଯଉଁ ଧାନ ଜମିରୁ ଉଠେଇଚି ତାକୁ ଆଣିବ–ସେଇଠି ଖଳା କରିବ । ଯଉଁଠି ଅଛି ବୁଧର ପଲା–ସେଠି ଆଉ ଗୋଟାଏ ଅମାର ହବ । ଗଲା ସନରୁ ବହୁତ ଧାନ ମହଜୁଦ ଅଛି ।

 

ଝିଲି ବାଳସଜାଡ଼ି ମନ୍ଦାରଫୁଲଟେ ଜୁଡ଼ାରେ ଖୋସି ବାହାରିଲା ନାଚକୁ ଯିବ । ବୁଧ ମାଲିକର ଆଦେଶଟା ଶୁଣେଇ ଦେଲା । ଗୁମ୍‍ମାରି ଦିହେଁ ବସିଗଲେ କିଛି ସମୟ । ନୀରବ ନିଃସହାୟ, ନିରୁପାୟ ବୋଧକଲେ । ଜହ୍ନଟା ମଇଳା ଦିଶୁଥିଲା ‘ଜାହିରା’ରୁ ଭାସିଆସୁଥିଲା ମାଦଲର ଶବ୍ଦ–ବିରକ୍ତକର ବୋଧ ହଉଥିଲା । ଶେଷକୁ ପ୍ରସ୍ତାବଟା ଦେଲା ଝିଲି–ମିଲରେ କାମ କରିବା ଆଉ ସେଇଠି ବସ୍ତିରେ ଖଣ୍ଡେ ପଲା ଯୋଗାଡ଼ କରିନବା । ନାଚକୁ ଆସନ୍ତି ସେଇ ମିଲ୍‍ରୁ ତିର୍ଲା ମର୍ଦ୍ଦ । ସେମାନେ ପରା କହୁଥିଲେ–ଏଟା ଧାନ ମଉସୁମ । ମିଲରେ ବହୁତ କୁଲି ଦରକାର । ଗିରିଆ ସାଙ୍ଗରେ କଥା ହେଲେ କାମ ମିଳିଯିବ–ଆଉ ରହିବାର ଜାଗା ବି । ଝିଲି ଟାଣିନେଇଗଲା ବୁଧକୁ ।

 

ପୁରୁଣା ହାତଗଢ଼ା ପଲାଟିର ମାୟାମମତା ଛିଣ୍ଡେଇ ଚାଲିଗଲେ ଝିଲି ଆଉ ବୁଧ ନିଜର ଦାବିକୁ ତୁଚ୍ଛ କରି ।

 

ମିଲରେ ଶକ୍ତ, ମେହନତି କାମ । ତେବେ ବୁଧ କି ଝିଲି କୌଣସି ମେହନତି କାମକୁ ଡରନ୍ତିନି । ହକ୍‍ ମଜୁରୀ ଗଣ୍ଡାକ ମିଳିଲେ ହେଲା । ବସ୍ତିରେ ସମସ୍ତେ ଖାତିର କରନ୍ତି ବୁଧକୁ । ଟୋକା ହେଲେ କ’ଣ ହେବ, ସମସ୍ତଙ୍କରି ହେଇ ଜବାବ ଦିଏ ସେ । ସମସ୍ତଙ୍କ ମାନ ଇଜ୍ଜତ୍‍କୁ ଜଗିଥାଏ ସେ ।

 

ସେଦିନ ମିଲ୍‍ ମେନେଜର ସମସ୍ତଙ୍କୁ ଡାକି କହିଲେ–ଏଇ, ମନ୍ତ୍ରୀ ଆସୁଚନ୍ତି । ତୁମକୁ ଯଦି ପଚାରନ୍ତି କେତେ ମଜୁରୀ ପାଉଚ–କହିବ–ଟଙ୍କାଏ ପାଉଚ ।

 

ସମସ୍ତେ ଚୁପ୍‍ଚାପ୍‍ ଶୁଣିଲେ–ନୀରବ ରହିଲେ ।

 

ବୁଧ ପଚାରିଲା–କେନେ ବାବୁ ?

 

ମେନେଜର ଟିକିଏ ହସି କହିଲେ–ଆରେ କଇବୁ । କହିବାକୁ କ’ଣ ତୋ ତୁଣ୍ଡ ବଥା କରୁଚି ?

 

ବୁଧ ପୁଣି ପଚାରିଲା–କି ? ଆମକୁ ତ ବାର’ଣା ମିଳୁଚି–ଟିପ ଛଇଁ ବାର’ଣା ଦଉଚୁ–ଆମେ ସତକଥା କହିବା–ଆମକୁ ତ ମଜୁରୀ ଟଙ୍କେ ମିଳୁନି ।

 

ସମସ୍ତେ ମିଳିତ ଭାବରେ ବୁଧର କଥାକୁ ସମର୍ଥନ କଲେ ।

 

ଆରେ ତୁମର ଡାକ୍ତର, ଓଷଦ ଆଉ କଳ ପାଣି ଖର୍ଚ୍ଚକୁ ଚାରିଅଣା କଟିଯାଏ–ମଜୁରୀ ହେଲା ଟଙ୍କେ–କହି ହସିଲେ ମେନେଜର । ସମସ୍ତେ ମିଲ୍‍ରୁ ଆସିଲେ ବସ୍ତିକୁ–କଥାଟା ବୁଝିବା ପାଇଁ ଘେରିଗଲେ । ବୁଧ କହିଲା–ମନ୍ତ୍ରୀ ଆମ ପାଇଁ ମଜୁରୀ ଦଉଚି ଟଙ୍କେ । ଏଇ ମିଲ୍‍ ମାଲିକ ଚାର’ଣା କାଟିଦଉଚି–ଏ ଅନ୍ୟାୟ–ମନ୍ତ୍ରୀ ଆସିଲେ ସମସ୍ତେ କହିବା ଆମେ ବାର’ଣା ପାଉଚେ ।

 

ଆରଦିନ ଖୋଦ୍‍ ମିଲ୍‍ ମାଲିକର ନୂଆ ମଟର ପଶିଲା ମିଲ୍‍ ଗେଟରେ । ଗଦି ଭିତରକୁ ଡକରା ହେଲା ବୁଧକୁ । ବୁଧ ଖୁବ୍‍ ଜୁହାରଟାଏ ହେଲା ଖୋଦ୍‍ ମାଲିକକୁ । ହସି ହସି ପଚାରିଲେ ମାଲିକ–କିରେ ବୁଧ । ତୋ’ ବସା ତିଆରି କଲୁଣି ? ତୁ ନୂଆ ଆସିଚୁନା ? ଯା–ମେନେଜରକୁ କହିଦେଇଚି–ବସା ତିଆରି ପାଇଁ ସରଞ୍ଜାମ ଦବ । ଆଉ ତୁ ମେନେଜରର ଅବାଧ୍ୟ ହବୁନି–ସେ ଯା କହିବେ–ମାନିବୁ ।

ଘର ସରଞ୍ଜାମ ପାଇ ବୁଧ ଆଉ ଝିଲି ନୂଆ ଘରଟେ ବାନ୍ଧିଲେଣି । ମନ୍ତ୍ରୀ ଆସିବେ ଦିନ କେଇଟା ପରେ । ମିଲ୍‍ ସଜାସଜି ଲାଗିଚି ।

ଦିନେ ସଞ୍ଜବେଳେ କାଳିଆ, ବୁଢ଼ା, ଲସ, ଗୁରିୟା ସଭିଏଁ ଆସି ପହଞ୍ଚିଲେ । ଫୁଲ, ଦେଓଗେ, ଚମ୍ପା ହାସନା ବି ଆସିଲେ । ବୁଧ ଡକେଇ ଥିଲା । ବୁଧ କହିଲା–ଆମର ହକ୍‍ ମଜୁରୀ ଟଙ୍କେ–ଭାଇମାନେ, କାଲିଠୁ ଯଦି ଆମକୁ ଟଙ୍କେ ମଜୁରୀ ନମିଳେ ଆମେ କାମ କରିବାନି । ସମସ୍ତେ ଚାହିଁଲେ ବୁଧ ମୁହଁକୁ । ଲସ କହିଲା–କଥାଟା ଠିକ୍ । ଆଚ୍ଛା ମନ୍ତ୍ରୀ ଆସୁଚି–ତାକୁ ଆମର ଦୁଃଖଟା ଜଣେଇବା । କଥାଟା ସମସ୍ତିଙ୍କ ମନକୁ ପାଇଲା–ମନ୍ତ୍ରୀ ପାଖେ ଆପତ୍ତି କରିବେ !

ମନ୍ତ୍ରୀ ଆସିଲେ । ବଙ୍ଗଳା ମଇଦାନରେ ହଜାର ହଜାର ଲୋକ । ମଟର-ଗାଡ଼ି । ବଡ଼ ବଡ଼ ହାକିମ, ବାବୁ, ମନ୍ତ୍ରୀ ସାଙ୍ଗରେ ହସି ହସି ଗପ କରୁଚନ୍ତି–ଅନେକ ଲୋକ ଆପତ୍ତି ଅଭିଯୋଗ କରୁଚନ୍ତି । ମନ୍ତ୍ରୀ ଶେଷକୁ ଡାକିଲେ ମିଲ୍‍ କୁଲିଙ୍କୁ । ପଚାରିଲେ–ତୁମର କିଛି ଆପତ୍ତି କରିବାର ଅଛି-? ସମସ୍ତେ ଏକା ସାଙ୍ଗରେ କହି ଉଠିଲେ–‘ହଁ ହଁ’ । ପାଖରେ ବିରାଟ ବପୁ–ସ୍ୱୟଂ ମିଲ୍‍ ମାଲିକ ବସିଥିଲେ । ସେ ପାଟିକରି କହିଲେ–ଚୁପ୍‍ ଚୁପ୍‍ ପାଟି କରୁଚ କାହିଁକି ? ଯେ କହିବ ଜଣ ଜଣ କରି କୁହ ।

ସମସ୍ତେ ସମସ୍ତଙ୍କ ମୁହଁକୁ ଚାହିଁଲେ । ଶହ ଶହ କୁଲି ମଜୁରିଆ । ଅଧା ନଙ୍ଗଳା ମରଦ–ତିରିଲା । କରୁଣ ଚାହାଣି । ନିର୍ବାକ୍‍ ମୂର୍ତ୍ତି । ସମସ୍ତେ ଚାହିଁଲେ ବୁଧ ଆଡ଼କୁ । ବୁଧ ଆଗେଇ ଗଲା ଦମ୍ଭରେ–ଜଣେଇଲା ତାଙ୍କର ଅଭିଯୋଗ । ମନ୍ତ୍ରୀ ଚାହିଁଲେ ମିଲ୍‍ ମାଲିକଙ୍କ ଆଡ଼କୁ । କହିଲେ–ସେ କ’ଣ କହୁଚି ଯେ ତାଙ୍କର ହକ୍‍ ମଜୁରୀ ପାଉନାହାନ୍ତି ?

ମାଲିକଙ୍କ ହସ ଓଠ ତଳେ ଉଭେଇଗଲା–ମୁହଁଟା ଲାଲ ପଡ଼ିଗଲା–ପାଟିକରି କହିଲେ–ଆଜ୍ଞା ମିଛ କଥା–white lie. ମାଲିକଙ୍କ ରୂପ ଆଉ ଚିତ୍କାରରେ କୁଲିଏ ଥରି ଉଠିଲେ–ଆଉ ଚମକି ଉଠିଲେ ଜମିଥିବା ଲୋକେ ।

ମାଲିକ ଗମ୍ଭୀର ସ୍ଵରରେ ଡାକିଲେ–ଏଇ ବୁଧ ଏଠିକି ଆ । ମୋଟା ଖାତାଟେ ମେଲି ଧରିଲେ ସ୍ଵୟଂ ମାଲିକ–ପଚାରିଲେ–ମଜୁରୀ ଏଇ ଖାତାରେ ଲେଖାଯାଏ ନା ? –ତୋ ନାଁ କଉଠି ଲେଖାଥାଏ ?

ବୁଧ ଜାଣେ ତା’ ନାଁଟା ଆଗ ଥାଏ । କାହିଁକି ନା ତାକୁ ଆଗ ଟିପ ଦବାକୁ ହୁଏ । ସେ ପ୍ରଥମ ଧାଡ଼ିଟା ଦେଖେଇ ଦେଲା ।

ପୁଣି ପଚାରିଲେ ମାଲିକ–ଏଇଟା ତୋ ଟିପ ନା ?

ବୁଧ କହିଲା–ହଁ

ଖାତାଟା ବନ୍ଦକରି ଟିକିଏ ହସି ମାଲିକ ମନ୍ତ୍ରୀଙ୍କୁ ଚାହିଁଲେ । କହିଲେ ଆଜ୍ଞା ପର ଶିଖାଣିରେ ଏକଥା କହୁଛନ୍ତି । ଚାଲନ୍ତୁ ଦେଖିବେ–ମିଲ୍‍ର ବସ୍ତି–ପାଣିର କିପରି ସୁବନ୍ଦୋବସ୍ତ ହେଇଚି । ମିଲ୍‍ରୁ ସରକାରର ଉପକାର ହଉଚି–ସେତକ କରେଇ ନଦବା ପାଇଁ କେତେକ ସରକାର ବିରୁଦ୍ଧ ଦଳର ଚକ୍ରାନ୍ତ ଇଏ ।

 

ତା’ପରେ ମନ୍ତ୍ରୀ ଚାଲିଗଲେ । ମଜୁରୀ ଯେଉଁ ବାରଣା’କୁ ସେଇୟା, ବୋଧହୁଏ ମାଲିକ ମନ୍ତ୍ରୀକୁ ବୁଝାଇଦେଲେ ଯେ ଟଙ୍କାଏ ମଜୁରୀ ଦିଆଯାଏ ।

 

ସମସ୍ତେ ପୁଣି ମେଳି କଲେ । କ’ଣ କରିବେ ? ଦିନପରେ ଦିନ କଟିଯାଏ–କିନ୍ତୁ ଠିକ୍‍ କରିପାରନ୍ତିନି । ଅନ୍ତର ଭିତରେ ସମସ୍ତଙ୍କର ଦାବିର ଝଡ଼–କିନ୍ତୁ କର୍ମପନ୍ଥା ଠିକ୍‍ କରି ହୁଏନି । ଠିକ୍‍ କରନ୍ତି–ଟଙ୍କେ ନଦେଲେ କାମକୁ ଯିବେନି–କିନ୍ତୁ ଖାଇବେ କ’ଣ ? ଯଦି ବାହାର କରି ଦେଇ ନୂଆ ଲୋକ ନିଅନ୍ତି । ଏମିତି ସବୁ ଅଡ଼ୁଆ ପ୍ରଶ୍ନ–କିଛି ଠିକ୍‍ ହେଇ ପାରେନି ।

 

ହଠାତ୍‍ ଦିନେ ମେନେଜର ବୁଧକୁ ଆଦେଶ ଦେଲେ ବସ୍ତି ଛାଡ଼ି ଚାଲିଯିବା ପାଇଁ । ସେ ପରା କାମରେ ଖିଲାପ କରୁଚି ।

 

ଆଉ ଗୋଟାଏ ଆଶ୍ଚର୍ଯ୍ୟ କଥା ବି ଶୁଣିଲା । ଘର ସରଞ୍ଜାମର ଦାମ୍‍ ତିରିଶ ଟଙ୍କା ମାସକ ଭିତରେ ଦବାର କଥା–ସେ–ଦେଇନି–ଆଉ ସେ ବସ୍ତିର ଶାନ୍ତି ଭଙ୍ଗ କରୁଚି ।

 

ସେ ଘର ସରଞ୍ଜାମ କିଛି ନେଇଥିଲା ସତକଥା । କିନ୍ତୁ ଦାମ୍‍ ଦେବାର କଥାତ ହେଇନଥିଲା । ମୁଣ୍ଡଟା ତା’ର ବୁଲିଲା । ରାଗରେ ଜଳିଉଠିଲା ତା’ର ଆଖି । ମନେହେଲା ହାତର ବାହୁଙ୍ଗିଟା କଷି ଦିଅନ୍ତା ମିଛୁଆ ମେନେଜର ମୁହଁରେ । ସେଦିନ ମିଲ୍‍ ମାଲିକ, କେତେ ବଡ଼ ଧନୀଲୋକଟା–କଞ୍ଚା ମିଛ କହି ଧମକ ଦେଲା । ରାଜ୍ୟଟା ମିଛରେ ପୂରିଗଲାଣି । ଭାବି ଠିକ୍‍ କଲା ବସ୍ତି ଛାଡ଼ି ଚାଲିଯିବ–ବାଧା ବନ୍ଧନହୀନ ବାରବୁଲା ସେ । ତା’ କାନ୍ଧର ଭାରରେ ତା’ ଘର–ଆଉ ଝିଲି ତା’ ସଂସାର ।

 

ପରଦିନ ସକାଳେ ସମସ୍ତେ ଦେଖିଲେ–ମିଲ୍‍ ମାଲିକଙ୍କ ବନ୍ଧୁକଧାରୀ ସିପାହୀ ଆଉ ମେନେଜର ହାଜର ହେଇଛନ୍ତି ବୁଧ ଘର ପାଖେ । ସମସ୍ତେ ଯାଇ ରୁଣ୍ଡ ହେଲେ । ସିପାହୀ କହିଲା ‘ସବ୍ ଭାଗୋ ।’

 

କେହି ତା’ କଥାରେ କାନ ନ ଦେଇ ଘେରିଗଲେ ।

 

ବୁଧ ବିରକ୍ତ ହେଇ ସିକାରେ ଘରର ଜିନିଷଗୁଡ଼ା ଲଦୁଥାଏ ଆଉ ଗାଳି ଦେଉଥାଏ, “ମିଛୁଆ ଏ ଦିନୁ ଲୋକଗୁଡ଼ା–ଏ ମିଛ ରାଇଜରେ ରହିବିନି–ଏଇ ଝିଲି–ଉଠନା । ଏଠୁ ଯିବା । ଏଠି ମୋ ଘର ନା ଜମି ? ଚାଲ୍‍, ଚାଲ୍‍ ପଲେଇବା । ଲଗନ୍‍ ଲଗନ୍‍ ଉଠ–ଚାଲ୍‍” ଏମିତି ବକୁଥାଏ-

 

କାଳିଆ, ବୁଢ଼ା, ଗିରିଆ, ସମସ୍ତେ ପଚାରିଲେ–ଆରେ ବୁଧ କଥା କ’ଣ ? ବୁଧ କାହାରିକି କିଛି ଉତ୍ତର ନଦେଇ ଜିନିଷ ସଜାଡ଼ିବାରେ ବ୍ୟସ୍ତ ।

 

ତେଣେ ଝିଲି ଶୋଇଚି ତଳେ–ଉଠୁନି ।

 

ମେନେଜର କହିଲା–ଏୟ, ବୁଧ, ଚଞ୍ଚଳ ଚଞ୍ଚଳ ବାହାର–ମାଲିକର ହୁକୁମ ।

 

ଝିଲିର ଅବସ୍ଥା ଦେଖି–କେତେଜଣ ତିରିଲା ପଶିଗଲେ ଘରକୁ । ଜଣେ କହିଲା–ଆରେ ନିକଲ ନିକଲ କହିଲେ କି ହେବ ? ତିରିଲାଟା ଦିହକୁ ନାଗିଛି–କଷ୍ଟ ପାଉଛି ଛୁଆ ହବ ।

 

କାଳିଆ, ଗିରିଆ ହେରିକା ଘେରିଗଲେ ବୁଧକୁ । ହାତରୁ ତା’ ଭାରଟା ଛଡ଼େଇନେଇ କହିଲେ–ଏଇ ବୁଧ, ତୁ ପାଗଳ ହେଲୁ ? ଯିବୁ କେନେ ଝିଲିର ଛୁଆ ହେବ ଯେ ।

 

ବୁଧ ବୋକାଙ୍କଭଳି କହିଲା–ମାଲିକ ନିକାଲି ଦଉଚି ଯେ–ସମସ୍ତେ କହିଲେ–ଆରେ ମାଲିକ ତଡ଼ିଦେବାକୁ କିଏ ? ତୁ ରହିବୁ–ଆରେ ତୁ ନ ରହିଲେ ଆମର ହକ୍‍ ପାଉଣା ଆଣିଦେବ କିଏ ?

 

ବସ୍ତିର ସମସ୍ତେ ଜୁଟିଗଲେ–ହାତରେ କାଣ୍ଡ ବାଉଁଶ ଧରି ସମସ୍ତେ ହୁରି କଲେ । ନାହିଁ, ନାହିଁ ବୁଧ ଆମର ସଙ୍ଗେ ।

 

ତାକୁ କେହି ଉଠେଇ ପାରିବନି ଆମର ସାଙ୍ଗ–ଆମର ସେ ।

 

ଏଇ ଗୋଳମାଳ ଭିତରେ ମେନେଜର ଆଉ ସିପାହୀ ଦି’ଜଣ ବିଦାୟ ନେଇ ସାରିଥିଲେ ।

 

ଜନ କୋଳାହଳ ଭିତରେ ବୁଧର ବସା ଭିତରୁ ଶୁଭିଲା ନବଜାତ ଶିଶୁର କାନ୍ଦଣା ।

 

Unknown

ଉପସଂହାର

 

ଜୀବନର ଇମିତି ଗୋଟାଏ ଗୋଟାଏ କ୍ଷଣରେ ମରଣକୁ ସାଦରେ ବରଣ କରିବାକୁ ଅଦମ୍ୟ ବାସନା ଜାଗେ । ଶୋକ, ଦୁଃଖରେ ଆତ୍ମହତ୍ୟା କଥା ଭାବୁନି; ଭାବୁଛି–ପରମ ଆନନ୍ଦରେ ଆତ୍ମହରାହୋଇ । ଯେତେବେଳେ ହୁଏତ ଅନୁଭବ କରୁଚ, ଉପଲବ୍ଧି କରୁଚ, ତୁମର ଲଳିତ ଅଧର ଝରା ଅମୃତବାଣୀ ଶୁଣିବାପାଇଁ ଜଣକର ଅନ୍ତର ଏକାନ୍ତ ଉଦ୍‍ଗ୍ରୀବ । ତୁମର କମନୀୟ କାନ୍ତି ନିରେଖିବା ଲାଗି ଯେ ରାତିଟାଏ ବି ଆଖିପତା ପକାଇବାକୁ ଇଚ୍ଛାକରେନି, କାଳେ ସେ ହରେଇ ବସିବ ତୁମର ମୋହନୀୟ ରୂପ । ତନୁଲତାର ମଧୁର ଆବେଶ–କମଳକୋରକ-କରର ଉଷ୍ଣ ସ୍ପର୍ଶ ଲଭିବା ଲାଗି ବ୍ୟାକୁଳ ହୃଦୟର ନିରୁକ୍ତ ପ୍ରଶ୍ନିଳ ଆହ୍ୱାନ ତୁମେ ସ୍ପଷ୍ଟ ଜାଣିପାରୁଚ । ତୁମେ ଜାଣୁଚ ତୁମ ସୁଖରେ ତା’ର ବିମୁଗ୍ଧ ଆତ୍ମା ପ୍ରୀତିବିହ୍ୱଳ । ତୁମ ହୃଦୟର ବେଦନା ଝରି ପଡ଼ୁଛି ତା’ର ଅଶ୍ରୁ କଣାରେ–ଆଉ ସେହି ବାର୍ତ୍ତା ବହନ କରିଆଣିଥିବା ସବୁଜ ରଙ୍ଗର ଚିଠି ଖଣ୍ଡକ କେମିତି ପରମ ରତ୍ନ କୁହତ ? ଋକ୍ଷ, ରୁଗ୍‍ଣ ଜୀବନ–ମରୁ ତୀରରେ ଏ ଯେମିତି ପ୍ଳାବନସବୁଜର ଲୋଭନୀୟ ଆହ୍ୱାନ ! ଏମିତି ଶୁଭ କ୍ଷଣରେ ଏଭଳି ଜୀବନର ଇତି, ପରମ ଭାଗ୍ୟର କଥା । ଚାଷୀର ମାଟି, ବୁକୁର ପଞ୍ଜରାଭଳି ଅତି ଆପଣାର ଜଣକ ଆଖିରୁ ତ ଅଶ୍ରୁ ଝରିବ ତୁମପାଇଁ । ସେଇଥିରେ କ’ଣ ନାହିଁ ତୁମ ଜୀବନର ପରମ ସାନ୍ତ୍ୱନା ?

 

ଠିକ୍‍ ଏମିତି ଏକ ଚରମ ଆଉ ପରମ ମୁହୂର୍ତ୍ତରେ–କର୍ମକ୍ଳାନ୍ତ ଦିନ ସୀମାନ୍ତରେ ବର୍ଷୁକୀ ମେଘର ଅବଗୁଣ୍ଠନ ତଳେ ନବବଧୂ ସାଜରେ ଲଜ୍ଜାବତୀ ଅପରାହ୍ନ । ସେହି ମଧୁର ଅବସର କ୍ଷଣରେ ମୋ ହାତରେ ବହୁ ଆକାଂକ୍ଷିତ ସବୁଜ ପତ୍ରଟି, କ’ଣ ବାରେ ପଢ଼ିଲେ ଶାନ୍ତି ଆସେ ?

 

ଆଉ ଠିକ୍‍ ସେହି ମୁହୂର୍ତ୍ତରେ ନିରାଭରଣା ବିଧବାଭଳି ସଫେଦ ଏମ୍ବୁଲେନ୍ସ କାର୍‍ଟା ଟି.ବି. କଲୋନିର ଫାଟକ ଭିତରକୁ ଅନାହୂତ ଭାବେ ପ୍ରବେଶ କରିବାଟାକୁ ତୁମେ କିମିତି ପସନ୍ଦ କରିବ ? ଗାଡ଼ିରୁ ଯେଉଁ ରୁଗ୍‍ଣ ବ୍ୟକ୍ତିଟିକୁ ଷ୍ଟ୍ରେଚରରେ ବୋହି ଅଣାଗଲା ତାଙ୍କର ମୁହଁଟା ... ।

 

କ୍ଷଣ ପୂର୍ବର ସୁନୀଳ ସୁନ୍ଦର ଆକାଶଟାର ରଙ୍ଗ କ’ଣ ହଠାତ୍‍ ଧୂସର ପାଲଟିଗଲା, ଠିକ୍‍ ସେହି ପୀଡ଼ିତ ବ୍ୟକ୍ତିର ବିବର୍ଣ୍ଣ ମୁଖଭଳି ?

 

ପୃଥିବୀର ବହୁ ଅସମ୍ଭବକୁ ପରାହତ କରି ନିଷ୍ଠୁର ବାସ୍ତବ ରୁକ୍ଷଭାବେ ଅଟ୍ଟହାସ କରିଉଠେ ।

 

ସେ ଯେ ମୋର ପରିଚିତ । ଅତି ପରିଚିତ । ହାଃ ଭଗବାନ, ଏମିତି ଦାରୁଣ ମୁହୂର୍ତ୍ତ ବି ମଣିଷ ଜୀବନରେ ଆସେ ?

 

ବାପା ବ୍ୟତୀତ ସେ ଅନ୍ୟ କେହି ନୁହନ୍ତି । କିନ୍ତୁ, ଯାହା ଆଶାତୀତ, କଳ୍ପନାତୀତ, ତାହାହିଁ କ’ଣ ହେଲା ତାଙ୍କ ଜୀବନର ଅତି ବାସ୍ତବ ପରିଣତି ?

 

ଦୀର୍ଘ କେତୋଟି ବର୍ଷରେ ଆଜି ପୁଣି ଏହି ନିପୀଡ଼ିତ ସମାଜର ସମ୍ମୁଖୀନ ହୋଇ ତା’ର ଭୟାବହ, ନଗ୍ନରୂପ ଦେଖି ସ୍ତମ୍ଭୀଭୂତ ହେଲି । ଯାହାକିଛି ସ୍ଵପ୍ନମୟ, ସୁନ୍ଦର ତା’ କ’ଣ ଖାଲି କଳ୍ପନା–ଆଉ ଯାହା ବାସ୍ତବ ତା’ କ’ଣ ଏମିତି ଭୟଙ୍କର ବୀଭତ୍ସ, ଆଉ କରୁଣ ?

 

ଘୋଘୋ । ସମୁଦ୍ରର ନିରବଚ୍ଛିନ୍ନ ଗର୍ଜନ । ସତେ ଯେମିତି ହାସ୍ପାତାଳର କାଚ ଉପରେ ନିଷ୍ଠୁର କରାଘାତ । ଶ୍ରୀମୟୀ ଧରିତ୍ରୀ ଉପରେ ଲବଣାକ୍ତ ସାଗରର କ’ଣ ବିଦ୍ରୋହାତ୍ମକ ବିକ୍ଷୋଭ-? ରୁଦ୍ର ପ୍ରଭଞ୍ଜନରେ ସେ ଏଇ ପ୍ରାଣମୟ ଧରଣୀର ସବୁ ବସ୍ତୁକୁ ତିଳେ ତିଳେ କ୍ଷୟ କରିବାକୁ ଚାହେଁ...କ୍ଷୟ ରୋଗ ଯେମିତି ସୁନ୍ଦର ନିର୍ମଳ ମଣିଷର ଅବୟବର ଅଣୁରେ ଅଣୁରେ ବୁଣିଦିଏ କ୍ଷୟ ବୀଜ । ପରିଶେଷରେ ବାପା କ’ଣ ଏଇ ନିଦାରୁଣ ପୀଡ଼ାର କରୁଣ ଶିକାର ହେଲେ-

 

ମନ ସମ୍ମୁଖରୁ ଅପସରି ଗଲା ଦୀର୍ଘ ସତରଟି ବର୍ଷର ଯବନିକା । ଯେଉଁ ସୁନ୍ଦର, ସୁନିର୍ମଳ, ବିମଳ କାନ୍ତି ଯୁବକର କମନୀୟ ମୁଖଶ୍ରୀ ମୋ ଅଶ୍ରୁଳ ଆଖି ଆଗେ ଉଦ୍ଭାସିତ ହେଲା, ତା’ ମଧ୍ୟରେ ଆଉ ଆଜିର ଏଇ ରୁଗ୍‍ଣ ମଣିଷ ଭିତରେ ସମତା ଖୋଜିବା ଦୁଷ୍କର ନିଶ୍ଚୟ । ତଥାପି, ମୁଁ ତ ଚିହ୍ନିବାରେ ଭୁଲ କରିନାହିଁ । ମୁଁ କ’ଣ ଭୁଲିପାରେ ? ଅସମ୍ଭବ ।

 

କିନ୍ତୁ, ଗୋଟାଏ ସଂଶୟ ମୋ ମନରେ ଉଦୟହେଲା କ୍ଷଣି ଗୋଟାଏ ଅଜଣା ଭୀତିରେ ମୋର ଅସ୍ଥିର ହୃତ୍‍ପିଣ୍ଡର କ୍ରିୟା ମନ୍ଥରତର ହେବାର ଉପକ୍ରମ ହେଲା । ସୁଦୀର୍ଘ ସତର ବର୍ଷ ତଳେ ସେ ଯେଉଁ ରୁଗ୍‍ଣ, କୁତ୍ସିତ ବାଳିକାଟିକୁ ଦେଖିଥିଲେ ଆଜି କ’ଣ ତାକୁ ଚିହ୍ନିପାରିବେ ? ମୋର ଏଇ ତୁଷାର ଶୁଭ୍ର ନର୍ସର ପୋଷାକ ଭିତରେ ସେଦିନର ଚରମ ଦାରିଦ୍ର୍ୟରେ ନିପୀଡ଼ିତା ପଥର ଭିକାରୁଣୀକୁ ଖୋଜି ପାଇବେ କି ? ହେ ଭଗବାନ, ମୋତେ ଆଜି ଏ ଚରମ ପରୀକ୍ଷା ମୁହୂର୍ତ୍ତରେ ରଖି ସତେ କ’ଣ ବ୍ୟଙ୍ଗ କରୁଛ ?

 

ରୋଗୀକୁ ଶଯ୍ୟାରେ ଛାଡ଼ି ସେମାନେ ବିଦାୟ ନେଲେଣି ।

 

ଧାଡ଼ି ଧାଡ଼ି ଧଳା ବିଛଣା । ବାହାରେ ଆଲକାତରା ଭଳି ବହଳ ଅନ୍ଧାର । ଭିତରେ ବିଜୁଳି ଆଲୁଅର ଉଜ୍ଜ୍ଵଳ ଆଲୋକ–ମୃତ୍ୟୁ ଭଳି ସ୍ଥିର, କଳାଛାଇ । ଆଲୋକ ସଙ୍ଗନୀ ଛାୟା ଆଶାର ବନ୍ଧୁ ସଂଶୟ, ଅଗ୍ରସର ହେଲି–ଭୀତି ଆଉ ଦାରୁଣ ସଂଶୟ ଧରି ।

 

ଖୋ’ ଖୋ’ କରି କାଶିଲେ ସେ । ପ୍ରବଳ ବେଗରେ ଛାତିଟାର ଉତ୍‍ଥାନ ପତନ ଦୃଷ୍ଟହେଲା । ମୋର ଅସ୍ଥିର-ଶୀତଳ ହାତଟି ବୁଲେଇଲି ସେ ଛାତିରେ । କି ଏକ ବେଦନାର ତୀବ୍ର ଅନୁଭୂତିରେ ହାତଟା ଅବଶ ହୋଇପଡ଼ିଲା ।

 

ନାଁ; ଛାତିରେ ସେ ସବଳ, ସୁନ୍ଦର, ସୁଗଠିତ ମାଂସପେଶୀ ନାହିଁ–ସବୁ କ୍ଷୟପାଇଯାଇଛି, ଅଛି କେବଳ ଜୀର୍ଣ୍ଣ କଙ୍କାଳ ।

 

କଅଁଳ ହାତର ସ୍ପର୍ଶରେ ଗୋଟାଏ ତୃପ୍ତିର ନିଃଶ୍ୱାସ ନେଇ ପଚାରିଲେ–କିଏ ?

 

ଧୀରେ ସ୍ୱରରେ ଉତ୍ତର ଦେଲି–‘ଦୁଲି’ ମୁଁ ବାପା । ଚାହିଁଲି ତାଙ୍କର ମୁହଁକୁ । ନା, ସେ ଚିହ୍ନିପାରି ନାହାନ୍ତି । ବେଦନାର୍ତ୍ତ, କରୁଣ, ନିର୍ଜୀବ ଆଖି ଡୋଳାରେ ମୋର ପରିଚୟର ପ୍ରତିଛବି ନାହିଁ । ଟିକିଏ ବି ନା ।

 

କିନ୍ତୁ, ଏଇ ଜଟିଳ ‘କିନ୍ତୁ’ର ସରଳ ସମାଧାନ କେମିତି ହେବ ? କିମିତି ମୁଁ ପରିଚୟ ଦେବି ?

 

ମୁଁ ଦୁଲି ବାପା । ଜଡ଼ିତ କଣ୍ଠରେ ଆତ୍ମପରିଚୟ ଦେବାର କରୁଣ ଚେଷ୍ଟାକଲି ।

 

ଗଭୀର ଆଖିର ତରା ଯୋଡ଼ିକ ସ୍ଥିର ହେଇ ରହିଲା ମୋ ଉପରେ । ସ୍ମୃତିର ମନ୍ଥରରେ ଚେତନାର ତରଙ୍ଗ ଆଲୋଡ଼ିତ ହେଲା–ସେ ତରଙ୍ଗରେ ଦୋଳାୟିତ ହେଲା ଦୁଲି ନାଁରେ ଗୋଟିଏ ଭିକାରି ବାଳିକାର ପ୍ରତିମୂର୍ତ୍ତି । ମୁଗୁନି ପଥର ଭଳି କୃଷ୍ଣାଭ ଦେହରେ ରାସ୍ତାଧୂଳିର ଗୈରିକ, ପ୍ରଲେପ । ମଳିଧୂଳିରେ କିମ୍ଭୂତକିମାକାର ସାତ ଆଠବର୍ଷର ଝିଅଟି ।

 

ଦୁଲି । କିଏ ? ଦୁଲିମା ?

 

ହଁ ବାପା, ମୁଁ ପରା ସେଇ ଦୁଲି । ତମେ ଗାର୍ଲସ୍‍ ସ୍କୁଲରେ ମେମ୍‍ ପାଖେ ଛାଡ଼ି ଆସିଥିଲ ।

 

ଝର, ଝର, ଝର । କାଚ ଉପରେ ମୌସୁମୀର ନିଷ୍କରୁଣ ଆକ୍ରମଣର ପ୍ରତିଘାତ । ସ୍ୱଚ୍ଛ କାଚ ଭିତରଦେଇ ଅଦୂରର ସେଇ ସୁନୀଳ, ରୁଦ୍ର ସୁନ୍ଦର ସାଗରର ମନୋରମ ରୂପ, ଦିଶେ । ଆଜି ଏଇ ବର୍ଷୁକୀ ରାତିର ନିବିଡ଼ ଅନ୍ଧକାର ସବୁକିଛି ଅବଲୁପ୍ତ କରିଦେଇଛି ସତ, ମାତ୍ର ସେ କ’ଣ ଦିଗନ୍ତବିସ୍ତାରୀ ମହାସାଗରର ବିରାଟ ଅସ୍ତିତ୍ୱକୁ ଅସ୍ଵୀକାର କରିବ ? ଆଲୁଅର ଉଷ୍ଣବୀଜ ଅନ୍ଧାକାରକୁ ଦି’ହାତରେ ଠେଲି ବାହାରି ଆସିବ ନିଶ୍ଚୟ ।

 

ବାପାଙ୍କ ନିରୁତାପ ଆଖି ଝଲମଲ କଲା । ମନର ଅତଳ–ଅନ୍ଧକାର ଗହ୍ୱରରୁ ଜାଗିଉଠିଲା ଗୋଟାଏ କ୍ଷୀଣ ଆଲୋକ ରେଖା । ରୂପାୟିତ ହେଲା ଗୋଟାଏ ବାଳିକାର କରୁଣ ମୂର୍ତ୍ତି, ସେ ଦୁଲି ।

 

ହେମନ୍ତର ସେ ଏକ ଉଜ୍ଜ୍ୱଳ କମନୀୟ ସକାଳ । ଶରୀର ଚର୍ଚ୍ଚା ତାଙ୍କର ନିତ୍ୟ ନିୟମିତ କାର୍ଯ୍ୟ । ସେଦିନ ବି ବ୍ୟତିକ୍ରମ ନାହିଁ । ସ୍ୱାସ୍ଥ୍ୟ ଚର୍ଚ୍ଚା ସରିନାହିଁ–ଦୁଆରେ କେ ଏକ ଅଲୋଡ଼ା ଭିକାରୁଣୀର ବିରକ୍ତିକର ଚିତ୍କାର । ବାବୁ ବିରକ୍ତ ହେଇ କବାଟ ମେଲେଇ ଦେଖିଲେ । କରୁଣ ମୂର୍ତ୍ତିଟିଏ । ରାସ୍ତାକଡ଼ର ଅନେକଙ୍କ ଭିତରୁ ଜଣେ ।

 

ନିୟମିତ ଅଙ୍ଗ ଚାଳନାରେ ସୁଗଠିତ ଦେହର ସେ ଭୀମପ୍ରବର ରୂପ ଦେଖିଲେ ଭୟ ଜାଗିବ । ପ୍ରତ୍ୟେକ ଲୋକଙ୍କୁ ପୁଣି ପ୍ରତି କ୍ଷଣରେ ଭୟକରିବା ଆମର ସହଜାତ ପ୍ରବୃତ୍ତି । କିନ୍ତୁ ଉଦରର ଏକ ଭୟଙ୍କର ଜ୍ୱାଳାରେ ସବୁକିଛି ପାଶୋରି ଯାଉଁ–ଖାଲି ମୁଁ ନୁହେଁ, ବୋଧହୁଏ ସମସ୍ତେ-

 

ପେଟର ନରମ ମାଂସ ଉପରେ ଠାଏ ଠାଏ ଚାପୁଡ଼ା ମାରି ଅନ୍ୟର ଦୃଷ୍ଟି ଆକର୍ଷଣ କରି କରୁଣା ଉଦ୍ରେକ କରିବାର ଏକ ଅଦ୍ଭୁତ କୌଶଳ କଉଁଠୁ ଆଉ କିମିତି ଶିଖିଥିଲି, ତା’ ଆଜି ମୋର ମନେପଡ଼ୁନି ।

 

‘ଭାରି ଭୋକ ବାବୁ ।’ ଅନୁକରଣ ଆଉ ଅଭ୍ୟାସରେ କଣ୍ଠ ସ୍ୱରଟା ବି ଅଭିନୟ ପଟୁ ଅଭିନେତା ଭଳି ହୋଇଉଠିଥିଲା । ସେଇ ଆଦିମ ନିର୍ଲଜ ଦାବିର ଉତ୍କଟ ଚିତ୍କାର କରି ଉଠିଲା–‘ବାବୁ ଭାରି ଭୋକ ।’

 

ସକାଳେ ଆଉ ବିରକ୍ତ କରନା । ଯା ଯା ଅଭିକା ଭାଗ । ସକାଳୁ… । କପାଳର ଝାଳବିନ୍ଦୁ ପୋଛି ବିରକ୍ତ ହୋଇ ଉଠିଲେ ବାବୁ ।

 

ନିରୁପାୟ ହୋଇପଡ଼ିଥିଲି–କିନ୍ତୁ ନିରୁତ୍ସାହ ହୋଇନଥିଲି । ବିଫଳତା ଆମ ଇତିହାସରେ ନାହିଁ । ମନାକରିବା ଯିମିତି ବାବୁମାନଙ୍କର ଅଭ୍ୟାସ, ଅନୁନୟ କରିବା ଠିକ୍ ସିମିତି ଆମର ଅଧିକାର–ଆମେ ନଛୋଡ଼ବନ୍ଧା । ପରିଶେଷରେ ଅବ୍ୟର୍ଥ ଉପାୟଟି ପ୍ରୟୋଗ କରିଥିଲି–ଜଙ୍ଘର ତିନିଟା ପୋଡ଼ା କ୍ଷତ ଦେଖେଇଲି ।

 

ବାବୁ, ସେ ଚରଣ ବାବୁ ଘରେ ବାସନ ମାଜୁଥିଲି । ବାବୁଆଣୀ ଚେଁକା ନଗେଇ ଦେଇଚି, ବାବୁ ଦେଖ, ଦି’ଦିନ ଖାଇନି କିଛି ।

 

ହଠାତ୍ ଗୋଟିଏ ପରିବର୍ତ୍ତନର ଢେଉ ଖେଳିଗଲା–ଏକ ସଠିକ୍‍ ଔଷଧର ତୀବ୍ର ପ୍ରତିକ୍ରିୟା ଭଳି । ବାବୁଙ୍କ ପଥରଭଳି ଶକ୍ତ ହାତଟା ମୁଠା ହୋଇଯାଇଥିଲା । ବାହାର ମାଂସପେଶୀଗୁଡ଼ା ଫୁଲି ଉଠିଲା । ଓସାରିଆ ଛାତିର ମାଉଁସଗୁଡ଼ା କଠିନ ଲୁହାପେଣ୍ଡୁଭଳି ଶକ୍ତ ହୋଇ ଉଠିଲା । ଆଖି ଯୋଡ଼ାକରେ ସେ ଏକ ଅଦ୍ଭୁତ ଜ୍ୟୋତି ।

 

କିଏ ସେ ବାବୁରେ ? କାମରେ ନ ରଖିବ ନାହିଁ–ଚେଁକା ଦେବ କାହିଁକି ? ମୋ ଆଖିରୁ ଅଜାଣତରେ ଝରିଗଲା ଲୁହ ।

 

କାହିଁ ଏ ବାବୁତ ଅନ୍ୟବାବୁମାନଙ୍କ ଭଳି କହିଲେନି–ଠିକ୍ ହେଇଚି । ଚୋରି କରିଥିବୁ–ଚୋରଣୀ କୋଉଠିକା ? ଶଳା, ତମେ ସବାଗିଳା–ଯାହାର ଖାଇବ ତାହାରି ମାରିବ । କିମ୍ବା ସେଇ ଚିହ୍ନା ଟୋକାଟା ଚିଗୁଲେଇଲା ଭଳି ଡାହାଣା ରକମ ହସି କହିଲେନି । ‘ବେ ତୁ ଚୋରି କରିନଥିବୁ ତ ତୋ ମା’ ଚୋରି କରିଥିବ, ଅନ୍ଧାର ରାତିରେ–ହେଁ ହେଁ ହେଁ ।’

 

ଅଦ୍ଭୁତ କଥା । ଉରମାଡ଼ିଲା ଭଳି ବିରାଟଦିହଟା ଭିତରେ କେଡ଼େ କଅଁଳ ମନଟି ସତେ-!

 

ଚାଲ ତ ମୋ ସାଥିରେ, ଦେଖେଁ ସେ କେମିତିକା ବାବୁ । ଆଉ ସେ ବାବୁଆଣୀ ବି କିମିତି । ଏ କ’ଣ ଅନ୍ଧାରି ମୂଲକ ?

 

ସେଇଦିନୁ ପାଇଲି ଏ ପୋଡ଼ା ମନରେ ଅଦ୍ଭୁତ ସାହାସ–ସୁଅ ମୁହଁରେ କୁଟା ଖିଅର ଅବଲମ୍ବନ ।

 

‘ବାପା’ ବୋଲି ଡାକିଥିଲି । ଘରର ସବୁପିଲା ଯାହାକୁ ଯାହା ବୋଲି ଡାକୁଥିଲେ, ତାଙ୍କୁ ତାହା ହିଁ ଡାକିଥିଲି । ତା’ ଆଗରୁ କାହାରିକି ବାପା ବୋଲି ଡାକିଥିଲି ସେକଥା ମୋର ମନେନାହିଁ । ହେତୁ ହେବାର ବହୁ ପୂର୍ବରୁ ଜଣକୁ ମା’ ବୋଲି ଡାକି ଆସୁଥିଲି । ଦଳ ଦଳ କୋଢ଼ି, ଖଣ୍ଡିଆ, ଭିକାରି ପଲରେ ବୁଲିବା ଥିଲା ଆମର ପେଷା । ସହର ଶେଷରେ ଝଙ୍କାଳିଆ ଗଛମୂଳ ଥିଲା ଆମର ଆଶ୍ରୟ । ସଞ୍ଜବେଳେ ସମସ୍ତେ ମିଳି ଅଦ୍ଭୁତ କୋଳାହଳ–କଳିକଜିଆ, ଇମିତି କି କାଠି କୁଟା ପାଇଁ ମାରପିଟ୍ କରନ୍ତି । ରାତିପାହିଲେ ସବୁଭୁଲି ରାସ୍ତାକୁ ବାହାରି ପଡ଼ନ୍ତି । ହଠାତ୍ ଦିନେ ସକାଳୁ ମାଗି ବାହାରିଲା ବେଳକୁ ମା’କୁ ଯେତେ ଖୋଜିଲି ଆଉ ପାଇଲିନି । ସେତେବେଳେ ସହରରେ କି ଗୋଟାଏ ପର୍ବ । ଦିନାକେତେ ସହର ତମାମ ଭାରି ଭିଡ଼ । ଇମିତିବେଳେ କେତେ ଭିକାରି ଭିକାରୁଣୀ ପରା ହଜିଯାଆନ୍ତି । ଦି’ଦିନ ପରେ ହଠାତ୍‍ ଗୋଟାଏ ଗଳି ମୁହଁରେ ମୋ ମା’ ପଡ଼ିଥିବାର ଦେଖାଗଲା । ସମସ୍ତେ କହିଲେ ସେ ମରିଯାଇଛି । ଦିହରେ କେଉଁଠି କଟା ଦାଗ ନାହିଁ-। ଲୁଗାପଟାରେ ଏଠି ସେଠି ରକ୍ତ ଲାଗିଛି । ସାଙ୍ଗ ତିର୍ଲ୍ଲାଗୁଡ଼ା କ’ଣ ଫୁସୁରୁ ଫାସର ହେଲେ-

 

ସେଦିନ ମୁଁ କିଛି ବୁଝି ନ ଥିଲି ଜୀବନ ମୃତ୍ୟୁର ଅଦ୍ଭୁତ ରହସ୍ୟ । ଆଜିବି କ’ଣ ବୁଝିଛି–ଜୀବନ ମରଣର ନିତିଦିନିଆ ରଙ୍ଗମଞ୍ଚ ଏଇ ହାସ୍ପାତାଳରେ ରହି ?

 

ଅନେକ ଦିନ ପରେ ପୁଣି ଜଣକୁ ମା’ ଡାକିଥିଲି–ଭାରି ଅଦ୍ଭୁତ ମନେହେଲା ସେଦିନ । ସମସ୍ତେ ଯାହାକୁ ମା’, ଡାକୁଥିବେ ତାକୁ ମୁଁ ମା’ ଡାକିବାକୁ ପ୍ରଥମ ପ୍ରଥମ ଭାରି ଅଡ଼ୁଆ ଲାଗୁଥିଲା ।

 

ବାପ ଥିଲେ ସହର ସ୍କୁଲର ଡ୍ରିଲ୍‍ ଶିକ୍ଷକ । ଅଳ୍ପପାଠ । ଟ୍ରେନିଂ ପାଇଥିଲେ ମାନ୍ଦ୍ରାଜରୁ । ଡ୍ରିଲ୍‍ ଶିକ୍ଷକ ହେଲେ ବି ସହରରେ ଥିଲେ ସେ ଜନପ୍ରିୟ । ପରିଚୟ ଥିଲା ବଡ଼ ବଡ଼ ହାକିମ ସାଙ୍ଗରେ । ବଡ଼ ବଡ଼ ଖେଳରେ ସେ ରେଫେରି ହେଉଥିଲେ କି ନା । ସବୁ ଛାତ୍ରଠୁଁ ସେ ପାଉଥିଲେ ଆନ୍ତରିକ ସମ୍ମାନ । ତାଙ୍କର ମଧୁର ସ୍ଵଭାବ ଆଉ ନିର୍ଭୀକ ବ୍ୟକ୍ତିତ୍ଵ ତାଙ୍କୁ ବଡ଼ କରି ରଖିଥିଲା ।

 

ମୋତେନେଇ ସେ ହାଜର ହେଲେ ପୁରୁଣା ମୁନିବ ଘରେ । ହାକିମ ବାବୁ ତ ଆକାଶରୁ ପଡ଼ିଲେ ଆମ ଦି’ଜଣଙ୍କୁ ଦେଖି । ଦି’ଜଣ ଦାଣ୍ଡଘରେ କଥା ଭାଷା ହେଲେ । ମୁଁ ବାହାରେ ଠିଆ । ଅବଶ୍ୟ ତା’ ମଧୁର ଆଳାପ ନୁହେଁ–ବାକ୍‍ ବିତଣ୍ଡା କଥାର ଟୁକୁରା ଭଙ୍ଗାକାଚ ଭଳି ଛିଟ୍‍କି ଆସୁଥିଲା ପଦାକୁ । ଅନ୍ୟ ଲୋକର ତାହା ସିନା ବେଦରକାରୀ ହେଲେ ମୋ’ଭଳି କାଚ ଗୋଟାଳିର ସେ ମଣି । –ଆରେ ବାବୁ, ସେଇଟା ଚୋରଣୀଟା । ତା’ଛଡ଼ା ରାସ୍ତାକଡ଼େ ଆଜିକାଲି ଏମିତି କେତେ ବୁଲୁଛନ୍ତି । ଏମିତି ଗୋଟାଏ ଝିଅପାଇଁ ଆପଣଙ୍କର ଦରଦ ତ ବିସ୍ମୟକର ।

 

ଦରଦ କଥା ନୁହେଁ ଆଜ୍ଞା, ନ୍ୟାୟରେ ବିଚାର କରି ଦେଖନ୍ତୁ । ଚୋରି କଲା ତଡ଼ିଦିଅନ୍ତୁ ମାତ୍ର ନିଆଁ ଚେଁକା ଦେବାଟା.....

 

‘ନିଆଁ ଚେଁକା’ କଥାଟା ଶୁଣି ହାକିମ ଗୋଟାଏ ଅଦ୍ଭୁତ ଶବ୍ଦ କରି ଚମକି ଉଠିଥିଲେ । ଘରଆଡ଼ୁ କଥାଟାର ସତ୍ୟାସତ୍ୟ ବୁଝି ମୋ ଜଙ୍ଘର ତିନିତିନିଟା ପୋଡ଼ା ଘା’ ଦେଖି ସେ ଦାରୁଣ ଶଙ୍କିତ ହେଲେ ବିସ୍ମୟକର ଭାବେ ବ୍ୟସ୍ତହୋଇ ଉଠିଲେ ଆତ୍ମସମ୍ମାନ ରଖିବା ପାଇଁ । ନିଜେ ଜଣେ ହାକିମ । କୋର୍ଟ କଚେରୀରେ କେତେ ମକଦମା ବିଚାର ଫୈସଲା କରୁଛନ୍ତି । ଅଥଚ ନିଜ ସ୍ତ୍ରୀ ଏମିତି ଗୋଟାଏ କାମ କରିଛନ୍ତି–ଯେଉଁଥି ପାଇଁ ହୁଏତ କୋର୍ଟରେ କୈଫିୟତ୍‍ ଦେବାକୁ ହେବ ।

 

ଶହେଟା ଟଙ୍କାଦେଇ କଥାଟି ଗୋପନ ରଖିବାକୁ ମିନତି କଲେ । ସେହି ଶହେ ଟଙ୍କା ମୋ ନୂତନ ଜୀବନର ପ୍ରଥମ ପାଥେୟ ।

 

ତା’ପରେ ବାପା ମୋତେ ଛାଡ଼ି ଆସିଲେ ମିଶନ୍‍ସ୍କୁଲର ମେସ୍‍ ପାଖେ । ମିଲିଅପା, ରେଣୁଅପା ଘରୁ ଯାଉଥିଲେ ସ୍କୁଲ୍‍ । ତାଙ୍କ ସାଥିରେ ଛୁଟିଦିନମାନଙ୍କରେ ଘରକୁ ଯାଏ ।

 

ହଠାତ୍‍ ଦିନେ ବାପାଙ୍କର ବଦଳି ହୋଇଗଲା । ମୁଁ ବି କେତେ ବର୍ଷପରେ ସେ ସ୍କୁଲ୍‍ ଛାଡ଼ିଲି । ତା’ପରେ କେତେ ବର୍ଷ ବିତିଗଲା ଛଡ଼ା ଛଡ଼ି ହେଇ, ଇମିତିକା ଖବର ପର୍ଯ୍ୟନ୍ତ ରଖିହେଲାନି । ଆଜି କ’ଣ ବାପାଙ୍କ ମନରେ ଏ କଥା ପୁଣି ଜାଗିଲା ? ହଁ, ହଁ, ଦୁଲିମା । ହଁ ହଁ....ତୁ..... ।

 

ବିସ୍ମୟଭରା ବେଦନାର୍ତ୍ତ ଆଖି ଯୋଡ଼ିକ ଉଜ୍ଜ୍ୱଳ ହୋଇ ଉଠିଲା ସେଥିରେ ପୁନଃ ପରିଚୟର ସ୍ଵାକ୍ଷର ସୁସ୍ପଷ୍ଟ ।

 

ମ୍ଳାନ ଓଠ ପତାର ଶରତ ସୂର୍ଯ୍ୟର ହସ–କ୍ଷଣିକ ହେଲେବି ପ୍ରାଣମୟ । ବାଷ୍ପାକୁଳ ଆଖି କୋଣରେ ତାଙ୍କର ଜମିଉଠିଛି ଆପାତୀତ ଆନନ୍ଦର ଆକୁଳ ଆବେଗ ।

 

ବିହ୍ୱଳ ବ୍ୟଗ୍ରତାରେ ମୋ ମୁହଁଟିକୁ ଦି’ହାତରେ ଟାଣିଆଣିଲେ ତାଙ୍କର ମୁହଁ ପାଖକୁ । ଅଙ୍ଗେ ଅଙ୍ଗେ ମୋର ମଧୁର ସେହ୍ନର ସୁଶ୍ୟାମଳ ପରଶ ।

 

ଜନ୍ମଦାତା ଜନକ ସେ ନୁହନ୍ତି ସତ କିନ୍ତୁ ମୋ ଜୀବନରେ ତାଙ୍କଠୁଁ ମହତ୍ତର କିଏ ?

 

ଦୁଲିମା, ନର୍ସ ହୋଇଛୁ ?

 

ହଁ ବାପା, ଆପଣଙ୍କ ଆଶୀର୍ବାଦରୁ ।

 

ନା ମା’, ଭଗବାନଙ୍କ ଦୟା

 

ବାପା; !

 

ଗୋଟାଏ କି ଗଭୀର ଚିନ୍ତା ଭିତରେ ବାପା ଅନ୍ୟମନସ୍କଭାବେ କହିଲେ–‘ଉଁ’

 

ଆପଣଙ୍କର... । ସମସ୍ତ ଅତୀତଟାକୁ କ୍ଷଣିକ ମଧ୍ୟରେ କଳ୍ପନା କରି ମୋର ବାକ୍‍-ରୋଧ ହୋଇଗଲା । ବାପାଙ୍କର ଚିନ୍ତା ଜାଲ ଛିନ୍ନଭିନ୍ନ ହୋଇଗଲା ସେଇ ଗୋଟାଏ ଅବ୍ୟକ୍ତ ପ୍ରଶ୍ନରେ ।

 

ହଁ ମା’, ମୋର ଏ ଅବସ୍ଥା ଦେଖି ତୁ ବିସ୍ମିତ ହେଉଛୁ ?

 

ବିସ୍ମିତ ହେବା କଥା କ’ଣ ନୁହେଁ ? ମନେମନେ ବିଚାରିଲି । ଘରକୁ ଯାଇଛି ଶୁଣିଛି, ମା’ ବିରକ୍ତ ହେଇ କହନ୍ତି–

 

ସବୁତ ପେଟକୁ ଖାଉଚ । ଭଲ ମନ୍ଦ ଖଣ୍ଡେ କିଛି କରି ରଖିବାକୁ ନାହିଁ ? ପୁଣି ଭବିଷ୍ୟତ ଅଛିତ ?

 

ବାପା ପ୍ରାଣଖୋଲା ହସିଟିଏ ହସନ୍ତି । ନିର୍ମଳ ଦୁଷ୍ପ୍ରାପ୍ୟ ସେ ହସ ।

 

ତମେ ସେଇ ତାଙ୍କ ଘର ମଝିଆଁ ବୋହୂ, ଆଉ ସେ ମାହାନ୍ତି ବୋହୂର ନଣନ୍ଦର ଗହଣା କଥା କହୁଚତ ? ଆରେ ପେଟକୁଖାଇଲେ ସିନା ପିଠିକି ସହିବ । ଏଇ ଯେ ଦେହଟା ମୁଁ ଗଢ଼ିଛି, କୁହତ କେତେଜଣଙ୍କର ତା’ ଅଛି । ସାରା ସହରରେତ ବୋହୂ ଝିଅ ଦେଖୁଚ–ଦେଖେଇ ଦିଅତ ମିଲି, ରେଣୁ ଭଳି ଝିଅ ଦି’ଟାର ସ୍ୱାସ୍ଥ୍ୟ-ରୂପ ।

 

ଥାଉ ଥାଉ, ଆଉ ନିଜଗୁଣ ଗାଅନି– । ମୁହଁ ମୋଡ଼ନ୍ତି ମା’ ।

 

ଦେଇପାରିବ ତୁମ ଅଳଙ୍କାର ଏମିତି ସ୍ୱାସ୍ଥ୍ୟ ରତ୍ନ ? ବାପା ଚାହାନ୍ତି ମା’ ମୁହଁକୁ, ତା’ପରେ କଣ୍ଠ ସ୍ଵରକୁ ଖୁବ୍‍ ଧୀରକରି କହନ୍ତି–

 

ବୁଝିଲ ମିଲିମା’, ଯାହାର ରୂପ ନାହିଁ ସେ ସିନା ଅଳଙ୍କାର ଦେଇ ନିଜକୁ ଅପରୂପ କରେ, ଆଉ ଯାର ତୁମ ଭଳି...ମା’ କହୁଥିଲେ–ଯାଅ ।

 

ବାପାଙ୍କ ମୁହଁର ଅସରା କଥାଟା ଅପରୂପ ହସଦେଇ ଫୁଟି ଉଠୁଥିଲା, ତା’ର ସୌରଭ ଆଜି ବି ମୋ ମନରେ ଅମ୍ଳାନ । ଆଜି ବି ମୋ ସ୍ମୃତିରେ ଅଭୁଲା ରୂପ ନିଖୁଣ ରହିଛି । ବାପାଙ୍କର ସେହି ରୁଦ୍ରମୂର୍ତ୍ତି ଶରୀର ଭିତରେ କମନୀୟ କୋମଳ ମନଟି–ଥିଲା ମା’ ସେଥିପାଇଁ ସେ ରୁଦ୍ର ସୁନ୍ଦର ।

 

ଆଜି ଖାଲି ଦୀର୍ଘ ଶ୍ୱାସଟିଏ ବାହାରି ଆସିଲା ଅମାନିଆ ଭାବେ । ଯେ ଥିଲେ ଦିନେ ସ୍ୱାସ୍ଥ୍ୟର ପୂଝାରି, ସ୍ଵାସ୍ଥ୍ୟକୁ ସମ୍ପଦ କରି ଯେ ଶୁଭାରମ୍ଭ କରିଥିଲେ ନିଜର ଜୀବନ–ତାଙ୍କରି ଜୀବନରେ ଏ ଚରମ ବିପର୍ଯ୍ୟୟ କ’ଣ କମ୍‍ ବିସ୍ମୟକର ?

 

ସବୁ ମୋ ଭାଗ୍ୟଲିପି । ଜୀବନରେ ଯେ ଏମିତି ଦୁର୍ଯ୍ୟୋଗ ଆସିବ, ତା’ କ’ଣ ମୁଁ କଳ୍ପନା କରିଥିଲି ? ...ମିଲିକୁ ଦେଇଥିଲି କଲିକତାରେ । ଜୋଇଁ ବିରାଟ ସମ୍ପତ୍ତିର ମାଲିକ । କଳା ରୂପଟାକୁ ତୁଚ୍ଛ ମଣି ମୁଁ ଦେଖିଲି ଜୋଇଁର ନିଟୋଳ ସ୍ୱାସ୍ଥ୍ୟ ଆଉ ଅମାପ ଧନ । ଜୋଇଁ ମୋର ଦେଖିଲା ଗରିବ ଝିଅର କନକ ପ୍ରତିମ ରୂପ ଆଉ ସୁଗଠିତ ସ୍ୱାସ୍ଥ୍ୟ ।

 

କିନ୍ତୁ କିଏ ଜାଣିଥିଲା ସେ ହର୍ସରେଶ ଆଉ ଲଟେରୀରେ ବର୍ଷ କେଇଟାରେ ସର୍ବଶ୍ୱାନ୍ତ ହେବ । ଆଉ ଶେଷକୁ ତା’ର ସର୍ବସ୍ଵ ପୋଷିବାକୁ ହେବ ମୋତେ । ପୁଣି ସବୁଠୁ ଦାରୁଣ କଥା–ବର୍ଣ୍ଣାଡ଼ ସ’ଙ୍କ ପରିହାସ ଫଳିଲା ମିଲି’ର ଜୀବନରେ ! ମିଲିର ପୁଞ୍ଜିଏ ଖାଲି ଝିଅ–ଆଉ ସବୁଗୁଡ଼ା ମଶାଣିଚଣ୍ଡୀ । ବିଶ୍ଵାସ କର ମା’, ଏମିତି କୁରୂପା ଝିଅ ମୁଁ ଜୀବନରେ କମ୍‍ ଦେଖିଛି । ମିଲିଯେ ପାଗଳୀ ହେଇଯାଇନି ସେଇୟା ମୋର ଭାଗ୍ୟ । ଗୋଟାଏ ନୁହେଁ ଦୁଇଟା ନୁହେଁ–ପାଞ୍ଚଟି ଝିଅ, ସେ କରିବ କ’ଣ ? ପୁଣି ମୋର ସାନ ଦି’ଟା ପୁଅ ହେଲେ ନିର୍ଘାତ ଅପଗଣ୍ଡ । ସାରା ଜୀବନ ମୁଁ ଖେଳ କସରତ କରି ବିତେଇଲି–ଅଥଚ ମୋତେଇ ମୋ ଭାଗ୍ୟ କଲା ନିଦାରୁଣ ପରିହାସ ! ଦି’ପୁଅ ଯାକ ଖେଳକୁ ମଜବୁତ୍ ଆଉ ପାଠକୁ ଶୂନ । ଗୋଟାକୁ ସେଦିନ ଏମିତି ମାଡ଼ ଦେଲିଯେ–କୁଆଡ଼େ ପଳେଇଚି ପତ୍ତାନାହଁ ।

 

ଧଇଁ ସଇଁ ହେଇ ଗୋଟାଏ କଡ଼କୁ ମୁହଁ ଫେରେଇ ନେଲେ–ସଜଳ ଆଖିଟା ଲୁଚେଇବା ପାଇଁ କି କ’ଣ ।

 

କଥାଟା ଶୁଣି ମୁଁ ଶିହରି ଉଠିଲି । ବାପାଙ୍କର ଅପରିସୀମ ସନ୍ତାନ ବାତ୍ସଲ୍ୟ ଯେ ନିଜ ଆଖିରେ ନ ଦେଖିଚି ସେ ଆଜି ମୁହଁର କଥା ଶୁଣି ହୁଏତ ବିଶ୍ୱାସ କରିବେନି ।

 

.....ମା’, ଋଣ କରଜ କରି ସବୁ ମୁଣ୍ଡେଇ ଯାଇଥିଲି । ମୋତେ ଶେଷ କଲା ଏଇ ରୋଗ । ଦୀର୍ଘଦିନର ଅତିପ୍ରିୟ ଅଭ୍ୟାସଗତ ବ୍ୟାୟାମଗୁଡ଼ା ସମାନ ଗତିରେ କରିଚାଲିଥାଏ, ବହୁଲୋକର ବାରଣ ସତ୍ତ୍ୱେ, ଆଉ କାଳ ରୋଗଟା ମାତି ଉଠୁଥାଏ ଭିତରେ ଭିତରେ । ତୋ’ ମା’ ଯେତେ ଚିକିତ୍ସା କଥା କହିଲେବି ମୁଁ ମୋଟେ କାନ ଦେଇନି । କାନ ଦେଇବି କରନ୍ତି କ’ଣ କହିଲୁ ମା’ । ଆଖି ଆଗରେ ସବଂଶକୁ ପେଜ ତୋରାଣି ଶାଗ ମେଞ୍ଚେଦେଇ ମୁଁ ଖାଇବି ଦୁଧ, ଅଙ୍ଗୁର, ଫଳ ଔଷଧ । ଦୁର୍‍ ଦୁର୍‍ ଏମିତି ଫଳ ଗୁହମୁତ ସଙ୍ଗେ ସମାନ ।

 

ଖୋ ଖୋ କରି କାଶିଉଠି ନ ଥିଲେ ହୁଏତ କଥାର ସୁଅଟା ବହି ଚାଲି ଥାଆନ୍ତା ।

 

ମିନତି କଲି–ବାପା, ଚୁପ୍ କରନ୍ତୁ ।

 

ହଁ ମା’ ଚୁପ୍‍ କରିବି । ସ୍ତ୍ରୀ ଜାତିଟା ଭାରି ଅଭିନୟ କୁଶଳୀ ମା’ । ତୋ ମା’ କି ସୁନ୍ଦର ଅଭିନୟ କରିଥିଲା । ମରିବାର ଆଗଦିନ କ’ଣ ମୁଁ ଜାଣିଥିଲି ଯେ ସେ ଦୀର୍ଘଦିନ ଭୋଗୁଛି ଯକ୍ଷ୍ମାରେ ?

 

କଥାଟା ଶୁଣି ମୁଁ ଆର୍ତ୍ତନାଦ କରି ଉଠିଲି । ରୋଗୀମାନେ ଅର୍ଦ୍ଧ ସୁଷୁପ୍ତି ଭିତରେ ଚମକି ଉଠିଥିବେ ନିଶ୍ଚୟ ।

 

ଅଶୋକ କଢ଼ ଭଳି ନାଲି ଟକ୍‍ଟକ୍‍ ଆଙ୍ଗୁଳି ଦଶଟି–ଅଳତା ବୋଳା ଛୋଟ ଚଞ୍ଚଳ ପାଦଯୋଡ଼ିକ ସରୁ ନାକ ଉପରେ ଗଙ୍ଗା ମାଟିର ତିଳକ–ସୁବର୍ଣ୍ଣକାନ୍ତି ଦୁର୍ଗା ପ୍ରତିମା ମୁଖ, ମମତାମୟୀ ମା’ଙ୍କ ସ୍ନେହମୟୀ ରୂପ । ଅପରୂପ ଅପସୋରା । …‘ବାପା, ମା’ କ’ଣ…ବହୁକଷ୍ଟରେ ଏତକ ମୁଁ ଉଚ୍ଚାରଣ କଲି’

 

ହଁ ମା’, ସେଇତ ମୋ ମେରୁ ହାଡ଼ଟା ଭାଙ୍ଗିଦେଇଗଲ । ମୁଁ ସିନା ରୋଗଟା ସହିଗଲି । କପୋତୀ ଭଳି ନରମ ସେ, ଫାଙ୍କିଦେଇ ଉଡ଼ିଗଲା । ମୋର ରୋଗଟା ବଢ଼ିବାକୁ ଲାଗିଲା, ମୋତେ ଆଉ ସ୍କୁଲରେ ରଖିଲେନି । କେମିତିବା ରଖନ୍ତେ ? ମୁଁ ବି ଅନେକଦିନରୁ ଚାହୁଁଥିଲି ନିଷ୍କୃତି–ବିବେକ ମୋତେ ଦଂଶନ କରୁଥିଲା, ଅହରହ ଖାଲି ପଇସା ଗଣ୍ଡାକ ପାଇଁ–ତା’ ନ ହେଲେ ଯେ ପିଲାକବିଲାଗୁଡ଼ାକ... ।

 

ୟା ଉପରେ ପୁଣି ମିଲିର ଯେଉଁ ଗଞ୍ଜଣା–ଝିଅ ହେଇ ତା’ର ଜନ୍ମଦାତା ବାପକୁ । ମୁଁ ବି କିଛି ଅକଥା କହିବାକୁ ବାକିରଖିନି ।

 

ତୋତେ କହିବାକୁ କାବା ଲାଗୁଥିବ ମା’ । ସେ ମୋ ଜନ୍ମକଲା ଝିଅ, ତା’ ନାଁରେ ମିଛ କହିବି ? ସେ ଯେ କି ହିଂସ୍ର, କି ସ୍ୱାର୍ଥପର ତା’ ତୁ ବୁଝିବୁନି ମା’ ।

 

ମୁଁ ମର୍ମେ ମର୍ମେ ଅନୁଭବ କଲି, ସଂସାରରେ ବିସ୍ମୟବୋଲି କିଛି ନାହିଁ । ଏମିତି ଶୋଚନୀୟ ଅବସ୍ଥା ମଣିଷକୁ ଅମଣିଷ କରି ଟାଣିନେଇଯାଏ ଶୈତାନର ଆସନକୁ ତା’ ନ ହେଲେ…ଗୋଟାଏ ଦୀର୍ଘଶ୍ୱାସ ବାହାରି ଆସିଲା ।

 

ମୋ ଜନ୍ମଦାତା ବାପା ନାହାନ୍ତି–ଜନକର ସ୍ନେହ ମୋ ପୋଡ଼ା ଜୀବନରେ ପାଇନି । ମୁଁ ଜୀବନରେ କେବଳ କଳ୍ପନାର ଅମୃତ ଆକଣ୍ଠ ପାନ କରିଛି–ପିତୃସ୍ନେହ କେଡ଼େ ମଧୁର କେତେ ଦୁର୍ଲଭ ! ହୀନ କପାଳରେ ପାଇନି ବୋଲି ବିଧାତାଠାରେ ଦୋଷାରୋପ କରିଛି । ହାଏରେ, ମଣିଷ ଯାହା ହାତମୁଠାରେ ‘ପାଏ ତା’ଠାରେ କ’ଣ ସେଇଟା ହୁଏ ତୃଣବତ୍ ତୁଚ୍ଛ–ଆଉ ଯାହା ସେ ଶତ ଚେଷ୍ଟାରେ ବି ପାଏନି ତାହାହିଁ ହୁଏ ଲୋଭନୀୟ, ମୋହନୀୟ, କାମ୍ୟ ?

 

ସେତେବେଳେ ବାପା କହି ଚାଲିଥିଲେ–ମିଲିକଥା ଶୁଣି ତୋତେ କାବାଲାଗୁଛି ନା ? ତୋତେ ମୁଁ ଠିକ୍ ବୁଝେଇ ପାରିବିନି–ଚରମ ଦାରିଦ୍ର୍ୟର ଭୟାବହ ଦାବାଗ୍ନିରେ ଯେ ଦଗ୍ଧମାନ ସେ’ଇ କେବଳ ବୁଝିବ । ଦରିଦ୍ର୍ୟର ନିଷ୍ଠୁର ଅଭିଶାପରେ ପରସ୍ପରକୁ ଭୁଲ ବୁଝିବାହିଁ ହେଲା ସ୍ଵାଭାବିକ । ଅନାଟନର ସଂସାରରେ ସ୍ଵାର୍ଥର ସଂଘର୍ଷରେ ଅପତ୍ୟ ସ୍ନେହ ମିଳେଇଗଲା କୁଆଡ଼େ । ମୁଁ ଯେମିତି ଭୁଲ ବୁଝିଲି ମିଲିକି, ସେ ବି ମୋତେ ଭୁଲ ବୁଝିଲା । ଦୀର୍ଘ ନିଃଶ୍ୱାସଟେ ନେଇ କହିଲେ–ଘରସଂସାର କଲେ ତୁ ବୁଝିବୁ ମା’ ।

 

ସମଗ୍ର ପୃଥିବୀର ରୂପ ହଠାତ୍ ବଦଳିଗଲା ମୋ ଆଖି ଆଗେ, ସବୁଜ, ଶ୍ୟାମଳ ମନେହେଲା ବିବର୍ଣ୍ଣ, ପାଣ୍ଡୁର କୁତ୍ସିତ । ସତେକି ବସନ୍ତର ସୁରଭି ମଳୟ ରୂପାନ୍ତରିତ ହେଲା ଖର ବୈଶାଖୀରେ । ଅବୋଧ ଶିଶୁର ଦରୋଟି କଥା, ମା’ ଡାକର ମଧୁରତା କ’ଣ ବିଷ ହେଇଗଲା । ତା’ହେଲେ କ’ଣ ଦୂର ପର୍ବତଭଳି ଏ ସଂସାରଟା ପ୍ରତୀୟମାନ ହୁଏ କମନୀୟ, ଲୋଭନୀୟ ? ତେବେ ଯେ... ଅଶୋକର ସେହି ସୁଶ୍ରୀ କମନୀୟ କାନ୍ତି–ଅତୀତ ଦିନର ବାପାଙ୍କର ସେହି ଯୌବନଶ୍ରୀ । ମଧୁବସନ୍ତର ନବ କିଶଳୟ ଭଳି ତା’ର ଚିଠିରେ ମୋ ସୁଟକେସ୍‍ଟା ଭରି ଉଠିଛି । କେତେ କଥା ସତରେ ସେ ଲେଖନ୍ତି–‘ପ୍ରାଣର ଦୁଲାଳୀ’

 

ତୁମର ପରିଚୟ ଚାହିଁ ତୁମର ଅସମ୍ମାନ କରିବାକୁ ମୁଁ ଚାହୁଁନି । ତୁମେଇ ତ ତୁମର ସମ୍ୟକ ପରିଚୟ, ସ୍ୱଚ୍ଛ ମନର ନିର୍ମଳ ଅନ୍ତରର ପ୍ରାଣମୟ ସ୍ପର୍ଶ ଯେ ପାଇଛି, ବାହାରର ପରିଚୟ ତାଠି କି ଦରକାର ?

 

କେତେ ସ୍ଵପ୍ନ–ମନୋଦ୍ୟାନରେ ଫୁଲହେଇ ଫୁଟିଛି, କେତେ କାମନା ଆକାଶର ତାରାଭଳି ଜଳି ଉଠିଛି... ।

 

ଆଜି ବାପାଙ୍କର ଏଇ ମର୍ମନ୍ତୁଦ କାହାଣୀ ସୃଷ୍ଟି କରୁଛି ଏକ ପ୍ରଳୟଙ୍କରୀ ହୃତକମ୍ପ । ଅସ୍ଵଚ୍ଛ ଅଇନାରେ ବିକୃତ ପ୍ରତିବିମ୍ବଭଳି ଏକ ବିଷଦୃଶ୍ୟ ରୂପ ମୋତେ ଉପହାସ କରୁଛି । ମଝିରେ ଅଶୋକର ଅଶରୀର ରୂପ ନିକଟତର ହେଲା କି ଏକ ପ୍ରଶ୍ନିଳ ଦୃଷ୍ଟିରେ । ବିବାହ ପରେ ମୋର ଗଚ୍ଛିତ ଟଙ୍କାଟି ଟେକିଦେବି ତାଙ୍କରି ହାତକୁ–ମୁଁ ପ୍ରତିଶ୍ରୁତି ଦେଇଛି । ସାରା ଜୀବନ ସଂଗ୍ରାମ କରି ଗଢ଼ି ତୋଳିଚନ୍ତି ତାଙ୍କର ମହନୀୟ ଜୀବନ । ଆଉ ବର୍ଷକ ଭିତରେ ତାଙ୍କର ମେଡ଼ିକେଲ ପାଠ ସରିବ । ତା’ପରେ ହୁଏତ ଆମେ ଚଢ଼ିବା ଆମର ବହୁ ଆଶାର ମଣିଷର ଚିର ଆକାଂକ୍ଷିତ ଘରସଂସାର ।

 

ସମ୍ମୁଖରେ ବାପା । ନିଃସହାୟ ସମ୍ବଳ ବିହୀନ । ମୁଁ ଯଦି ମୋର ଗଚ୍ଛିତ ଦୁଇ ହଜାର ଟଙ୍କାରେ ପୁଣି ତାଙ୍କୁ ସୁସ୍ଥ କରିପାରନ୍ତି–ଫେରିପାଆନ୍ତି ମୁଁ ଏକ ଅମୂଲ୍ୟ ସମ୍ପଦ ।

 

କିନ୍ତୁ ।

 

କ’ଣ କରିବି ? କାହାକୁ ପଚାରିବି ?

 

ସମଗ୍ର ବିଶ୍ଵରେ ଯେ ଦୁଇ ଜଣଙ୍କୁ ପଚାରି ପାରନ୍ତି, ଏ ଯେ ସେହି ଦି’ଜଣକୁ ନେଇ ଦ୍ଵନ୍ଦ୍ୱ-

 

ସବୁ ସଂଶୟ ସବୁ ସଂକୋଚକୁ ଜଳାଞ୍ଜଳି ଦେଇ ବାପାଙ୍କ କଥାର ଖିଅଧରି ପଚାରିଲି, ବାପା, ତୁମେ ପୁଣି କହୁଚ ‘ଘରସଂସାର’ କଥା ?

 

ବାପା ବୋଧହୁଏ ହସିଲେ, ଅତି କରୁଣ ସେ ହସ ।

 

ଅସମ୍ପୂର୍ଣ୍ଣ ଜୀବନର ପୂର୍ଣ୍ଣତା ତା’ ସେଇଠି ମା’ । ଦେଖନ୍ତୁ, କେତେ ସଭ୍ୟତା, କେତେ ପ୍ରାସାଦ, କେତେ ଘର ମାଟିରେ ମିଶିଯାଇଚି, ତଥାପି ମଣିଷ ସେ କେଉଁ ଅନାଦି ଅନନ୍ତ କାଳରୁ ପଥର ଗୁହାରେ, ଗଛ ଉପରେ କିମ୍ବା ଇଟା, ମାଟି, ପଥରର ଛାତ ତଳେ ବାନ୍ଧିଛି ତା’ ଘରସଂସାର । ହରପ୍‍ପା, ମହେଞ୍ଜୋଦାରୋର ବିକଳାଙ୍ଗ ଧ୍ଵଂସସ୍ତୂପ ତା’ ମନରେ ଟିକିଏ ବି ସଂଶୟ ସୃଷ୍ଟି କରିପାରିନି ।

 

ମୋ ମନର ଗୋଟାଏ ପାଖେ ଅଶୋକ, ଅପର ପାଖରେ ବାପା, ଦୁହେଁ କାମ୍ୟ, ଉଭୟେ ମହତ୍ । ମଣିଷ ନିଜ କାମରେ ଅନ୍ୟ ଜଣକର ସମର୍ଥନ ଆଶାକରେ । ସେହି ସମର୍ଥନ, ଅନୁମୋଦନ ସବୁଠୁଁ ମୂଲ୍ୟବାନ । କହି ପକେଇଲି–ବାପା, ମୁଁ ତମକୁ ଭଲ କରିବି, ପୁଣି ତୁମେ ସୁସ୍ଥ ହେବ ।

 

ବାପା ହସିଲେ । –ପାଗଳୀ, ଏ କ’ଣ ସାରିବା ରୋଗ ?

 

ହଠାତ୍ କଥାଟା ଶୁଣି ଚମକି ପଡ଼ିଲି । କି ଦାରୁଣ ହତାଶା ! କ’ଣ କହି ମୁଁ ଫେରେଇ ଆଣିବି ବିଶ୍ଵାସ ? ରୋଗୀ ମନର ଅବିଶ୍ଵାସ ତ ତା’ର କାଳ । କିମିତି ସେ ବିଶ୍ଵାସ ପାଇବେ ? କିପରି ମୁଁ ବୁଝେଇବି, ଯେ ସେବା ଯତ୍ନରେ ପୁଣି ସେ ସୁସ୍ଥ ହୋଇ ଉଠିବେ ? ନିଜ ହାତରେ ମୁଁ ଏଇଠି ସୁସ୍ଥକରି ତୋଳିଛି କେତେ ରୋଗୀ ।

 

ଯେ ପରପାଇଁ ଆଶାବାଦୀ ସେ ନିଜ ଜୀବନ ସମ୍ବନ୍ଧରେ ନିରାଶ । ତା’ ମନ ଚତୁର୍ଦ୍ଦିଗରେ ଗଭୀର କୁହେଳି । ପୁଞ୍ଜିଭୂତ ଅନ୍ଧକାରର ଉତ୍ତଙ୍ଗ ସ୍ତୂପ ।

 

ମୋ ମନ ବିଦ୍ରୋହୀ ହୋଇ ଉଠିଲା । ସତେକି ମୋ ଆଖି ଆଗେ ହସିଉଠିଲା ସେଇ ସତର ବର୍ଷ ତଳର ହେମନ୍ତ ପ୍ରଭାତର ସୁବିମଳ ପ୍ରଶାନ୍ତ ମୁଖଟି । ସହଜ ଜୀବନର କମନୀୟ ହସ-। ମୋ ଗଚ୍ଛିତ ଅର୍ଥର ପ୍ରତିଟି ମୁଦ୍ରାଦେଇ ଯଦି ମୁଁ ସୁସ୍ଥ କରି ତୋଳେ–ଯଦି ମୁଁ ଫେରିପାଏଁ ସେହି ନିଷ୍କଳୁଷ ବିମଳ ଅନ୍ତର, ତେବେ ସିନା ହେବ ମୋ ଜୀବନର ଚରମ ସାର୍ଥକତା । କିନ୍ତୁ ଅଶୋକ-? ସେ କି ବୁଝିବ ? ସେ କି ଜାଣିବ, ଉପଲବ୍ଧି କରିବ ମୋ ମର୍ମବେଦନା ? ଟଙ୍କା କେତୋଟି ନ ପାଇଲେ ପରୀକ୍ଷା ଦେଇ ପାରିବନି । ସେତେବେଳେ ମୋତେଇ ତ ଭୁଲ ବୁଝିବ । ପ୍ରତାରଣା ବୋଲି ଭାବିବ ।

 

ଏଇଥିପାଇଁ ଯଦି ସେ ଭୁଲ ବୁଝେ ତା’ ବି ଶ୍ରେୟ । ମୋ ବ୍ଲାଉଜ୍‍ ତଳର ସବୁଜ ଚିଠିର ଅକ୍ଷରଗୁଡ଼ା ଜୀବନ୍ତହେଇ ହୃଦ୍‍ ସ୍ପନ୍ଦନ ଦ୍ରୁତତର କଲା । କ’ଣ କହେ ସେଇ ଜୀବନ୍ତ ଅକ୍ଷରର କୋଟି କୋଟି ପ୍ରାଣବିନ୍ଦୁ ?

 

ବାପାଙ୍କ ପାଖରୁ ଉଠିଆସିଲି–ଉଦ୍ବେଳିତ ଅଶ୍ରୁ ଗୋପନ କରିବାକୁ । ଚିଠିଟା ଖୋଲିଲି–ପୁଣି । ‘ସେ ଶୀଘ୍ର ଆସିବେ ।’

 

ଏଇ କଥାରେ କ୍ଷଣ ପୂର୍ବର ମଧୁମୟ ପ୍ରାଣର ମନୋରମ ରୋମାଞ୍ଚ ହଠାତ୍‍ ମନେହେଲା କି ଏକ ନିଦାରୁଣ ଶିହରଣ । ଭୟଙ୍କର ଆଶଙ୍କା ।

 

ମୋ ଜୀବନର ଏ ନିଦାରୁଣ ଦ୍ଵନ୍ଦ୍ୱରେ ସେ କ’ଣ ଭୁଲ ବୁଝିବେ ? ବୁଝିବାକୁ ଭୁଲ କରିବେ ମୋ ପ୍ରାଣର ବେଦନା–ଅନ୍ତରର ଭାଷା ?

 

ଉଭୟେ ମିଳି ବାପାଙ୍କୁ ସୁସ୍ଥ କରିବାକୁ ଚେଷ୍ଟା କରିବାରେ ସେ କ’ଣ ମୋତେ ଭଲପାଇବାର ମର୍ଯ୍ୟାଦା ଦେବେନି ?

 

ଚିକ୍‍ ଚିକ୍‍ ଚିକ୍‍ ବିଜୁଳି, ରିମ୍‍ ଝିମ୍‍ ରିମ୍‍ ଝିମ୍‍ ବରଷା । ନିବିଡ଼ ଅନ୍ଧକାରରେ ବିଦ୍ୟୁତ୍‍ ଦୀପ୍ତିରେ ସାରା ଜଗତ ଉଦ୍ଭାସିତ । ବର୍ଷାର କେତୋଟି ଶୀତଳ ବିନ୍ଦୁର ମଧୁର ସ୍ପର୍ଶ ମୋର ଉଷ୍ଣ କପାଳରେ । କି ମଧୁର ଏଇ ବର୍ଷା ବିନ୍ଦୁ !!

 

ରାତିର ଜେସ୍‍ମିନ୍‍

 

ଛୋଟ ସହରର ରାତି । ମହାନଗରୀ ନୁହେଁ, ଛୋଟ ସହର । ଅଥଚ ଦିନରେ ସେ ବେଗମ ମହଲାର ଶାହାଜାଦା ଭଳି ଝଲମଲ କରେ । ରାତିର ତରଳ ଅନ୍ଧାର ଭିତରେ ମନେହୁଏ ଠିକ୍‍ ରାସ୍ତା କଡ଼ର ସେଇ ଭିକାରି ଝିଅ–ନଗ୍ନ ଅଥଚ ବାସ୍ତବ । ଅଦ୍ଭୁତ ରୂପ ଧରେ ରାତିରେ । ଦିନରେ ଆଲୁଅ ଆଉ ରାତିର ଅନ୍ଧାର ଭିତରେ ଜମିନ୍‍ ଆସମାନ୍‍ ଫରକ୍‍ ଏ ସହରର ରୂପ ।

 

ପିଚୁଢଳା ସଡ଼କଟା ଅଳସ ଅଜଗରଭଳି ଶୋଇଚି । ବତୀଖୁଣ୍ଟର ଆଲୁଅ ନିର୍ଜୀବ ଆଖିରେ ଚାହିଁଚି । ଦୁନିଆର ସମସ୍ତ ବିସ୍ମୟ ଆଉ କୌତୂହଳ ଭରି ରହିଚି ସେ ଆଖିରେ । ଦିନଯାକ ଆଖିବୁଜି ରହେ–ସନ୍ଧ୍ୟାରେ ବିସ୍ମୟରେ ଚାହେଁ–ଯେତେ ଦେଖେ ସେତେ ଅବାକ୍‍ ହୁଏ, ଆଉ କ୍ରମେ ବିବର୍ଣ୍ଣ ହୋଇ ଉଠେ ।

 

ସହରର ବଜାର ଏଟା । ସହରଟା ପୁରୁଣା, ପୁରୁଣା ତା’ର ଇତିହାସ । ଆଉ ତା’ ଜୀବନ ଜଡ଼ିତ, ତା’ ପାଖ ଦେଇ ବହିଯାଉଛି ଯେଉଁ ନଇଟା ତା’ ସଙ୍ଗେ । ନଈର ଯୌବନରେ ସେ ଆମଦାନୀ କରିଥିଲା ଦେଶ ବିଦେଶର ହରେକ ଜାହାଜ, ହରେକ ଦେଶର ଲୋକ ଆଉ ହରେକ କିସମର ଚିଜ । ସେ ବୁଢ଼ୀ ପାଲଟି ଯାଇଛି । ଛାଡ଼ି ଯାଇଛନ୍ତି ସମସ୍ତେ । ସହରଟା ବି ଦିନ ଦିନ ମରିଯାଉଛି । ଏବେବି ବୁଢ଼ୀନଈ ପଟୁ ପକାଏ । ନଈ ସେପଟେ କଳା କଳା ଦି’ଗୋଡ଼ିଆ ଜୀବଗୁଡ଼ାକ ଲହୁ ଆଉ ଝାଳ ମିଶେଇ ଫସଲ ଫଳାନ୍ତି । ଫଳେ ସୁନା ମୁଠି ଧାନ, ଶାକସବଜି, ପନିପରିବା । ଦୈତ୍ୟଭଳି ସଡ଼କଟା ପାଟି ମେଲେଇ ଦିନବେଳେ ଗିଳି ପକାଏ । ରାତିରେ ସେ ନିଶ୍ଚିନ୍ତରେ ଶୋଇରହେ । ବତୀଗୁଡ଼ାକ ମିଟ୍‍ ମିଟ୍‍ ଚାହିଁ ରହେ । ନୀରବରେ ହସେ । ସହରର ରାତି, ଅଦ୍ଭୁତ ତା’ ରୂପ ।

 

ଲୁହା ଫାଟକ ଆଉ ପକା ମହଲା ଭିତରେ ବିଜୁଳି ପଙ୍ଖା ବୁଲେ । ନୀଳ ଆଲୁଅ ଜଳେ । ଫୁଲଦାନିର ହାସ୍‌ନାହାନା, ରଜନୀଗନ୍ଧା କି ଜେସମିନ୍‍ ବିଞ୍ଚିଦିଏ ମହକ । ଜମାଖାତାରେ ମୋଟା ସଂଖ୍ୟାଟିଏ ବସାଇ ଆରାମରେ ଶୋଇପଡ଼ନ୍ତି ଜହୁରୀ, ଲୁଗା ଆଉ ମନୋହାରୀ ଦୋକାନର ମାଲିକ । ଆଉ ଗୋଟାଏ ମହାଯୁଦ୍ଧ ହେଲେ ସେ କୋଠାଟାକୁ ଆହୁରି ବଡ଼ କରିବ ଆଉ ବିକାନୀର ଯାଇ ବାହାଶାଦି ହେଇ ଆସିବା ।

 

ଦୋକାନ ବଜାର ବନ୍ଦ । ପୂରାପୂରି ବନ୍ଦ କହିଲେ ଭୁଲ ହେବ । କାହିଁକି ନା ବଜାରର ଦୁଇ ତିନିଟା ଜାଗାରେ କେତୋଟି ପାନ ବିଡ଼ି ଦୋକାନ, ଗୋଟାଏ ଅଧେ ଚା’, କି ଜଳଖିଆ ଦୋକାନ ବନ୍ଦ ହୋଇନି । ସେ ଚା’ ଦୋକାନୀର ଆଲୁଅତଳେ ବସିଯାଇଚି ତାସ୍‍ର ଚମକଦାର ଆସର । ଖାଲି ଖେଳାଳୀ ନାହାନ୍ତି, ଅଛନ୍ତି ଦେଖଣାହାରୀ ବି । ବତେଇଦେନେବାଲା ଦୋସ୍ତ ମଧ୍ୟ ଅଛନ୍ତି । ମିସ୍ତ୍ରୀ ଭଗବାନ ପକ୍‌କା ଖେଳୋଓ୍ୟାଡ଼ । ଖେଳ ଦେଖୁଛନ୍ତି ନଖଣ, ପଦୁ, ସାଗିର, ନନ୍ଦୁ–ବାୟା । ଷ୍ଟେଣ୍ଡରେ ରିକ୍ସାଗୁଡ଼ା ପକେଇଚନ୍ତି ଜନତା ଟାଇମକୁ ଟେସନ ଯିବେ । ବତୀଖୁଣ୍ଟର ଆଲୁଅ ପଡ଼ିଚି ସେମାନଙ୍କ ଉପରେ । ବତୀର ସମାନ ଆଲୁଅ ପଡ଼ିଚି ହରତନ ବିବି, ଇସ୍କାପାନ ସାଇବ ଆଉ କାନ୍ଥରେ ସେହି ଏ.ଭି.ଏମ୍., ଜେମିନୀ’ର ଚିତ୍ର ତାରକା ଉପରେ । ଦୁଷ୍ଟ ସ୍କୁଲ ପିଲା ତା’ ବହି ମଲାଟ କରିବା ପାଇଁ ଛବିଟି ଛିଣ୍ଡେଇବାକୁ ପ୍ରାଣପଣେ ଚେଷ୍ଟାକରି ସଫଳ ହେଇନି ବୋଲି, ଚିତ୍ର ତାରକାର ମୁଖାବୟବକୁ ଅକ୍ଷତ ରଖିନି । ପଚା ନାଳୁଆ, ହୋଟେଲ ଆଉ ବଡ଼ା ବାଲାର ଅଇଁଠା ପତର ପାଖେ ସେ ଚିତ୍ର ତାରକାମାନେ ଯେମିତି ନିର୍ବିକାର, ସେମିତି ନିର୍ବିକାର ଏଇ ଖେଳାଳୀ ଆଉ ଦେଖଣାହାରୀ ।

 

ଏମାନଙ୍କର ଘର ଏଇ ସଡ଼କ । ଏମାନଙ୍କର ଜନ୍ମ ଇତିହାସର କୌଣସି କୋଷ୍ଠି ନାହିଁ । ଦୋକାନ ଘରଟି ରୁମ୍‍ଟି ପଛ ପଟେ ଦୋନା ଠୋଲା, ପଚା ଆମ୍ବ, ପଚା ପିଆଜରେ ପଚରା ଅଣଓସାରିଆ ଗଳିରେ ହୁଏତ ଏମାନଙ୍କର ଜନ୍ମ । ସେମାନେ ଠିଆହେବାକୁ ପାଦତଳେ ପାଦେ କଠିନ ମାଟି ପାଇନାହାନ୍ତି । ସେମାନଙ୍କର ଜନ୍ମ ଇତିହାସ ରାତିର ଅନ୍ଧକାରଭଳି ବିସ୍ମୟକର ଆଉ ଅଜଣା । ସେଇଥିପାଇଁ ରାତିର ଅନ୍ଧାରରେ ପ୍ରାଣର ସବୁ ଉଲ୍ଲାସ ନେଇ ହସିଉଠନ୍ତି–ଆଉ ଦିନର ଆଲୁଅରେ ମ୍ଳାନ, ନିର୍ଜୀବ ହୋଇପଡ଼ନ୍ତି, ଠିକ୍ ଆକାଶର ଅଗଣିତ ତାରାଭଳି ।

 

ପଦୁଭାବେ ଏ ରାତିର ଶେଷ ନାହିଁ । ଶେଷ ନ ହଉ, ରାତିଟାତ ଜୀବନର ଚରମ ସୁଖର ଲୋଭନୀୟ ମୁହୂର୍ତ୍ତ । ଦିନଟା ବିଲ୍‍କୁଲ୍‍ ଶୁଖିଲା ।

 

ଢଂ, ଢଂ... ।

 

ଦୁଇଟା ଘଣ୍ଟାର ଶବ୍ଦ ଅନ୍ଧକାର ରାତିର ଆକାଶ ବତାସରେ ଥରି ବୁଲିଲା । କଳା ରାସ୍ତାରେ ମାଡ଼ି ଆସିଲା, ଭାରିବୁଟ୍‍ର ଆଓ୍ୟାଜ୍‍ । ପଦୁର ଛାତିଟା ଦପ୍‍ ଦପ୍‍ କଲା । ନିଶ୍ଵାସଟାକୁ ପ୍ରାଣପଣେ ବନ୍ଦକରି ଛାତିର ଧଡ଼ଧଡ଼ ଆଓ୍ୟାଜ୍‍ ବନ୍ଦ କରିବାକୁ ଚେଷ୍ଟାକଲା । ଭିଡ଼ିଯାଇ ଭିକୁ ହାତର ହରତନ ବିବିକୁ ଗଭୀରଭାବେ ନିରୀକ୍ଷଣ କଲା ।

 

ପୋଲିସ୍‍ ଟର୍ଚ୍ଚ ଆଲୁଅ ପଡ଼ିଲା ତା’ ଉପରେ, ତା’ପରେ ନଖଣ ଉପରେ । ପଦୁ ଇସ୍‍କାପାନ ବିବିରୁ ଆସ୍ତେ ଆଖି ଉଠେଇ ଚାହିଁଲା ନଖଣକୁ ।

 

ରାମ୍‍ ରାମ୍‍ ଦୁବେଜୀ । ନଖଣ ଆଓ୍ୟାଜ୍‍ ଦେଲା ।

 

ରାମ୍‍, ରାମ୍‍ । ଟର୍ଚ୍ଚ ଆଲୁଅ ଲିଭିଗଲା । ଟିକିଏ ହସିଲେ ଦୁବେଜୀ, ଆଉ ତା’ ସାଙ୍ଗ ଶହେ ତେରଶ ନମ୍ବର । ସେପାଖ ରୁମ୍‍ଟିରେ ଆଓ୍ୟାଜ୍‍ ହେଲା ପଟ୍‍, ପଟ୍‍, ପଟାସ୍‍ । ଶହେ ତେଇଶର ହସଟା ବନ୍ଦ ହେଇଗଲା, ଗମ୍ଭୀରଭାବେ ଚାହିଁ ଟର୍ଚ୍ଚ ପକାଇଲା ଗୁମ୍‍ଟି ଉପରକୁ । ନଖଣ ତା’ର ବୋକାମୀ ଦେଖି ହୋ ହୋ ହସିଲା ।

 

ଆରେ ସେ ମଧୁଗୁଡ଼ିଆ ରୁମ୍‍ଟିରେ ଶୋଇ, ମଶା ସାଥିରେ ଲଢ଼େଇ କରୁଛି । କଥାଟା ଶୁଣି ସମସ୍ତେ ହୋ ହୋ କିନା ହସିଉଠିଲେ ।

 

‘ଶଳା, ନସିବରେ ନସିବ୍ ।’ ହଠାତ୍‍ କହିଉଠିଲା ଭଗ ମିସ୍ତ୍ରୀ, ସମସ୍ତେ ଚାହିଁଲେ ଭଗବାନକୁ ।

 

ଆଜି ତା’ ପଇସା ଖାଏକେ, କିନ୍ତୁ ଇମ୍‍ତି ବରାତ ଦେଖ, ଶଳା ରୁମ୍‍ଟିରେ ପଡ଼ି ଛଟପଟ ହଉଚି । ଭଗବାନ କହିଲା ।

 

ଆରେ ବାବୁଘରକୁ ଗଲେ ଯେ ଭାରିଯାର ଛାଞ୍ଚୁଣୀ ଖାଇବ ! ସେଇ ଡରରେ ନିଶାପାଣି ଟୋପେ ପକେଇ ଏଇଠି ରାତିଟା କଟେଇ ଦିଏନା ।

 

ଆରେ ସେଇଯେ ଦେଖୁଛ ତେ ମାହାଲା କୋଠା, ବର୍ଷ-କେଇଟା ତଳେ ସେଇଟା କାର ଥିଲା ?

 

ସମସ୍ତେ ଚାହିଁଲେ–ତେମାହାଲାର ଗୋଟିଏ ଝରକାକୁ । ପଙ୍ଖାଟିଏ ବନ୍‍ ବନ୍‍ ବୁଲୁଚି–ସାବ୍‍ଜା ଆଲୁଅ । ସଞ୍ଜବେଳେ ସିଲୋନ ରେଡ଼ିଓର ଗୀତ ଆସୁଥିଲା ସେଇବାଟେ । ଛଗନ ଲାଲର କୋଠା । ଭଗବାନ କହିଲା ସେଇଟା ଥିଲା ମଧୁ ଗୁଡ଼ିଆର । ଏବେ ତାକୁ ପଇସା ଜୁଟେନି ମାଇପକୁ ଲୁଗା ଖଣ୍ଡେ ଦେବାକୁ । ଏଇତ ସେଦିନ ତା’ ସାନଝିଅ, ସକାଳ ପହରୁ ଦୋକାନ ପାଖେ ଠିଆହେଇ ନେହୁରୀ ହଉଥିଲା–ପଇସା ପାଇଁ । ଘରେ ଚାଉଳ ନାହିଁ, ଚାଉଳ ନେଇଗଲେ ହାଣ୍ଡି ଚୁଲିକି ଯିବ ।

 

ଆଉ ମଧୁ ତା’ ସତାବନ ପୁରୁଷକୁ ଶୋଧୁଥିଲା ।

 

ସମସ୍ତେ ଅନୁମାନ କରିବାକୁ ଲାଗିଲେ । ଝିଅଟିକି ଦେଖିଚନ୍ତି କି ନାହିଁ, କିଏ ଜଣେ କହିଲା–ସାନ କାହିଁକି ହବମ, ଶଳା, ବାହା ହେଇଥିଲେ ଦି’ଟା ଛୁଆର ମା’ ହେନ୍ତାଣି ।

 

ସମସ୍ତଙ୍କ ଆଖି ଆଗରେ ଭାସି ଉଠିଲା ଛିଣ୍ଡା ଫ୍ରକ୍‍ ପିନ୍ଧା ଗୋଟାଏ ଝିଅର ରୂପ । କରୁଣ ଭାବେ ଚାହିଁରହିଚି ମଧୁ ଦୋକାନ ପାଖେ । ଫ୍ରକ୍‍ ପିନ୍ଧା ଚଳେନି, ତଥାପି ସେ ପିନ୍ଧିଥାଏ ମଇଳା ଫ୍ରକ୍‍ । ଥାନ ଅଥାନରେ ଛିଣ୍ଡି ଯାଇଛି । ବଜାରୀ ଟୋକା ଇସାରା କରି ହସନ୍ତି ।

 

ତା’ ବଡ଼ ଝିଅଟା ? କିଏ ଜଣେ ପ୍ରଶ୍ନ କଲା ।

 

ସେ ବିଚରା ତ ବାହାହେଇ ବି ଶାଶୁଘରକୁ ଯାଇପାରିଲାନି । ଶଳା ମଧୁ ପଠେଇଲା ନାହିଁ । ମନ୍ତବ୍ୟ କଲା ଆଉ ଜଣେ ।

 

ଆରେ ପଠେଇଲା ନାହିଁ । ଝିଅଟେ ଜନ୍ମ କରିବା ତ ସହଜ । କିନ୍ତୁ ଶାଶୁଘରକୁ ପଠେଇବା କ’ଣ ସହଜ । ମଧୁ ଯାହା ସବୁ ହାତୀ ଘୋଡ଼ା ଦବ କହି ଜୋଇଁଟେ ଜୁଟେଇଥିଲା, ତା’ ଦେଇ ପାରିଲା କାହିଁ ସେ ଝିଅ ପଠେଇବ ? ଭଗବାନ କହିଲା ।

 

ଆରେ ସେ ବି ସେମିତି ଝିଅ । ବାପର ବୋତଲ ଦୋସ୍ତ ସାଙ୍ଗରେ ଛୁ ଦେଲା ସିଧା ନାଗପୁର । ନଖଣ କହି ହସିଲା ଅର୍ଥପୂର୍ଣ୍ଣ ହସ । ସମସ୍ତେ ଉପଭୋଗ କଲେ ତା’ ହସକୁ ।

 

ଆରେ ଆଜି ଛଗନ ଲାଲର ଏଇ କୋଠା ଦେଖୁଛ, ସେଦିନ ତ ସେ କୋଉ ମରୁଭୂଇଁରୁ ଆସି ଉଧାର ନେଲା ଏଇ ମଧୁ ଗୁଡ଼ିଆଠୁଁ । ଇଏ ମଧ, ଶଳା ଲଛମୀ ବାଈକୁ ସୁନା ହାରଟିଏ ଦବାପାଇଁ ଛଗନ ଲାଲକୁ ଦୋକାନଟା ବିକି ଦେଲା । ଆରେ ମଧୁ, ତା’ ବାପ ଯେମିତି, ପୁଅତ ସେମିତି ହବ । ବାପ ବାହାହେଲା ସ୍ତ୍ରୀ ଘରେ ରଖି–ସହରରେ ତିନି ତିନିଟା ରଖଣୀ ରଖିଥିଲା । ଆଉ ମଧୁ ସିର୍‍ଫ୍‍ ଏକ ଲଛମୀ ବାଈକୁ ଖୁସ୍‍ କରିବା ପାଇଁ ଦୁକାନ ବିକିଲା । ତା’ପରେ ତା’ ଭରିଯାର ଗହଣା ।

 

ଆରେ ତୁମେ କହୁଚ ତା’ ବଡ଼ ଝିଅ ପଳେଇଲା । ୟେ ଝୁଠାବାତ୍‍ । ସମସ୍ତେ ନଖଣକୁ ଚାହିଁଲେ । ସେ ମିଟ୍‍ ମିଟ୍‍ ହସୁଥିଲା । ସିଗାରେଟଟାକୁ ଜୋରସେ ଟାଣି ଫିଙ୍ଗିଦେଲା । ତା’ପରେ ଫିସ୍‍ ଫିସ୍‍କି କହିଲା । ସେ ତାକୁ ସାତ ଶହ ଟଙ୍କାରେ ବିକିଦେଲା ।

 

ହୋ, ହୋ କରି ହସିଉଠିଲା ।

 

ପଟ୍‍ ପଟାସ୍‍ ଆଓ୍ୟାଜ୍‍ ହେଲା, ଗୁମ୍‍ଟିରେ । ନିଦ ଅଳସରେ କଡ଼ ଲେଉଟିଲା ହୁଏତ ମଧୁ ଗୁଡ଼ିଆ ।

 

ପୋଲିସ୍‍ର ବୁଟ୍‍ର ଆଓ୍ୟାଜ୍‍ ହଜିଗଲା ଗଳି ଅନ୍ଧାରରେ । ଡିଉଟିରେ ଚାଲିଗଲେ ସେମାନେ । ନାଇଟ୍‍ ଡିଉଟି ।

 

ଛିଣ୍ଡା ସାର୍ଟ ତଳୁ ବୋତଲଟେ କାଢ଼ି ଢଗ୍‍ ଢଗ୍‍ ପିଇଲା ନଖଣ । ତା’ପରେ ବୋତଲଟା ବଢ଼େଇଦେଲା ଭଗକୁ । ମିସ୍ତ୍ରୀ ସଞ୍ଜପହରୁ ଏଠି ବସିଚି ଏତକ ପାଇଁ ଡାହାଣା ରକମ ।

 

ପଦୁର ପଞ୍ଜରା ତଳୁ ବାହାରି ଆସିଲା ଗୋଟାଏ ଦୀର୍ଘଶ୍ଵାସ, ନଖଣ ପାଇଁ ନୁହେଁ, ୟେ ବୋତଲ ମଦପାଇଁ ବି ନୁହେଁ । ତା’ ନିଜ ପାଇଁ ଏ ଅସ୍ଥିରତା । ଆଜି ପହିଲୁ ଗୋଟାଏ କହିଲା ରକମ କାମ କରିଛି । କିଛି ଗୋଟାଏ ଦେଖେଇ ନ ପାରିଲେ, ନଖଣ ଦଳରେ ଭିଡ଼ି ହବନି । ଆଜି ଗୋଟାଏ ଅସଲି କାମ କରିଚି । ଅବଶ୍ୟ ନଖଣ ତାକୁ ବତେଇ ଦେଇଛି ।

 

ଉତ୍ତେଜନାରେ ସାରା ଦେହରେ ଗୋଟାଏ ଶିହରଣ ଆଉ ନିଦାରୁଣ ଭୟର ସ୍ପର୍ଶ ତାକୁ ଉନ୍ମାଦ କରୁଛି । ସେ ଜାଣେ ନଖଣକୁ ସେ ପ୍ରାଣପଣେ ଘୃଣାକରେ । ଘୃଣାକରେ ତା’ କଳା ମିଶ୍‍ ମିଶ୍‍ ବସନ୍ତ ଦାଗର କଦର୍ଯ୍ୟ ମୁହଁଟାକୁ; ତା’ କଦର୍ଯ୍ୟ ଲାଗାମଛଡ଼ା କଥା, ତା’ ଢଙ୍ଗ ବଡ଼ ବିରକ୍ତିକର-। ତଥାପି ନଖଣ ପାଖେ ଶରଣ ପଶିବାକୁ ହୁଏ, ଏ ଦଳର ନୀତି । ଭାରୀ ଭୟଙ୍କର ଇଏ ନଖଣ-। ତା’ ଦଳରେ ନ ଭିଡ଼ି ଉପାୟ ନାହିଁ । ସେ ଯେମିତି ଗୋଟାଏ ଭୟଙ୍କର ଆକର୍ଷଣ, ପୁଣି ଘୃଣାର ମଣିଷ । ବେଳେ ବେଳେ ବି ହିଂସା କରେ ତାକୁ ।

 

ନଖଣ ଉଠିଗଲା । ପାଦଟା ବେକାଇଦାରେ ମଲା ବିଲେଇ ଉପରେ ପଡ଼ିଗଲା । ‘ହେତ୍ ଶଳା’ କହି ବିଡ଼ି ବିଡ଼ି କଲା ।

 

ଶଳା, ଭୋଟ ନେଲା ବେଳକୁ, ଭାଇ ଭାଇ । ଆଉ, ଆସ ଏ ମଲା ବିଲେଇକୁ ଉଠେଇବ ଆସ । ଗଜର ଗଜର ହେଇ ପହଞ୍ଚିଲା ଚା’ ଦୋକାନୀ ପାଖରେ । ଫିସ୍‍ ଫିସ୍‍ କରି କହିଲା, ପଦୁର ମାଲ କେତେ ଭରି ହେଲା ? ପଛକୁ ଚାହିଁଲା ନଖଣ । ପଦୁ ଉଠିଆସି ତା’ପାଖେ ଭିଡ଼ି ଠିଆ ହେଇଛି । ଏ କାରବାରର ଏ ନିୟମ ନୁହେଁ । ବିରକ୍ତିରେ ଚାହିଁଲା ପଦୁକୁ । ପଦୁର ମୁହଁକୁ ଚାହିଁ ତା’ ଦୃଷ୍ଟିଟା କଅଁଳ ହେଇ ଆସିଲା । ସେ ପ୍ରଥମଥର ପାଇଁ ପଦୁକୁ କ୍ଷମା କଲା । ‘ଶଳା ଟୋକାଟା ହାତକୁ ଆସିଲେ ବହୁତ କାମ ହବ । ପଦୁର ଚେହେରାଟା ତାରିଫ କଲା ଭଳି ।’

 

ଝୁଟା ମାଲ; ସୁନା ନୁହେଁ ବ୍ରୋଞ୍ଜ । ଉତ୍ତର କଲା ଚା’ବାଲା, ଚୁଲିରୁ ହାଣ୍ଡି ଉଠେଇ ଦେଇଚି । ଗମ୍‍ ଗମ୍‍ କରୁଚି ଲାଲ କୋଇଲା । ଜଳନ୍ତା ଅଙ୍ଗାରଭଳି ନାଲ ଆଖିରେ ଚାହିଁଲା ନଖଣ-। ଚା’ ଦୋକାନୀ କ’ଣ ନଖଣକୁ ଚିହ୍ନିନି । ଏଇ ସେଦିନ ବେଇମାନୀ ପାଇଁ ବିଶୁ ସୁନାରୀକୁ ଛୁରା ଭୁଷି ଖତମ କରିଦେଇଚି । ଇଏ କ’ଣ ଶୁଣିନି ସେକଥା । ଜାଞ୍ଚ କରି ନେଲା ତା’ ମୁହଁକୁ ଚାହିଁ-। ନାଁ ଚା’ବାଲା ମୁହଁରେ ଟିକିଏ ପରିବର୍ତ୍ତନର ଚିହ୍ନ ବି ନାହିଁ । ତା’ପରେ ସେ ଚାହିଁଲା ପଦୁକୁ । ପଦୁ ତା’ର ଲମ୍ବା ଲମ୍ବା ଶୁଖିଲା ବାଳକୁ ଖୁବ୍ କୁଣ୍ଡେଇଲା ।

 

ବୟସ ତା’ର ସତର କି ଅଠର । ଫୁର ଫୁର ବାବୁରି ବାଳ । ଭ୍ରୂ ଦି’ଟା ଟଣା ଟଣା, ଝିଅଙ୍କ ଭଳି । ଆଖି ଦୁଇଟା ଛୋଟ ଛୋଟ, ନୀଳ । ଆଉ ସମସ୍ତଙ୍କ ରକମ ହାଫପେଣ୍ଟ ଆଉ ଛିଣ୍ଡା ସାର୍ଟ । ମାତ୍ର ତା’ ଦେହର ରଙ୍ଗଟା ସମସ୍ତଙ୍କଠୁ ତଫାତ୍‍ । ଗୋରା, ଗୋଲାପ ରକମ ଗୋଲାପୀ ତା’ ଗାଲ । ତା’ ହାତ ପାପୁଲିଟା ଦୋକାନୀର ବତୀପାଖେ ମେଲି ଦେଖିଲା–ରକ୍ତଟା ଶୁଖି ଖଇରିଆ ହେଇଯାଇଛି, ହାତ ପାପୁଲି । ଚୁଲିର ନିଆଁ ଆଉ ଦୋକାନୀକୁ ଚାହିଁଲା ପଦୁ । ଶଳା ଭାରି ଝାନୁଇୟେ ଦୋକାନୀ । ତା’ଆଡ଼ୁ ଆଖିଟା ଓହ୍ଲେଇ ଚାହିଁଲା–ଲାଲ କୋଇଲା ଆଡ଼କୁ ।

 

ତା’ ଆଖି ଆଗରେ ଭାସି ଉଠିଲା ଯୋଡ଼ିଏ ଓଠ, ଠିକ୍‍ ଏଇ ନିଆଁ ରକମ ଲାଲ । ଅଥଚ ମୁହଁଟା କେଡ଼େ ନରମ । ନରମ ତା’ ହାତ । ନବା କି ଭଜନି ରକମ ହାଓଲେ ସେ କତୁରୀ ଚଲେଇ ଗହଣା କାଟି ଆଣିବାର ଦକ୍ଷତା ହାସଲ କରି ଶିଖିନି । ଝରକା ବାଟେ ହାତ ଗଳେଇ ଝିଅଟାର ନରମ ହାତରୁ ଟାଣି ଆଣିଚି ଚୁଡ଼ି ଦି’ପଟ । ଝିଅଟି ଉଠି ଚିତ୍କାର କରିବା ପୂର୍ବରୁ ଝୁଠା ପିସ୍ତଲ ଦେଖେଇ ତା’ ପାଟି ବନ୍ଦ କରି ଦେଇଛି । ନରମ ହାତର କଅଁଳା ମାଂସ ଛିଣ୍ଡି ଯାଇଛି । ସେଇ ଖୁନ ତା’ ହାତ ପାପୁଲିରେ । ବର୍ତ୍ତମାନ ସେ ବସ୍ତିରେ ହଲ୍ଲା ପଡ଼ିଯାଇଥିବ । ଆଉ ମକ୍ଷିଚୋଷ ଶଳା କହୁଛି କ’ଣ ନା–“ବ୍ରୋଞ୍ଜ !” ଚୌଧୁରୀ ଘର ଝିଅ ବ୍ରୋଞ୍ଜ ଚୁଡ଼ି ପିନ୍ଧେ ।

 

ପଦୁ ଜାଣେ, କିଛି କହିବା ବୃଥା । ଚୋରି କାମଟା ଏମିତି ମଣିଷକୁ ଦୁର୍ବଳ କରିଦିଏ । ସେ ନୀରବ ରହିଲା । ଯାହା ମିଳେ ଭଲ । ନଖଣ ଦୋକାନୀଠୁଁ ଟଙ୍କା, ଆଉ ଗୋଟାଏ ପୂରା ବୋତଲ ଧରି ଟଳି ଟଳି ଫେରିଆସିଲା ନିଜ ଆସ୍ତାନକୁ । ପଦୁ ବସିଲା ତା’ପାଖେ । ତାସ୍‍ ଖେଳ ଚାଲିଚି । ଭଗ ଲୋଲୁପ ଆଖିରେ ଚାହିଁଚି ନଖଣର ବୋତଲକୁ–ଭୁଲ ଖେଳି ଯାଉଚି, ଖେଳୋଓ୍ୟାଡ଼ ଭଗବାନ । ଶଳା ମଦଟା ବେଆଇନ ହେଇଯାଇଚି ।

 

ପାଞ୍ଚଟଙ୍କିଆ ନୋଟ୍‍ ଖଣ୍ଡେ ପଦୁ ଉପରକୁ ଫିଙ୍ଗିଦେଇ ନଖଣ କହିଲା ।

 

ତେବେ ଯେ ଶଳା, କହୁଥିଲୁ, ଚୌଧୁରୀ ଘରୁ ଆଣିଛୁ ? ଶଳା ମିଛୁଆ । ତା’ ରୁକ୍ଷ ସ୍ୱରରେ ଅବିଶ୍ୱାସ ନିଆଁ । ସମସ୍ତେ ଅନେଇଲେ ନଖଣକୁ । ପଦୁ’ର ଆଜିକାର କୃତିତ୍ଵ ଓ ନୂତନ ଅଭିଯାନର କଥା ସମସ୍ତେ ଅଳ୍ପ ବହୁତ ଶୁଣିଥିଲେ । ବର୍ତ୍ତମାନ ସମସ୍ତେ ଚାହିଁଲେ ପଦୁକୁ ।

 

ପଦୁ, ମୁହଁ ଟେକି ଚାହିଁବାର ଚେଷ୍ଟାକଲା ନଖଣର ସେ କଦର୍ଯ୍ୟ ବସନ୍ତ ଦାଗର ମୁଁହଟାକୁ । ଲୋକଟା କୋଇଲାଭଳି କଳା; ଅଥଚ ଆଖି ଦି’ଟା ଦପଦପ କରେ ଜଳନ୍ତା ଅଙ୍ଗାରଭଳି-। ଚାହେଁନିତ, ପଞ୍ଜରା ଫାଡ଼ି ସିନା ଜାଞ୍ଚ କରେ । ଅତି କରୁଣ ସ୍ୱରରେ ପଦୁ ବୁଝେଇବାକୁ ଚେଷ୍ଟା କଲା, ସେ ମିଛ କହୁନି । ସେ ଚୌଧୁରୀ ଘର ଝିଅକୁ ବରାବର ଦେଖିଚି । ସ୍କୁଲକୁ ଯିବା ଆସିବା କରେ । ଚକ୍‍ ଚକ୍‍ କରେ ବେକର ହାର, ହାତର ଚୁଡ଼ି, ଆଉ କାନର ଦୁଲ । ପୁରୁଣା କାଳର ଖାନଦାନୀ ଘରର ଖାଣ୍ଟି ଗହଣା । ଆଜିକାଲିକାର ହାଲି ଫେସନର ଆମେରିକାନ ପତଳା ଗହଣା ନୁହେଁ । ମୋ ମା’ ରାଣ ପକଉଚି, ନଖଣ ଭାଇ; ମୋ ହାତର ଲହୁ–ସମ୍ପୂର୍ଣ୍ଣ କରିବାକୁ ଦେଲାନି ନଖଣ ।

 

ଭାଗ୍‍ ବେ ଶଳା, ମା’ ରାଣ !’ କଦର୍ଯ୍ୟ ମୁହଁଟା ବିଭତ୍ସ ଦିଶିଲା, ଅବିଶ୍ୱାସ ଢଙ୍ଗରେ । ଅଧାଖିଆ ସିଗାରେଟଟା ଜୋରସେ ଫିଙ୍ଗିଦେଲା ରାସ୍ତାକୁ, ଆଉ ତା’ ସାଙ୍ଗେ ସାଙ୍ଗେ ମେଞ୍ଚେ ଖଙ୍କାର । ବୋତଲଟାକୁ ଖୋଲି ପିଇଦେଲା କିଛି । ତା’ପରେ ପଦୁର ରକ୍ତହୀନ ବିବର୍ଣ୍ଣ ମୁହଁଟାକୁ ଚାହିଁଲା ମିଟି ମିଟି ଆଖିରେ । ମୁଣ୍ଡର ଶୁଖିଲା ବାଳକୁ ହାତମୁଠାରେ ଧରି ଝିଙ୍କି ଦେଲା । ଶଳା ମା’ ରାଣ ପକଉଛି; ବେ ଦେଖିଛୁ ତୋ ମା’କୁ ? ତୋ ମା’ ନାଁ ଜାଣୁ ?

 

ସମସ୍ତେ ରାଣ ପକାନ୍ତି, ନିୟମ କରନ୍ତି । ସେ ବି ଅଭ୍ୟାସ ବଶତଃ ଅନୁକରଣ କରି କହି ପକାଇଚି । ନଖଣ ଯେ ନିଶା ଜୋରରେ ଏମିତି ଗୋଟାଏ ଅଖାଡ଼ୁଆ ପ୍ରଶ୍ନ ପଚାରିବ ସେ କଥାତ ସେ ବିଲ୍‍କୁଲ୍‍ ଭାବିନି । ଆଉ ସେ ତ ତା’, ମା’କୁ ଦେଖିନି କେବେ । ନାଁଟା ବି ଶୁଣିନି । କିନ୍ତୁ ତା’ ନିଜର ଜନ୍ମ ସମ୍ବନ୍ଧରେ ଯେ ଗୋଟାଏ ଗୋପନ କୌତୂହଳ ଅଛି ଏକଥା କାହାରିକି କେବେ କହିନି-। ଖାଲି ଏତିକି ଜାଣିଛି–ସମସ୍ତେ ମା’ଠୁଁ ଜନମ ହୁଅନ୍ତି, ସେ ବି ହେଇଥିବ । ମା’ ଗୋଟାଏ ଅତି ଲୋଭନୀୟ ତକ୍‍ଦୀରର ଜିନିଷ । ତା’ ଜୀବନର ଗୋପନ ବେଦନା । କିବେ ଜାଣୁ-? ବିକଟ ସ୍ୱରରେ ପ୍ରଶ୍ନ କଲା ନଖଣ ।

 

ମୁଣ୍ଡ ହଲେଇଲା, ନା, ସେ ଜାଣେନି । ଜାଣିବାର ସୁଯୋଗ ସେ ପାଇନି । ସେ ଏକା ନୁହେଁ, ତାଙ୍କ ଦଳର ଅନେକ ।

 

ତୁ ଜାଣିବୁ କଉଁଠୁ ? ତା’ ନାଁ ‘ଜେସ୍ମିନ ।’ ଜାଣୁ ଜେସ୍ମିନ ଯେମିତି ଖୁସବଦାର ଫୁଲ, ତୋ ମା’ ଥିଲା ସେମିତି ଚମକଦାର ।

 

ଗୋଟାଏ ଅଦ୍ଭୁତ ହସ ହସିଲା ନଖଣ । ହୋସରେ ଥିଲେ ମଣିଷ ଏମିତି ହସ ହସି ପାରେନା । ତା’ କଥାର ଭାବ, ଭଙ୍ଗି ଅତି କଦର୍ଯ୍ୟ, ଘୃଣ୍ୟ ମନେହେଲେ ବି, ପଦୁ ବୁଝିଲା ନଖଣ ଏମିତି କଥା ଜାଣେ, ଯାହା ସେ ଜାଣେନି । ତା’ହେଲେ ତା’ର ବି ମା’ ଥିଲା । ନିଶ୍ଚୟ ଥିଲା । ତା’ ନହେଲେ ସେ ତ ଆଉ ବର୍ଷା ରକମ ଆସ୍‍ମାନରୁ ଖସି ନାହିଁ । ଗଭୀର ଗୁହାରେ ଯିମିତି ଗୋଟାଏ କିରଣ ପଡ଼ିଲା ଅଚାନକ ଭାବେ ।

 

କୁତୂହଳୀ ଆଖି ନେଇ ଅବାକ୍‍ ବିସ୍ମୟରେ ସେ ଚାହିଁଲା ନଖଣକୁ । ନିଜ ଭିତରେ ଅନୁଭବ କଲା ଗୋଟାଏ ଅପ୍ରକାଶ୍ୟ ଆଲୋଡ଼ନ । ତା’ ନାଁ ଥିଲା ଜେସ୍ମିନ । ମୋ ଆଈକୁ ଦେଖିଛୁ-? ଆଈର ଗୋଟାଏ ଆଖି କଣା । ତା’ ଆଖି ଫୁଟେଇ ତା’ର ସବୁ ଗହଣା ଲୁଟି ନେଇଗଲେ ସେଇମାନେ, ଯେଉଁମାନେ ତା’ ପାଖକୁ ବରାବର ଆସୁଥିଲେ । ସେ ବି ସହଜ ବୁଢ଼ୀ ନ ଥିଲା-। ସେଇ ଗୋଟାଏ ଆଖିରେ ଘାଏଲ କରିଛି ବହୁତ ଆଦମୀକୁ । ପଦୁର ମନେପଡ଼ିଲା ସେ ବୁଢ଼ୀକୁ-। ମୁଣ୍ଡରେ ଧଳା ଫୁର ଫୁର ବାଳ । ଶେତା ଧଳା ଚମଡ଼ା ଭିତରୁ ନେଳିଆ ଶିରାଗୁଡ଼ା ଦିଶେ-। ହାତ ଦି’ଟା ବଗ ଡେଣାଭଳି ମେଲେଇ ମେଲେଇ ଚାଲୁଥିଲା । ଗୋଟାଏ ଆଖି କଣା ଶହ ଶହ ରେଖାର ମାଂସ ଝୁଲିପଡ଼ି କଦର୍ଯ୍ୟ ଦିଶୁଥିଲା ତା’ ମୁହଁ । ନଖଣ କହୁଥିଲା–ସେଇ ଆଈବୁଢ଼ୀ ପାଇଥିଲା ତୋ ମା’କୁ ।

 

ତାସ୍‍ ଖେଳଟା ହଠାତ୍‍ ବନ୍ଦ ହୋଇ ଯାଇଥିଲା । ହରତନ ବିବି ଆଉ ଚିଡ଼ିଆ ଗୋଲାମ ମୁହଁମାଡ଼ି ଛିଣ୍ଡା ଅଖାରେ ପଡ଼ିଥିଲେ । ନଖଣର କଥାରେ ଯାଦୁ ଅଛି । ନଖଣକୁ ବହୁତ କିଛି ମାଲୁମ ଅଛି ।

 

ତୋ ମା’କୁ ପାଇଥିଲା, ନଇନ୍ ଯୋଡ଼ିରୁ । କହିଲା ନଖଣ । ନଇନ୍‍ ଯୋଡ଼ିରୁ ? ପ୍ରଶ୍ନହେଲା ମିଳିତ କଣ୍ଠରେ ।

 

ଆବେ ମାୟ୍‍ କ୍ୟା ଝୁଠ୍‍ ବୋଲତା ? ତଳକୁ ଝୁଲି ପଡ଼ିଥିବା କାନ୍ଧଟାକୁ ଅନେକ କଷ୍ଟରେ ଉପରକୁ ଉଠେଇ, ଦୁଇ ଆଖିରୁ ଗୋଟାଏ ଆଖିକୁ ଚିରି ତେରଛା ଅଥଚ ଭୟାବହ ନଜରରେ ଚାହିଁଲା ପ୍ରଶ୍ନକଲାବାଲାଙ୍କୁ । ନଖଣ ରାଗିଲେ ହିନ୍ଦି କହେ । ତାକୁ ଅବିଶ୍ୱାସ କରିବାର କ୍ଷମତା ଏପର୍ଯ୍ୟନ୍ତ କାହାରି ହେଇନି ।

 

ନା, ନା, କହବେ ନଖଣ ଭାଇ । ସମସ୍ତେ ଏକ ମତରେ ମାନିନେଲେ ତା’ କଥା । ପରସ୍ପର ପରସ୍ପରକୁ ଟିପି ଦେଲେ ।

 

ସେଥର ନଈରେ ଭାରି ବନ୍ୟା ଆସିଥାଏ । ମନ୍ଦିରଯାଏଁ ରାସ୍ତା ଉପରକୁ ପାହାଡ଼ିଆ ଗୋଳିଆ ପାଣିମାଡ଼ି ଆସିଥାଏ । ଚୌଧୁରୀ ଘର ବଗିଚା ବୁଡ଼ିଯାଇଥାଏ ବଢ଼ିପାଣିରେ । ପାହାଡ଼ରୁ ୟା ୟା ବଡ଼ସାପ ଭାସି ଆସୁଥାଏ । ସାପ ଆଉ ବେଙ୍ଗ ଗୋଟିଏ ଡାଳରେ ଚୁପ୍‍ଚାପ୍‍ । ନଈ ଫୁଲି ଫୁଲି ଉଠୁଥାଏ ।

 

ନଖଣ କୌଣସି କଥା କହିଲାବେଳେ ବେଶି ବାଜେ କଥା ବକେ । ବଡ଼ ବିରକ୍ତିକର । କିନ୍ତୁ କେହି ବିରକ୍ତି ପ୍ରକାଶ କରିବାକୁ ସାହାସ କରନ୍ତିନି ! ଶେଷକଥା ଶୁଣିବାକୁ ବିରକ୍ତି ଚାପି ନୀରବରେ ବସିରହିବାକୁ ପଡେ଼–ଯିମିତି ମା’ ଛୁଆ ଜନ୍ମ କଷ୍ଟ ଭୋଗେ । ପୁଣି ସିଗାରେଟ ନଗେଇଲା ନଖଣ । ସେ ବିଡ଼ି ପିଏନି ।

 

ଏମିତି ବଢ଼ିବେଳେ, ଆମ ସହରର ବାବୁମାନେ ବତାଲି ଭଡ଼ାକରି ବାଈଜୀ ଧରି ଫୁର୍ତ୍ତି କରିବାକୁ ଗଲେ । ଏସବୁ ମଉଜ ଫୁର୍ତ୍ତି ପାଇଁ ଆଈକୁ ଡକରା ପଡ଼େ । ଶଳା ମୁଁ ମିଛ କହୁଛିତ ଆଈ ମରିଯାଇଛି; କାଲି ମଧୁ ଗୁଡ଼ିଆକୁ ପଚାରିବ । ଆଈକି ଆଉରି ଦି’ ତିନି ଜଣକୁ ନେଇଗଲେ । ନାଚ, ଗାନା ତମାସା ମଉଜ ହେଲା ଦିନ ତମାମ । ବୋତଲ ଉପରେ ବୋତଲ ଆସିଗଲା ଦେଶୀ, ବିଲାତୀ । ମାଲ ଖତମ୍‍ ହେଲେ ବୋତଲ ଯେମିତି ଚିତ୍‍ପଟାଙ୍ଗ ହୁଏ, ସେ ଶଳା ଡଙ୍ଗାବି ସେମିତି ଓଲଟି ଗଲା ।

 

ଡଙ୍ଗା ଓଲଟି ଗଲା ? ଆଉ ସେ ବାବୁମାନେ ? ଉତ୍ତେଜନାଭରା କଣ୍ଠରେ ପ୍ରଶ୍ନ କଲେ ସେମାନେ ।

 

ରଖବେ ତେରାବାବୁ । ସବ୍‍ଚିତ୍‍ପଟାଙ୍ଗ । ନଖଣ କଭୀ ଝୁଟ୍ ନହୀ ବୋଲତା । ଆବେ ଦୁଖିଭାଇକୁ ପଚାରିବୁ, ସେ ବତାଲି ଚଳାଉଥିଲା । ଆଉ ମଧୁ ଗୁଡ଼ିଆ, ଶଳା ବଞ୍ଚି ଯାଇଚି । କାଲି ସକାଳେ ପଚାରିବୁ ତାକୁ ।

 

ସମସ୍ତ ଉତ୍ତେଜନା ଯେମିତି ପାଣି ଫାଟିଗଲା । ନୀରବହେଲେ ସମସ୍ତେ ।

 

ସାତ୍‍ ଦିନ୍‍କା ବାଦ୍‍....ଫୁଣି ସୁରୁ କଲା ନଖଣ, ବାବୁମାନଙ୍କର ପତ୍ତା ମିଳିଲା । କୋଇ ପେଡ଼କୋ ପକଡ଼ାହେ ଜୈସେ ଲୟଲା ମଜନୁ । କୋଇ ମିଟ୍ଟି ଖା ରହିଥୀ ପାଓଁକୋ ଆସ୍‍ମାନ କେ ଔର ରଖ୍‍ କେ । ପତ୍ତା ମିଲା ଲେକିନ୍‍ ଜିନ୍ଦା ନାହିଁ ମୁର୍ଦା ।

 

ଆଉ ଆଈ ?

 

ଆବେ ହ୍ୟାତ୍‍ । ସେ ଏକ ବିଚିତ୍ର ହସ ହସିଲା । ମିଟ୍‍ ମିଟ୍‍ କଲା ତା’ ଆଖି । ଆଈ ମରନେ ବାଲୀ ନହିଁଥୀ ।

 

ସଞ୍ଜ ଆଗରୁ ପଳେଇ ନ ଆସିଲେ ରାତିର ବେବ୍‍ସା ମାଟି ହୋଇଯିବ । ତା’ ସାଙ୍ଗକୁ ନେଇ ସଞ୍ଜଆଗରୁ ଖସିଆସିଛି । ମୁହଁ ସଞ୍ଜ । ସେମାନେ ଆସୁଥାନ୍ତି । ସେଇ ଚୈଧୁରୀ ଘର ପାଖେ । ନଇନ ଯୋଡ଼ୀରୁ ଆଈ ଟେକିନେଲା କଅଁଳ ଛୁଆଟେ ।

 

ବଢ଼ିପାଣିରେ ଭାସି ଆସିଥିବା ମଲ୍ଲୀ କହିଲା ।

 

ଦୂର୍‍ । ବଢ଼ିରେ ଭାସି ଆସିଲେ ବଞ୍ଚିଥାନ୍ତା ? ଦିହରୁ ତାତି ଛାଡ଼ିନି । ଏଇ ବାବୁଘର କାହାର ହେଇଥିବ ।

 

ପୁଅ ନା ଝିଅ । ଫିସ୍‍ ଫିସ୍‍କି ପଚାରିଲା ମଲ୍ଲୀ । ମଲ୍ଲୀର ପ୍ରଥମ ପୁଅଟାକୁ ନିଜ ହାତରେ ମାରିପାରି ନଥିଲା । ଆଈ ଚିପିଦେଇଥିଲା କରାଣ୍ଡି ଚିପିଲାଭଳି ।

 

ମଲ୍ଲୀର କଥାଶୁଣି ହସିଦେଇଥିଲା ଆଈ । କିମ୍ଭୁତକିମାକାର ସେ ହସ ପୁଅହେଇଥିଲେ, ମୁଁ ଆଣିଥାନ୍ତି ? ମୋ ଗରଜ ଯାଉନି ବସାକୁ ଆଣି ଆଲୁଅରେ ତାକୁ ଦେଖି ହସିଦେଇଥିଲା ଆଈ । ମଲିଫୁଲ ସମସ୍ତଙ୍କୁ କହିଥିଲା ଦେଖିବୁ, କି ଚିଜ୍‍ ଇଏ ହବ । ତା’ପରେ ଆଈ ତାକୁ ଯତ୍ନରେ ପାଳିଲା-। ଚାହୁଁ ଚାହୁଁ କଦଳୀ ଗଛଭଳି ବଢ଼ି ଉଠିଲା ଝିଅଟା । କାଣୀ ଆଈ ମିଛକହି ନଥିଲା-। ବସ୍ତି ଯାକରେ ମାଇକିନିଆଙ୍କ ଆଖି ଜଳିଉଠିଲା ତା’ ରୂପ ଦେଖି । ରୂପ ନୁହେଁତ ନିଆଁ ଖଣ୍ଡେ-। ସଞ୍ଜହେଲେ ତମାମ ସହରର ବାବୁଭାୟା ହାଜର ହେଲେ ଆଈ ପାଖେ । ବୁଢ଼ୀର ଯେତେ ଗହଣା ଚୋରି ଯାଇଥିଲା, ତା’ର ବହୁଗୁଣ ବେଶି ଜମିଉଠିଲା ।

 

ତାକୁ ଦେଖି ଚୌଧୁରୀ ଘରର ବାବୁ, ତା’ କଟକୀ ଭାରିଯାକୁ ଛାଡ଼ି ଆଉପାଖେ ପଡ଼ିରହିଲା, ରାତି ପରେ, ରାତ୍ରି । ବୁଢ଼ୀ କି ସହଜେ ତାକୁ ତା’ ପାଖକୁ ଛାଡ଼ୁଛି । ସେଦିନ ଆଈକି ବାବୁ ପଚାରିଲେ ।

 

ଏୟ, ତା’ ନା କ’ଣ ?

 

ମୋତେ କ’ଣ ପଚାରୁଛ, ତାକୁ ପଚାରୁନ ? ସେ କ’ଣ କଥାକହି ଜାଣେନି ?

 

ସେ ଥିରିକି କହିଥିଲା–ଚେମି ।

 

ଦୂର୍‍, ଚେମି କ’ଣ ମ ? ରାଜା ଜମିଦାର ଘର ବି ଏମିତି ଚିଜ୍‍ ମିଳିବନି ଯା ଚେହେରା । ବାଃ ଠିକ୍ ଚମ୍ପାଫୁଲ ରକମ । ତା’ ମୁଣ୍ଡରେ ଚମ୍ପାଫୁଲଟେ ଖୋସିଦେଇ ବାବୁ କହିଲେ ତୋ ନାଁ ଚମ୍ପା, ବୁଝିଲୁ ?

 

ବାବୁ, ତୁମେ ନାଁ ଦେଲ, ତୁମରି ନାଁ ରହିଗଲା । ଚମ୍ପାଫୁଲ ଦେଇ ଭୁଲେଇ ଦଉଛ । ବକସିସ୍‍ ମିଳିଯାଉ । ଚୌଧୁରୀ ଘରର ଖାନଦାନୀ ହାରଟା ଚମ୍ପା ଗଳାରେ ଝୁଲିଥିଲା ସେଦିନ । ମାତ୍ର ମୁସ୍କିଲ ହେଲା ତା’ପରେ ।

 

କ’ଣ ସେ ହାର ପାଇଁକି ?

 

ଆବେ ଦୂର୍‍ । ଛୋଡ଼ ତେରୀ ହାରକୀ ବାତ୍ । ଥୋଡ଼ାହୀ କୋଇ କେୟାର କର୍‌ତା ୟହାଁ ହାରକୋ ।

 

ସମସ୍ତେ ଚାହିଁଲେ ଅଧିକ ଉତ୍ସୁକ ଆଉ ଅଧିକତର ଆଗ୍ରହ ନେଇ ବୁଢ଼ୀ ଜାଣିପାରିଲା, ଚମ୍ପା ଫୁଲ ମଉଳି ଯିବ । ବୁଢ଼ୀର ଜମିଉଠିଥିବା ବେବ୍‍ସାଟା ହଠାତ୍‍ ପାଣି ଫାଟିଯିବ । ଚମ୍ପା ଯେତେ ଲୁଚେଇବାକୁ କୋସିସ୍‍ କଲେବି, ଆଈ ପାଖେ ଛପିଲା ନାହିଁ । ସେ ଜାଣିପାରିଲା; ଚମ୍ପାର ଛୁଆ ହବ । ସେ ତ ଯେ ସେ ଝିଅ ନୁହେଁ ବେ ବୁଢ଼ୀ ଆଈର କଥା ମୁତାବକ ଭଗବାନର ଦାନକୁ ପେଟରୁ ମାରିଦବ । ଆଉଥରେ ଯେ ଭାବ ତା’ ମୁଣ୍ଡରେ ପଶିଚି ତାକୁ ବଦଳେଇବ କିଏ ? ଇମାନଦାର ଘରର ଖାନଦାନୀ ଲହୁ ତା’ ଭିତରେ ।

 

କଥାଟା ଶୁଣି ପଦୁ ଟିକିଏ ମନେମନେ ଗର୍ବ ଅନୁଭବ କଲା ସେଇ ଖୁନ୍‍ ତା ଶିରାରେ ।

 

ଅନ୍ୟମାନେ ପ୍ରସ୍ତୁତ ହେଲେ ଝାନୁ ବେବ୍‍ସାଦାର ବୁଢ଼ୀ ଆଉ ଖାନଦାନୀ ଝିଅ ଚମ୍ପାର ବିବାଦଟା ଉପଭୋଗ କରିବାକୁ ।

 

ବୁଢ଼ୀର ଉପଦେଶ ଶୁଣି ଚମ୍ପା ଅନୁନୟ, ବିନୟ କଲା । ଖୁବ୍‍ କାନ୍ଦିଲା । ନିଜେ ଉପବାସରେ ପଡ଼ିରହିଲା । କହିଲା–ତୁ ମୋତେ କାହିଁକି ପାଳିଲୁ ? ତୋର ପେଟର ନାହିଁ ବୋଲି ସିନା ? ତୁ କାହିଁକି ମୋ ତଣ୍ଟି ଚିପିଦେଲୁନି, କାହିଁକି ଭସେଇ ଦେଲୁନି ବଢ଼ିପାଣିରେ ? ଭଗବାନ ଯଦି ମୋ ପେଟରେ ଦେଇଛନ୍ତି–ତାକୁ ତୁ ନଷ୍ଟ କରି ଦେ’ନା ।

 

ବୁଢ଼ୀର ବୋଧହୁଏ ନିଜର ପିଛିଲା ଜୀବନ କଥା ମନେପଡ଼ିଲା । ଝିଅ ରକମ ଆଦର ଯତ୍ନ ବି କରୁଥିଲା ଚମ୍ପାକୁ । ମାୟା ଜାଗିଲା କି କ’ଣ କିଛି କହିଲାନି । ବୋଧହୁଏ ଭାବିଲା ଛୁଆ ଜନ୍ମ ହେଇଯାଉ, ତା’ପରେ ଦେଖାଯିବ । ଶେଷକୁ ଚମ୍ପାର ଛୁଆ ଦି’ଟାକୁ ଖତମ କରିବା ମତଲବରେ ଥିଲା । ମାତ୍ର ଚମ୍ପା ଡରେଇଦେଲା–ପୋଲିସ୍‍କୁ କହିଦବ । ସେଇ ଯାଆଁଳା ଭିତରୁ ଜଣେ ଏଇ ପଦୁ, ଆଉ ଗୋଟାଏ ଝିଅ । ଏ ପଦୁକୁ କ’ଣ ଦେଖୁଚ–ସେ ଝିଅଟା ଥିଲା ଠିକ୍‍ ପୁନେଇଁ ଜହ୍ନ । ଶଳା କିସମତ ଦେଖ–ସେଟା ମରିଗଲା କିଛିଦିନ ପରେ ।

 

କିନ୍ତୁ ବୁଢ଼ୀ ଫୁସୁଲେଇଲା ଚମ୍ପାକୁ ।

 

ହଉ, ଝିଅଟା ରଖିବୁ ରଖ । ପୁଅଟା ନଷ୍ଟ କରି ଦେ ।

 

ବିଡ଼ି ଧୂଆଁ ଯଦୁ ଗଳାରେ ଅଟକିଲା । ଖୋ ଖୋ କରି କାଶିଲା ସେ ।

 

ବାଘୁଣୀ ରକମ ଜଗିରହିଲା ଚମ୍ପା । ସେ ଥରେ ନାହିଁ କରିଚି ଆଉ ଟଳେଇବ କିଏ ? ସେ କହିଥିଲା–“ଝିଅଟାକୁ ରଖି ମୋରି ରକମ ହିନସ୍ତା ଅବସ୍ଥା କରିବୁ ନା ? ଝିଅ ମୋର କ’ଣ କରିବ । ପୁଅ ମୋର ବଡ଼ ହେଲେ, ରୋଜଗାର କରିବ । ମୋତେ ପୋଷିବ । ମୁଁ ଏବେ ବସା ଛାଡ଼ିଦେବି । ପୁଅ ମୋ ଦୁଃଖ ବୁଝିବ । ତାକୁ ପାଳି ବଢ଼େଇବି, ସେ ଘର ସଂସାର କରିବ ।”

 

ବୁଢ଼ୀ ମନେମନେ ହସିଲା । ସହର ତମାମର ବାବୁଭାୟା ପାଗଳ ହେଇ ଟଙ୍କା ଆଉ ଗହଣାର ଥଳୀ ଧରି ଲୋଭେଇଲେ ବୁଢ଼ୀକୁ । ଲୋଭ ଦେଖେଇଲେ ଚମ୍ପାକୁ ।

 

ସେତିକିବେଳେ କୁଆଡ଼ୁ ମାଡ଼ି ଆସିଲା ଯୁଦ୍ଧ । ରାତାରାତି ଧାନ, ଚାଉଳ, ଲୁଗା, ଚିନି, କିରାସିନ ଶଳା ହାବା ହେଇଗଲା । ରାତି ହେଲା କିଟିକିଟିଆ ଅନ୍ଧାର । ଆଲୁଅ ବତୀ ସବୁ ବନ୍ଦ । ବିଲାକ-ଆଉଟ । ଲୁଗା ଖଣ୍ଡେ, ଚିନି ଟିକେ ପାଇଁ ଆଚ୍ଛା ଆଚ୍ଛା ଘର ତିର୍ଲା ମାଇପ ଇଜ୍ଜତ ଦେଲେ । ଚମ୍ପା ଭାସିଗଲା ସେ ସୁଅରେ ଛୁଆକୁ ବଞ୍ଚେଇବା ପାଇଁ । ଆଈ ଠକ୍‍ରା ଗାଲରେ ପାନ ଜାକି, ଚମକ୍‍ଦାର ଶାଢ଼ି ପିନ୍ଧି ପୁଣି ହସିଲା ।

 

ଆକାଶରେ ଭୋଁ ଭୋଁ ଉଠିଲା ଉଡ଼ାଜାହାଜ । ସଞ୍ଜ ପହରୁ ବଜାର ହାଟ ନିଶ୍ଚୁପ ମଶାଣିପଦା ହେଲା ।

 

ଲେକିନ୍‍ ବସ୍ତିରେ ଆସି ଜମାହେଲା ଦୈତ୍ୟଭଳି ଗାଡ଼ି । ସେଥିରୁ ଓହ୍ଲାଇ ପଡ଼ିଲେ ଗୋରା ଗୋରା ପଲ୍‍ଟଣ ।

 

ଜହରୀ ବୁଢ଼ୀ ଶୁଣିଲାନି ଚମ୍ପାର ଫରୀୟାଦ । ସେ ଟଙ୍କା ଆଣିବ କୁଆଡ଼ୁ ? ଚମ୍ପା ପାଖେ ଭିଡ଼େଇ ଦେଲା ଗୋରା ପଲ୍‍ଟଣ ଜଣେ । ଲୁଗା କାନିରେ ନୂଆ ନୋଟ୍‍ କେଇଟା ବାନ୍ଧିନେଲା ସାଇବ ପାଖରୁ ଆଗତୁରା ।

 

ସାଇବ ଦି’ ଚାରିଦିନ ଯିବା ଆସିବା କଲା । ସେଦିନ ପଚାରିଲା, ‘ତେରା ନାମ କ୍ୟା ?’

 

ଚମ୍ପା;

 

ଚମ୍ପା ? ଚମ୍ପା ? ଆରେ ଭାଗୋ । ହୋଆଟ୍‍ ନନସେନ ବିଲାତି ବୋତଲ କେଇଟା ଗଡ଼ୁଥିଲା ଭୂଇଁରେ । ବୁଟ୍‍ ସମତେ ହାତୀଭଳି ଜାନୁଆରଟା ଧାଇଁଯାଇ ହାଲୁକା କାଚ କଣ୍ଢେଇଭଳି ଟେକି ନେଇଥିଲା ଚମ୍ପାକୁ ।

 

ଟୁମ ଚମ୍ପା ନେହି–ତୁମ୍‍ ତୋ ମେରି ‘ଜେସ୍ମିନ’ ହୋ–ଜେସ୍ମିନ ।

 

ତା’ପରେ ହୋ ହୋ କରି ହସିଉଠିଥିଲା ସେ ଅଫସରଟା ।

 

ଦୈତ୍ୟଭଳି ମାଟିଆ ରଙ୍ଗର ମଟରଟା ଚାଲିଗଲା ଅନେକ ସମୟ ପରେ ।

 

ଭୋର ସକାଳୁ ବୁଢ଼ୀର ନିଶା ଛାଡ଼ିଯିବାରୁ ଚମ୍ପା ଘରକୁ ପଶିଲା ଆସ୍ତେ ଆସ୍ତେ । ବୋତଲଗୁଡ଼ାକ ଗଡ଼ୁଚି । ଛିନ୍‍ଛତର ଘରର ଆସବାବ ପତର । ଗୋଟାଏ ଛୁଆ ଗୋଟାଏ ବୋତଲ ଧରି ଖେଳୁଚି । ଆଉ ତିନିମାସର ଝିଅଟା ମରିଯାଇଚି ସାହେବର ଭାରୀ ବୁଟ୍‍ ତଳେ ଚିପିହେଇ । ଏଠି ସେଠି ପଡ଼ିଥିବା ଲୁଗାପଟା ଉଠେଇ ଖୋଜିଲା ଚମ୍ପାକୁ । ଲେକିନ ଚମ୍ପା କାହିଁ ?

 

ମୁଣ୍ଡ ହଲେଇ ନୀରବ ହେଲା ନଖଣ । ସମସ୍ତେ ନିଶ୍ଚୁପ । ହଠାତ୍‍ ଯେ ଚମ୍ପା ଉଭେଇ ଯିବ, ୟାତ ସେମାନେ ଭାବି ନାହାନ୍ତି ।

 

ପଦୁର ନିଃଶ୍ଵାସଟା ବନ୍ଦହେଇ ଆସୁଥିଲା । ଗୋଟାଏ ନିଦାରୁଣ ବେଦନା ଅନୁଭବ କଲା । ତଳ ଓଠଟାକୁ ଦାନ୍ତରେ କାମୁଡ଼ି ହାତଟା ମୁଠାକଲା ଅସୀମ କ୍ରୋଧରେ ।

 

ବଗ ଡେଣାଭଳି ହାତଦି’ଟା ପଛକୁ ହଲେଇ ହଲେଇ ବୁଢ଼ୀ ଚାଲେ । ତା’ ହାତ ଦି’ଟା କେଡ଼େ କଦର୍ଯ୍ୟ, ହାତଗୁଡ଼ା ଦିଶୁଥାଏ । ନେଳିଆ ନେଳିଆ ଶିରାଗୁଡ଼ା ବିଭତ୍ସ ଦିଶେ । ଖାଲି ଚୋରା ମଦ ବିକେ ଓ ଆଉ ଦୂର ମଫସଲରୁ ନୂଆ ନୂଆ ବୋହୂ ଝିଅକୁ ଭୁଲେଇ ଆଣେ । ତା’ର ସେଇ ଭୟଙ୍କର ହାତଦି’ଟା ଛିଣ୍ଡେଇ ଦେଲେ ଡେଣାଛିଣ୍ଡା ବଗଭଳି ଛଟ୍‍ ଛଟ୍‍ ହଉଥାଆନ୍ତା । ଅଫଶୋଷରେ ତା’ର ଛାତି ଜଳିଉଠିଲା । ବୁଢ଼ୀଟା ଅନେକ ଦିନୁ ମରିଯାଇଚି । ସେଇ ବସ୍ତିରୁ, ମେହେନ୍ତରମାନେ ଘୋଷାରି ଘୋଷାରି ନେଇ ମାଶାଣିରେ ଚିଲ, ଶାଗୁଣା ପାଇଁ ଫିଙ୍ଗି ଦେଇଥିଲେ-

 

ଆହା, କରୁଣା ଜାଗିଲା, ତା’ ମା’ କଥା ଭାବି । ଏ ବସ୍ତିର ମାଇକିନିଆମାନଙ୍କଠାରୁ ସେ ସ୍ୱତନ୍ତ୍ର । ସେ ଚାହିଁଥିଲା ଭଲ ହବାକୁ । ଭଲ ହବାକୁ ଦେଲାନି ସେ ବୁଢ଼ୀ । ଏଇ ସହରର ବାବୁମାନେ ଲୋଭ ଦେଖେଇଲେ । ସେମାନେ ମା’କୁ ଭଲ ମଣିଷ ହବାକୁ ଦେଲେନି । ଭଲ ହେଇଚି, ଭଉଣୀଟି ମରିଯାଇଚି ତା’ ନ ହେଲେ ବସ୍ତିର ର୍ତିଲାମାନଙ୍କଭଳି ହିନସ୍ତା ଅବସ୍ଥା ହୁଅନ୍ତା ।

 

ତା’ ମା’ର ଚିନ୍ତାରେ ଗୋଟାଏ ଅନନୁଭୂତ ଉନ୍ମାଦନା ପାଇଲା ଆଜି । ତାହା ତା’ ଜୀବନରେ ସମ୍ପୂର୍ଣ୍ଣ ନୂତନ ଆଉ ଲୋଭନୀୟ । ତା’ ମନ ଗହ୍ୱରର ଗଭୀର ଅନ୍ଧକାର ଭିତରେ ସତେ ଯେମିତି ଆଲୋକର ମଧୁର ଉତ୍ତାପର ଗୋପନୀୟ ସ୍ପର୍ଶ ପାଇଁ ଉନ୍ମୁଖ ହେଲା ତା’ର ପ୍ରାଣ । ଉଷାର ସ୍ନିଗ୍ଧ ଆଲୋକର ସ୍ପର୍ଶରେ ପାଖୁଡ଼ା ମେଲେ ଯେମିତି ଶତଦଳ । ଠିକ୍‍ ଯେମିତି ନିର୍ଝରର ସ୍ଵପ୍ନ ଭାଙ୍ଗେ ।

 

ସେ ଭାବିଲା, ସେ ଘୃଣାକରେ ନଖଣକୁ ଆଉ ତା’ ଦଳର ସମସ୍ତଙ୍କୁ ଏ ଛନ୍ନଛଡ଼ା ଜୀବନ ଘୃଣ୍ୟ । ଗୋଟାଏ ଆଦିମ ଅଥଚ ମଧୁମୟ କାମନା କ୍ରମେ ରୂପ ପାଇଲା ତା’ ମନର ନିଭୃତ କୋଣରେ । ଲାଳନ କରିବାକୁ ସୁଖ ଲାଗିଲା । ଜନନୀର ସ୍ନେହ । ଏ ଅନିଶ୍ଚିତ ଜୀବନର ସମସ୍ତ ଗ୍ଳାନିକୁ ଦୁଇ ହାତରେ ପୋଛିଦେଇ ଗୋଟିଏ ନିଶ୍ଚିତ ସୁଖର ମଧୁର କଳ୍ପନାରେ ସେ ଅନୁଭବ କଲା ଗୋଟାଏ ନୂତନ ସ୍ପନ୍ଦନ ।

 

ଆହା, ଯେଉଁ ଝିଅଟିର କଅଁଳ ହାତରୁ ଛିଣ୍ଡାଇ ଆଣିଲା ଚୁଡ଼ି, ତା’ର ଆଖି କି କରୁଣ । ଗୋରା ଗୋରା ହାତ କେଡ଼େ ନରମ । ତା’ ରକ୍ତରେ ଯେମିତି ତା’ ଦେହର ଉଷୁମ ତାତି ଅଛି । ସେଇ ଉଷୁମ ତାତି ଖେଳିଗଲା ସତେ ତା’ ଶିରା ପ୍ରଶିରାରେ । କିମିତି ଯେମିତି ଗୋଟିଏ ସାମଞ୍ଜସ୍ୟ ଅଛି ତା’ ମା’ ଆଉ ସେଇ ଝିଅଟା ମଧ୍ୟରେ । ଝିଅଟିଭଳି ସରଳତାର ଦୁର୍ବଳତାର ସୁଯୋଗ ନେଇଚନ୍ତି ସମସ୍ତେ ।

 

ତା’ ଛାତି ତଳେ ସେ ଅନୁଭବ କଲା ଏକ ନୂତନ ଅଥଚ ଦୁଃସହ ବେଦନା, ଯାହା ଅବ୍ୟକ୍ତ ଅଥଚ ଦୁର୍ଦ୍ଦମନୀୟ । ସେଇ ବେଦନା ଆକୁଳ କଲା ତା’ ମନ ପ୍ରାଣ । ଅତି ଆପଣାର ମା’ଭଳି ଜଣେ–ଯା’ର ନରମ କୋଳରେ ଆଶ୍ରୟ ନେଇ ସେ ନିଜକୁ ଗଢ଼ିବ ନୂତନ ଭାବେ–ତାକୁ ଖୋଜିବା ସେ ଜାଣେ, ଅମରଦା ଆଡ଼େ ମିଲଟାରୀ କେମ୍ପ ପଡ଼ିଥିଲା । ମା’ ଯଦି ବଞ୍ଚିଥାଏ, ସେଇଠି ଥିବ ।

 

ଢଂ, ଢଂ, ଢଂ ତିନିଟା ଘଣ୍ଟା ବାଜିଲା । ଜନତା ଆସିବା ବେଳ ହେଲା ।

 

ହଠାତ୍ ସେ ଉଠି ପଡ଼ିଲା–ରିକ୍ସାଟା ସେଇ ଦୁରନ୍ତ ଗତିରେ ସେ ଛୁଟି ଚାଲିଲା ଟେସନ ଆଡ଼କୁ ।

 

ଗୋଟାଏ ଉଡ଼ାଜାହାଜ ଚାଲିଯାଉଥିଲା ମୁଣ୍ଡ ଉପରେ । ଉପରକୁ ଚାହିଁଲା ପଦୁ–କିଛି ଦିଶୁନି, ଖାଲି ଛୁଟୁଥିଲା ଗୋଟାଏ ସବୁଜ ଆଲୋକର ରେଖା ।

 

ସେ କେଉଁ ସୁଦୂର ଅନ୍ଧକାର ରାତିରେ ଝରିଯାଇଛି ଜେସ୍ମିନ । ସମସ୍ତ ଜୀବନ ଅନୁସନ୍ଧାନ କରି କି ସେ ଖୋଜି ପାଇବ ସତେ ?

 

ଆବରଣ

 

......‘କସ୍ତା ଶାଢ଼ି ...ତନ୍ତ ବୁଣା ଶାଢ଼ି... ।’ ସ୍ଵରଟା ଯିମିତି ଶ୍ରୁତିକଟୁ । ଲୁଗା ବୋଝଟା ପିଠିରେ ଲଦା । ଆଣ୍ଠୁଯାକେ ଧୂଳି । ଆଖି ଦି’ଟା ଗହିରିଆ । କପାଳରୁ ଝରିପଡ଼ିଥାଏ ଝାଳ । ଗଳାର ଶିର ଫୁଲାଇ ବାରମ୍ଵାର କହି ଚାଲିଥାଏ–‘କ-ସ୍‍-ତା-ଶାଢ଼ି । ଆଣ୍ଠୁଲୁଚା ଖଦଡ଼ ଧୋତି ଖଣ୍ଡେ ପିନ୍ଧା । କାନ୍ଧରେ ଖଣ୍ଡେ ଗାମୁଛା ଛାତି ପଞ୍ଜରା ହାଡ଼ଗୁଡ଼ା ବିଲର ହିଡ଼ଭଳି ଦିଶୁଥାଏ ।

 

ଦି’ମହଲା କୋଠାରୁ ବାବୁଆଣୀ ଡାକିଲେ । ଆଶାର ଆଲୁଅ ଟିକେ ଜଳିଉଠିଲା ଫେରିବାଲା ମୁହଁରେ । ଫାଟକ ପାରିହୋଇ ଘର ଭିତରର ସିମେଟ୍‍ ଚଟାଣରେ ଧପ୍‍କିନା ବୋଝଟା ରଖି ମଳିଆ ଗାମୁଛାରେ ଝାଳ ପୋଛିଲା । ବାବୁଆଣୀଙ୍କ ସାମନାରେ ବୋଝଟା ଫିଟେଇ ପୂର୍ଣ୍ଣ ପସରା ମେଲେଇ ଦେଲା–ତନ୍ତବୁଣା କସ୍ତା ଶାଢ଼ି–ହରେକ କିସମର, ଗାମୁଛା–ବିଛଣା ଚଦର । ହଠାତ୍ ମିଠା ସ୍ୱରରେ ଶୁଭିଲା–‘ବୋଉ, ବୋଉ ଏଠି କ’ଣ କରୁଛୁ ମ–ତେଣେ–’ କହୁଁ କହୁଁ ଅଧା ଶିଡ଼ିରେ ଅଟକି ଗଲା ଉମା । ବୟସ୧୮, ୧୯ କିମ୍ବା ୨୦ ହବ । ସବୁଜ ସିଲ୍କ ଶାଢ଼ି, ସୁନେଲି ରଙ୍ଗର ଛିଟ ବ୍ଲାଉସ । ପତଳା ଶାଢ଼ି ତଳୁ ପୂରିଲା ଗୋରା ତନୁ ସୁସ୍ପଷ୍ଟ । ‘କ’ଣ କିଣୁଛୁ ବୋଉ ?’ କହି ଓହ୍ଲାଇ ଆସିଲା । ପୂର୍ଣ୍ଣ ଖଣ୍ଡେ ମେଘ ରଙ୍ଗର ଶାଢ଼ି ମେଲେଇ ଦେଇ କହିଲା–ମା’ ଏଇଟା ତମକୁ ଭଲ ମାନିବ ଠିକ୍ ମା’ ଦୁର୍ଗା ପରି । ଉମା ଲୁଗାଟି ଦି’ ଆଙ୍ଗୁଳିରେ ଟେକି ଅବଜ୍ଞାରେ ଫିଙ୍ଗିଦେଇ କହିଲା–ଇସ୍‍ କି ମୋଟା, ପିନ୍ଧିଲେ ଅଣ୍ଟା ଛିଡ଼ିଯିବ । ସେଇଥିରୁ ବୋଉର ଖଣ୍ଡେ ଅଧେ ଦରକାର ହୋଇପାରେ–ମୋର ଦରକାର ନାହିଁ । ବାବୁଆଣୀ ପଚାରିଲେ–ନାଲା କସ୍ତା ଅଛି ? ପୂର୍ଣ୍ଣ କହିଲା–ନାଇଁ ମା’ ସରିଯାଉଚି–କାଲିକି ଆଣିଦେବି ।

 

ପସରା ପୁଣି ଉଠେଇଲା । ଫେରିବାଲାର ଏକମାତ୍ର ଆଶା ଧୂଳିମୟ ପଥ । ପଦାକୁ ଆସି ଦୀର୍ଘଶ୍ୱାସଟିଏ ମାରିଲା । ଘରର ଦାମିକା ଆସବାବ–ପାଲିସ୍‍ ଦିଆ ଟେବୁଲ, ଚେୟାର–ତା’ ଉପରେ ଗଦି, ଝରକା, କବାଟରେ ସମ୍ୱଲପୁରୀ ପରଦା, ଆଉ ପତଳା ଧଳା ବନାରସୀ ଶାଢ଼ିତଳୁ ବାବୁଆଣୀଙ୍କ ଭାରି ଭାରି ଦିହ, ପୁଣି ଝିଅର ଚକ୍‍ ଚକ୍‍ ଗହଣା, ଫର ଫର ସିଲ୍କ ଏସବୁ ଭିତରେ କିଛି ସମୟ ପାଇଁ ଅଣନିଶ୍ଵାସିଆ ହୋଇଯାଇଥିଲା ପୂର୍ଣ୍ଣ । ଫାଟକ ପାଖେ ଠିଆହୋଇ ଭାବିଲା କୁଆଡ଼କୁ ଯିବ, ଅବଶ୍ୟ ଭାବିବାର କିଛି ନଥିଲା । ଦୋତାଲା ରେଡ଼ିଓରୁ ଭାସି ଆସିଲା ଇଂରାଜୀ ସ୍ୱରର ବାଜା–ପୂର୍ଣ୍ଣର ମନେହେଲା, ଝିଅଟି ଯେମିତି ଉପହାସ କରି ହସିଉଠିଲା ଦୋତାଲା ଉପରୁ-

 

ନା, ଠିଆହୋଇ ଭାବିବାର ସମୟ ନାହିଁ, ଆଗେଇ ଚାଲିଲା । ତା’ ଆଖି ଆଗରେ ଫୁଟି ଉଠିଲା ଆଉ ଗୋଟିଏ ରୂପ–ଅତି ପରିଚିତ । ଅଥଚ ହଜିଯାଇଚି । ସେ ଥିଲେ ଏଇ ଝିଅଟିଭଳି ବଡ଼ ହୋଇଥା’ନ୍ତାଣି । ୧୯୪୨ରେ ମା’ ମଲା, ଝିଅ କମଳାକୁ ଏକୁଟିଆ ଛାଡ଼ିଦେଇ ଯାଇନଥିଲେ ବୋଧେ ଆଜି ଏ ଦୁର୍ଦ୍ଦଶା ହୋଇନଥାନ୍ତା, ଯେଉଁ ଘରୁ ଆଜି ସେ ଫେରିଲା, ବର୍ଷ କେଇଟା ତଳେ ସେଠିଥିଲା ଖଦଡ଼ର ପୂଜା, ଖଦଡ଼ର ଆଦର । ପୂର୍ଣ୍ଣ ନିଜ ହାତରେ ବୁଣି ଦେଇଥିଲା ଖଦଡ଼ର ଧୋତି, ଶାଢ଼ି ଚଦର । ଘର ମାଲିକ ମଦନ ବାବୁ ଆଜି ଏମ୍.ଏଲ୍.ଏ. ବିଶିଷ୍ଟ ରାଜନୈତିକ ନେତା । ଏକସଙ୍ଗରେ ଜେଲ୍‍ ଯାଇଥିଲେ । ଜେଲରେ ଯେଉଁଦିନ ପୂର୍ଣ୍ଣ ଶୁଣିଲା ଯେ ସାହେବମାନେ ଢାକାରେ ତନ୍ତୀମାନଙ୍କ ଅଙ୍ଗୁଳି କାଟି ନେଇଥିଲେ, ସେଇଦିନୁ ସମସ୍ତ ଜେଲ୍‍ କୟେଦୀ ପ୍ରତିଜ୍ଞା କରିଥିଲେ, “ଜୀବନରେ ବିଦେଶୀ ଲୁଗା ପିନ୍ଧିବେନି ।” ସେଇ ଜେଲ୍‍ରୁ ପୂର୍ଣ୍ଣ ଶୁଣିଥିଲା, ତା’ ଝିଅ କମଳାର ଆତ୍ମହତ୍ୟାର କାହାଣୀ । ଖାଇବାକୁ ନ ପାଇ, ପିନ୍ଧିବାକୁ ଲୁଗା ଖଣ୍ଡେ ନ ପାଇ–ଶେଷରେ ନିଜର ଲାଜ ରଖିବା ପାଇଁ ଗଳାରେ ଫାଶ ଦେଇଥିଲା କମଳା । ପୂର୍ଣ୍ଣ ଜେଲ୍‍ରୁ ଫେରିଲା ପରେ ଦେଖିଲା–ଦୁନିଆ ବଦଳି ଯାଇଚି । ଶେଷରେ ଆଶ୍ରା କଲା କୁଳ ବେଉଷା ତନ୍ତ । ଅଥଚ ମଦନବାବୁ ଯୁଦ୍ଧ ଯୁଗରେ ଚାଉଳର କାରବାର କରି ରାତାରାତି କୋଠା କରିଛନ୍ତି, ଭାଇ ନାଁରେ ମିଲ୍‍ ଖରଦି କରିଛନ୍ତି । ପିନ୍ଧା ଖଦିଟାରେ ମୁହଁ ପୋଛି ପୂର୍ଣ୍ଣ ଭାବିଲା, ସବୁ ଦଇବ, ସବୁ ଭାଗ୍ୟ । ଚଞ୍ଚଳ ଅମାନିଆ ଗୋଡ଼ ଦି’ଟାକୁ ଟାଣିଟାଣି ବଜାର ମହାଜନ ପାଖକୁ ଚାଲିଲା । ମହାଜନ ପାଖରୁ ସୂତା ଆଣେ, ଲୁଗା ବୁଣି କେତେଟା ଦୋକାନରେ ଦିଏ ଆଉ ବୁଲିବୁଲି କିଛି ନିଜେ ବିକେ ।

 

ଦୋକାନରେ ପହଞ୍ଚି ସୂତା ମାଗିଲା, ଆଉ ଲୁଗା ରଖିବେ କି ନାହିଁ ପଚାରିଲା । ମାଲିକ ଲାଲାରାମ ତକିଆ ଉପରେ ଆଉଜିପଡ଼ି କହିଲା, ‘ଆରେ ପୂର୍ଣ୍ଣ ବାକି ରୁପୟାତ ଦେଦୋ, ଫିର ନୟୀ କାରବାର ।’ ପୂର୍ଣ୍ଣ କହିଲା, ‘ଏଇ ଲୁଗାତକ ନିଅ, ମଜୁରୀ ବାବଦକୁ ଧାର ସୁଝିଯିବ । ’

 

‘ଆରେ ମିଲ୍‍ ଧୋତି, ଶାଢ଼ି ତୋ ଦୁକାନମେ ଭର୍ତ୍ତି ହେ । ଧାନକେ ଆମଦାନୀ ନହିଁ ଦୁଇ, ଔର ବାଜାରତୋ ବିଲ୍‍କୁଲ ମାନ୍ଦା ହୈ’ ଫିର ଆଜ୍‍କଲ ସହରମେ ବହ କପଡ଼ା କୋଇ ନହିଁ ଲେତେହେଁ । ନିଜର ପୃଥୁଳ ଉଦରରେ ହାତ ବୁଲାଇ ମୁଲାୟମ ସ୍ଵରରେ ଲାଲାରାମ କହିଲେ–‘ଦେଖୋ ପୂର୍ଣ୍ଣ ତୁମ୍‍ ଏକ କାମ୍‍ କରୋ । ଦେହାତକୀ କୋଇ ହାଟ୍ ୟା ମେଲାକୋ ଯାଓ, ଦେହାତୀ ଆଦିମ, ଔରତ ବହ କପଡ଼ା ଲେତେ ହେଁ ।’

 

ପୂର୍ଣ୍ଣ ବି ଦେଖିଲା ସହରରେ ତନ୍ତ ଲୁଗାର କାଟତି ନାହିଁ । ଅଚଳ ପଇସାଭଳି ଅଚଳ ହୋଇ ଗଲାଣି । ମନେମନେ ଠିକ୍‍ କଲା ମକର ପର୍ବ ଆଗରୁ ମଫସଲ ହାଟକୁ ଯିବ । ଧାନ କଟା ପରେ–ମକର ପର୍ବ ଯୋଗୁ ମଫସଲ ହାଟରେ କାରବାର ଭଲ ହୁଏ । ମାସେ ଲାଗି ମାଲପତ୍ର ଯୋଗାଡ଼ କରି ଗଲା ହାଟକୁ ।

 

ହାଟଟା ଆଦିବାସୀ ଅଞ୍ଚଳରେ । ଖୁବ୍‍ ବଡ଼ ହାଟ । ତା’ଭଳି ଅନେକ ତନ୍ତୀ ଲୁଗା ଗାମୁଛା ଆଣିଥିଲେ । ମକର ପର୍ବ ଆଦିବାସୀଙ୍କ ବଡ଼ ପର୍ବ । ଗାଁ, ଘର ଛାଡ଼ି ଏମାନେ ଦୂର ଥାନକୁ, ତଳମାଳକୁ ଧାନ କାଟିବା ପାଇଁ ଯାଆନ୍ତି । ଧାନ କଟା ସାରି ଅଣ୍ଟାରେ ପଇସା ଧରି ଗାଁକୁ ଫେରନ୍ତି ମକର ଆଗରୁ । ମକର ହାଟରୁ ବର୍ଷକ ପାଇଁ ଲୁଗାପଟା ସବୁ ଚିଜ୍‍ ଖରଦି କରନ୍ତି । ବାହାପୁଆଣି ପାଇଁ ସଉଦା କରନ୍ତି । କେତେ ମାଝି ସାନ୍ତାଳ, କୋହ୍ଲ ତାଙ୍କ ହାତ ବୁଣା ଲିଜା, ପାଲହାଣ, ଧରି ବସିଥିଲେ । ଛକ ଜାଗାଟେ ଦେଖି ପୂର୍ଣ୍ଣ ତା’ ଦୋକାନ ସଜେଇଲା । କ୍ରମେ ଲୋକ ଜମିଲେ, ଖୁବ୍‍ ଭିଡ଼, ଠେଲା ପେଲା । ବେଶି ସଂଖ୍ୟାରେ ଆଦିବାସୀ, ହାତ ଧରାଧରି ହୋଇ ତିର୍ଲା, ମରଦ ଠେଲା-ପେଲା ହୋଇ ଚାଲିଛନ୍ତି । ହୋ, ହୋ, ଘୋ, ଘୋ ଶବ୍ଦ । ଏମୁଣ୍ଡ ସେମୁଣ୍ଡ ମାଳ ମାଳ ମଣିଷ ମୁଣ୍ଡ । ଯିମିତି ଲକ୍ଷ ମୁଣ୍ଡ ଗୋଟିଏ ଦିହର ପ୍ରକାଣ୍ଡ ଜୀବ ।

 

କିନ୍ତୁ ବିକ୍ରି କାହିଁ ? କାରବାର ତ ଆଶାନୁରୂପ ନୁହେଁ । ହତାଶ ହୋଇ ଚାହିଁଲା ପୂର୍ଣ୍ଣ ପାଖ ଦୋକାନୀ ଆଡ଼କୁ । ସମଦଶା । ଜଣେ ଅଧେ ଖଣ୍ଡେ ଲୁଙ୍ଗି କି ଗାମୁଛା ଉଠେଇ ଦର ପଚାରୁଛନ୍ତି । ତା’ପରେ–‘ବାହାରେ, ଏତେ ଦାମ ? ମିଲ୍‍ ଲୁଙ୍ଗି ଶସ୍ତା ।’ କିଏ କହିଲା–ଏତେ ଦାମ ଦେଇ ଗାମୁଛା ନେବା ଛଡ଼ା ତଉଲିଆ ନବା ଭଲ । ଆଲୁଅ ଚାରିପଟେ କୀଟ, ପତଙ୍ଗର ଅନ୍ଵେଷଣରେ ଶିକାରୀ ଝିଟ୍‍ପିଟ୍‍ ଚାହିଁଲା ଭଳିଆ ପୂର୍ଣ୍ଣ ଚାରିଦିଗକୁ ଚାହିଁଲା ।

 

ଦଳଦଳ ଆଦିବାସୀ ଗୀତଗାଇ ଚାଲିଥିଲେ । କ୍ଵଚିତ କେହି ତନ୍ତ ଲୁଗା ପିନ୍ଧିଥିଲା । ତାଙ୍କ ନିଜ ଜାତିର ଲୁଗା–ଲିଜା, ପାଲହାଣ, ନିହାତି ବୁଢ଼ୀ ବ୍ୟତୀତ ଜବାନ ତିରଲା କେହି ପିନ୍ଧିଥିବାର ନଜରକୁ ଆସିଲାନି । ମୁଣ୍ଡରେ ବାସନା ତେଲ, ଖୋସାରେ ମନ୍ଦାର ଫୁଲ, ଫାଇନ ମିଲ୍‍ ଶାଢ଼ି । କିଏ କିଏ ରଙ୍ଗିନ ତଉଲିଆ ଖଣ୍ଡେ ଦିହ ଉପରେ ପକେଇଛନ୍ତି ।

 

ପୂର୍ଣ୍ଣ ଭାବିଲା–ଏତେ ଜନ ଗହଳି, ତେବେ ବି କାରବାର ନାହିଁ ? ଲୋକେ ତା’ହେଲେ କ’ଣ ଖରିଦ କରୁଛନ୍ତି ! ଦୋକାନରୁ ଉଠିଲା–ଟିକେ ହାଟଟା ବୁଲି ଆସିବ । ଭିତରେ ଠେଲି ପେଲି କଷ୍ଟେ ମଷ୍ଟେ ଆଗେଇଲା । ଆଦିବାସୀ ତିରଲାଙ୍କ ଶସ୍ତା ବାସନା ତେଲ, କରଞ୍ଜ ତେଲର କଡ଼ା ବାସନା ଆଉ ହାଟର ଧୂଳିମିଶା ଗୋଟାଏ ତୀବ୍ର ଗନ୍ଧ ସେ ଅନୁଭବ କଲା–ଆଉ ତା’ ସଙ୍ଗେ ମହୁଲ ହାଣ୍ଡିଆର ଗନ୍ଧ । ତା’ ଉପରେ ତାଙ୍କର ପିତଳ ଓ କଂସା ଖଡ଼ୁ ଓ ବାହୁର ମାଡ଼ । ଗୋଟେ ଜାଗାରେ ପୂର୍ଣ୍ଣ ଲକ୍ଷ କଲା ଖୁବ୍‍ ଭିଡ଼, ଟିକିଏ ଆଗେଇଯାଇ ଦେଖିଲା–କେତେଗୁଡ଼ିଏ ଟ୍ରାକ–ଆଉ ଟ୍ରାକ ଉପରେ ଗଦା ହେଇଚି ପାହାଡ଼ ପ୍ରମାଣ ମିଲ୍‍ ଲୁଗା–ଧୋତି, ଶାଢ଼ି, ହରେକ କିସମର ଚଦର, ତଉଳିଆ, ଗେଞ୍ଜି ପ୍ରଭୃତି । ଆଉ ସେଇ ପାହାଡ଼ ଉପରେ ମାରଓ୍ୟାଡ଼ି ଟୋକା ଠିଆହୋଇ ନିଲାମ କଲାଭଳି ଚିତ୍କାର କରୁଛି–‘ଦୋ ରୁପୟା, ଦୋ ରୁପୟା– ।’ ଚାକର ଖଣ୍ଡେ ଦି’ଖଣ୍ଡ ଲୁଗା ମେଲେଇ ଧରିଛି । ଶହଶହ, ହଜାର ହଜାର, ଆଦିବାସୀ ଅନାଦିବାସୀ ସମସ୍ତେ ଖରିଦ କରୁଛନ୍ତି ‘ଶସ୍ତା ମାଲ-।’

 

ହତାଶାରେ ଦୀର୍ଘଶ୍ୱାସ ଛାଡ଼ି ପୂର୍ଣ୍ଣ ଫେରିଲା, ତୀବ୍ର ବେଦନା ଅନୁଭବ କଲା । ବୁଝିଲା–ଯନ୍ତ୍ର ଦାନବ ସଙ୍ଗେ ଲଢ଼ିବାର କ୍ଷମତା ତା’ର ନାହିଁ । ଦେଖିଲା ସେ ଏକା ନୁହେଁ । ଯେତେ ସମ ବ୍ୟବସାୟୀ ସମସ୍ତଙ୍କର ଏକା ଦଶା । ଗୋଟିଏ ଚିନ୍ତା ତା’ ମନକୁ ପାଇଲା–ସେ ଲୋଡ଼ିଲା–ଅନ୍ୟ ସମସ୍ତଙ୍କ ସହଯୋଗ ଓ ସାହାଯ୍ୟ । ଭାବିଲା ଗାଆଁକୁ ଫେରି ସବୁ ସମବ୍ୟବସାୟୀଙ୍କୁ ଏକଜୁଟ କରି ଗଢ଼ିବ ସମବାୟ ସମିତି । ସହରରେ ଦୋକାନ ଖୋଲା ହେବ–ଆଉ ଚାଲିବ ଦେଶୀୟ ଶିଳ୍ପର ଆନ୍ଦୋଳନ । ୧୯୪୨ ଯାଇଚି ସତ କିନ୍ତୁ ଆନ୍ଦୋଳନର ଦରକାର ରହିଛି । ସକାଳର ସୂର୍ଯ୍ୟୋଦୟଭଳି ନୂଆ ଆଶା ଜଳିଉଠିଲା ।

 

ଗାଁ ତନ୍ତୀମାନେ ଅନେକ ସହଯୋଗ କଲେ–ସମବାୟ ସମିତି ଖୋଲା ହେଲା । ସରକାରୀ ସାହାଯ୍ୟାଦି ମିଳିଲା । ପୂର୍ଣ୍ଣ ଦେଖିଲା–ତା’ର ଆଶା ସଫଳତା ଦିଗରେ ପାଦ ବଢ଼େଇଚି-। କଠିନ ସଂଗ୍ରାମ–ଯନ୍ତ୍ର ସଙ୍ଗେ ପାଦ ମିଳେଇ ପ୍ରତିଦ୍ଵନ୍ଦିତା କରିବାକୁ ପଡ଼ିଲା । ସବୁଆଡ଼େ ମିଲ୍‍ର ବ୍ୟବହାର, ମିଲ୍‍ ଜିନିଷର ଆଦର–ପ୍ରସାର । ଖାଲି ଖବରକାଗଜରେ ବଡ଼ବଡ଼ ବକ୍ତୃତା ଓ ସରକାରୀ ଇସ୍ତାହାର ବାହାରେ–ଦେଶର ଜାତୀୟ ଶିଳ୍ପ ଓ କୁଟୀର ଶିଳ୍ପର ପ୍ରସାର । ସରକାରୀ ଅର୍ଥ ସାହାଯ୍ୟ ମିଳିଲେତ ଚଳିବନି–ବଜାରରେ ତନ୍ତ ଜିନିଷର କାଟତି ନାହିଁ, ତଥାପି–ଜନପ୍ରିୟ କରିବାକୁ ହେବ । କୁଟୀରଶିଳ୍ପ ସପ୍ତାହ ପାଳିତ ହେଲା, ସଭା ସମିତି, ଖୁବ୍ ହେଲା, କିନ୍ତୁ ଫଳ ବିଶେଷ ହେଲାନି, ସମିତିର କ୍ରମାଗତ କ୍ଷତି ହେବାକୁ ଲାଗିଲା । କର୍ମୀମାନଙ୍କ ମଧ୍ୟରେ ଉତ୍ସାହ କମି ଆସିଲା-

 

ହଠାତ୍‍ ଦିନେ ସହକର୍ମୀ ଜଣେ ଖବର ଆଣିଲା–ସହରରେ ହସ୍ତଶିଳ୍ପ ଓ କୁଟୀରଶିଳ୍ପର ଏକ ବିରାଟ ପ୍ରଦର୍ଶନୀ ହେବ, ସପ୍ତାହେ କାଳ ବ୍ୟାପି । କେନ୍ଦ୍ର ଦପ୍ତରର ବିଶିଷ୍ଟ ନେତା ଏ ସମ୍ମିଳନୀ ଉଦ୍‍ଘାଟନ କରିବେ । ନୂତନ ଉତ୍ସାହ ମିଳିଲା–ପ୍ରଦର୍ଶନୀ ପାଇଁ ପ୍ରାଣପଣେ ଲାଗି ପଡ଼ିବା ନିମନ୍ତେ ପୂର୍ଣ୍ଣ ସମସ୍ତଙ୍କୁ ଆହ୍ୱାନ କଲା ।

 

ପ୍ରଦର୍ଶନୀର ଉଦ୍ୟକ୍ତା ଓ ଆବାହକ ସ୍ୱୟଂ ମଦନ ବାବୁ, ବାରମ୍ବାର ଆସି ସବୁ ସୁବିଧା ଅସୁବିଧା ବୁଝି ଯାଉଥିଲେ । ଦିନରାତି କାମ ଚାଲିଲା ।

 

ନିର୍ଦ୍ଧିଷ୍ଟ ଦିନରେ ପ୍ରଧାନ ଅତିଥି ପ୍ରଦର୍ଶନୀ ଉଦ୍‍ଘାଟନର ଭାଷଣ ଦେଲେ– ‘...ସ୍ୱାଧୀନତାର ଅଗ୍ରଦୂତ ଆମ ଦେଶର ଚାଷୀ ଆଉ ବସ୍ତ୍ର ନିର୍ମାତା, ବିଦେଶୀ ଶାସନର ସ୍ୱାଧୀନତା ସଂଗ୍ରାମ ସଫଳ ହେଉଚି ଆମର ଚାଷୀ ଆଉ ତନ୍ତୀମାନଙ୍କ ଦେଇ, ମହାଯୁଦ୍ଧରେ ବିଦେଶରୁ ଲୁଗା ଆସିବା ଯେତେବେଳେ ବନ୍ଦ ହୋଇଥିଲା–ଆମରି ଦେଶର ତନ୍ତୁବାୟୁ ଆମର ଲଜ୍ଜ୍ୟା ନିବାରଣ କଲେ । ଆମ ଦେଶର ଚାଷୀ ବିପ୍ଳବକୁ ସଫଳ କଲେ–ସହଯୋଗ କରି । ଆଜି ସେମାନଙ୍କୁ ଅବହେଳା କଲେ ସ୍ଵାଧିନତାର ପ୍ରାସାଦ ଭାଙ୍ଗିପଡ଼ିବ । ଦେଶରେ କୃଷିର ଉନ୍ନତି କରିବାକୁ ହେବ....ଇତ୍ୟାଦି । ସଭା ପରେ–ପ୍ରଧାନ ଅତିଥୀ, ମନ୍ତ୍ରୀଗଣ ଓ ବହୁବିଶିଷ୍ଟ ନେତା ପ୍ରଦର୍ଶନୀ ଦେଖି ବୁଲିଲେ । ମଦନବାବୁ ସମସ୍ତଙ୍କୁ ବୁଲେଇ ଦେଖେଇବାକୁ ଲାଗିଲେ । ସବୁ ଦୋକାନ ମହା ଆଡ଼ମ୍ବରରେ ସଜା ହୋଇଥାଏ । ବୁଲି ବୁଲି–ମଦନ ବାବୁ ସମସ୍ତଙ୍କୁ ପୂର୍ଣ୍ଣର ସମବାୟ ସମିତିକୁ ଘେନି ଆସିଲେ । ମଦନ ବାବୁ ପୂର୍ଣ୍ଣକୁ ପରିଚୟ କରେଇ ଦେଲେ–ସହରର ଏକମାତ୍ର ଓ ଆଦର୍ଶ ଅନୁଷ୍ଠାନର ଅଗ୍ରଣୀ । ଲୁଗାରବୁଣା ଓ ଶିଳ୍ପ କାର୍ଯ୍ୟ ଦେଖି ସମସ୍ତେ ତାରିଫ କଲେ । ଦଳଟିରେ ବହୁ ଭଦ୍ରମହିଳା ମଧ୍ୟରେ ମଦନବାବୁଙ୍କ ସ୍ତ୍ରୀ ଓ ଝିଅ ଉମା ମଧ୍ୟ ଥିଲା । ପୂର୍ଣ୍ଣ ଆଶ୍ଚର୍ଯ୍ୟ ହେଲା ସେମାନଙ୍କର ପୋଷାକ ଦେଖି । କାରଣ ସେମାନେ ପିନ୍ଧିଥିଲେ ଖଦଡ଼ ଶାଢ଼ି–ଏପରିକି ଉମା ମଧ୍ୟ ପୂର୍ଣ୍ଣକୁ ଉଚ୍ଚ ପ୍ରଶଂସାପତ୍ର ଦେବାର ପ୍ରତିଶ୍ରୁତି ଦେଇ ଦଳଟି ଆଗେଇ ଗଲେ ।

 

ସବୁ ଦୋକାନରେ ବିକାକିଣା ଚାଲିଲା । ଡାକବାଜି ଯନ୍ତ୍ରରେ ଗୀତାର ସ୍ୱର ଭାସି ଉଠିଲା । ରଙ୍ଗିନ ବିଜୁଳି ବତୀରେ ପ୍ରଦର୍ଶନୀ ଅଞ୍ଚଳଟା ରହସ୍ୟମୟ ଦେଶ ହୋଇ ଉଠିଲା । ହଜାର ହଜାର ଲୋକ ଚାଲିଲେ । କିଛି ସମୟପରେ ପୂର୍ଣ୍ଣ ଦେଖିଲା–ମଦନବାବୁଙ୍କ ଦଳଟି ସାମନା ସୁସଜ୍ଜିତ ବିଖ୍ୟାତ ଅନୁଷ୍ଠାନ ବାଙ୍ଗାଲୋର ସିଲ୍କ ଦୋକାନକୁ ଗଲେ । କେତେଗୁଡ଼ିଏ ସିଲ୍କ ଶାଢ଼ି ଦେଖୁଥିଲେ ସେମାନେ । ଖଣ୍ତେ ରକ୍ତଜବା ରଙ୍ଗର ଶାଢ଼ି ଉମା ଉଠେଇ ନେଲା । ଶାଢ଼ି ଉପରେ ପଡ଼ିଥିବା ବିଦ୍ୟୁତର ତୀବ୍ର ଆଲୁଅର ଆଭା ପ୍ରତିଫଳିତ ହେଉଥିଲା ଉମାର ଗୋଲାପି ମୁଖମଣ୍ଡଳରେ । କେହି ହୁଏତ ମନ୍ତବ୍ୟ କଲେ ଲୁଗାଟି ଉମାକୁ ଭଲ ମାନିବ । ସେଇ ଲୁଗାଟି କିଣିଲେ ବୋଧହୁଏ ।

 

ପୂର୍ଣ୍ଣ ତା’ର ଆଖି ଫେରେଇ ଆଣିଲା ନିଜ ଦୋକାନ ଆଡ଼କୁ । କେହି ଖରିଦ୍‍ଦାର ନାହାନ୍ତି । ବାଙ୍ଗାଲୋର ମିଲ୍‍ର ଜାକଜମକ ଆଲୋକ ସଜା ଆଉ ଜନଗହଳି ତୁଳନାରେ ତା’ର ସମବାୟସମିତି ନିସ୍ପ୍ରଭ ମନେହେଲା । ଦେଶ ନେତାଙ୍କ ଖଦଡ଼ ଆବରଣ ତଳର ରେଶମୀ ଆଭିଜାତ୍ୟ ପାଖରେ ତନ୍ତବୁଣା ଚିଜ୍‍ଗୁଡ଼ିର ମୂଲ୍ୟ କିଛି ନାହିଁ । କାରଣ ସେସବୁ ବ୍ୟବହାରର ଅଯୋଗ୍ୟ ।

 

ଅନ୍ତରାଳ

 

ସେଇ ବଡ଼ ରାସ୍ତାରୁ ଯେଉଁ ଗଳିଟା ଯାଇଛି–ଠିକ୍ ସେଇ ବାଙ୍କରେ । ସମସ୍ତଙ୍କ ନଜରରେ ପଡ଼େ, ସମସ୍ତେ କିନ୍ତୁ ବାଆଁରେଇ ଚାଲିଯାଆନ୍ତି–ଦେଖି ନ ଦେଖିଲା ପରି ।

 

ନଙ୍ଗଳା, ନିର୍ଜୀବ ଦେହ । ମୁମୂର୍ଷୁ ଫାପଲା ବେଙ୍ଗଭଳି ଫୁଲିଯାଇଛି ଦେହଟା, ଦରପାଚିଲା ଚୁଟିଗୁଡ଼ାକ ଜଟ ବାନ୍ଧିଛି । କୁହୁଡ଼ିଆ ସକାଳର ପାଉଁଶିଆ ଆକାଶଭଳି ଘୋଳିଆ ଆଖି ଯୋଡ଼ିକରେ ମେଣ୍ଡିଆ ଜମିଚି । ଭଣଭଣିଆ ମାଛିଗୁଡ଼ାକ ଦରମେଲା ଶେତା ଓଠ ଫାଙ୍କରେ ପଶି ଯାଉଚନ୍ତି । ବାଧାଦେବାର ଇଚ୍ଛାଶକ୍ତି ବି ହଜିଯାଇଚି ବୁଢ଼ୀର । ସେ କିନ୍ତୁ ମରିନାହିଁ, ଜିଇଁଛି ।

 

ଯେଉଁମାନେ ଘୃଣାରେ ନାକଟେକି ଆଡ଼ଆଖିରେ ଚାହିଁ ଆଡ଼େଇ ଚାଲିଯାଆନ୍ତି–ସେମାନଙ୍କ ଭିତରୁ ଅନେକ ବୁଢ଼ୀକୁ ଚିହ୍ନନ୍ତି । ଦିନେ ଅନେକ ତାକୁ ‘ଧାଈ ମା’ବୋଲି ଡାକିଚନ୍ତି ।

 

ସେଇ ବାବୁମାନଙ୍କର ଦାମିକା ଲୁଗାତଳେ ରକ୍ତ ମାଂସର ଦେହଟା–ଦିନେ କେଡ଼େ ନିଃସହାୟ ଥିଲା । ପୃଥିବୀର ପହିଲି ଆଲୁଅର କଅଁଳ ପରଶ ପାଇବା ପାଇଁ ଯେତେବେଳେ ଆକୁଳ ଆଦେଶରେ କାନ୍ଦି ଉଠିଥିଲା–ଏଇ ମାଟି ଛୁଇଁବା ଆଗରୁ ନିଜ କୋଳରେ ସେମାନଙ୍କୁ ଆଦରରେ ଥାନ ଯେ ଦେଇଥିଲା–ସେ’ ଏଇ ଭୁଲା ମା’ ।

 

ରିକ୍ସାଟି ଆଉ ଟିକକୁ ମାଡ଼ି ଯାଇଥାନ୍ତା । ଜୋରରେ ବ୍ରେକ୍‍ କରି ଅଟକି ଗଲା । ‘ତୋ କପାଳ ଭଲ, ବଞ୍ଚି ଗଲୁରେ ବୁଢ଼ୀ ।’ ଆରୋହି ଦି’ଜଣ ଭିତରୁ ପ୍ରୌଢ଼ ଜଣକର ମନ୍ତବ୍ୟ ଶୁଣି–ବୁଢ଼ୀ ବିଚାରିଲା–ସତରେ ସେ ମରିନି; ବାବୁଙ୍କ ଅକୃପଣ ଦୟାରୁ ବଞ୍ଚିଗଲା ।

‘ଏ, ତ ଭୁଲା ମା’ ନା କିଏ ? ପ୍ରୌଢ଼ ଜଣଙ୍କ ନଜର ପଡ଼ିଲା ବୁଢ଼ୀ ଉପରେ ।

‘ଚାଲ ଚାଲ, ସେ ତା’ର କର୍ମଫଳ ଭୋଗୁଛି । ବୁଢ଼ା ଶ୍ୱଶୁର ଜୋଇଁକୁ କହିଲେ । କେତେ ଯେ ଭ୍ରୁଣ ହତ୍ୟା କରିଛି, ତା’ର ଠିକ୍ ନାହିଁ–ଏମିତି ଭୋଗିବ ନାହିଁ ? ସ୍ଵଗତୋକ୍ତି କଲେ ବୁଢ଼ା । ଚଳନ୍ତା ଗାଡ଼ିରୁ ସୁଉକିଟେ ଫିଙ୍ଗିଦେଲେ ଜୋଇଁବାବୁ ।

ଦୂର ପର୍ବତ, ଦୂର ଆକାଶର କୋଟି କୋଟି ତାରାର ଛାଇ ଯେଉଁ ହ୍ରଦ ବୁକୁରେ ପଡ଼େ–ସେ ହ୍ରଦ ଜାଣେନି ତା’ର ନିଜର ଗଭୀରତା, ଭୁଲା ମା’ର ଘୋଳିଆ ଆଖିରେ ବାବୁ ଦି’ଜଣଙ୍କ ଛବି ପଡ଼ିଲା, ତା’ ସଙ୍ଗେ ସଙ୍ଗେ କଥାଗୁଡ଼ାକ ତା’ କାନର ଶବ୍ଦଯନ୍ତ୍ରରେ ପହଞ୍ଚିଥିଲା । ମସ୍ତିଷ୍କଟା ପୂରାପୂରି ଅଚଳ ହେଇନି ତ; ସ୍ନାୟୁଗୁଡ଼ାକ ଖବର ପହଞ୍ଚେଇ ପାରୁଚନ୍ତି ।

ସୁଇକିଟାକୁ ଅଣ୍ଡାଳି ଧଇଲା । ଜୋଇଁବାବୁଙ୍କର ମନେଅଛି ତା’ହେଲେ ! –ଏବେ ଦରବୁଢ଼ା ହେଇଗଲେଣି । ଆଉ ବୁଢ଼ା ବାବୁ ଏକଦମ୍‍ ବୁଢ଼ା ପାଲଟି ଗଲେଣି । ଠିକ୍ ପାଚିଲା ଆମ୍ବ, ବୁଢ଼ା ବାବୁ ଆଉ ତାଙ୍କର ବଡ଼ ଜୁଆଇଁ ଯାଉଚନ୍ତି ।

କୋଡ଼ିଏ ବର୍ଷ ତଳର କଥା, ଏଇ ଜୋଇଁବାବୁ–ତିରିଶ ବର୍ଷର ଯୁବା ହେବ, ଚାହାଣିରେ ଭରି ରହିଥିଲା ମାଦକତା–ତା’ ପୂରିଲା ଛାତିରେ ଶିହରଣ ଜାଗୁଥିଲା ସେତେବେଳେ ।

ହଁ ସେତେବେଳେ ଭୁଲା ମା’ର ଶାଶୁ ମରି ଗଲାଣି । ଭୁଲା ମୋଟେ ତିନିବର୍ଷର । ଶକ୍ତ ପୁଆତିଙ୍କୁ ଏକା ଏକା ସମ୍ଭାଳିନବାର ଅଭ୍ୟାସ ହେଇଗଲାଣି । କୁଳ ବେଉସା ଯେତେବେଳେ କ’ଣ କରିବା ।

ଦିନକର ମଉଳା ସଞ୍ଜ । ଦାଣ୍ଡରେ ଦୀପ ଜଳିଲାଣି । ବୁଢ଼ାବାବୁଙ୍କ ଗୁମାସ୍ତାଠଉଁ ଖବର ପାଇ ଭୁଲା’ ମା’ ଝଅଟ ଧାଇଁଗଲା । ଖଞ୍ଜା କମ୍ପୁଥାଏ–ମାଇପିମାନଙ୍କ ଗହଳି ଚହଳିରେ ।

ଭୁଲା ମା ପଶିଗଲା ଘର ଭିତରକୁ ।

ବାବୁଙ୍କ ବଡ଼ ଝିଅ, ପହିଲି ପୁଆତି । କାନ୍ଥ ଆଡ଼କୁ ଝିଅର ମୁହଁ, ଭାରି କଷ୍ଟ । ଭୁଲା ମା’ ଅଣ୍ଟାରେ ହାତଦେଲା । ନରମ ହାତର ଉଷୁମ ପରଶ ପାଇ ଝିଅ ପଚାରିଲା ।

“କିଏ ?’’

“ମୁଁ ଭୁଲା ମା’ ।”

“ତୁ, ମରୁନୁ ଲୋ । ଏଯାଏଁ କୋଉ ଚୁଲିରେ ପଶିଥିଲୁ ? ମଧୁର ଭର୍ତ୍ସନା ଚନ୍ଦନଭଳି କଥାଟାକୁ ନେଇ ଭୁଲା ମା’ ହସିଲା । ମଲା, ମୁଁ ଖବର ପାଇ ତ ଧାଇଁ ଆସିଛି ।

ମୁହଁ ବୁଲେଇ କଣେଇ ଚାହିଁଲା ପୁଆତି । ଗଭୀର ପ୍ରଶ୍ନବାଚକ ଚିହ୍ନ । ଭୁଲା ମା’ର ମୁହଁକୁ ଚାହିଁ ଲାଜେଇ ଗଲା ନିଜେ । ରକ୍ତ ଅବିର ବୋଳି ହେଇଗଲା । ଇମିତି ଲାଜ ପହିଲି ପୁଆତି ମୁହଁରୁ ଭୁଲା ମା’ ଅନେକ ଦେଖିଚି । କିନ୍ତୁ ଏ ଲାଜ ଥିଲା ଭିନ୍ନ ଧରଣର–ଏକା ଭୁଲା ମା’ ବୁଝିଲା । ତା’ସନ୍ଧାନୀ ଆଖିରୁ ଡାଗର ଆଖି ଦି’ଟା ଫେରେଇ ନେଲା ପୁଆତି । ଭାବନାର ସୁଅ ଫେରେଇବାକୁ ପୁଆତି କହିଲା ।

 

‘ଭାରି କଷ୍ଟ ହଉଚିଲୋ ଭୁଲା ମା’–ଟିକିଏ ଜୋରେ ଧ’–

 

“ଏତେ କଷ୍ଟ ପାଇବାକୁ ତମକୁ କିଏ ରାଣ ପକେଇ କହୁଥିଲା କି ନାନୀ ?” ଥଟ୍ଟାରେ ଉଘେଇ ଦେଲା ଭୁଲା ମା’ ।

 

ତୋତେ ରାଣ ପକେଇ କହୁଚି ଲୋ–ଆଉ ନା–ଆଉ କେବେ ନା–

 

ମନ ମନ୍ଥେଇ ହସିଥିଲା ଭୁଲା ମା’ । ସେ ଜାଣେ–କଷ୍ଟ ପାଇଲାବେଳେ ସବୁ ପୁଆତି ଏମିତି କହିଥାଆନ୍ତି । ପୁଣି ଭୁଲି ଯାଆନ୍ତି ସେମାନେ । ଦୁନିଆର ରୀତି ।

 

ପୋଡ଼ାମୁହିଁ, ହସୁଚି । ତୋତେ ମରଣ ନାହିଁଲୋ ।

 

“ମୁଁ ମଲେ ତମକୁ ଏମିତି ଧରିବ କିଏ ?” ଆଉ ପଟେ ହସିଲା । ହସି ହସି ବାହାରିଗଲା ଗରମ ପାଣି ଆଣିବାକୁ ।

 

ଧୋବ ଫିନ୍‍ ଫିନ୍‍ ବାବୁ । ଝାଳ ଗମ ଗମ ଦିହ । ବ୍ୟସ୍ତ ହେଇ ନିରୋଳାରେ ଘୂରି ବୁଲୁଥିଲେ । ଭୁଲା ମା’କୁ ଦେଖି–ସିଗାରେଟଟା ଫିଙ୍ଗିଦେଇ ଆଗେଇ ଅଇଲେ ।

 

ଏୟ୍‍, ତୋ ନାଁ କ’ଣ ? –ନିରୀହ ପିଲାଟା ଭଳି ଉତ୍କଣ୍ଠା ତାଙ୍କ ସ୍ଵରରେ । କ’ଣ ପଚାରିବାକୁ, କ’ଣ ପଚାରୁଛନ୍ତି, ଆରେ ତୋ ନାଁ କ’ଣ ?

 

“ମୋ ନାଁ, ମୋ ନାଁ” ସେବତୀ । ସଭିଏଁ ଡାକନ୍ତି ଭୁଲା ମା’ । ନିଜ ନାଁଟା ପର ପୁରୁଷ ପାଖେ କହିବାର ଗୋଟାଏ ଅଜଣା ସଂକୋଚ ମାଡ଼ି ବସିଲା ।

 

ପୁଆତି କେମିତି ଅଛି ? କଷ୍ଟଟା ଯେମିତି ପୁଆତିଠାରୁ ଜୋଇଁବାବୁଙ୍କ ବେଶୀ ।

 

ଭଲଅଛି । ଫିକ୍‍କିନା ହସିଦେଇ ଚାଲିଯାଉଥିଲା ଭୁଲା ମା’ ।

 

…କୁଆଁ–ଶବ୍ଦଶୁଣି ଦୁଆରେ ଟିକିଏ ଠେଲି ଉଙ୍କିମାଇଲେ ଜୋଇଁବାବୁ । ହସି ହସି ଭୁଲା ମା’ ଥିରକିନା କହିଲା–ଟଙ୍କା ପକାଅ ବାବୁ, ଚମ୍ପାଫୁଲ ରକମ ତୋର ଝିଅ । ପହିଲି ଝିଅ, ବାପର ସୁଖ ।

 

କଥା ପଦକ ଭୁଲା ମା’ କହିଦେଲା ସିନା–କିନ୍ତୁ ସେଇଟା କେତେବଡ଼ ମିଛକଥା ଏକା ସେ’ଇ ଜାଣେ ।

 

ଖବର ପାଇ ଜୋଇଁବାବୁଙ୍କ ଆଖିରେ ଝଲସି ଉଠିଲା ଏକ ଅପୂର୍ବ ତୃପ୍ତିର ଆଲୁଅ ଓ ଝିଅର ମା’ କେମିତି ଅଛି ? ଭଲଅଛି ମ !

 

ନବାଗତାର ଶୁଭ ସମ୍ବାଦର ମହୁରି ବାଜି ଉଠିଥିଲା ସେଦିନ ।

 

ଭୁଲା ମା’ ଘର ଭିତରୁ ଫେରିବାରୁ ପୁଆତି ପଚାରିଥିଲା ଆଲୋ, ବାବୁ କ’ଣ କହୁଥିଲେ-? କହିବେ କ’ଣ ? ଭାରୀ ଖୁସୀ । ଖୁସୀ ସିଏ ଜରୁର ହେବେଲୋ, ନିଶ୍ଚୟ ହେବେ–କାହିଁକି ନାନୀ-?

 

ତାଙ୍କର ପରା ଦିଓଟି ଭାର୍ଯ୍ୟା ଗର୍ଭ କଷ୍ଟରେ ମରିଯାଇଛନ୍ତି । ଭୁଲା ମା’ ସେତେବେଳେ ବୁଝିଲା–ବାବୁଙ୍କର ଉଦ୍ବେଗର କାରଣ । ସେଇ ଜୋଇଁବାବୁ, ଭୁଲା ମା’କୁ ବା ଭୁଲନ୍ତେ କେମିତି ?

 

ଠିକ୍ ତା’ପରେ ବୁଢ଼ୀର ଆଖି ଆଗକୁ ଭାସିଆସିଲା ସେଇ ବୁଢ଼ାଶ୍ୱଶୁରର ରୂପ–ରୂପନୁହେଁ ତ ଗୋଟାଏ ବିକଟ ରୂପ, ବୁଢ଼ାର ବୁନିଆଦି ଜମିଦାରୀ ଯାଇଛି । ଶୀତ ଗଛର ପତ୍ର ଝରିଲାଭଳି ତା’ର ହଜିଯାଇଛି ସମସ୍ତ ଐଶ୍ୱର୍ଯ୍ୟ ବିଭବ । କିନ୍ତୁ କ୍ଷୁରଧାର ମୁହଁର ଶାଣଦିଆ କଥା ଏବେବି ରହିଛି ।

 

‘ତା’ର କର୍ମଫଳ ଭୋଗୁଛି ।’ –ବୁଢ଼ା ବାବୁଙ୍କ ଏଇକଥା ପଦକ–ବିଛା ଯେମିତି କାମୁଡ଼ିଲା ବୁଢ଼ୀର ମୁଣ୍ଡରେ । ଜୋଇଁବାବୁଙ୍କ ସ୍ମୃତରେ–ପାଉଁଶ ତଳେ ନିଆଁଭଳି ତା’ ସ୍ମୃତିତଳେ ଅଦୃଶ୍ୟ ରହିଥିଲା । ବୁଢ଼ାର ଚେହେରାଟା ମନେପଡ଼ିଲା ମାତ୍ରେ–ଗୋଟାଏ ତୀବ୍ର ଅନୁଭୂତରେ ସଚେତନ ହେଇଉଠିଲା ଯେମତ ।

 

କେତେଦିନ ଗଲାଣି । ତେବେବି ମନେହେଉଛି–ସେ’ଦିନ ତା’ ଜୀବନରେ ଗୋଟାଏ ଚିର ଜ୍ୱଳାମୟୀ ଅନୁଭୂତ କି ନା ! ବୁଢ଼ାର ଆଜିକାର ସେଇ ହାତଭରା ମୁହଁ ନୁହେଁତ–ମୁଖା ଗୋଟାଏ ଜଘନ୍ୟ ପ୍ରବୃତ୍ତି ଯିମିତି ସଂଗୋପନରେ ପ୍ରଶ୍ରୟ ପାଇଛି ।

 

ସେତେବେଳେ ଭୁଲାର ଜନମ ହେଇ ନ ଥାଏ । ତାକୁ ସମସ୍ତେ ଡାକନ୍ତି ‘କାଳିଆ ବୋହୂ’ କାଳିଆ ତା’ ଗେରସ୍ତ । ବର୍ଷ ତିନିଟା ଘର କରିଥାଏ ।

 

କାଳିଆ ତୁଚ୍ଛା ନାଁକୁ ବୁଲି ବିକେ ଅଣ୍ଟାଦୁରୀ, ହାରିକିନ ବତୀ, ନାଲି ସିନ୍ଦୂର… । ଅସଲ ସେ ତା’ ମା’ ରୋଜଗାରରେ ଚଳେ । କାଳିଆ ମା’ ଧାଈ କାମକରେ । ସେ ଘରେ ବସିଲେ ବୁଢ଼ୀ ବିଗଡ଼େ । ସେଥିପାଇଁ ବୁଢ଼ୀ ଘରେ ଥିଲେ ବିକିବା ବାହାନାରେ କାଳିଆ ଜୋରର ପାଟି ହୁରିକରି ଏଗଳି ସେଗଳି ଘୂରିବୁଲେ । ବୁଢ଼ୀ ଘରୁ ବାହାରିଗଲେ କାଳିଆ ପଳେଇ ଆସେ ସେବ ପାଖକୁ । “ପଳେଇ ଆଇଲୁ ଯେ ।” ରୋଜଗାର କଲେ ସିନା ପେଟ ପୋଷିବୁ ?

 

“କିଲୋ ? ବୁଢ଼ୀଠଉଁ ଶିଖିଗଲୁଣି କି ?’’ ଧମକାଏ କାଳିଆ ।

 

ହଇଲୋ ସେବ, ଏଇ ନାଲିଆ ଫିତାଟା ନାଇଲୁ ଦେଖେଁ–ଟିକିଏ ପରେ କାଳିଆ କହେ-। ରେଶମୀ ଫିତାଟା ମୁଣ୍ଡରେ ନାଇ, କାଚ ଅଇନାରେ ଡଉଳ ଡାଉଲ ମୁହଁଟା ଦେଖି ସବୁ ଭୁଲିଯାଏ କାଳିଆ ବୋହୂ । ପୋଳ ଡେଣରୁ କଟା ଗାଢ଼ ନେଳିଆ ଟିପଟା ତା’ କପାଳରେ ଜକଜକ କରେ-। କାଳିଆ ଆଡ଼କୁ ଚାହିଁ ଫିକ୍‍କିନା ହସିଦିଏ । କାଳିଆ ତା’କୁ ଦି’ ବାହାରେ ଶୂନ୍ୟେ ଶୂନ୍ୟେ ଟେକି ଧରି କହେ–କହ ବୁଢ଼ୀକି କହିବୁ ନାହିଁ । ନ’ହେଲେ ଫିଙ୍ଗିଦେବି ।

 

ଭାରି କୁତୁକୁତୁ ଲାଗେ । ସେ ଖାଲି ଜାବୁଡ଼ି ଧରି ହସେ । ମନେମନେ କହେ–ମୁଁ କ’ଣ ଚାହେଁକି ତୁ ପଦାରେ ରହବୋଲି ।

 

ସେସବୁ କେଉଁ କାଳର କଥା । ଦୀର୍ଘଶ୍ଵାସଟାଏ ବାହାରି ଆସିଲା ।

 

ସେଇଟା ବୋଧେ ଆଷାଢ଼ ମାସର ରାତି । ଆଷାଢ଼ ହେଉକି ଶ୍ରାବଣ ହେଉ ଗୋଟାଏ ମେଘୁଆ ରାତି । ସାତଦିନ ଧରି ଝଡ଼ ବର୍ଷା । ଘୋ ଘୋ ମେଘ । ସାଇଁ ସାଇଁ ବାଆ । ଶାଶୁ ଯାଇଥାଏ କାହା ଘରକୁ ଧାଈ କାମରେ । ସଞ୍ଜ ପହରୁ ଶୋଇଥାଏ କାଳିଆ । ନାଲା ବଜାରରୁ ନିଶାପାଣି ଟୋପେ ପିଇଥାଏ, ରୋଷେଇ ସାରି ସେବ କାଳିଆ ପାଖକୁ ଯାଉଚି–ତାକୁ ଡାକିବ, ଠିକ୍ ଇମିତି ବେଳେ ତାଟିରେ କିଏ ଖଡ଼ଖଡ଼ କଲା । ଏକେତ ମେଘୁଆ ରାତି–ଖାଲିକେ ଡର, ତା’ ଛାତି ଦୁଲୁକି ଉଠିଲା ।

 

କାଳିଆ ମା’, କାଳିଆ ମା’ ! ଦାଣ୍ଡରୁ ଡାକ ଶୁଭିଲା । କିଏ ଶାଶୁକୁ ଡାକୁଛି । ସେଦ ଯାଇ ଡାକିଦେଲା କାଳିଆକୁ । ସେ କି ସହଜେ ଉଠେ ? ବହୁ କଷ୍ଟରେ ଉଠିଲା ଯଦି–ସେବିର ଚୌଦପୁରୁଷକୁ ଗାଳିଦେବାକୁ ଲାଗିଲା । ଗାଳି ଦେଉଁ ଦେଉଁ ଦାଣ୍ଡକୁ ଗଲା ।

 

ରେ କାଳିଆ, ତୋ ମା’ କାହିଁ ?

 

ବାବୁଙ୍କ ଗମ୍ଭୀର ପାଟି ଶୁଣି କାଳିଆର ଗଜର ଗଜର ପାଟି ବନ୍ଦ ହେଇଗଲା ।

 

“ଆଇଜ୍ଞା ସେ ଯାଇଛି ଶାମବାବୁ ଘରକୁ । ତାଙ୍କ ସାନବୋହୂ– ।’’

 

“ଫେରିବେ କେତେବେଳେ ?” ବାବୁ ଭାରି ବ୍ୟସ୍ତ ।

 

“ଆଜି ଫେରିବନାହିଁ–ନା କ’ଣ ।”

 

ଫେରିବନି ? କ’ଣ କରିବାରେ କାଳିଆ ?

 

ବାବୁଙ୍କ ତୁଣ୍ଡରୁ ଏ ଧରଣର ‘କାଳିଆ’ ସମ୍ବୋଧନ କାଳିଆ ତା’ ଜୀବନରେ ପ୍ରଥମ ଶୁଣିଲା ।

 

ଟିକିଏ ରହି ବାବୁ ପୁଣି କହିଲେ–ଆରେ କାଳିଆ ତେବେ ତୋ ବୋହୂକୁ ଟିକିଏ ପଠେଇଦେ । ବଡ଼ ଜରୁରୀ...ବାବୁଙ୍କ କଣ୍ଠରେ ମିନତି ।

 

ଏତେ ବର୍ଷା, ଅନ୍ଧାର ରାତି । ତେଣେ ଜବାନ ତିର୍ଲାଟାକୁ ବାବୁଙ୍କ ଘରକୁ ଏକା ଛାଡ଼ିଦବ କିମିତି ?

 

ଆଉ କାଳିଆ ବୋହୂକି ବି ସେତେବେଳକୁ ଧାଈ କାମକୁ ପକ୍‍କା ହେଇନି । ତେବେ ଶାଶୁ ସାଙ୍ଗରେ ଦଶପାଞ୍ଚ ଘରକୁ ଯାଇଛି । ନିହାତି ଅସୁବିଧାରେ ଏକା ଯାଇ କାମ ଚଳେଇ ଦିଏ । ତଥାପି ବାବୁଙ୍କୁ ସଫା ‘ନା’ କହି ହେଉ ନ ଥାଏ ।

 

କିରେ ମେଘ ପାଇଁ ଡରୁଚୁ ? ଦି’ଟା ରିକ୍ସା ଆଣିଚି । ରିକ୍ସାରେ ଯିବ, ରିକ୍ସାରେ ଆସିବ । କାଳିଆ ତଥାପି ନୀରବ ।

 

ହଁ–ଏଇ ଟଙ୍କା ପାଞ୍ଚଟା ରଖ । ଆଉ ତୋ ବୋହୂ ହାତରେ ଲୁଗାପଟା ପଠେଇ ଦେବି । ବଡ଼ ଜରୁରୀ–ନ ଗଲେ ନ ଚଳେ ।

 

ହାରକିନି ବତୀ, ନାଲି ସିନ୍ଦୂର ବିକେ କାଳିଆ । ଏକାଥରେ ପାଞ୍ଚଟଙ୍କା ତା’ ସାମନାରେ ଯେମିତି ଛପରଫାଡ଼ି ଖୋଦା ଦେଲା ନାଲା ବଜାରର ଟିଣ (……) ମଉଜ କଥା ଭାବି–ସେ ସବୁ ପାଶୋରିଗଲା । ତା’ପରେ ଏ ଝଡ଼ ବାଦଲା ରାତିରେ ବାବୁ ଚାକରବାକର ନ ପଠେଇ ଖୋଦ୍‍ ନିଜେ ଆସିଚନ୍ତି–ତାଙ୍କ କଥା ପଦକରେ ଶହ ଶହ ଲୋକ ମୁଣ୍ଡିଆ ମାରନ୍ତି । ସମ୍ଭ୍ରମ ଜାଗିଲା ତା’ ମନରେ । ...ତେବେ ସେବକୁ ମଙ୍ଗେଇପାରିଲେ ସିନା ? ଘରକୁ ପଶିଲା କାଳିଆ ।

 

ସେବଲୋ ! କଅଁଳ ଡାକ । ଦି’ଜଣଙ୍କ କଥାଭାଷା ସେବ ଶୁଣିଚି । ଯା, ଯା, ବାବୁ ପା’ ନିଜେ ଆଇଚନ୍ତି । ଜରୁରୀ ହେଇ ନ ଥିଲେ କି ନିଜେ ଏଇ କାଦ ପାଣିରେ ଆଇଥାନ୍ତେଲୋ ? ଦୋ ଦୋ ପାଞ୍ଚ ହେଇ କାଳିଆ ବୋହୂ କହିଲା ଫୁସ୍‍ ଫୁସ୍‍ କରି । ଯୁ ମେଘ !

 

ଆଲୋ ବାବୁ ପା’ ରିକ୍ସା ଆଣିଚନ୍ତି !

 

ମେଘୁଆ ରାତିଟାରେ ଗେରସ୍ତକୁ ଛାଡ଼ିଯିବାକୁ ମନ କାହାର ? ତେବେ ଏଇ ବାବୁଙ୍କ ବଡ଼ଘର କଥା । ପୁଣି ବାବୁ ନଗଦ ଟଙ୍କା ପାଞ୍ଚଟା ଦେଲେଣି–କାଳିଆ ନିଶା ପାଣିରେ ଉଡ଼େଇ ଦବ-। ଗଲେ ସିନା ଶାଢ଼ି ଖଣ୍ଡେ ମିଳିବ । କାଳିଆର କରାମତି ନାହିଁ–ନୂଆ ଶାଢ଼ିଟେ ଖରିଦ କରି ଦବାକୁ-? ଦେଇ ଦେଇ ନାଲିଫିତା ଖଣ୍ଡେ କି କାଇଁଚ ଟିପେ ।

 

ବାହାରିପଡ଼ିଲା ମେଘ ପବନ ମୁଣ୍ଡେଇ । ସଡ଼କରେ ପାଣି ସୁଅ । ରିକ୍ସାବାଲା ଟାଣି ପାରୁନି–ପାଣି କାଦୁଅ ସାଥିରେ ଲଢ଼େଇ ଚଳେଇଚି । ରିକ୍ସା ଚଢ଼ା ଗୋଟିଏ ଆମୋଦିଆ କଥା, ଭୁଲା ମା’ ପ୍ରଥମ ସେଦିନ ରିକ୍ସା ଚଢ଼ିଲା ।

 

ଅସରନ୍ତି ଗଛ ଗହଳି–ପ୍ରକାଣ୍ଡ ବଗିଚା । ଫାଟକ ପାଖେ ଅଟକିଲା ରିକ୍ସା । ବର୍ଷା କମିଚି–ମେଘ କଟିନି । ଗୋଟିଏ ବି ତାରା ଦିଶୁନି । ଦୁର୍ଯୋଗମୟ ରାତି । ଟର୍ଚ୍ଚ ପକେଇ ବାଟ କଢ଼େଇ ନେଲେ ବାବୁ ନିଜେ, ବିରାଟ କୋଠା । ଅସୁରପୁରୀଠୁଁ ବଳି । ଘରଟା ଅସମ୍ଭବ ରକମ ନୀରବ । ମାଡ଼ିପଡ଼ୁଚି ।

 

ବାବୁଙ୍କ ଚେହେରା ଯିମିତି–ସିମିତି ତାଙ୍କ ତେଜ । ସିମିତି ବିଭବ । ପ୍ରତାପ । ତାଙ୍କ ରାଗକଥା ସହରରେ ନ ଜାଣେ କିଏ ? ଶାଶୁଠୁଁ ତାଙ୍କ କଥା ସେ ଅନେକ ଶୁଣିଚି । ଖଜଣା ନ ଦେଲେ ଲୋକଙ୍କ ଗୋଡ଼ବାନ୍ଧି ଟଙ୍ଗେଇ ଦିଏ । ଗରଭିଣି ମାଇକିନିଆକୁ ଗୋଇଠା ମାରି ଛୁଆ ଜନମ କରିଦେବା କଥା ସହରରେ ଅନେକ କହନ୍ତି । ତାଙ୍କ ନିଶ ଯୋଡ଼ିକରୁ ବେଶ୍‍ ଜଣାଯାଏ–ସେ କରିପାରନ୍ତି ସବୁ । କିନ୍ତୁ–ସେଇ ରାତିରେ ସେ ଦିଶୁଥିଲେ ଗୋଟାଏ ସମ୍ପୂର୍ଣ୍ଣ ଭିନ୍ନ ମଣିଷ । ତାଙ୍କ କାକୁତି ମିନତି, ଅନୁନୟ ବିନୟଭାବଦେଖି କାଳିଆ ବୋହୂ ବିଶ୍ୱାସ କରିପାରୁନଥିଲା ଯେ ସେ ଇମିତି ତେଜିଆନ ଲୋକ ସାଙ୍ଗରେ ଯାଉଚି । ଗୋଟାଏ ଅଜଣା ଗର୍ବ ତା’ ମନକୁ ପାଇଲା ।

 

ଅସୁରପୁରୀର–କୋଠରୀ ପରେ କୋଠରୀ । ଏଟା ସେ ଜାଣେ । ରହିବା ଘର ନୁହେଁ । ବାବୁଭାୟା, ସାଇବ ସୁବା ଆସିଲେ ରହନ୍ତି–ନାଚ ତାମସା ହୁଏ–ବନାରସରୁ ଆସନ୍ତି । ଏଘର ସମ୍ବନ୍ଧରେ ବହୁତ କଥା ଗୁଜବ ଉଠେ ସହରରେ । ଏଠିକି ଆସିବ ସେ କଳ୍ପନା କରିନି ଜୀବନରେ । ଶଙ୍ଖ ମଲମଲ ପଥର ମାଡ଼ି ଚାଲିଚି–ପାଦ ପକେଇବାକୁ ଡର ମାଡ଼ୁଚି–କମ୍‍ ଆନନ୍ଦ ବି ଲାଗୁନି । ଘରପରେ ଘର, ତା’ର ମନେହେଲା ସ୍ଵପ୍ନପୁରୀ । ଘରେ ସବୁ ଆଲମାରୀ–ଫୁଲ ଝାଡ଼, ପ୍ରକାଣ୍ଡ ପ୍ରକାଣ୍ଡ ଦେଶୀ ବିଲାତି ଛବି । ପଥରର ଲଙ୍ଗଳା ମୂର୍ତ୍ତି କିନ୍ତୁ ନୀରବ–ନିସ୍ତବ୍ଦ, ସବୁ ଆଶଙ୍କା, ବିସ୍ମୟ, କୌତୂହଳରେ ଅଭିଭୂତ ହେଇଗଲା । ହଠାତ୍ ବିଚାରିଲା–ସେ ଆସି ଭୁଲ କରିଚି ।

 

କିଏ ପୁଆତି ? କାହିଁ ? ବାବୁଙ୍କ ସ୍ତ୍ରୀ ତ ନାହାନ୍ତି, ତେବେ ପୁଆତି କିଏ । ଏ ପ୍ରଶ୍ନ କାହିଁ ଆଗରୁ ତ ମନକୁ ଆସିନି । ତେବେ ବାବୁ–ନିଜ ଉଆସକୁ ନ ଯାଇ ଏ’ ବାଗାନ ଘରକୁ ଆଣିଲେ କାହିଁକି ? ଦବିଗଲା ତା’ ଛାତି, ପାଦ ଥଙ୍ଗେଇଲା । ବାବୁଙ୍କ ପୁଅ ନାହିଁ–ଯେ ବୋହୂ ଥିବ । ଦି’ଦିଟା ଝିଅତ ଅଭିଆଡ଼ି, ତେବେ ପୁଆତି କିଏ ? ତେବେ କ’ଣ–ଚାକରାଣୀ ହେରିକା କେହି... ? କି ଜାଣି ବାବୁଘର କଥା ଜାଣିବା ମୁସ୍କିଲ ।

 

ହଠାତ୍ ସାମନା ଘରୁ ମାଇପି ଲୋକର ଚପା କାନ୍ଦଣା ଶୁଭିଲା । ଏମିତି ଆବ୍‍ହାଓୟାରେ ସେମିତି କାନ୍ଦଣା ଶୁଣି ମୂର୍ଚ୍ଛା । ଯିବାର କଥା, କିନ୍ତୁ ଜୀବନ୍ତା ମଣିଷର ଅବସ୍ଥିତି ଜାଣି କାଳିଆ ବୋହୂ ଯିମିତି ତା’ ଜଡ଼ ଦିହରେ ଜୀବ ପାଇଲା ।

 

ଆଉଜା କବାଟ ପାଖେ ବାବୁ ହଠାତ୍‍ ଅଟକି ଗଲେ । ବାବୁଙ୍କ ଗଳାରେ ଆଓ୍ୟାଜ ଘରେ ପ୍ରତିଧ୍ୱନୀ ଜଣେଇଲା ।

 

‘ଏ, କାଳିଆ ବୋହୂ ! ଦେଖ ଭଲ ବକ୍ସିସ୍‍ ପାଇବୁ, କିନ୍ତୁ–ବାବୁ ତେରେଛେଇ ଚାହିଁଲେ–ପରୀକ୍ଷା କରିନେଲେ ତାକୁ, କିନ୍ତୁ ଖବରଦାର୍‍ କଥା ଯିମିତି ପଦାକୁ ନ ଯାଏ,–କେହି ପଚାରିଲେ କହିବୁ–ଚାକରାଣୀ... ।

 

ଚମକିଉଠିଲା କାଳିଆ ବୋହୂ । ପୁଆତି କିଏ ? ମନକୁ ପାପ ଛୁଇଁଲା ।

 

ଘରକୁ ପଶିଲା ।

 

ବାବୁଙ୍କ ବଡ଼ଝିଅ, ସିମିଟି ଚଟାଣରେ ତଳେ ଗଡ଼ୁଚି । ବଜ୍ରଟିଏ ପଡ଼ିଲା କି ଘରେ !

 

ଝିଅର ଆଖିରେ ଲୁହଧାର, ଅସହ୍ୟ ଯନ୍ତ୍ରଣାରେ ମାଉଁସିଆ ମୁହଁଟାରେ ଦାଗ କାଟି ହେଉଚି । ଛୁଇଁଦେଲେ କାଳିଆ ବୋହୂ ।

 

ଚମକି ଉଠିଲା ଝିଅ । ଭୂତ ଦେଖିଲା ସତେ, ଟିକିଏ ମୁଣ୍ଡ ଟେକି ଚାହିଁଲା ତାକୁ । ମାଇପିଲୋକ ଦେଖି ବଳ ପାଇଲା ସତେ । ଡର ମାଡ଼ି ବସିଚି ଆଖି ପତାରେ, କଳା ଆଖିରେ ତାରାରେ ସକରୁଣ ମିନତି, ତା’ଠେଇ ସତେଯିମିତି ସେ ପାଇଲା ଗୋଟାଏ ଆଶା ଜନକ ଅବଲମ୍ବନ । ଅଧିର ଆବେଗରେ ଜାବୁଡ଼ି ଧଇଲା କାଳିଆ ବୋହୂକୁ । କାଳିଆ ବୋହୂ ଅନୁଭବ କଲା ଅକୁହା ଶିହରଣ, ବଡ଼ଘର ଝିଅ ସେ ତା’ର କାଣି ଆଙ୍ଗୁଳିକି ସରି ନୁହେଁ । ବଡ଼ଘର ଝିଅ, ହେଲେବି ସେଇ ମୁହୂର୍ତ୍ତରେ ସେ ନିଜକୁ କିମିତି ଅସହାୟ ବିଚାରୁଥିଲା–ସେ ବୁଝିଲା ।

 

ଯମଯନ୍ତ୍ରଣା, ମରମ ଫଟା ଆକୁତି ପରେ–ପ୍ରସବ ହେଲା ପୁଅଟିଏ ନିସ୍ତେଜ ହେଇ ପଡ଼ିରହିଲା ପୁଆତି । ସଜଫୁଟା ସ୍ଥଳ ପଦ୍ମଭଳି କଅଁଳ, ଡଉଲ ଡାଉଲ ତୋରା ଶିଶୁ । ଇମିତି ସୁନ୍ଦର ଛୁଆ କାଳିଆ ବୋହୂ ଜୀବନରେ ଦେଖିନି । ସରୁ ସରୁ ଓଠ । ସଳଖ ସୁନ୍ଦର କାନ । କଳା କଳା ଛୋଟ ଆଖି ଯୋଡ଼ିକ–ଏବେବି ତା’ର ଆଖିକି ଦିଶିଯାଏ । ଢଳ ଢଳ ମୁଁହ ଖଣ୍ଡକ ଶହ ଶହ ଛୁଆ ଭିତରେ ତା’, ରୂପଟା ବାରି ହେଇଯିବ ।

 

କିଏ ଘର ଭିତରକୁ ପଶିବାର ପାଦଶବ୍ଦ ଶୁଭିଲା । ବାବୁଙ୍କ ପ୍ରକାଣ୍ଡ ଛାଇଟା କଅଁଳ ଛୁଆ ଉପରେ ପଡ଼ିଲା, ଛୁଆଟା କେଁ କରି କାନ୍ଦି ଉଠିଲା କାଳିଆ ବୋହୂ ଲୁଗା ଖଣ୍ଡକ ଢାଙ୍କିଦେଲା ପୁଆତିର ଲଙ୍ଗଳା ଦେହରେ ।

 

‘‘କାଳିଆ ବୋହୂ ! ବାବୁଙ୍କ ଗଳା ସ୍ୱର ଭାରୀ ଗମ୍ଭୀର । ଚମକି ଉଠିଲା କାଳିଆ ବୋହୂ-। ଚାରି କାନ୍ଥ ଭିତରେ ଶବ୍ଦଟା କଚାଡ଼ି ହେଇ ପଡ଼ିଲା, ନିରୀହ ଛୁଆଟା ଆଉଥରେ କାଁ କରି ଉଠିଲା-

 

‘‘ଛୁଆଟାର ବେକ ଚିପିଦେ ।’’ କାଁ ଭାଁ ବନ୍ଦ ହେଇଯାଉ ବାବୁଙ୍କ କଠୋର ଆଦେଶ ।

 

କାଳିଆ ବୋହୂର ମନେହେଲା କିଏ ଯେମିତି ବେତ ପାହାରେ ପିଟି ଦେଲା ତା’ ପିଠିରେ । ସେ ଶୁଣିଥିଲା ଏମିତି ପିଲା ନଷ୍ଟ କରିଦିଅନ୍ତି । ଲୋକେ କହନ୍ତି ତା’ ଶାଶୁ ଇମିତି ଢେର କରିଚି, କିନ୍ତୁ ଶାଶୁ ନିଜ ମୁହଁରେ କହିନାହିଁ, ନିଜ ହାତରେ ଇମିତି ଜଘନ୍ୟ କାମଟେ କରାଯାଇପାରେ ତା’ ବି ସେ କଳ୍ପନା କରିପାରୁନଥାଏ, ସେ ପୁଣି ମାଇପି ଲୋକ, ଗର୍ଭରେ ଧରିବାକୁ ହବ । ଭାବିପାରିଲା ନାହିଁ ସେ କରିବ କ’ଣ, ବାବୁଙ୍କ କଥା ଯିମିତି ତା’ କାନକୁ ଯାଇନି ।

 

କିରେ ଶୁଣିପାରୁନୁ ? ତଣ୍ଟିଟା ଚିପିଦେ, ନ ହେଲେ ମୋତେ ଦେ ।

 

ବଣର ବାଘୁଣୀ କାଳିଆ ବୋହୂ ଦେଖିନି । ତେବେ ଗରଭିଣୀ ବାଘୁଣୀ କଥା ସେ ଶୁଣିଚି ।

 

ବାବୁଙ୍କ କଥାଯାଇ ଝିଅଟିର ମର୍ମରେ ହାଣିଦେଲା । ଗୁଣ ଛିଣ୍ଡା ଧନୁଭଳି ସଳଖେଇ ଉଠିଲା । ଛଞ୍ଚାଣଭଳି ଛୁଆଟିକୁ ଝାମ୍ପି ନେଲା । ସେଇମିତି ବାପର ଝିଅ କି ନା ! ରକ୍ତ ସୁଅରେ ବିଜୁଳି, ସାରା ଦେହରେ ଲୁଗା ନାହିଁ ସେଥିକୁ ଖାତର ନାହିଁ । ଆଖି ଦି’ଟା ତା’ର ଜଳିଉଠିଲା–ବାଘୁଣୀଭଳି ।

 

ସାମନାରେ ଯେ ଝିଅର ଉଲଗ୍ନ ଶରୀର–ସେଥିକୁ ବି ବାବୁଙ୍କ ହୋସ୍‍ ନାହିଁ, କଟମଟ କରି ଚାହିଁରହିଲେ । ଉଦ୍ଧତ ଅବାଧ୍ୟ ଝିଅ । ଦିହେଁ ନୀରବ, ଝଡ଼ର ପୂର୍ବାଭାସ । ସତେଯିମିତି ଦି’ଟା ହିଂସ୍ରଜନ୍ତୁ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଚନ୍ତି ।

 

ବାହାରେ ମେଘର ଗର୍ଜନ, ବିଜୁଳି ଘଡ଼ଘଡ଼ିରେ ଆକାଶ ମାଟି ଥର ଥର ନଡ଼ିଆ ଗଛଗୁଡ଼ାକ ନଇଁ ଆସୁଚି ଝରକା ଭିତରକୁ । କଟିଛୁଆଟିର କାନ୍ଦଣା ଚାରିକାନର ବାହାରକୁ ଯିବା ସମ୍ଭବ ନୁହେଁ, ତଥାପି ଟିକିଏ କାନ୍ଦି ଉଠିଲେ ଗର୍ଜି ଉଠନ୍ତି ବାବୁ ।

 

ବାବୁ ଅସ୍ଥିର, ତାଙ୍କୁ ମନେହେଉଥାଏ–ଶୋଇଲା ପୃଥିବୀର ସବୁ ଲୋକ ଚେଇଁ ଉଠିଛନ୍ତି, ଆଉ ସେମାନେ କୌତୂହଳୀ ହୋଇ କାନଡେରି ଶୁଣୁଛନ୍ତି ଏଇ ପିଲାଟିର କାନ୍ଦଣା ଶଦ୍ଦ ସତେଯିମିତି ଘର ଚାରିପଟେ ଶହ ଶହ ଲୋକ ଜମିଉଠିଲେଣି । ସେମାନଙ୍କ ଆଖିରେ ସନ୍ଦେହ ଆଉ ଘୃଣା ମିଶା ଦୃଷ୍ଟି ।

 

ଦେ, ଦେ, ସେ ପିଲାକୁ । ବାବୁଙ୍କ କଳା ଛାଇଟା ମାଡ଼ି ଆସିଲା ।

 

ନା ମୁଁ ଦେବିନି । ପିଲାଟିକୁ ଛାତିରେ ଜାକି ଧରିଲା ଝିଅ । ପୂରିଲା କ୍ଷୀର ଭରା ଥନଟା ଲଗେଇଦେଲା ପିଲାର ଓଠରେ । ବୁକୁର ବେଦନା ଝରିଗଲା ତା’ ଆଖି ଲୁହରେ । ତୃପ୍ତିର ଗୋଟାଏ କ୍ଷୀଣ ରେଖା ଟାଣି ହୋଇଗଲା ତା’ର ବେଦନାହତ ମୁଖମଣ୍ଡଳରେ । ପିଲାର ଜନ୍ମଦାତ୍ରୀ ମା’ ଜନନୀ ।

 

ବାବୁ ଯିମିତି ଟିକିଏ ପଛେଇଗଲେ ।

 

ଆହୁରି ଲୋକହସା ହବାକୁ ମନ ହେଉଛି ? ଯାହାତ ହବାର ହେଲାଣି । ଏବେ ଭଲରେ ଭଲରେ କହୁଛି ପିଲାଟାକୁ ନଷ୍ଟ କରିଦେଲେ ସବୁ ଗଣ୍ଡଗୋଳ ମେଣ୍ଟିଯିବ ।

 

ମୁଁ ତାଙ୍କୁଇ ବିଭାହେବି, ବାପା । ସେ ରାଜି ଅଛନ୍ତି–

 

ଚୁପ୍‍କର, ଗର୍ଜି ଉଠିଲେ ବାବୁ । ମାନ ସମ୍ମାନ କଥା ଭାବିଛୁ ଥରେ ? ମୋ ମୁଣ୍ଡ ନୁଆଇଁ ତୋର ଲାଭ ? –ସେ ରାଜି ଅଛନ୍ତି– ! ବିଦ୍ରୂପ କଲେ ବାବୁ ।

 

‘ହଁ ସେ ରାଜି ।’ ଆଉ ଏ ପିଲାଟାର କି ଦୋଷ–

 

‘ଅସମ୍ଭବ !’ ମନେହେଲା ଯିମିତି ଘର ଭିତରେ ବଜ୍ର ଫାଟିଲା, ବନ୍ଦୀ ଝାଡ଼ର କାଚଗୁଡ଼ାକ ଝଣଝଣ କରି ଚୂନା ହେଇଗଲା, ଆଉ ତା’ ସାଥିରେ ଚୂନା ହେଇଗଲା ଜନନୀର କରୁଣ ଆବେଦନ ।

 

କ୍ଷଣିକ ଭିତରେ ଘଟଣାଟା ଘଟିଗଲା ।

 

ବାବୁ କାନ୍ଥରୁ ଟାଣି ଆଣିଲେ ଧାରୁଆ ଖଣ୍ଡାଟିଏ । ଝିଅର ଛାତି ଭିତରୁ ଟାଣି ଆଣିଲେ କଅଁଳା ପିଲାଟିକୁ । ଖଣ୍ଡାଟାରେ ଖଣ୍ଡ ଖଣ୍ଡ କରିପକାଇଲେ । ଘରଯାକ ଭରିଗଲା ରକ୍ତର ସୁଅ । ଆଉ ଶିଶୁହରା ମା’ ଆକୁଳ ଆର୍ତ୍ତନାଦ କରି କଚାଡ଼ି ହେଇ ପଡ଼ିଗଲା ବାପର ନିଷ୍କରୁଣ ପାଦତଳେ-

 

ଆଖି ଦି’ଟା ମୁଦିହେଇ ଆସିଲା କାଳିଆ ବୋହୂର ।

 

ଇତିକଥା

 

କୌଣସି ମଣିଷର ଜୀବନ କଥା ସଜେଇ ବାଗେଇ କହିପାରିଲେ ସେଇଟା ପରା ହୁଏ କାହାଣୀ–ମୋର ଗାଳ୍ପିକ ବନ୍ଧୁ କହନ୍ତି । ସବୁ କାହାଣୀ ଜୀବନର କଥା ନୁହେଁ । ସବୁ ଜୀବନୀ ଗପ ନୁହେଁ, ପୁଣି ଆମ ପହଲି ଜେନା ଓରଫ ପ୍ରହ୍ଲାଦ ଜେନା, ସେ’ତ ପକ୍‍କା କଥାଶିଳ୍ପୀ ନୁହେଁ ଯେ ଭାଷାରେ ଚାତୁରିରେ ଭୁଲେଇଦେବ । ତା’ରି ପାଖରୁ ଶୁଣିବା କଥା ଇଏ । ଉପକଥା ନୁହେଁ–ପହଲି ଜେନାର ଅଙ୍ଗେ ନିଭେଇଲା, ଆଖିଦେଖା ଘଟଣା । ନିଧି ମଳିକର ଜୀବନ କଥା ।

 

କେଉଁ ପରିସ୍ଥିତିରେ ଏକଥା ଶୁଣିବାର ଦରକାର ପଡ଼ିଥିଲା, ସେଟା ବୁଝେଇ ନ କହିଲେ ତୁମେ ହୁଏତ ମିଛ ମଣିବ ।

 

ସ୍କୁଲ ପରିଦର୍ଶନ ସରିଚି । ପିଲାଏ ଗଲେଣି ନାଚିକୁଦି । ଗାଁ ଲୋକେ ଜମିଛନ୍ତି–ଯେଉଁମାନଙ୍କ ପାଦ ଏ ଭଙ୍ଗା ଚାଳ ତଳେ ପଡ଼େନି ସେମାନେ ବି; ଆଉ ସେକ୍ରେଟେରୀ ପହଲି ଜେନା । ଆଜି ବାବୁଙ୍କୁ ଆପତ୍ତି ଶୁଣେଇବାକୁ ହବ–ଏଲ୍‍.ପି. ସ୍କୁଲଟା ଇଉ.ପି ହଉ । ପହଲି ଜେନା ତ କହିବ । ମହନି, ସପନା, ଭରତିଆ, ନଖଣ, ମଧୁ ଏମାନେ ସବୁ ନ ରହିଲେ ହବ କିମିତି ?

 

ଦିନ ବୁଡ଼ିନି । ମେଘ ଖଣ୍ଡେ ଘେରି ଆସୁଚି, ପଶ୍ଚିମ ଆକାଶ ଆଡ଼ୁ କଳାଘୋଡ଼ଣିଭଳି । ସଞ୍ଜ ନଇଁ ଆସୁଛି ସତେ । ବୁଡ଼ିଲା ସୂର୍ଯ୍ୟର ଲାଲ କିରଣରେ ଅଦ୍ଭୁତ ଦିଶୁଚି ସେପଟ ଆକାଶ । ପ୍ରକାଣ୍ଡ କଳାହାଣ୍ଡି ତଳେ ଚୁଲି ଜଳୁଚି । ବାଉଁଶବୁଦା କଡ଼ୁ ଝରିପଡ଼ୁଛି ବହଳ ଅନ୍ଧାର ।

 

ମେଘଟା ଉଠେଇଲାଣି; ରାତିଟା ରହିଯାନ୍ତୁ ଭରସି କରି ଆଗକୁ ଆସି ସେକ୍ରେଟେରୀ ଜଣେଇଲେ । ବାବୁ ନ ରହିଲେ ଆପତ୍ତିଟା କରାଯିବ କିମିତି ? ଏହାହିଁ ଉଦ୍ଦେଶ୍ୟ ।

 

–ନାହିଁ, ଅଦିନିଆ ମେଘ, ମୋଟେ ହବନି । ସାଇକେଲରେ ଚାଲିଯିବି, ସଡ଼କେ ସଡ଼କେ । ମୁହଁର କଥା ମୁହଁରେ ଟପ୍‍ ଟପା ଟପ୍‍; ବର୍ଷା ପଡ଼ିଲା ବରପତ୍ର ଉପରେ । ନଈବାଲି, ପାଣସାହି ସେ କଡ଼ୁ ପାଣିର ପରଦା ଖଣ୍ଡେ ମାଡ଼ି ଆସିଲା । ବିଲବାଡ଼ି ସବୁ କିଛି ଡେଇଁ ।

 

ଦଶ ଘାଟିଆ ମେଘ, ଏତିକି ବେଳେ ଥିଲା । ଯେଉଁ ବୁଢ଼ୀ ଦି’ଘଣ୍ଟା ଆଗରୁ ତାଳୁଫଟା ଖରାରେ ସୂର୍ଯ୍ୟ ଦେବତାର ଚଉଦ ପୁରୁଷର ଶ୍ରାଦ୍ଧ କରିଥିଲା–ଏ’ ତାରି ପାଟି । ବାଡ଼ି ଖଳାରୁ ଶୁଖିଲା ଧାନ ଉଠଉଁ ଉଠଉଁ ମେଘଟା ମାଡ଼ି ପଡ଼ିଲା ।

 

ସଭିଏଁ ଉଠିଆସିଲେ ପିଣ୍ଡା ଉପରକୁ, ଘର ଚାଳରୁ ଝରିପଡ଼ିଲା ପାଣି ସୁଅ । କାନ୍ଥର ମାଟି ବି ଧୋଇ ଆସିଲା । ଧୋଇ ଆସିଲା ବହୁକାଳର ଅଳୁନ୍ଧ ନେଞ୍ଜରା ।

 

ସ୍କୁଲଛୁଆଙ୍କ ଆସନଗୁଡ଼ାକରେ ବସିଗଲେ ସମସ୍ତେ, ପାଣି କାଦୁଅକୁ ଆଡ଼େଇ ଗାଁ ଗହିରୀରେ ସୁଅ ଚାଲିଲା ଅଙ୍କେଇ ବଙ୍କେଇ । ବାହାରଟା ଅଦ୍ଭୁତରକମର ଅନ୍ଧାର, କ୍ଷଣକ୍ଷଣକେ ବିଜୁଳି ଆଲୁଅରେ ଦିଶୁଚି ଗୋଟାଏ ପ୍ରକାଣ୍ଡ ବିଲ–ଗହୀର ବିଲ । ଗହୀର ବିଲରେ ପାଣି ଜମିଗଲାଣି ।

 

କାଲି ହଳ ନବୁନା ମହନି ଭାଇ ? ପ୍ରଶ୍ନକଲା କିଏ ଜଣେ । –ଏ ଯେମିତି ମେଘ ହେଲାଣି, ହଳପାଗକୁ ଡେରିହବ । ଉତ୍ତର ହେଲା, ବୋଧେ ମହନି ଭାଇ ।

 

ଆହା, ଟିକିଏ ବରଷୁ–ତୁମେ ସବୁ ଇମିତି ଖୁଣି ଦିଅନି, ତୁମ ମୁହଁରେ–ଗଲାସନର ଅନାବୄଷ୍ଟି କଥା ଭାବି ସମସ୍ତେ କଅଁଳା ପୁଅକୁ କୁନଜରର ଆଡ଼ୁଆଳରେ ରଖିଲା ପରି ବର୍ଷାଟାକୁ ଆଦର କଲେ ନୀରବରେ । କିଏ କିଏ ବି ଜିଭ କାମୁଡ଼ି ନିଜ ଅପରାଧ ପାଇଁ କ୍ଷମା ମାଗିନେଲେ ଇନ୍ଦ୍ରଦେବତାଠେଇଁ ମନେମନେ । ଗହୀରି ବିଲଟାରେ ବେଶ୍‍ ପାଣି ଜମିଚି, ସାତଦିନ ଖଣ୍ଡେ ହଳଯିବନି ବୋଧେ, ମନ୍ତବ୍ୟ କଲି ମୁଁ ।

 

ଆଉ କଉଠି ଫସଲ ହଉ ନ ହଉ; ଏ ଜମିର ଧାନ ଥୁଆ । ଦେଖୁନ ବାବୁ, ଗାଁ ଗହୀରିର ସବୁ ପାଣି ସେଇଠି ।

 

ଗଲା ସନ ମେଘ ନାହିଁ–ଚାରିଆଡ଼େ ହାହାକାର ପଡ଼ିଗଲା । ଏ ବିଲଖଣ୍ଡକ ମରୁଡ଼ିରେ ସୁନା ଫଳେଇ ଦେଲା । ପଚାରୁନ ବାବୁ ପହିଲି ଭାଇକି । –କିଏ ଜଣେ କହିଲା ।

 

ଆରେ ଖାଲି କ’ଣ ଏ ଜମିଖଣ୍ଡିକ ପାଇଁ ଦି’ ପାଞ୍ଚବର୍ଷରେ ଥରେ ନହୁ ବହେ ? ମେଞ୍ଚଡ଼ା ଟୋକା ହଗରା କହିପକେଇଲା । ସମସ୍ତେ ବି ସମର୍ଥନ କଲେ ତା’ କଥାକୁ ।

 

କି ? ରକ୍ତ ବୁହେ କାହିଁକି ? ପଚାରିଦେଲି, କୌତୂହଳବଶତଃ ।

 

କାନ୍ଥକୁ ପିଠି ନଦିଦେଇ ପାକୁଆ ପାଟିରେ ପିଙ୍କା ଟାଣୁଥିଲା ବୁଢ଼ାଟେ । ଫିଙ୍କା ଟାଣିଲେ ଗାଲ ଦି’ଟା ଖାଲ ହେଇଯାଏ । ମୋ କଥା ଶୁଣି ଅଦ୍ଭୁତଭାବେ ଅନେଇଲା ।

 

‘ସେ ବାବୁ, ବହୁତ ବହୁତ କଥା । ଏ ଗାଁ ଖଣ୍ଡକରେ ଏମିତି ଗୋଟାଏ ଘର ନାହିଁ–ଯାହା ଘରେ ହଳ ଏ ଜମିରେ ଥରେ ନ ବୁଲିଚି । ଦି’ପାଞ୍ଚ ସାଲରେ ଗୋଟାଏ ଦି’ଟା ମୁଣ୍ଡ ନିଏ ଏ ଜମି । କେତେ ଯେ ରକ୍ତ ପିଇଲାଣି ଏ ବିଲ ଖଣ୍ଡକ, ଖାଲି କ’ଣ ଏଇ ଗାଁର ? କେତେ ରାଇଜର କେତେ ତିର୍ଲା ମରଦର ଲହୁ ଲୁହ ପିଇ–ଏ ଜମି ଖଣ୍ଡକ ଏଇଠି ପଡ଼ିରହିଚି ।’

 

ବହୁ ଦିନର ରକ୍ତାକ୍ତ ଇତିହାସ ବୁକୁରେ ଧରି ବିଜୁଳି ଆଲୁଅରେ ଚମକି ଉଠିଲା ଗହୀର ବିଲଟା । ପାଣି ନୁହେଁ–କାଦୁଅ ନୁହେଁ, ମେଞ୍ଚା ମେଞ୍ଚା ରକ୍ତମୁଣ୍ଡା ସତେ । କ୍ଷଣକେ ରହସ୍ୟମୟ ହୋଇ ଉଠିଲା ବିଲ ଖଣ୍ତକ ।

 

ଆରେ, ନିଧି ମଳିକ କଥା କହୁନ ? ଏ’ତ ସେ ଦିନର କଥା ।

 

ସମସ୍ତେ ଜାଣନ୍ତି, ନିଧି ମଳିକର କଥା–ଏକା ମୋ ଛଡ଼ା ବୋଧହୁଏ ସେ ରୋମାଞ୍ଚଳର କାହାଣୀ ମୋତେ ଶୁଣେଇବା ପାଇଁ ସମସ୍ତେ ଉଦ୍‍ଗ୍ରୀବ । ମାତ୍ର କଥାଟା ସଜେଇ କହିପାରୁନାହାନ୍ତି କେହି । ଶେଷକୁ ପହଲି ଜେନା ତୁଣ୍ଡ ଫିଟାଇଲାରୁ ସମସ୍ତେ ତୁନି ହେଲେ । ମୁରବି ଲୋକ ପହଲି ।

 

ଅନେକଥର ସେମାନେ ଶୁଣିଚନ୍ତି । ତେବେ ବି ସମସ୍ତେ ସେହି ପୁରୁଣା କାହାଣୀକୁ ଆଉଥରେ ଶୁଣିବାପାଇଁ ନିଶ୍ଚିୟ ବସିରହିଲେ ।

 

ଶୁଣ ବାବୁ, ଗାଁମୁଣ୍ଡରେ ନଈକଡ଼େ ପାଣ ବସ୍ତି । ସେଇଠି ନିଧିଆର ଆଡ଼ା । ବସ୍ତିର ଟୋକା ବୁଢ଼ା ସଭିଏଁ ଉଠ ବସ ହୁଅନ୍ତି ତା’ କଥାରେ । କୋଉଠି ଜମି ବେଦଖଲ କରିବାକୁ ହବ, କୋଉଠି ଜମି ଦଖଲ ନେବାକୁ ହେବ; କୋଉଠି ରାତାରାତ୍‍ ପାଞ୍ଚମାଣ ଜମିର ଧାନ କାଟି ଆଣିବାକୁ ହବ–ଖବର ଦିଅ ନିଧିଆକୁ । କିଛି ଟଙ୍କା ଆଉ ବୋତଲ କେଇଟା ଧରେଇଦେଇ ନିଶ୍ଚିନ୍ତରେ ଶୁଅ । ସକାଳକୁ ଉଠି ଦେଖ–ନିଧି, ପଦୁ, କାଙ୍ଗାଳି ଆଉ ତା’ ଦଳବଳ ରାତାରାତ୍‍ କାମସାରି ଆରାମରେ ଶୋଇଚନ୍ତି ।

 

ଆରେ ହାମ୍ ତୋ ରୂପୟାକେ ନୌକର୍‍ । ପୟସା ଦୋ କାମ୍‍ ଲୋ । ନିଧିଆ ତା’ ନିଶରେ ହାତମାରେ । –ଅସଲ କଥା ହେଲା, ତା’ ଦଳର କେଇଜଣ ଥରେ ଦି’ଥର ମାମୁ ଘର ବୁଲି ଆସିଚନ୍ତି–ମାତ୍ର ନିଧିଆ ଭାରି ଚତୁର । ସବୁଥର ସେ ଖସି ଯାଇଚି । କାମବେଳେ ଯେ ସେ ଅସଲ ଜାଗା ଉପରେ ନଥାଏ ତା’ ନୁହେଁ । ବଡ଼ ହୁସିଆର ହେଇ ସେ କାମ କରେ । ଆଉ ସବୁଠୁ ବଡ଼ କଥା ହେଲା–ବିପଦରେ ଗନ୍ଧ ସେ ବାରିପାରେ, ଶାଗୁଣା ମଢ଼ ବାସନା ବରିଲାପରି । ଉଆଁସ ଅନ୍ଧାରରାତିରେ ତା’ଆଖି ଜଳେ ଜଳନ୍ତା ଅଙ୍ଗାରା ରକମ ।

 

ସହରର ଜମିବାଲା ବାବୁଭୟାଙ୍କ ସାଙ୍ଗେ ତା’ର କାରବାର । ପୁଷ, ମାଘକୁ ଫସଲର ମୌସୁମବେଳେ ଧାନ ନ ପାଇ ବର୍ଷେ ବର୍ଷେ ମୁଣ୍ଡରେ ହାତଦେଇ ବସୁଁ । କିନ୍ତୁ ନିଧିଆର, ସେ ପାଣ ବସ୍ତିଯାକରେ ମଉଛବ ବସିଯାଏ । ଡାକରା ଆସେ ଅନେକ ଆଡ଼ୁ । ଟଙ୍କା ଆସେ, ଆସେ ଦେଶୀ ବିଲାତି ନିଶା ପାଣି । ଆଉ–ତା’ରେ ଖେଟେ ତା’ ଧିନ୍‍–ତା’ରେ ଖେଟେ ତା’ ଧିନ୍‍ ବାଜିଉଠେ ପଖାଉଜ । ଟୋକାଟେ ସିନେମା ଗୀତ ଗାଇ ମାଇକିନିଆ ଢଙ୍ଗରେ ନାଚେ । ଆଉ ନିଧିଆ ଆଖିବୁଜି ତାଳଦେବା ସାଙ୍ଗେ ସାଙ୍ଗେ ନୂଆ ନୂଆ ମତ୍‍ଲବ୍‍ ଫାନ୍ଦେ ।

 

ଇମିତି ଗୋଟାଏ ମାଘ ମାସରେ ନିଧିଆ ତା’ ଦଳବଳ ନେଇ ଦୂର ଗାଁକୁ ବାହାରିଗଲା-। ମାଘର ଶୀତ ସରିଗଲା । ନିମ୍ବ ଆମ୍ବ ଗଛରେ ଫଗୁ ଖେଳେଇ ଆଇଲା । ଫଗୁଣ ମଝାମଝି ତାଙ୍କ ଦଳର ପଦୁ, ମଣିଆ, ହଗରା ସଭିଏଁ ଫେରିଲେ ଗୋଟି ଗୋଟି, କିନ୍ତୁ ନିଧିଆର ଆଉ ଦେଖା ନାହିଁ-। ଚଇତ ଯାଇ ବୈଶାଖରେ ପୁଣି ହଳ ଫିଟିଲା । ଆଷାଢ଼ରେ କଅଁଳ ଧାନଗଛ କିଆରି କିଆରିରେ ଦୋହଲିଲା–ମୁଣ୍ଡ ନଇଁ ଦେବତାର ଆଶୀର୍ବାଦଭଳି ଘେନିଲା ଶ୍ରାବଣର ଧାରା ।

 

ଚାହୁଁ ଚାହୁଁ ଶୁଆପଖିଆ ବିଲ ସୁନା ବରଣ ଧଇଲା । ପୁଣି ଫେରିଆସିଲା ଧାନ ଅମଳ ବେଳ–କିନ୍ତୁ ନିଧିଆର ଦେଖା ନାହିଁ । ପାଣ ବସ୍ତିର ସମସ୍ତେ ନସର ପସର ହେଲେ–ଠିକ୍‍ ଅଫିମିଆ ଯିମିତି ହୁଏ ଅଫିମଖିଆ ବେଳେ ଅଫିମ ନ ପାଇଲେ । ବିଭିନ୍ନ ଜାଗାରୁ ବରାଦ୍‍ ଆସିଲା–ମାତ୍ର ଜବାବ୍‍ ଦବ କିଏ ? ନିଧିଆ କାହିଁ ? ସମସ୍ତଙ୍କ ତୁଣ୍ଡରେ ସେଇ ଗୋଟାଏ ନାଁ, ଗୋଟାଏ କଥା–ନିଧିଆ ନାହିଁ, ମୁଣ୍ଡ ହବ । କିଏ; ନା କେହି ଭଲା ତା’ ଖବର ଦେଇ ପାରୁଚି । ଲୋକଟା ଜେଲ୍‍ ଯାଇନି, ପକ୍ଷୀ ନୁହେଁ ଯେ ଉଡ଼ିଯିବ–ମାତ୍ର ପତ୍ତା ନାହିଁ ।

 

ମୌସୁମ ବେଳ ଗଡ଼ିଗଲେ ସବୁଗଲା । ହେଲେ ସାହସ କରି ମୁଣ୍ଡଉଚି କିଏ ? ମଣିଆ ଟିକିଏ ମୁରବିପଣିଆ ଦେଖେଇବାର ସୁଯୋଗ ପାଇଲା । ଠିକ୍‍ ଇମିତିବେଳେ ଦିନେ ହାଜର ହେଲା ନିଧିଆ, ଅଚାନକ୍‍ ଭାବେ । ଅବାକ୍‍ ହୋଇଗଲା ପାଣ ବସ୍ତି, ଏ ଗାଁଟା ଆଉ ଏ ମୌଜାର ଆଉ ପାଞ୍ଚଖଣ୍ଡ ଗାଁ । ଅବାକ୍‍ ଆଖିରେ ଚାହିଁରହିଲା ଫସଲଭରା ଜମିଗୁଡ଼ାକର ସୁନା କେରି କେରି ଧାନ କେଣ୍ଡା । ମାତ୍ର ନିଧିଆ ଏକା ଆସିନି–ତା’ ସାଙ୍ଗରେ ଘେନି ଆସିଛି ଡଉଲ ଡାଉଲ ଝିଅଟିଏ । ଝିଅ ନୁହେଁ ବୋହୂ, ତା’ ଭାରିଜା–ରୂପେଇ । ସମସ୍ତେ ଅବାକ୍‍ । ସାହସ କରି ପଚାରୁଚି କିଏ ? କାହିଁକି ନା ନିଧିଆ କ’ଣ ଆଉ ସେ ନିଧିଆ ଅଛି ? ଏ ତ ବରଷକ ତଳର ନିଧିଆ ନୁହେଁ–ସେ ବିଲ୍‍କୁଲ୍‍ ବଦଳି ଯାଇଛି । ତା’ ଗହୀର ଦୋସ୍ତିର ଟୋକାମାନେ ବି ପାଖଭିଡ଼ିପାରୁ ନାହାନ୍ତି–ତା’ ନୂଆ ଢଙ୍ଗର ହାବଭାବ ଦେଖି ।

 

ମୋରି ଗରଜ ପଡ଼ିଥିଲା । ମନେମନେ ନିଧିମଳିକର କଥା ଏ ଗାଁ ଯାକରେ କେହି ଯେବେ ଭାବୁଥାଏ–ସେ ମୁଁ । ତାକୁ ଅନିଶାକରି ଚାହିଁ ରହିଥିଲି ତା’ ଆସିଲା ବାଟକୁ । ତା’ ପାଖକୁ ନ ଯାଇ ମୋର ଚାରା ନାହିଁ । ମାତ୍ର ଦିନ ଆଲୁଅରେ ଯିବାର ଉପାୟ ନାହିଁ । ମୋ ମତଲବ୍‍ଟା ତ ଆଉ ପଦାରେ ପକେଇବାର ନୁହେଁ ।

 

ମୁହଁସଞ୍ଜ, (.....) ଯିବା ବାହାରେ ଯିବାର କଥା । ମୁଁ ତ ଦେଖି ଅବାକ୍‍ । ଦିନ ସାତଟାରେ ଝାଟିମାଟିଦେଇ ଘର କରିପକେଇଛନ୍ତି ମରଦ ମାଇପେ ଦିହେଁ । କଅଁଳେଇ ଡାକି ଦେଲାରୁ ବାହାରି ଆସିଲା ନିଧିଆ ।

 

ଜୁହାର ଆଜ୍ଞା ।

 

ଆଶ୍ଚର୍ଯ୍ୟ ! ନିଧିଆ ଦଣ୍ଡବତ କରୁଚି ? ଆହୁରି ତାଜୁବ୍‍ କଥା–ନିଧିଆ କହୁଚି–ଆଲୋ, ହେଇ, ବାବୁକୁ ଜୁହାର ହ ।

 

ଜୁହାର ଦେଇ ଉଠିଲା ରୂପେଇ । ପିଣ୍ଡାରୁ ଦୀପଟାର ନାଲି ଆଲୁଅରେ ଦିଶୁଚି ତା’ ମୁହଁର ଫାଳେ । ନା, ନିଧିଆର ପସନ୍ଦ ଅଛି । କଳା ମଚ୍‍ ମଚ୍‍ ମଜବୁଦିଆ ଦିହ । ପିଠିରେ ପିଠିଏ କଳା କୁଚକୁଚିଆ ବାଳ । ଆଉ କଳାଭଅଁରଭଳି ଯୋଡ଼ିଏ ଡାଗର ଡାଗର ଆଖି–ତା’ ନଜରରେ ଜହର ଅଛି । କିମିଆ କରିଚି ନିଧିଆକୁ ଠିକ୍‍ ସାପ ଯେମିତି ଟାଣିନିଏ ହରିଣୀଛୁଆକୁ । ସେ ନଜରରୁ ନ ଖସେଇଲେ ତ ନିଧିଆକୁ ପାଇବା ମୁସ୍କିଲ ।

 

କଥା କହୁଁ କହୁଁ ଦିହେଁ ଗଡ଼ି ଚାଲିଲୁ ନଈ ଆଡ଼କୁ । ଆରେ ନିଧି, ତୋ’ରି କଥା ଭାବୁଥିଲି । କୁଆଡ଼େ ବୁଡ଼ିଗଲୁ ଏତେ ଦିନ ।

ନିଧିଆ ଯିମିତି ନସର ପସର ହଉଥିଲା କାହାରିକି ହେଲେ କହିବ କହିବ । ତା’ ଦୋସ୍ତମାନେ ଟିକେ ଦୂରେଇ ରହିବାର ସେ ଅନୁଭବ କରୁଥିଲା ।

ନଈବାଲି ଉପରେ ବସି ନିଧିଆ କହିଚାଲିଲା ସତେ ଯେମିତି ରୁପକଥାଟିଏ ।

‘....ସେ ବହୁତ ଦୂର ଗାଁ । ଦି’ଭାଇର ଇଜମାଲି ଜମି । ଆମେ ଧାନ ଲୁଟିନେବା ଗୋଟିଏ ଗୋଟିଏ ଭାଇପାଇଁ । ବାବୁ ଆମ ଦଳକୁ ଲଗେଇଚନ୍ତି–ଆଉରି ବି କିଛି ଲୋକ ମୋତେ ଦେଇଚନ୍ତି । ତାଙ୍କ ଦଳର ତିର୍ଲା ମରଦ କୋଡ଼ିଏ ଜଣ ଧାନ କାଟୁଚନ୍ତି–ସେମାନଙ୍କ କାଟି ସାରିଲା ପରେ ଆରମ୍ଭ ହବ ଆମର କାମ । ଆମେ ଲୁଟି ନେଇ ବାବୁଙ୍କ ଖଳାରେ ଗଦେଇ ଦବା ।

ହଠାତ୍‍ ମୋତେ ଶୁଭିଲା–ଝିଅଟିଏ କହୁଛି, ତୁ କଳେଇ ନବୁ, ନେଇ ଯା । ଦେଖ୍‍ ମୋ ଦିହରେ ଟିପ ଛୁଆଁନା, କହୁଚି, ହଁ ।

ଜହ୍ନ ଆଲୁଅ ବିଞ୍ଚାଡ଼ି ହେଇ ପଡ଼ିଚି । ଧାନ କଳେଇ କେଇଟା ପଡ଼ିଚି ତଳେ–କଳେଇ ଉପରେ ପଡ଼ିଯାଇଚି ଝିଅଟା ବେବାଗିଆ ହେଇ । ଥାନ ଅଥାନରୁ ଲୁଗାଟା ଖସି ଯାଇଚି ଯେ ବିଚରା ସଜକରି ଲାଜ ଢାଙ୍କି ପାରୁନି । ଛାବ୍‍ଲା ଛାବ୍‍ଲା ଜହ୍ନ ଆଲୁଅରେ ଲୋକଟା ଗୋଟାଏ ଡାହାଣାରକମ ଚାହିଁରହି ଉଲ୍ଲାସରେ ଉପଭୋଗ କରୁଚି । ଅଦ୍ଭୁତ ରକମର ହସଟା ହସି କହୁଚି–ଆବେ, ଧାନ ତ ଜମିରୁ ମିଳିବ–କି ଦିନ କି ରାତି । ତୋତେ କି ଆଉ ମିଳିବ ? ଲୋକଟା ଝିଅଟିର ଗୋଟାଏ ହାତ ଧଇଲା ।

 

ଦୁର୍‍ ଦୁର୍‍ ଅଳପେଇସିଆ, ତୋର କି ମା’, ଭଉଣୀ ନାହିଁ ? ଆଉ କ’ଣ କହିବାକୁ ଯାଉଥିଲା, ଶୁଭିଲାନି, ଲୋକଟା ତା’ ପାଟି ଚିପି ଧଇଲାଣି ।

 

ମୋତେ ତ ଅଦ୍ଭୁତ ଲାଗିଲା, ଏଡ଼ିକି ଝିଅଟେ–କେଡ଼େ ଦମ୍ଭରେ କଥା କହୁଚି । ଆହୁରି ଭାବିଲି–ସତକଥା ତ, ଧାନ ନବ, ନବ । ତିର୍ଲା ଲୋକ ଦେହରେ ହାତ ଦବ କାହିଁକି ? ଅଭିଆଡ଼ା ଝିଅର ଇଜ୍ଜତ୍‍ ଅଛି ।

 

ଧାଇଁଯାଇଁ ଟାଣିନେଲି ଲୋକଟାକୁ । ଝିଅଟାକୁ ଉଠେଇ ନେବାପାଇଁ ନଇଁ ପଡ଼ିଚି–ଲୋକଟା ମୋ ଅଣ୍ଟାରେ ମାଇଲା ଚୋଟେ । ସେତେବେଳେ ଠେଙ୍ଗା ପାହାରକରେ ଦେଇଚି ମୁଁ ଲୋକଟାକୁ ଶେଷ କରି । ତା’ପରେ ଆଉ କିଛି ଜାଣିନି ।

 

ହୋସ୍‍ ଆସିଲା ଯେତେବେଳକୁ, ସେତେବେଳେକୁ ଦିହ ହାତ ଅଣ୍ଟା ପିଠି ସବୁ ଦରଜ । ଅଣ୍ଟାଟାରେ ଭାରି ଯନ୍ତ୍ରଣା । କୁଟା ଗଦା ଭିତରେ ମୁଁ । ଚାରିକଡ଼େ କୁଟାର ପାହାଡ଼ କୁଟାରେ ସୁଡ଼ ସୁଡ଼ ଆଓ୍ୟାଜରେ ଚମକି ଦେଖିଲି–ଝିଅଟା ଝାଳ ନାଳ ହେଇ ଧାଇଁ ଆସୁଚି–କୁଟା ଭିତରେ ଗୁରୁଣ୍ଡି ଗୁରୁଣ୍ଡି ।

 

ଫୁସ୍‍ ଫୁସ୍‍ କରି ମୋ କାନ ପାଖରେ ତା’ ମୁହଁଟା ରଖି ମୋତେ କହିଲା–ପୁଲିସ୍‍ ଆସିଚି-। ମୁଁ ନାହିଁ କରିଦେଇଚି । ମୁଁ ଧାନ କାଟି ଯାଇ ନ ଥିଲି । ତତେ ଖୋଜୁଚନ୍ତି–ମୁଁ କହିଦେଇଚି ମୁଁ ଦେଖିନି କାହାରିକି । ତୁନିମାରି ପଡ଼ିଥା ।

 

ତା’ ସରୁ ନାକ ଉପରୁ ଝାଳ ଟୋପା ଟୋପା ମୋ ମୁହଁ ଉପରେ ପଡ଼ିଲା । ତରବରରେ ତା’ ଲୁଗା କାନିଟା ଅଣ୍ଟାରୁ ଫିଟେଇ ପୋଛିଦେଲା ମୋ ମୁହଁଟା ।

 

ତା’ପରେ ଏଇ ଘା’ଟା । ଶୁଖିବାକୁ ଲାଗିଗଲା ଢେର ଦିନ । ରୂପେଇ ଆଉ ତା’ ବୁଢ଼ୀମା’ ଦୁହେଁ ହେପାଜତ୍ କଲେ ମୋତେ ନୁଚେଇ ନୁଚେଇ । ଯା’ ଝିଅର ଇଜ୍ଜତ୍‍ ରଖିଦେଲି ବୋଲି ବୁଢ଼ୀ ରୂପେଇର ହାତ ଛନ୍ଦିଦେଲା ମୋ ହାତରେ । ରୂପେଇ ବି କିମିତି ମାୟା ଲଗେଇଦେଲା । ଏବେ ମୁଁ ଭାବୁଚି......

 

ଅନେକ କଥା ଭାବିଥା’ନ୍ତା ନିଧିଆ । କିନ୍ତୁ ମୋ ମନରେ ଘୋଟି ଆସିଲା ଦୁର୍ଭାବନାର ମେଘ । ନିଜର ସ୍ଵାର୍ଥରେ ବାଧା ଆସିଲେ ପରର ସୁଖକୁ ଭାଙ୍ଗି ଚୁର୍‍ ମାର୍‍ କରିଦବାକୁ ମନହୁଏ । ନିଧିଆର ସୁଖଟା ମୋର ଅସହ୍ୟ ହେଲା–ଏଇ ଗହୀର ବିଲ କଥା ଭାବି । ବାପଅମଳର ଜମି ଖଣ୍ଡକ ମୁଁ ଚଷି ଆସୁଚି । ଦିନେ ଅଧେ ନୁହେଁ–ଏଗାରବର୍ଷ କାଳ । ଜମିଦାର ପ୍ରସନ୍ନ ବାବୁ । ସବୁ ସାଲ ମୁଁ ଧାନ ଦେଇ ଦିଏ । ସେ ବର୍ଷ ମାଆର ବର୍ଷକିଆ ଯୋଗୁଁ ଧାନ ଦେଇପାରିଲି ନାହିଁ । ୟା ଭିତରେ ପ୍ରସନ୍ନ ବାବୁ ଜମି ଖଣ୍ଡକ ବିକିଦେଲେ ବାଲେଶ୍ଵରର ନଟବାବୁଙ୍କୁ ।

 

ଆମ ଗାଁ ସପନାର ନଜର ଥିଲା ଏଇ ଜମି ଖଣ୍ଡକ ଉପରେ । ବାପାଙ୍କ ଅମଳରୁ ତାଙ୍କ ସାଙ୍ଗରେ ଆମର କଜିଆ । ସେଇ ସପନା ରଗେଇ ଦେଲା ନଟବାବୁଙ୍କୁ–କହିଲା ଯେ ମୁଁ ଅନେକ ବର୍ଷ ଠକେଇ ଆସିଚି ପ୍ରସନ୍ନ ବାବୁଙ୍କୁ । ଆଉ ନଟବାବୁ ଯଦି ସପନାକୁ ସେ ଜମି ଚାଷ କରିବାକୁ ଦିଅନ୍ତି–ତା’ହେଲେ ସେ ଠିକ୍‍ ଠିକ୍‍ ଧାନ ଦେଇଦବ । ସେ ନଟବାବୁଠୁଁ ଜବାବ ପାଇ ମୋ ବାପ ଅଜା ଅମଳରୁ ଚାଷ କରୁଥିବା ଜମି ଉପରେ ହଳ ବୁଲେଇ ଦେଲା । ମୁଁ ତାକୁ ମନା କଲି । ମୋ କଥା ସେ କାନକୁ ନେଲାନି । ମୁଁ ଜବରଦସ୍ତ ଧାନ ରୋଇଲି । ଏବେ ସୁନା ଖଡ଼ିକାଭଳି ଧାନ ଦୋହଲୁଛି–କେଣ୍ଡା କେଣ୍ଡା ଧାନ । କାଟିବ କିଏ ? ନିଧିଆ ବସ୍ତିର ଦଳେ ଲୋକଙ୍କୁ ମତେଇ ରଖିଚି ସପନା । ପୁଣି ଶୁଣାଗଲା ଦରକାର ହଲେ ନୀଳରିରୁ ସା’ନ୍ତାଳ ଅଣେଇବେ ନଟବାବୁ ।

 

ମୁଁ ନିଧିମଳିକର ଆସିଲା ବାଟକୁ ଅନିଶା କରି ବସିଥିଲି ଭକୁଆ ବଗଭଳି । ମାତ୍ର ତା’, କଥା ଶୁଣି ମୋ ଭେଳା ବୁଡ଼ିଗଲା । ସେ ନିଧିଆ ମରିଯାଇଛି–ଏ ତ ସେ ନିଧିଆ ନୁହେଁ–ନିଧିଆର ଭୂତ ।

 

ବରଷା ଛାଡ଼ି ଗଲାଣି କି କ’ଣ । ଥଣ୍ଡା ପବନ ବହୁଛି । ଏତେଗୁଡ଼ାଏ ଲୋକଙ୍କ ଭିତରେ ହାରକିନ୍‍ ଆଲୁଅଟା ମୋଟେ ଯଥେଷ୍ଟ ନୁହେଁ । ଅନ୍ଧାରି ଅନ୍ଧାରି ଲାଗୁଚି–ରାତି ବହୁତ ହେଲାଣି ଉଠିବାକୁ କାହାରି ମନ ନାହିଁ । ପହଲି ଜେନାର ନିଜ କଥା ଇଏ । ଅନ୍ଧାର ରାତିଭଳି ଚୁପ୍‍ଥିଲା କି କ’ଣ–ଆଜି ଯିମିତି ଅଚାନକ ଆଲୁଅ ପାଉଚି । ସମସ୍ତେ ଶୁଣୁଚନ୍ତି ।

 

ଅଦ୍ଭୁତ ଦିଶୁଚି ବିଲଟା ଏଇ ମେଘ ଅନ୍ଧାର ଭିତରେ । ସତେଯିମିତି ଅନେକ ମଣିଷର ଲହୁ ପିଇ ଉର୍ବରା ହେଇ ଉଠିଛି ଏ ଗହୀର ବିଲର ମାଟି । ଏଥିରେ ଭଲ ଫସଲ ହୁଏ ।

 

ପହଲି ଜେନାର ଜୁଳୁ ଜୁଳୁ ଆଖି ଅଦ୍ଭୁତ ରକମ ଜଳି ଉଠିଥିଲା ସେତେବେଳ–‘ମୋତେ ଅଲବତ୍ ନିଧିଆକୁ ବାଗକୁ ଆଣିବାକୁ ହବ । ହୁଁ–ପହଲି ଜେନାର ଜାଲ ବଡ଼ ଶକ୍ତ ଜାଲ । ନିଧିଆକୁ ଫସେଇ ଦେଲି ।’

 

ଅଦ୍ଭୁତ ଭାବେ ଖୁସିର ହସ ହସିଲା ସେ । ପୁଣି କହିଲା–ଦିନ ତିନି ଚାରି ସମୟ ଲାଗିଲା । ତା’ ଘରଟା ଭଲକି କରିଦେଲି; କୁଟା ବାଉଁଶ ସବୁ ଯୋଗେଇ ଦେଲି । ସହରରୁ ଆଣି ବିଲାତି ବୋତଲ ଖୋଲିଦେଲି ତାଙ୍କ ଦୋସ୍ତମାନଙ୍କ ଆଗରେ ।

 

ପ୍ରଥମ ଦିନ ପଦୁ ଘରକୁ ତାକୁ ଡକେଇ ନିଆଗଲା । ଦଳର ଆଉମାନେ ବି ମହଜୁଦ ଥିଲେ । ଭଜା ମାଉଁସ ଆଉ ପୂରା ବୋତଲ ଖୋଲିଦିଆଗଲା । ନିଧିଆ ଆଗ ନ ଚଲେଇଲେ ସେମାନେ ହାତ ଦଉଚନ୍ତି କିମିତି ?

 

ନା ଭାଇ, ତମେ ସବୁ ଖାଅ । ମତେ ଆଉ ଭଲ ଲାଗୁନି । ଛାଡ଼ିଦେଇଚି–ନିଧିଆ କହିଲା ।

 

ଅବାକ୍‍ କଥା । ୟେ ଯେ ବଗ ବେକରେ ତୁଳସୀ ମାଳି ।

 

ପଦୁଆ ଆଉ ଟିକିଏ ଜବରଦସ୍ତି କଲାରୁ ନିଧିଆ ତା’ ଅଣ୍ଟାରୁ ଘା’ଟା ଦେଖେଇ କହିଲା–ଦେଖ୍‍ ଭାଇ, ଘା’ଟା ଶୁଖିନି । ସେସବୁ ଖାଇବାକୁ ଡାକ୍ତର ମନା କରିଚି ।

 

ଡାକ୍ତର ଫାକ୍ତର ମିଛ କଥା । ପଦୁଆ ତୁନି ତୁନି କହିଲା–ତା’ ଭାରିଯା ପାଖେ ସେ ନିୟମ କରିଛି, ମଦ ଛୁଇଁବନି ।

 

କଥାଟା କିନ୍ତୁ ଗୋପନ ରହିନି । ମାଇକିନିଆ ମହଲରେ କଥାଟା ରାଷ୍ଟ୍ର ହୋଇଯାଇଚି । ପଦୁ ବୋହୂ ପାଖରୁ ପଦୁ ଶୁଣିଚି । ଆଉରି କାବା କଥା–ଆଗେ ଯିମିତି ଏଗାଁ ସେଗାଁ ଟୋକି, ତିରଲାଙ୍କ ବିଷୟ ନେଇ ବେଶ୍‍ ରସିକତା ହେଉଥିଲା–ସେଇଟା ବି ନିଧିଆ ଆଉ ପସନ୍ଦ କରୁନି । କହୁଚି–ମାଇକିନିଆ ହେଲା ମା’ର ଜାତି । ନିଜ ବୋହୂ ଝିଅ ନାଁରେ ଦୁସରା ଲୋକ କିଛି କହିଲେ ଆମକୁ ଯିମିତି ବାଧେ, ପରର ଝିଅ ବୋହୂ କଥା ସେମାନଙ୍କୁ ବି ସିମିତି ବାଧେ ।

 

ତାଜୁବ କଥା । ନିଧିଆଟା ହେଲା କ’ଣ ? ଗୋଟାଏ ଅଦୃଶ୍ୟ ଶକ୍ତିରେ ତାକୁ ଶକ୍ତ କରି ବାନ୍ଧିରଖିଚି ସେ ଟୋକି ଖଣ୍ଡକ । ମାଇକିନିଆଟା ତା’ ପଶୁ ଶକ୍ତିକୁ ଏକାବେଳକେ ନିର୍ଜୀବ କରିଦେଇଚି । ଗୋଖୁର ଲାଞ୍ଜରେ ହାତ ନ ମାଇଲେ ଫଣା ଟେକିବନି ।

 

ଦୁସରା ଦିନ ଖୁବ୍‍ ରସେଇ ଜମେଇ ଗହୀର ଜମିର ବିବାଦ କଥା ପଦୁ ପକେଇଲା ନିଧି ପାଖେ ।

 

ସପନୀ ଦାସେ ଆମ ବସ୍ତିରୁ କେଇ ଜଣକୁ ମତେଇ ଦେଇଚନ୍ତି । ମଣିଆକୁ ହାତ କରିଚନ୍ତି । ଶଳା ମଣିଆ କାଲିକାର ଟୋକା, ଆଜି ତାଙ୍କ ଦଳର ନେତା ପାଲଟି ଯାଇଛି । ପଦୁ ଆଉ ବେଶୀ ଆଗେଇ ପାରିଲା ନାହିଁ–କାହିଁକି ନା ନିଧିଆର ସେମିତି ଉତ୍ସାହ ଜଣାଗଲାନି ।

 

ସେ ଖାଲି କହିଲା–ମୁଁ ବି ଶୁଣୁଚି, ଆଚ୍ଛା ଦେଖିବା ।

 

ସେ ଦିନ ସଞ୍ଜ ପହର । ନିଧିଆ ଆଉ କାହା ସାଙ୍ଗେ କଥାଭାଷା ହଉଁ ହଉଁ ଗାଁ ଗହୀରି ଦେଇ ଯାଉଥାଏ । ମଣିଆ ଏପଟକୁ ଆସୁଥାଏ । ନିଧିଆକୁ ଶୁଣେଇ ଶୁଣେଇ ମଣିଆକୁ ଡାକିଲା ଆମ ପଡ଼ିଶା ଗୋବରା ।

 

ହଇବେ ମଣିଆ, ତମର ସବୁ ଏ କି କଥା ? ତିର୍ଲା ଝିଅ କ’ଣ ଆଉ ନଈତୁଠକୁ ଯିବା ବନ୍ଦ କରିଦେବେ ? ଆଜି ନ’ ହେଲେ ନିଧିଆ ତୁମଠୁ ଅଲଗା ହେଇଯାଇଚି–ତା’ ବୋହୂ କିଏ ତୋ ବୋହୂ କିଏ ? ଛି, ଛି–ଇଜ୍ଜତ୍‍ ଜଗି ଚଳ ।

 

ମଣିଆ ବିଚରା କାବାହେଇ ଶୁଣୁଚି । ପିଙ୍କାଟା ଚାଉଁକିନା ଓଠରେ ଲାଗିଲା । ତରବରରେ ପିଙ୍କାଟା ପିଙ୍ଗିଦେଇ କହିଲା,–ଆଜ୍ଞା ନା, ସେ କି ଥା ? କୋଉ ଶଳା ଏ କଥା.....କହୁଁ କହୁଁ ଅଟକି ଗଲା । ବୋଧେ ନିଧିଆ ଉପରେ ନଜର ପଡ଼ିଚି ।

 

ଓଷଦ ଲାଗିଲା । ଥୋପ ଧଇଲା । ଖେଳେଇ ଖେଳେଇ ଉଠେଇବା ହେଲା କାମ ।

 

ସେଇଦିନ ରାତିରେ କଥାଟା ଫଇସଲା ହୋଇଗଲା । ନିଧିଆ ମୋତେ ସାହାଯ୍ୟ କରିବ । କଥାଟା ତ ଛପି ରହିବା କଥା ନୁହେଁ । ହୁହୁକିନା ତୁଣ୍ଡେ ତୁଣ୍ଡେ ମାତିଗଲା । ତାଙ୍କ ବସ୍ତିଟା ଦି’ଫାଳ ହୋଇଗଲା । ଏପାଖେ ମଣିଆ । ସେପାଖେ ନିଧିଆ । ଠିକ୍‍ ନିଧି ନୁହେଁ–ପଦୁ; ତେବେ ପଦୁକୁ କାଇଦା କସରତ୍‍ ମାଲୁମ ନାହିଁ ।

 

ତେଣେ ନଟବାବୁ ଖବର ପାଇ ହାଜର ହେଲେଣି ସପନା ଘରେ । ନୀଳଗିରିରୁ ଆସିଯିବେ ସାନ୍ତାଳ । ମଣିଆର ଦଳ ଜଗିବେ ଆଉ ସା’ନ୍ତାଳ ଦଳ ବୋହିନେବେ ଧାନ ।

 

ଧାନ ନୁହେଁ ସୁନାକେଣ୍ଡା । ସୁନାକେଣ୍ଡା ଫଳିଚି ମୋ ବାପ ଅଜା କାଳରୁ ଚଷିଲା ଜମିରେ । ମୁଁ ରୋଇଚି–ମୁଁ ବାଛିଚି । ମୋରି ଲୁହ, ମୋରି ଝାଳ କ୍ଷୀର ହେଇଚି ଧାନ ପେଟରେ । ଧାନକେଣ୍ଡା ନୁହେଁ–ସୁନାମୁଠି । ମୋରି କଅଁଳ ଛୁଆ । ଛୁଆହେବା ଆଗରୁ ଛୁଆ ଉପରେ ଏତେ ମାୟା କିଏ ଏଡ଼ିବ । ସିଏ ମୋର ମାନ ମହତ । ସବୁ ସରଞ୍ଜାମ ମହଜୁଦ୍‍ କଲି ।

 

ସେଦିନ ମଙ୍ଗଳବାର । ଗାଁଟା ଥମ୍‍ ଥମ୍‍ କରୁଛି । ସଞ୍ଜ ନ ହେଉଣୁ ତାଟି କବାଟ କିଳିଚନ୍ତି ସମସ୍ତେ । ଜହ୍ନଟା ନଈଭିତରୁ ଉଠିଲେ ଲୋକ ଧାନକଟା ସୁରୁ କରିଦେବେ । କିନ୍ତୁ ସପନା ବି ତ କମ୍‍ ଲୋକ ନୁହେଁ । ତା’ ଲୋକ ବି ତିୟାର । କୌଣସି ଦଳ ଆଗେଇପାରୁ ନାହାନ୍ତି–ମୁଁ ଖାଲି ଚାହୁଁଚି ନିଧିଆ ବାଟକୁ । ତାକୁ ଘରୁ କାଢ଼ି ଆଣି ପାରିଲେ ମୁଁ ନିଶ୍ଚିନ୍ତ ।

 

ମୁହଁ ଅନ୍ଧାର ନ ହେଉଣୁ ନିଧିଆ ତେଣେ ନସର ପସର ହଉଚି, ଘରୁ କିମିତି ବାହାରିବ ? ଯୋଉ ନିଧିଆ ନାଁ ଶୁଣିଥିଲେ ଦି’ ପାଞ୍ଚଖଣ୍ଡ ଗାଁର ଲୋକେ ଅତରଛ ହୁଅନ୍ତି–ସେ ନିଧିଆ ତା’ ଘର ଭିତରେ ଏକଦମ୍‍ ଭିନେ ମଣିଷ । ରୂପେଇ ଆଗରେ ସେ କିମିତି ଅତି ଦୁର୍ବଳ, ନିରୀହ ଶିଶୁ ପାଲଟି ଯାଏ ।

 

କାହିଁକି ଇମିତି ହଉଚ ? ସଞ୍ଜ ଦୀପଟା ଧରି ରୂପେଇ ପ୍ରଶ୍ନ କଲା ନିଧିଆକୁ । –ମୁଁ ଜାଣେ ତୁମର ସବୁ କଥା । ନିଧିଆ ଟିକେ ଟାଣ ହବାକୁ ଚେଷ୍ଟାକଲା ।

 

ତୁ କ’ଣ ଜାଣିଛୁ ? ମାଇକିନିଆ ଲୋକ ବାହାର କଥାରେ ନାକ ଗଳାନା ।

 

ସଞ୍ଜ ଆଗରୁ ପଦୁ କାଇଦା କରି ନିଧିକୁ ଟିକେ ପେଇ ଦେଇଚି । ପ୍ରାୟ ବରଷକ ପରେ ଆଜି ଫେଣେ ରୂପେଇ ସାମନାରେ ପିଙ୍କାଟା ଲଗେଇଲା ।

 

ରୂପେଇ ହସିଲା । କିଛି କହିଲାନି । ତେବେ ବି ଘର ଭିତରୁ ଠେଙ୍ଗାଟା ଉଠେଇ ଆଣିବାକୁ ନିଧିଆର ସାହସ ହଉନି ।

 

ବଡ଼ ଆଶ୍ଚର୍ଯ୍ୟ କଥା । ଯେଉଁ କାମ ପାଇଁ ପଦାରେ ପାଞ୍ଚ ପଚିଶ ଲୋକଙ୍କ ଆଗେ ସୁନାମ ଗୌରବ, ଗର୍ବରେ ଛାତି କୁଣ୍ଢେମୋଟ ହୁଏ–ରୂପେଇ ଆଗରେ ସେମିତି କାମ କଥା ଭାବିଲେ ଭାରି ହୀନ ମନେହଉଚି । ଯିମିତି ବଡ଼ କୁତ୍ସିତ, ପାପ କଥା–ଦେଖ, ଫୌଜଦାରି ମାମଲା ହବ ସିନା, ଆମର ଲାଭ ହବ କିସ ? ବାବୁମାନେ ତ ଘର କୋଣରେ ନିଶ୍ଚିନ୍ତରେ ଶୋଇବେ–ଆମରି ବସ୍ତିର ଏପଟୁ ସେପଟୁ ଦଳେ ଦଳେ ମରିବେ ସିନା ।

 

ତେଣେ ପଦୁଆ ଇସାରା ଦେଲାଣି, ମନଟା ଉଛନ୍ନ ହେଉଚି–ନିଧିଆର ।

 

ହଉ, ହଉ । ଥାଉ । ବକର୍‍ ବକର୍‍ ହ’ନା । ଯା ଯା । –କହୁଁ କହୁଁ ଘରଭିତରୁ ଠେଙ୍ଗାଟା ଧରି ବାହାରି ଆସିଲା । ଫେରି ଦେଖେ ତ ସାମନାରେ ରୂପେଇ । ଲୁଗାଟା ଅଣ୍ଟାରେ ଭିଡ଼ି ଅଦ୍ଭୁତ ଭଙ୍ଗୀରେ ଠିଆ ହେଇଚି–

 

ନା, ତମେ ଯାଇ ପାରିବନି ।

 

ଏ’ ଏକ ଅଦ୍ଭୁତ ରୂପ ରୂପେଇର ।

 

ଭାଗବେ ଶାଳୀ । ଧକ୍‍କାଟେ ଲଗେଇଦେଲା ନିଧିଆ ।

 

ମୁଣ୍ଡରେ ଯିମିତି ତା’ର ବିଛା କାମୁଡ଼ୁଛି ।

 

ରୂପେଇ ପଡ଼ିଯାଇଛି ତଳେ–ଅଧା ଉଠା ହେଇ କ’ଣ କହୁଚି ।

 

ତର୍‍ ତର୍‍ ଗର୍‍ ଗର୍‍ ହେଇ ବାହାରିଗଲା ନିଧିଆ । ତାକୁ ଶୁଭିଲା ରୂପେଇର ଶେଷକଥା ପଦକ ।

 

ତମେ ଦେଖିଚ ମଣିଆର କିମିତି କଅଁଳା ପୁଅଟେ ହେଇଛି ?

 

ହଠାତ୍‍ ମନେପଡ଼ିଗଲା–ରୂପେଇ ବି ମା’ ହେବ । ଆଉ ଦି’ ତିନିମାସ ଅଛି ମୋଟେ । କେଡେ଼ ଡଉଲ ଡାଉଲ ହେଇଚି ରୂପେଇ । ତାକୁ ଧକ୍‍କାଟା ଦେଲା । ଛି, ଛି । ଫେରିଯାଇ ତଳୁ ଉଠେଇ ଦବାକୁ ମନହେଲା ।

 

ନଈତଳୁ ଫାଳି ଜହ୍ନଟା ଉଠି ଆସିଲାଣି । ସତେଯିମିତି ନିଶା ଛାଡ଼ି ଆସୁଚି ନିଧିଆର । ତେଣେ କୁଆଡେ଼ ଥିଲା ପଦୁଆ । ଚିଲ ରକମ ଖପ୍‍କିନା ତା’ ହାତଟା ଧରି ଟାଣି ନେଇଗଲା । ସମସ୍ତେ ଅନିଶା କରି ବସିଚନ୍ତି ତା’ ନିର୍ଦ୍ଦେଶକୁ, କାହାକୁ କି କାମ ବରାଦ କରିବ ।

 

ମଝିରେ ଗହୀର ବିଲ । କେଣ୍ଡା କେଣ୍ଡା ଧାନ–ନିର୍ବୋଧ ଅଥଚ ଦୁଷ୍ଟ ଶିଶୁଭଳି ଦୋଳି ଖେଳୁଛନ୍ତି । ମେଞ୍ଚା ମେଞ୍ଚା ଛାଇ ଆଲୁଅ ବିଲର ଦି’ପାଖେ କଳା କଳା ଛାଇ–ଅଦ୍ଭୁତ ଜୀବ ମଣିଷ-। ହାତରେ ଦାଆ, କଟୁରି ଆଉ ଠେଙ୍ଗା, ହଠାତ୍‍ ଯିମିତି ପବନଟା ବନ୍ଦ ହେଇଯାଇଚି–ବିଶ୍ଵଚରାଚର ନିଶ୍ଚୁପ, କେହି ବିଶ୍ୱାସ ନେଇ ପାରୁ ନାହାଁନ୍ତି । ଗହୀର ବିଲ ସତେଯିମିତି ବଳି ଚାହେଁ, ଚାହେଁ ଲହୁ–ତାଜା ଉଷୁମ ଲହୁ ।

 

କିନ୍ତୁ ଆମର ଲହୁ କାହିଁକି ? ନିଧିଆ ମନେମନେ ପ୍ରଶ୍ନ କଲା । ହଠାତ୍‍ ସେ ଚିତ୍କାର କରି ଉଠିଲା ।

 

ଭାଇମାନେ, ମୋ କଥା ଶୁଣ । ଆମେ କାହିଁକି ତୁଚ୍ଛାଟାରେ ହାଣ କାଟ ହେବା ? ମଣିଆ ପାଣ, ମୁଁ ପାଣ–ଆମେ ଦିହେଁ ଲଢେ଼ଇକି ଆଇଚେ । ଜମିବାଲା ଆଉ ଚାଷୀ ଭିତରେ କଳି-। ସେମାନେ ତାଙ୍କର ନିଶାପ ନିଷ୍ପତି କରନ୍ତୁ । ତାଙ୍କ ପାଇଁ ଆମ ତିର୍ଲା ମାଇପେ କାହିଁକି ରାଣ୍ଡ ହେବେ ?

 

ସେମାନେ କ’ଣ ଆମ ପୁଅ ମାଇପ ପୋଷିବେ ? ସମସ୍ତେ ଆଶ୍ଚର୍ଯ୍ୟ । ଏ’ ଅଦ୍ଭୁତ କଥା ।

 

ଜହ୍ନ ଆଲୁଅରେ ସମସ୍ତେ ଦେଖିଲେ–କଳା ମଚ ମଚ ଖୋଲା ଛାତିରେ ନିଧିଆ ଠିଆ ହେଇଚି–ତା’ ହାତରେ ଠେଙ୍ଗା ନାହିଁ । କଥା କହୁଁ କହୁଁ ମଣିଆ ପାଖକୁ ଭିଡ଼ି ଗଲାଣି । ମଣିଆର ଉଞ୍ଚେଇଲା ଠେଙ୍ଗାଟା କିମିତି ନଇଁ ପଡ଼ିଲାଣି, ଯିମିତି ଗଦ ବାସନାରେ ସାପର ଫଣା ତଳକୁ ନଇଁଯାଏ ।

 

କିରେ ମଣିଆ, କହୁନୁ ?

 

ଆମର କି କଥା ନିଧିଆଇ । ପେଟ ଚାଖଣ୍ଡକ ପାଇଁ ଜୀବନକୁ ପାଣି ଛଡ଼େଇ ଠେଙ୍ଗା ଧରିବା କଥା ସିନା ? ଘରେ ଦି’ଦିଟା ପେଟ ପୋଷିବାକୁ ହବ ।

 

ସତ କଥା । ନିଧିଆଇ ଚାହିଁଲା ମଣିଆକୁ । ସେ ଛୁଆର ବାପ । କାଚକଣ୍ଢେଇ ଭଲି ତା’ ଛୁଆ । ତା’ ଛୁଆଟାକୁ ରୂପେଇ ନୁଚେଇ ନୁଚେଇ ଦେଖେ । ସେ ମା’ ହବ କି ନା ! ମଣିଆର ଦାୟିତ୍ୱ ବଢ଼ିଛି ।

 

ହଁ, ଠିକ୍ କଥା, ଆମର ପେଟ ପୋଷିବାକୁ ହବ । ଜମିବାଲା ହେଲେ ନଟବାବୁ । ଚାଷୀ ହେଲେ ପହଲିବାବୁ । ସେମାନେ ବସି ନିଷ୍ପତ୍ତି କରନ୍ତୁ । ଧାନ, କଉଠି ଜମା ହବ । ଆମେ ଧାନ କାଟିଦେଇ ଆମର ମଜୁରୀ ଗଣ୍ଡାକ ନେଇଯିବା ।

 

ମୋ ମନଟା ଗୋଳେଇ ଗଲା । ସତରେ ଲହୁ ବୁହେଇଦେଲେ ଜମିଟା ମୋର ହବ କି-?

 

ପହଞ୍ଚିଲି ନଟବାବୁ ପାଖେ । ଫୈସଲା ହୋଇଗଲା । ନଟବାବୁ ତାଙ୍କର ଭାଗଧାନ ପାଇଲେ ହେଲା ।

 

କଅଁଳ ସକାଳର ସୁନା ଝଲ୍‍ମଲ୍‍ ଖରାରେ ଗହୀର ବିଲକୁ ଓହ୍ଲେଇ ଆସିଲେ–ନିଧିଆ, ମଣିଆ, ପଦୁ ହେରିକା । ତେଣେ ମଣିଆର ଭାରିଯା, ନିଧିଆର ଭାରିଯା ରୂପେଇ ଆଉ ପିଲାମାନେ ବି ହସର ଲହରୀ ଛୁଟେଇ ଦେଇଚନ୍ତି ଧାନକ୍ଷେତର ସୁନା ଲହରୀ ସାଥିରେ । ମୋତେ ହିଡ଼ ଉପରୁ ଶୁଭିଲା–

 

ବୁଝିଲୁ ବେ ମଣିଆ । ତୋ ଛୁଆଟାକୁ ରୂପେଇ ନୁଚେଇ ନୁଚେଇ କାଖାଏ, ଗେଲ କରେ । କଅଁଳ ଛୁଆଟାକୁ ତା’ ଛାତିରେ ଚାପିଧରେ । ସେ ମା’ ହବ କି ନା ।

 

ମଣିଆ ଆଖିରୁ ଠିକ୍‍କରି ପଡ଼ିଲା ଖୁସୀର ହସ । ଆଉ ଦି’ଜଣ ଦି’ଜଣକୁ ଚାହିଁଲେ–ସେମାନେ ମଣିଆର ଭାରିଯା ଆଉ ନିଧିଆର ବୋହୂ ରୂପେଇ ।

 

ବୁଢ଼ିଆଣୀ ଜାଲ

 

ବୁଢ଼ାଟି ଭିକ ମାଗି ଚାଲିଛି–ଆଗେ ଆଗେ ତେର ଚଉଦ ବର୍ଷର ଝିଅ । ଆବର୍ଜନାମୟ ସହରର ଅଳିଆ ଭଳି ଆଡ଼େଇ ଚାଲିଥିଲେ ଦି’ଜଣ ।

 

ଯୁଦ୍ଧ କାଳର ବୋମାର ଭୟ ଐଶ୍ୱର୍ଯ୍ୟମୟୀ ନଗରୀର ଦ୍ଵିତଳ ପ୍ରାସାଦର ବାସିନ୍ଦାକୁ ଠେଲିଦିଏ ଅଖ୍ୟାତ ବା କୁଖ୍ୟାତ ପୁର ପଲ୍ଲୀକୁ ଆଉ ବନ୍ୟା, ଦୁର୍ଭିକ୍ଷ, ମହାମାରୀ ଘରଛଡ଼ା କରେ ପୁର ପଲ୍ଲୀର ମାଟିର ମଣିଷକୁ । ଜୀବନ ପାଇଁ ଜୀବିକା ଅଭାବରେ ଛିଟକି ପଡ଼ିନ୍ତି ସେମାନେ ସହରର ବଜାରରେ, ଅଳିରେ ଗଳିରେ, ନରକରେ ।

 

ବର୍ଷା ଅଭାବରେ ଗାଁର ନାଳ, ବନ୍ଧ, ପୋଖରୀ ସବୁ ଶୁଖିଗଲା, ଖାଲି ଧୁଧୁ ଜଳିଲା ବିଲ ପ୍ରାନ୍ତର–ଗାଁର ସବୁଜତାକୁ ଲୋପ କରି । ଖରା ତ ନୁହେଁ–ନିଆଁ ବାଣ । ବର୍ଷା ନାହିଁ–କାମ ବା ମିଳିବ କୁଆଡ଼ୁ ? ହଳ ତ ବିଲକୁ ଗଲାନି, ଘର ଛପର ହେଲାନି । ବସି ଖାଇଲେ ନଈବାଲି ସରେ, ଆଉ ସାଧବ ତ ଦିନ ମଜୁରିଆ । ଖାଲି ସାଧବ କାହିଁକି–ଗାଁର ତିନିଭାଗ ଲୋକଙ୍କ ସେଇ ଦଶା । ଜମିହୀନ ମଜୁରିଆ ବେଶୀ । ଶେଷକୁ ଗାଁର ସାପ, କୋଚିଆ ଗଛର କଅଁଳିଆ ପତର ହେଲା ତାଙ୍କ ଆହାର । ଉପାୟହୀନ ହେଇ ଥୋକେ ଛିଟିକି ପଡ଼ିଲେ ସହରକୁ–ଆଉ ସମସ୍ତଙ୍କ ସାଙ୍ଗରେ ସାଧବ ବୁଢ଼ା ବି ତା’ ଝିଅ, ମାଇପ ଆଉ ସାନ ପୁଅଟାକୁ ଧରି ବାହାରିଲା ସହରକୁ ।

 

ସହରର ଗଳିଟି ଦେଇ ଯାଉଁ ଯାଉଁ ପ୍ରକାଣ୍ଡ କୋଠାଟି ପାଖେ ଠିଆ ହେଲେ–ମୁଠେ ଭିକ ଆଶାରେ । ଘର ଭିତରେ ଜଣେ ଲୋକ ତା’ର ପୃଥୁଳ ପିଠିଟା ତକିଆରେ ଲଦି ହିସାବ ଖାତା ଦେଖୁଥିଲେ । ଅନାହୂତ, ଅନାକାଂକ୍ଷିତ ଭିକାରି ଝିଅର କରୁଣ ଡାକରେ ବିରକ୍ତିରେ ଚାହିଁଲେ–ନଜରରେ ପଡ଼ିଲା ଗାଁଉଲି ଝିଅଟି–ଅସଜଡ଼ା ଶ୍ରୀହୀନ ରୂପରେ ବି ପଲ୍ଲୀଶ୍ରୀର ଲାବଣ୍ୟ ଆଉ ମାଟିର ସରସତା ଅଛି । ଅନଭ୍ୟସ୍ତ ଭିକାରିର ମାଗିବାର ଖାପଛଡ଼ା ଭଙ୍ଗି । ବ୍ୟବସାୟୀ ବୁଝିଲେ–ଏଇ ପଙ୍ଗପାଳଗୁଡ଼ା ମଫସଲ ଗାଁରୁ ଆସି ସହରରେ ଘୂରି ବୁଲୁଛନ୍ତି । ଭିତରୁ ପୁଅକୁ ଡାକି ଚାଉଳ ଦବାକୁ କହିଲେ । ଷୋହଳ, ସତର ବର୍ଷର ପୁଅ, ଟିକେ ଆଶ୍ଚର୍ଯ୍ୟ ହେଲା–ବାପର ଏପରି ଆକସ୍ମିକ ବଦାନ୍ୟତା ଦେଖି, ଅଧସେର ସରିକି ଚାଉଳ ଆଣି ଢାଳିଦେଲା ଝିଅଟିଏ ମଇଳା, କୁଚ୍‍ଟି ଛିଣ୍ଡା ଲୁଗାରେ । ପିଲାଟି ପଚାରିଲା–ଝିଅଟିର ମା’, ଭାଇ, ଭଉଣୀ–ଘର–ଗାଁର କଥା । ଅଯାଚିତ ସହାନୁଭୂତିରେ ଝିଅଟିର ଆଖି ଚକ୍‍ ଚକ୍‍ କଲା । ଆପଣାର କରୁଣ କାହାଣୀ କହୁଁ କହୁଁ ଆଖିରୁ ଝରି ଆସିଲା ପାଣି–କହିଗଲା, ନ ଖାଇ, ନ ପିଇ, ତା’ ସାନ ଭାଇଟି କିମିତି ରାସ୍ତା କଡ଼ରେ ମରିଗଲା ଦିନେ । ଧନୀ ମହାଜନର ପୁଅ ସେ–ନ ଖାଇ ମଣିଷ ମରେ–ଏହା ତା’ର କଳ୍ପନାର ଅତୀତ–ବିସ୍ମୟ ଆଉ ଭୟରେ ନିର୍ବାକ୍‍ ହୋଇ ଚାହିଁରହିଲା, ଭିକାରି ଚାଲିଗଲା ।

 

ସିନେମା ଘର ପାଖରେ ଯେଉଁ ମେଲା ପଡ଼ିଆ, ସେଇଠି ଗଛ ତଳେ ଗୁଡ଼ାଏ ଭିକାରି ରହନ୍ତି । ଗଛ ଡାଳରୁ ଓହଳିଚି ଛିଣ୍ଡାକନା, ଭଙ୍ଗା ହାଣ୍ଡି । ଅଚିହ୍ନା ଅଜଣା ଭିନ୍ନ ଭିନ୍ନ ଗାଁର ଲୋକେ ଆଶ୍ରା ନେଇଛନ୍ତି–ନିଜ ନିଜ ଜାଗା ଚାଖଣ୍ଡେ ନେଇ କଳି, ତକରାଳ, ମାରପିଟ, ମୁଣ୍ଡ ଫଟାଫଟି ବି ହୋଇଯାଏ ।

 

ଦିନ ଗଡ଼ିଗଲାଣି; ଦିପହରର ନିସ୍ତବ୍ଧତା କେତେବେଳୁଁ ଭାଙ୍ଗି ଗଲାଣି । ଭିକାରିଏ ଭିକ ମଗାରୁ ଫେରି ନିଆଁରେ ହାଣ୍ଡି ବସେଇଲେଣି । କିନ୍ତୁ ସାଧବ ବୁଢ଼ା, ତା’ ଝିଅ ଓ ମାଇପ ଚୁପ୍‍ଚାପ୍‍ । ବୁଢ଼ାକୁ ତିନିଦିନ ଜର । ଭିକମାଗି ଯାଇପାରିନି । ଦି’ଦିନ ଅଖିଆ, ଅପିଆ, ଏତିକିବେଳେ ସେହି ମହାଜନ ରାସ୍ତା ପାଖଦେଇ ଯାଉଥିଲା–ଝିଅର ନଜର ପଡ଼ିଲା, ମା’କୁ ଦେଖେଇ କହିଲା, ଏଇ ବାବୁଙ୍କ ପୁଅ ଭାରି ଭଲ, ଅନେକ ଚାଉଳ ଦିଅନ୍ତି । ମହାଜନର ମଧ୍ୟ ନଜର ପଡ଼ିଲା । –ୟା ଭିତରେ ଅନେକଥର ଝିଅଟି ଭିକମାଗି ଯାଇଚି ତା’ ଘରକୁ । ମହାଜନ କହିଲେ–କିରେ, ଦି’ଦିନ ଯାଇନୁ ? ଭାରି ଦୟା ମହାଜନର–ଚିହ୍ନିଛନ୍ତି କାଙ୍ଗାଳକୁ । ଝିଅଟି କହିଲା, ବୁଢ଼ାକୁ ଜର–ସେଥିପାଇଁ ଭିକମାଗି ଯାଇପାରିନାହାନ୍ତି । ବାବୁ କହିଲେ–ଆରେ, ଜର ହେଇଚି ? ଦି’ଦିନ ଭିକ ମାଗି ଯାଇନୁ-? କିଛିତ ନ ଥିବ ଖାଇବାକୁ–ଆଚ୍ଛା ମୋ ସାଙ୍ଗରେ ଆ, ଘେନି ଆସିବୁ । ଏତକ କହି–ମହାଜନେ ଆଗେଇ ଚାଲିଗଲେ ତାଙ୍କ ଗଦିଆଡ଼କୁ ।

 

ଝିଅ ଚାହିଁଲା ମା’ ମୁହଁକୁ, ମା’ ଚାହିଁଲା ଝିଅକୁ । ଦି’ଦିନ ଓପାସ–ମୁହଁରେ ଲାଜ–ପେଟରେ ଭୋକ । ଜର ବାଉଳା ବୁଢ଼ା କହିଲା–ଯା’ ମା’, ଖାଇନୁ ଦି’ଦିନ ହେଲା ଯା, ମା’ କହିଲା–ମଲା, ଦେଖୁଚୁତ ଦି’ଦିନ ଉପାସ, ବାବୁ ଯାଚିକରି ଦଉଚନ୍ତି; କପାଳ ଖରାପ, ଆଲୋ ମାଗିଲା ଲୋକର ଲାଜ କ’ଣ, ସରମ କ’ଣ ? ଗଲେ ଆଣିବୁ–ଖାଇବୁ–ନ ଗଲେ ପେଟ ଉପାସରେ ଶୋଇବୁ । ନିରୁପାୟ, ବୁଢ଼ା ବାପ କହୁଚି, ମା’ କହୁଚି । ଶେଷକୁ ଉଠିଲା ସାହସ ବାନ୍ଧି, କେବେ ବାପାକୁ ଛାଡ଼ି ଏକା ଯାଇନି, ଦଇବ କରିଚି–ଆଜି ଯିବାକୁ ପଡ଼ୁଚି–ଦି’ଦିନ ଖାଇନି, ଥରି ଥରି ଚାଲିଲା । ଏକା ଏକା ଯିବାକୁ ଡର ମାଡ଼ୁଥାଏ, ତେବେ ବି ପେଟ ବିକଳ–ମା’ ଉପାସରେ ବୁଢ଼ା ବାପ ବେହୁସ ।

 

ଦିନ ସରି ଆସିଲାଣି, ଜନ ଗହଳି, ସହରର କୋଳାହଳ ବଢ଼ି ଚାଲିଚି, ଝିଅଟା ଗଲା ସେଇ ଗଳିଆଡ଼କୁ ଗଳିଟା ଦୁର୍ଗନ୍ଧମୟ, ଗୁଡ଼ ଚିଟା ବୋହିଯାଉଚି ନଳାରୁ, ମହାଜନର ପଚାଆଳୁ ଆଉ ପିଆଜ ଗନ୍ଧରେ ବାଟୋଇଯାକ ନାକରେ ହାତଦେଇ ଚାଲିଥିଲେ । ଦୁଆର ମୁହଁରେ ପହଞ୍ଚିଲା ଝିଅଟି । ବାବୁ ବସିଥିଲେ ଏକା, ଡାକିଲେ ଭିତରକୁ । ଝିଅଟି ଭାବିଲା–କହିବ–ଭିତରକୁ ଯିବିନି–ଯାହା ଦେବାର ସେଇଠି ଦେଇଯାଉ–କିନ୍ତୁ ପାଟିରୁ ବାହାରିଲାନି–ବାଧ୍ୟହୋଇ ଆଗେଇଗଲା ଭିତରକୁ । ବାବୁ କହିଲେ ଆରେ ଡରୁଚୁ ? ଆରେ ଡର କ’ଣ–ଆ । ବାବୁ ପଚାରିଲେ–ଘରକଥା, ଆଉରି ଅନେକ କଥା, ସବୁ କଥାର ଉତ୍ତର ସେ ଦେଇପାରିଲାନି । ସିଧା ସଳଖ ଆଖିରେ ଚାହିଁପାରୁନଥାଏ–ସଫା ସୁତୁରା ବାବୁକୁ । ବାବୁଙ୍କ ଚାହାଣିଟା–ତା’ ପୁଅର ଚାହାଣିଭଳି ମଧୁର ନୁହେଁ ବିରକ୍ତ ଲାଗୁଥାଏ । ବାବୁ ଖଟଉପରୁ ହାତ ବଢ଼େଇ ଆଉଁସିଦେଲେ ତା’ ପିଠିକୁ । ଲାଜରେ ଝିଅଟିର ନାକ ଲାଲ ହୋଇଗଲା–କପାଳରେ ବିନ୍ଦୁ ବିନ୍ଦୁ ଝାଳ ଦିଶିଲା । ବାବୁ ଝିଅର ଅଲରା ବାଳଗୁଡ଼ା ସଜାଡ଼ି ଦେଲା ଭଲ ଲାଗିଲା ଝିଅଟିକୁ–ମନେହେଲା ସ୍ନେହର ପରଶ ।

 

ତା’ ଆଖି ଆଗରେ ଜଳୁଥିଲା ମହାଜନ ବାବୁ–ବାବୁର ସଫା ଲୁଗା ତଳେ ପଶୁର କରାଳ ମୂର୍ତ୍ତି ଘେରି ରହିଥିଲା ତାକୁ–ଜଳୁଥିଲା ତା’ ଦିହ, ଅବ୍ୟକ୍ତ ଯନ୍ତ୍ରଣାରେ ବିକୃତ ହେଉଥିଲା ତା’ର ମୁହଁ–ଠିକ୍ ବୁଢ଼ିଆଣୀ ମୁହଁର ମାଛିଟିଭଳି ।

 

ବାବୁ କହିଲେ, ଆଲୋ, ତୋ ଲୁଗାଟା ଚିରି ଫାଳ ଫାଳ ହୋଇଯାଇଚି–ଆ ଖଣ୍ଡେ ଲୁଗା ନେଇ ଯିବୁ । ଭିତରକୁ ଡାକିଲା ମହାଜନ ପାଦ ଚଳୁ ନ ଥାଏ, ମନେମନେ ବିରକ୍ତରେ ଭାବିଲା ଝିଅ–ଭୋକରେ ପେଟ ଜଳୁଚି, ଦିହ ଥରୁଛି ଲୁଗା କ’ଣ ହବ । ପୁଣି ଛିଣ୍ଡା ଲୁଗାଟା କଥା ଶୁଣି ଦିହର ଲାଜ ଯିମିତି ଦି’ଗୁଣ ବଢ଼ି ଗଲା । ସେଇ ଛିଣ୍ଡା କନାରେ ଚେଷ୍ଟାକଲା ଲାଜ ଢାଙ୍କିବାକୁ, ବୃଥା ଚେଷ୍ଟା, ପିଠିଟା ଢାଙ୍କିଲେ ଛାତିଟା ଦିଶେ ।

 

ବାବୁ ହାତଧରି ଭିତରକୁ ଟାଣିନେଲେ–ପାଖକୁ ଆଉଜେଇ, ମୁଣ୍ଡରେ ହାତବୁଲେଇ କହିଲେ କେଡ଼େ ଛୋଟ ଝିଅଟେ, ଗଣ୍ଡେ ଖାଆନ୍ତୁ, ଖଣ୍ଡେ ପିନ୍ଧନ୍ତୁ ନା–ଏଇ ଦିନୁ ଏଇ ଦଶା । ବାବୁ ଯେତେ ଯେତେ ପାଖକୁ ଆଉଜେଇ ନେଉଥାଆନ୍ତି–ଝିଅଟି ସେତେ ଥରି ଉଠୁଥାଏ ଅଜଣା ଶିହରଣରେ । ଘର କୋଣରେ ଆଳୁ ପିଆଜ ଗଦା ହୋଇଥାଏ । ରାସ୍ତାରେ ଆଲୁଅ ଜଳିଲାଣି । ଗୋଟିଏ ଝରକାରୁ ତେରଛା ଆଲୁଅ ଭିତରକୁ ପଡ଼ିଥାଏ–କିନ୍ତୁ ଝିଅଟିକୁ ସବୁ ଅନ୍ଧାର ଦିଶୁଥାଏ । ବାବୁ କଅଁଳ କଥା କହି ଦିହରେ ପିଠିରେ ହାତ ବୁଲାଉଥାଏ । ଏଣେ ଛିଣ୍ଡା ଲୁଗା, ମୁଣ୍ଡ, ଦେହ ଛାତିରୁ ଖସି ପଡ଼ୁଥାଏ । କେବେ ସେ ଏମିତି କଅଁଳ କଥା ଶୁଣି ନ ଥିଲା–ଆଦର ପାଇ ନ ଥିଲା । ବେଳେ ଚାହିଁଲା ବାବୁ ଆଡ଼କୁ, କ’ଣ ଦେଖିଲା କେଜାଣି ବାବୁ ଆଖିରେ ତାକୁ ଭାରି ଡର ମାଡ଼ିଲା–ଆଖିଦେଇ ତା’ ଲଙ୍ଗଳା ଦେହଟାକୁ ଚାଟୁଥିଲା ଯିମିତି । ଘୁଞ୍ଚି ଆସିବାକୁ ଚେଷ୍ଟା କଲା–କିନ୍ତୁ ପାରିଲାନି–ନିଃସହାୟ ଭାବରେ ପଡ଼ିରହିଲା । ଘର କୋଣରେ ଅଧାଛାଇ ଅଧା ଅନ୍ଧାରରେ ଦେଖିଲା–ଗୋଟିଏ ମସ୍ତବଡ଼ ବୁଢ଼ିଆଣୀ ଜାଲ ମଝିରେ ରକ୍ତବର୍ଣ୍ଣ ପ୍ରକାଣ୍ଡ ବୁଢ଼ିଆଣୀଟେ । ଜାଲରେ ଏଠି ସେଠି ଦି’ ତିନିଟା ମାଛି ପଡ଼ି ଛଟପଟ ହେଉଥିଲେ–ଆଉ ବୁଢ଼ିଆଣୀଟା ଆଗେଇ ଯାଉଥିଲା ଗୋଟାକ ଆଡ଼କୁ–ଯନ୍ତ୍ରଣାରେ ଝିଅଟିର ଆଖି ମୁଦି ହୋଇ ଆସିଲା ।

 

ଫେରି ଆସିଲା ସେଇ ଗଛ ମୂଳକୁ । ରାତି ଘଡ଼ିଏ ସରିକି ହେବ । ଟଳି ଟଳି ଫେରିଲା-। ଦୂରରୁ ଶୁଭୁଥିଲା, ମା’ ଗାଳିଦେଇ ଚାଲିଚି–ଜିଭ ଲେଉଟିବନି । କହୁଥିଲା, ଯାଇଚି ଯେ ଚାଉଳ ମୁଠେ ଆଣିବାକୁ–ରାତି ଘଡ଼ିଏ ହେଲାଣି–ଦଶାଘାଟିଆ, ଆଣ୍ଠୁକୁଢ଼ୀ, ମରୁନୁ ଯାହା… ଇତ୍ୟାଦି-। ମା’ର ଦାଢ଼ୁଆ ମୁହଁରେ ଜବାବ ଦେବାକୁ ବଳ ନ ଥିଲା । ଅଣ୍ଟାରେ ଚାଉଳ ଆଉ ଖଣ୍ଡେ ଲୁଗାଧରି ଆସିଥିଲା, ଗଛ ମୂଳରେ ପହଞ୍ଚି କଚାଡ଼ି ହେଇ ପଡ଼ିଲା–ଯେତେବେଳେ ଜ୍ଞାନପାଇଉଠିଲା, ସେତେବେଳକୁ ଅନେକ ରାତି–ଦିହ ହାତ ବଥା ଲାଗୁଥାଏ, ଜର ଜର ଲାଗୁଥାଏ ଝିଅକୁ । ମା’ ଝିଅ ଆଣିଥିବା ଚାଉଳର ଗରମ ଭାତ ଖାଇ–ଲୁଗାଟା ଦେଖି କଦର୍ଯ୍ୟ ଭାଷାରେ ଗାଳି ଦେଉଥାଏ–ଅଣଲାଜେଇ ଝିଅକୁ । ରାଗରେ ଝିଅର ଦିହ ଜଳୁଥାଏ, ତୁଣ୍ଡ ଫିଟିଲାନି–ତୁନି ହୋଇ ପଡ଼ିରହିଲା ।

 

ସେଇ ସହରରେ ପୁଣି ସନ୍ଧ୍ୟା ଆସିଚି–ୟା ଭିତରେ ବିତିଯାଇଛି–ଦୀର୍ଘ ପାଞ୍ଚବର୍ଷ, ଆଉ ସେଇ ମହାଜନ ସେଇ ଦୁର୍ଦ୍ଦିନର ସୁଯୋଗରେ ଚାଉଳ ଧାନ ବିକି ଦଶଗୁଣ ଧନୀ ହେଇ ଉଠିଚି । ସହରରେ ବଡ଼ ବଡ଼ କୋଠା ବି କଲେଣି । ବଜାର ମଝିରେ ଯେଉଁ ଗଳିଟା ଯାଇଛି–ଭାରି ଅଣଓସାରିଆ କିନ୍ତୁ ଦିପାଖରେ ଧାଡ଼ି ଧାଡ଼ି ଘରସବୁ ସେଇ ମହାଜନର । ଭଡ଼ା ଲଗେଇଛନ୍ତି । ଗୋଟାଏ ଘରର ଦୁଆର ବନ୍ଧ ଉପରେ ଠିଆହୋଇ ରାସ୍ତା ଆଡ଼କୁ ଚାହିଁଥିଲା ଲଳିତା । ଗଳିର ଅନ୍ଧାରିଆ ରାସ୍ତା । କାନ, ଗଳା ଆଉ ହାତରେ ନକଲି ସୁନାର ଶସ୍ତା ଗହଣା ଚକ୍‍ ଚକ୍‍ କରୁଥାଏ । ଆଉ ମୁହଁରେ ଅଛି ପାଉଡ଼ରର ଗୋଟାଏ ମୋଟ ଆବରଣ–ମୁହଁରୁ କଳା କଳା କୁତ୍ସିତ ଦାଗଗୁଡ଼ା ଛପେଇବା ପାଇଁ । ମହାଜନର ପୁଅ ଠିକ୍ ଏଇ ସମୟରେ ସେ ରାସ୍ତାଦେଇ ଯାଏ । ଅନେକଥର ଲଳିତାକୁ ଦେଖେ, କିନ୍ତୁ ଚାଲିଯାଏ । ଆଜି ଠିକ୍‍ ସେମିତି ଚାହିଁ ଚାହିଁ ଚାଲିଯାଉଥିଲା ବୈଦନାଥ । ଲଳିତା ଡାକିଲା–ଆସ । ବୈଦନାଥ ଚମକି ଗଲା ଈପ୍ସିତ ଅଥଚ ଆଶାତୀତ ଡାକରେ । ଚାହିଁଲା ଚାରି ଆଡ଼କୁ, କେହି ନାହିଁ । ପୁଣି କହିଲା–ଆସ । ବୈଦନାଥ ଇତସ୍ତତଃ କରି ପଶିଗଲା । ଲଳିତା କହିଲା, ବସିବାକୁ ତଳେ ବିଛଣାରେ । ବୈଦନାଥ ସେଇ ବାଟଦେଇ କେତେଥର ଯାଇଛି ଲଳିତାକୁ ଦେଖି କେତେ କଥା ଭାବିଚି, କିନ୍ତୁ ଆଜି ତୁଣ୍ଡ ଫିଟୁନି । ଲଳିତା ପଚାରିଲା–କ’ଣ ଡରୁଚ ? ଏଟାତ ତୁମରି ଘର, ମୁଁ ଭଡ଼ା ନେଇଚି । ବୈଦନାଥ ମୁହଁ ଲାଲ ପଡ଼ିଗଲା, ଗୋରା ତକ ତକ ମୁହଁ । କହିଲା–ନା ଡର କାହିଁକି ? ବସିପଡ଼ିଲା ବିଛଣାରେ–ଆଉ ଲଳିତା ବି ବସିପଡ଼ିଲା–ତା’ ପାଖରେ । ବୈଦ୍ୟନାଥ ସଂକୋଚରେ ସଙ୍କୁଚିତ ହୋଇପଡ଼ିଲା । ଏତେ ପାଖରେ କେବେ କୌଣସି ଝିଅକୁ ପାଇନି । କଲେଜରେ ଅନେକ ଝିଅ, ସେମାନେ ଦୂରେଇ ଥାଆନ୍ତି । ତାଙ୍କ ସଙ୍ଗେ ଗପ କରିଚି–ଯୁକ୍ତି, ତର୍କ, କଳି କରିଚି । ଇଚ୍ଛା କରିଚି ପାଖରେ ପାଇବାକୁ । କିନ୍ତୁ ଏ ଯେ ଆଶାତୀତ ସାନ୍ନିଧ୍ୟ ।

 

ଲଳିତା ପଚାରିଲା–ତମେତ ବରାବର ଏଇବାଟେ ଯାଅ, ଆସନି କାହିଁକି ? ଖାଲି ଚାହିଁ ଚାହିଁ ଚାଲିଯାଅ ତମେ ।

 

ବୈଦ୍ୟନାଥ ଭାବିଲା–କହିବ, କାହିଁ ଆଜି ଯେମିତି ଡାକିଲ, ସେମିତିତ କେବେ ଡାକିନ, କିନ୍ତୁ କହିପାରିଲାନି ।

 

ଲଳିତା କହିଲା–ମୋତେ ଦେଖି ଘୃଣା ହୁଏ ?

 

ବୈଦ୍ୟନାଥ ଆଶ୍ଚର୍ଯ୍ୟ ହେଲା । ମନେମନେ କେତେଥର ଭାବିଛି, ତାକୁ ଭଲପାଏ, କିନ୍ତୁ କହିପାରିଲାନି କିଛି ।

 

ଆଚ୍ଛା, ମୋତେ ଚିହ୍ନିପାରୁଚ ? ପଚାରିଲା ଲଳିତା, ତାଆରି ଉପରକୁ ଆଖି ଦେଇ ।

 

ବୈଦ୍ୟନାଥ କହିଲା–ହଁ ଚିହ୍ନିପାରୁଚି; କିନ୍ତୁ ଠିକ୍ କେବେ ଓ କେଉଁଠି ଦେଖିଚି ପ୍ରଥମ....ଆଚ୍ଛା... ।

 

ଲଳିତା ମନେପକାଇ ଦେଲା–ବର୍ଷ ପାଞ୍ଚ ତଳେ–ଭିକାରି ଜୀବନ କଥା–ଚାଉଳ ଦେବା କଥା ।

 

ମନେପଡ଼ିଲା ବୈଦ୍ୟନାଥର କହିଲା–ଓଃ ତମେ, ତମେ ସେଇ ଲକ୍ଷ୍ମୀ ?

 

ଲଳିତା କହିଲା–ହଁ, ଲକ୍ଷ୍ମୀ କିନ୍ତୁ ଆଜି ମୁଁ ଲଳିତା ।

 

ଲକ୍ଷ୍ମୀ–ସେ ତ ମରିଯାଇଛି ଅନେକ ଦିନୁ । ତୁମେ କିନ୍ତୁ ସେତେବେଳେ ଭାରି ସୁନ୍ଦର ଥିଲ ।

 

ଆଜି କ’ଣ ନୁହେଁ ?

 

ହଁ, ଆଜି ବି–ସେତେବେଳେ ଆହୁରି ଭଲ ଦିଶୁଥିଲ । ସେତେବେଳେ ମଳିଆ ଛିଣ୍ଡା ଲୁଗାରେ ଯେମିତି ସୁନ୍ଦର ଦିଶୁଥିଲ ତା’ ମୁଁ ଭୁଲିନି ! ଆଜି ବି ତୁମେ ସୁନ୍ଦର ଦିଶୁଚ ।

 

ପ୍ରତିବାଦ କଲା ଲଳିତା–ନା, ଆଜି ମୋର ସୌନ୍ଦର୍ଯ୍ୟ ନାହିଁ ଆଜି ମୁଁ କୁତ୍ସିତା ।

 

ଏକଥା କାହିଁକି କହୁଚ ? –ପଚାରିଲା ବୈଦ୍ୟନାଥ ।

 

ଆଜି ମୋର ଜୀବିକା କୁତ୍ସିତ... ।

 

ତଥାପି..... ।

 

ଆଛା ଏ କୁତ୍ସିତ, କଦର୍ଯ୍ୟ ଜୀବିକାର ଜୀବ ମୁଁ ତୁମକୁ ଘୃଣା ହୁଏନି–କହି ଲଳିତା ତା’ର ହାତ ଧରିଲା ।

 

ବୈଦ୍ୟନାଥ ହାତ ଭିତରେ ହାତ ପାଇ କହିପାରିଲାନି–ସେ କିନ୍ତୁ ଘୃଣା କରିପାରିଲାନି-? ସେ ଚାପି ଧରିଲା ଲଳିତାର ନରମ ହାତ, କେବେ ସେ ଛୁଇଁନି ବଢ଼ିଲା ଝିଅର ଦିହ, ହାତର ଚୁଡ଼ିକୁ ହାତରେ ଘୂରେଇଲା, ଭାବିଲା–ଗରିବ, ଭିକମଗା ଲକ୍ଷ୍ମୀ ସୁନା ଗହଣା ଏତେ ପାଇଲା କେଉଁଠୁ ? ପଚାରିଲା, ଏଗୁଡ଼ା କ’ଣ ସୁନାର ?

 

ଲଳିତା କହିଲା–ତୁମର କ’ଣ ମନେହୁଏ ?

 

ମୁଁ ତ ଭାବୁଚି ସୁନା ।

 

ଲଳିତା କହିଲା–ନା, ସୁନା ନୁହେଁ, ଦେଖେଇଲା ତା’ କାନର ଦୁଲ, ବ୍ଲାଉସ ଖୋଲି–ତା’ ଛାତିଉପର ହାରଟା ବୈଦ୍ୟନାଥର ହାତରେ ଦେଇ ଦେଖେଇଲା । କହିଲା ଯଦି ସୁନା ପିନ୍ଧନ୍ତି ତ ଏଠି ଥାଆନ୍ତି କାହିଁକି ? ଆମେ ଗରିବ, ସୁନା କେଉଁଠୁ ପାଇବୁଁ ?

 

ଲଳିତା ଚାହିଁଲା ଆଇନା ଆଡ଼କୁ–ଦେଖିଲା ବୈଦ୍ୟନାଥ ଚାହିଁଚି ତା’ ମୁକୁଳା ଛାତି ଆଡ଼କୁ ।

 

ଲଳିତା ଦୀର୍ଘଶ୍ୱାସଟିଏ ଛାଡ଼ିବାର ଛଳନା କରି ଆଉଜିପଡ଼ିଲା ବିଛଣାରେ–କହିଲା, ହଁ ଯଦି କିଏ କେବେ ଦୟାକରି ଦିଏ, ତେବେ ସିନା ଅସଲ ସୁନା ମିଳେ । ତା’ର ବାଁ ହାତ ବଢ଼େଇ ଦେଖେଇଲା ଗୋଟିଏ ସୁନା ମୁଦି । ବୈଦ୍ୟନାଥ ହାତଟାକୁ ଧରି ଦେଖିଲା, ମନେହେଲା, ତା’ ବାପର ଗୋଟିଏ ମୁଦି । ବୈଦ୍ୟନାଥ କାନ୍ଧରେ ଦି’ହାତଦେଇ ତା’ର ମୁହଁ ପାଖକୁ ଟାଣିଆଣି ପଚାରିଲା–ତମେ ମୋତେ ଇମିତି ମୁଦି ଦବ ?

 

ବୈଦ୍ୟନାଥ ଅନୁଭବ କଲା–ଲଳିତାର ଗରମ ନିଶ୍ଵାସ ତା’ ମୁହଁ ଉପରେ । ଗଳାର ହାରଟାକୁ ଧରି କହିଲା–ଦେବି, ଇମିତି ଗୋଟାଏ ସୁନାହାର ଦେବି । ଲଳିତା ତା’ ହାତକୁ ନିଜ ଛାତିରେ ଧରି କହିଲା–ସତରେ ଦବ ? ଲଳିତା ଦେଖିଲା–ଭାରି କଅଁଳିଆ ମୁହଁ–ଲାଲ ହେଇଯାଇଛି । ତା’ର ନୀଳ ଆଖି ଆଡ଼କୁ ଚାହିଁରହିଚି; ତା’ର ଓଠ ଥରୁଛି । ଭାରି ମମତା ହେଲା ଲଳିତାର । ଲଳିତା ଅନୁଭବ କଲା ବୈଦ୍ୟନାଥର ଥରିଲା ଦିହ–ଆଉ ବୈଦ୍ୟନାଥ ଅନୁଭବ କଲା–ସମଗ୍ର ଶରୀରରେ ରକ୍ତର ତଡ଼ିତ୍‍ ପ୍ରବାହ । ଆଖି ତା’ର ବୁଜି ଆସିଲା । ନିଜର ଥରିଲା ଦେହରେ ଶକ୍ତ କରି ଧରିଲା ଲଳିତାକୁ । ଲଳିତା ଚାହିଁଥିଲା ଘର କୋଣର ଗୋଟିଏ ବୁଢ଼ିଆଣୀ ଜାଲକୁ । ପ୍ରତିହିଂସା ପାଇଁ ଜଳି ଉଠୁଥିଲା ତା’ର ଦିହ ।

 

ମନେପଡ଼ିଲା ତା’ର ତିନିବର୍ଷ ତଳର କଥା–ଯେତେବେଳେ ପହିଲୁ ପହିଲୁ ତା’ ଦେହରେ ଘା’ ହେଲା, ମହାଜନ ଯେଦିନ ପ୍ରଥମେ ଜାଣିଲା, ଆଉ ତାକୁ ଡାକିଲାନି । କିଛିଦିନ ପରେ ତା’ ଦେହଯାକ ଘା’ରେ ଭରିଗଲା । ରାସ୍ତାକଡ଼ରେ ମଲାଭଳି ପଡ଼ିରହିଲା ଅନେକ ଦିନ । ବୁଢ଼ା-ବୁଢ଼ୀ ତା’ ଆଗରୁ ଆଖି ବୁଜିଥିଲେ । ରାସ୍ତା ପାଖଦେଇ ମହାଜନ ଯାଇଛି, କେତେଥର ବିକୃତ ମୁହଁ ଫେରେଇ ନେଇଚି । ଅନେକ ଲୋକ ଆସିଛନ୍ତି–ପ୍ରତିହିଂସାର ଆହୁତି ଦେଇଚନ୍ତି ଅନେକ ସଫାସୁତୁରା ଲୋକ ।

 

ଲଳିତାର ଆଜି ମନେହେଲା–ଯିମିତି ଗୋଟିଏ ଶାନ୍ତିର ପ୍ରଲେପ ପଡ଼ିଲା ତା’ର ଜଳନ୍ତା ଦିହରେ । ବୁଢ଼ା ମହାଜନର ବିକୃତ ମୁହଁଟା ଦିଶିଲା, ଭାବିଲା–କିଛିଦିନ ପରେ ମହାଜନ ତା’ର ଏକମାତ୍ର ପୁଅକୁ ଦେଖିବ–କଳ୍ପନା କଲା–ତା’ପୁଅର ସେଇ ରୂପକୁ ଦେଖି, ମହାଜନର ରୂପଟା କିମିତି ହବ ।

 

ବୈଦ୍ୟନାଥ ପ୍ରଥମ ଜୀବନର ଆମୋଦରେ ନିଜକୁ ନିଃଶେଷ କରି ଶୋଇ ରହିଲା, ସ୍ଵପ୍ନ ଦେଖିଲା–ପ୍ରକାଣ୍ଡ ଧଳାକାନ୍ଥର ଆରପାରିରେ ଲକ୍ଷ୍ମୀ–ଏ ପାରିରେ ବୈଦ୍ୟନାଥ, କାନ୍ଥରୁ ଖସୁଥାଏ ସୁରୁକି–ବାଲି ଇଟା–ଝୁପ୍‍ ଝାପ୍‍ ।

Image